ହେଡଲାଇନସ୍:

ପାରଳାଖେମୁଣ୍ଡି ପୌରାଞ୍ଚଳର ୧୬ଟି ୱାର୍ଡରେ ସ୍ଥାପନ ହେଲା ୧୬ଟି ଜ୍ୱର ପରୀକ୍ଷଣ କେନ୍ଦ୍ର (Fever Clinic)

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଗତ କିଛି ଦିନ ହେଲା ଗଜପତି ଜିଲ୍ଲା ସଦର ମହକୁମା  ପାରଳାଖେମୁଣ୍ଡି ସହରରେ କରୋନା ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନିୟନ୍ତ୍ରଣରେ ରଖିବା ସହ ଏହାର ରୋକିବା ଦିଗପ୍ରତି ଦୃଷ୍ଟି ଆଗରେ ରଖି ପାରଳାଖେମୁଣ୍ଡି ସହରକୁ ଜୁଲାଇ ୧୦ ତାରିଖ ଠାରୁ ଜୁୁୁଲାଇ ୧୨ ତାରିଖ  ୩ ଦିନ ପର୍ଯ୍ୟନ୍ତ ସଟ୍ ଡାଉନ୍ କରିଥିଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । 

ଏହି ୩ ଦିନିଆ ସଟ୍ ଡାଉନ୍ ସମୟରେ ସ୍ୱାସ୍ଥ୍ୟ ବିଭାଗୀୟ ଟିମ୍ ଘର ଘର ବୁଲି ଘର ପରିବାର ଲୋକଙ୍କୁ କରୋନା ଜନିତ ଲକ୍ଷଣ ଉପରେ ପଚାରି ବୁଝିବା ସହ  ଉପକରଣ ସାହାଯ୍ୟରେ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଏହି କାର୍ଯ୍ୟରେ ପାରଳାଖେମୁଣ୍ଡି ପୌରାଞ୍ଚଳର ସମସ୍ତ ଜନସାଧାରଣ ଅକୁଣ୍ଠିତ ଚିତ୍ତରେ ସହଯୋଗ କରିଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ସାଧୁବାଦ ଜଣାଇଛନ୍ତି ଜିଲ୍ଲାପାଳ ଅନୁପମ ସାହା।

ସମ୍ପ୍ରତି କରୋନା ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ପାରଳାଖେମୁଣ୍ଡି ପୌରାଞ୍ଚଳର ୧୬ଟି ୱାର୍ଡ ଅଫିସରେ ସ୍ଥାପନ ହେଲା ୧୬ଟି ଜ୍ୱର ପରୀକ୍ଷଣ କେନ୍ଦ୍ର (Fever Clinic) । 

ଏହି ଜ୍ୱର ପରୀକ୍ଷଣ କେନ୍ଦ୍ର ଗୁଡିକ ତାଲିମ ପ୍ରାପ୍ତ ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ସ୍ଵଚ୍ଛ ସାଥି ଏବଂ ସମ୍ପୁକ୍ତ ୱାର୍ଡର ୱାର୍ଡ ଅଫିସର ଦ୍ବାରା ପରିଚାଳିତ । ଏହି ଜ୍ୱର ପରୀକ୍ଷଣ କେନ୍ଦ୍ର ଗୁଡିକ ପ୍ରତ୍ୟେକ ଦିନ ସକାଳ ୮ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଖୋଲା ରହିବ। ଅସୁସ୍ଥ ଅନୁଭବ କରୁଥିବା ବ୍ୟକ୍ତିମାନେ ଉକ୍ତ କେନ୍ଦ୍ର ରେ ଉପସ୍ଥିତ ରହି ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିପାରିବେ। ଏହି କେନ୍ଦ୍ର ଗୁଡିକ ସ୍ୱତନ୍ତ୍ର ତାଲିମ ପ୍ରାପ୍ତ ମେଡିକାଲ୍ ଅଫିସର ମାନଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ହେଉଅଛି । 

ଏତଦବ୍ୟତୀତ ଆପାତକାଳୀନ ପରିସ୍ଥିତିର ମୁକାବିଲା କରିବା ପାଇଁ ଚାରୋଟି ଭ୍ରାମ୍ୟମାଣ ରାପିଡ ରେସପନ୍ସ ଟିମ୍ (RRT) ଗଠନ କରାଯାଇଛି। ଯାହାକି ଘରେ ଘରେ ସ୍ୱାସ୍ଥ୍ୟ ସେବା ପ୍ରଦାନ କରୁଅଛନ୍ତି।

ଆସନ୍ତା କିଛି ଦିନ ପାରଳାଖେମୁଣ୍ଡି ସହର ପାଇଁ ଗୁରୁତ୍ୱ ପୂର୍ଣ୍ଣ , ଆପଣ ମାନେ ଘର ଭିତରେ ରୁହନ୍ତୁ , ଅତି ଦରକାର ନଥିଲେ ଘରୁ ବାହାରକୁ ବାହାରନ୍ତୁ ନାହିଁ। ପାରଳାଖେମୁଣ୍ଡି ପୌରାଞ୍ଚଳର ଜନସାଧାରଣ ଏଥିରେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ ଅନୁପମ ସାହା।

0
0
0
s2sdefault