ପିଆଇବି ପକ୍ଷରୁ କୋଭିଡ-19 ପରିଚାଳନାରେ ଗଣମାଧ୍ୟମର ଭୂମିକା ସମ୍ପର୍କରେ ୱେବିନାର ଆୟୋଜିତ
-
ବର୍ତ୍ତମାନର ସଙ୍କଟପୂର୍ଣ୍ଣ ସମୟରେ ମିଥ୍ୟା ଖବର ବ୍ୟାପକ ପ୍ରସାରଣ ହେଉଥିବାରୁ ଗଣମାଧ୍ୟମ ଦାୟିତ୍ୱସମ୍ପନ୍ନ ହୋଇ ଖବର ପରିବେଷଣ କରିବା : ପିଆଇବି ଏଡିଜି
-
ଡିଜିଟାଲ ଗଣମାଧ୍ୟମରେ ବିଭିନ୍ନ ସମୟରେ ମିଥ୍ୟା ଖବର ପ୍ରସାରଣ ହେଉଥିବାରୁ ଛାପା ଗଣମାଧ୍ୟମର ଏକ ସ୍ୱତନ୍ତ୍ର ବିଶ୍ୱସନୀୟତା ପାଠକଙ୍କ ମନରେ ବଜାୟ ରହିଛି : ତଥାଗତ
-
ବର୍ତ୍ତମାନର ଆହ୍ୱାନପୂର୍ଣ୍ଣ ସମୟରେ ସରକାରୀ ବ୍ୟବସ୍ଥା ବି ଚାପଗ୍ରସ୍ତ , ତେଣୁ ଗଣମାଧ୍ୟମ ସକାରାତ୍ମକ ଖବର ପ୍ରସାରଣ କରିବା ଆବଶ୍ୟକ: ସୂଚନା ଲୋକସମ୍ପର୍କ ନିର୍ଦ୍ଦେଶକ
-
ଗଣମାଧ୍ୟମ, ବିଶେଷ କରି ସମ୍ବାଦପତ୍ରଗୁଡ଼ିକ ଗୁରୁତର ସଙ୍କଟ ଦେଇ ଗତି କରୁଛନ୍ତି : ଗୌରହରି
-
ପ୍ରତିକୂଳ ପରିସ୍ଥିତି ସତ୍ୱେ ସୂଚନା ପ୍ରସାରଣ ନିରପେକ୍ଷ ଏବଂ ବିଶ୍ୱସନୀୟ ହେବା ଜରୁରି : ସନ୍ଦୀପ
-
ଗଣମାଧ୍ୟମ ଏବଂ ସାମ୍ବାଦିକମାନଙ୍କ ପାଇଁ ଏବେ ଏକ ଗମ୍ଭୀର ସ୍ଥିତି ସୃଷ୍ଟି ହୋଇଛି : ଶିଶିର
ଭୁବନେଶ୍ୱର : କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱର ପକ୍ଷରୁ “କୋଭିଡ-19 ପରିଚାଳନାରେ ଗଣମାଧ୍ୟମ”ର ଭୂମିକାକୁ ନେଇ ଏକ ୱେବିନାର ଅନୁଷ୍ଠିତ ହୋଇଯାଇଛି । ପିଆଇବିର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଶୈଳେଶ କୁମାର ମାଲବ୍ୟ ଏଥିରେ ଅଧ୍ୟକ୍ଷତା କରିଥିଲେ । ବର୍ତ୍ତମାନର ସଙ୍କଟପୂର୍ଣ୍ଣ ସମୟରେ ମିଥ୍ୟା ଖବର ବ୍ୟାପକ ପ୍ରସାରଣ ହେଉଥିବାରୁ ଗଣମାଧ୍ୟମ ଦାୟିତ୍ୱସମ୍ପନ୍ନ ହୋଇ ଖବର ପରିବେଷଣ କରିବା ଲାଗି ସେ ଆହ୍ୱାନ କରିଥିଲେ । ଏହି ଭର୍ଚୁଆଲ ଆଲୋଚନା ଏବଂ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ରାଜ୍ୟ ଗଣମାଧ୍ୟମ ଜଗତର ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଅଂଶଗ୍ରହଣ କରି କରୋନା ମହାମାରୀ ସମୟରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିବା ସହିତ ସକାରାତ୍ମକ ଖବର ପ୍ରସାରଣ ଉପରେ ଗୁରୁତ୍ୱାରୋପ କରିଥିଲେ ।
କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର ସମ୍ପାଦକ ତଥାଗତ ସତପଥୀ କହିଥିଲେ ଯେ ଆମେ ସମସ୍ତେ ଏକ ବୈଶ୍ୱିକ ସଙ୍କଟ ଦେଇ ଗତି କରୁଛୁ । ବର୍ତ୍ତମାନ ମହାମାରୀ ସହିତ ତାଳଦେଇ ‘ସୂଚନା ମହାମାରୀ’ (ଇନଫୋଡେମିକ) ମଧ୍ୟ ଦେଖାଦେଇଛି । ଗଣମାଧ୍ୟମ କେତେକ କ୍ଷେତ୍ରରେ ଅନିୟନ୍ତ୍ରିତ ହୋଇପଡ଼ିଛି, ଯାହା ଏହାର ଛବିକୁ ପ୍ରଭାବିତ କରିବା ସହିତ ବିଶ୍ୱସନୀୟତାର ସଙ୍କଟ ସୃଷ୍ଟି କରୁଛି । ଏଭଳି ସମୟରେ ଗଣମାଧ୍ୟମ ଦାୟିତ୍ୱସମ୍ପନ୍ନ ହୋଇ ଖବର ପ୍ରସାରଣ କରିବା ଆବଶ୍ୟକ । ଅସମ୍ପୂର୍ଣ୍ଣ ତଥ୍ୟ ଉପରେ ଅତ୍ୟଧିକ ଖବର ପ୍ରସାରଣ ଦ୍ୱାରା ଜନସାଧାରଣଙ୍କ ଉପରେ ମାନସିକ ଚାପ ସୃଷ୍ଟି ହେବାର ଆଶଙ୍କା ରହିଛି । ଗଣମାଧ୍ୟମରେ କେବଳ କୋଭିଡ-19 ମହାମାରୀ ସମ୍ପର୍କରେ ଖବର ପ୍ରସାରଣ କରାନଯାଇ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଖବର ପ୍ରସାରଣ ଉପରେ ମଧ୍ୟ ଜୋର ଦିଆଯିବା ଆବଶ୍ୟକ । କରୋନା ସମ୍ପର୍କିତ ଖବର ନିଶ୍ଚିତ ଭାବେ ପ୍ରକାଶ ପାଉ, କିନ୍ତୁ ଏସବୁ ଖବର ଉପରେ ଅତ୍ୟଧିକ ଗୁରୁତ୍ୱ ଦିଆଯିବା ଉଚିତ ନୁହେଁ ବୋଲି ଶ୍ରୀ ସତପଥୀ ମତପ୍ରକାଶ କରିଥିଲେ ।
କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିବା ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର କହିଥିଲେ ଯେ କରୋନା ମହାମାରୀ ସମୟରେ ଗଣମାଧ୍ୟମ ଏକ ପ୍ରଶଂସନୀୟ ଭୂମିକା ନିର୍ବାହ କରୁଛି । ବର୍ତ୍ତମାନର ଆହ୍ୱାନପୂର୍ଣ୍ଣ ସମୟରେ ସରକାରୀ ବ୍ୟବସ୍ଥା ଚାପଗ୍ରସ୍ତ ରହିଛି । ଗଣମାଧ୍ୟମ ସୂଚନାର ପ୍ରସାରଣ ମାଧ୍ୟମରେ ବ୍ୟବସ୍ଥାକୁ ସହଯୋଗ ଯୋଗାଇ ଦେଉଛି । ତେବେ ଗଣମାଧ୍ୟମ ନକାରାତ୍ମକ ନୁହେଁ, ବରଂ ସକାରାତ୍ମକ ଖବର ପ୍ରସାରଣ କରିବା ଆବଶ୍ୟକ । ଖୁବଶୀଘ୍ର ମହାମାରୀର ସଙ୍କଟ ଦୂର ହେବ । ଏହି ସଙ୍କଟପୂର୍ଣ୍ଣ ସମୟରେ ସରକାର ଓ ପ୍ରଶାସନ ଗଣମାଧ୍ୟମ ସହ ରହିଛି ବୋଲି ସେ କହିଥିଲେ ।
କାର୍ଯ୍ୟକ୍ରମରେ ଅନ୍ୟତମ ଆଲୋଚକ ଭାବେ ଅଂଶଗ୍ରହଣ କରିଥିବା ‘ସମ୍ବାଦ’ର ଫିଚର ସମ୍ପାଦକ ତଥା ସମ୍ବାଦ ସ୍କୁଲ ଅଫ ମିଡିଆ ଆଣ୍ଡ କଲଚରର ଅଧ୍ୟକ୍ଷ ବିଶିଷ୍ଟ କଥାକାର ଗୌରହରି ଦାସ କହିଥିଲେ ଯେ ଗଣମାଧ୍ୟମ, ବିଶେଷ କରି ସମ୍ବାଦପତ୍ରଗୁଡ଼ିକ ଗୁରୁତର ସଙ୍କଟ ଦେଇ ଗତି କରୁଛନ୍ତି । ଏସବୁ ସଂସ୍ଥା ତିଷ୍ଠି ରହିବା ଲାଗି ସଂଘର୍ଷ କରୁଛନ୍ତି । ତେବେ ମହାମାରୀ ସମୟରେ କେବଳ ନକାରାତ୍ମକ ଖବର ପ୍ରସାରଣ ନକରି ସକାରାତ୍ମକ ସୂଚନା ଲୋକମାନଙ୍କ ନିକଟରେ ପହଁଚାଇବା ଉଚିତ ବୋଲି ସେ ମତପ୍ରକାଶ କରିଥିଲେ । ବିଶେଷକରି ଗ୍ରାମାଂଚଳରେ ଘଟୁଥିବା ଘଟଣା, ଦୁର୍ଘଟଣା ବିଷୟରେ ଖବର ପ୍ରସାରଣ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ବରିଷ୍ଠ ସାମ୍ବାଦିକ ସନ୍ଦୀପ ମିଶ୍ର କହିଥିଲେ ଯେ ବର୍ତ୍ତମାନ ଗଣମାଧ୍ୟମ ଜଗତ ବିଭିନ୍ନ ପ୍ରକାରର ସଙ୍କଟ ମଧ୍ୟ ଦେଇ ଗତି କରୁଛି । ରାଜସ୍ୱ କ୍ଷତି ସହିତ ଖବର ସଂଗ୍ରହ ମଧ୍ୟ ବାଧାପ୍ରାପ୍ତ ହୋଇଛି । ସାମାଜିକ ଦୂରତାକୁ ଆଖି ଆଗରେ ରଖି କର୍ମଚାରୀଙ୍କ ସଂଖ୍ୟା ହ୍ରାସ ପାଇଛି । ଅନ୍ୟପକ୍ଷରେ ଏହି ଆହ୍ୱାନପୂର୍ଣ୍ଣ ସମୟରେ ସଠିକ ସମୟରେ ସଠିକ ସୂଚନା ପହଁଚାଇବାର ଆବଶ୍ୟକତା ଯୋଗୁ ଗଣମାଧ୍ୟମ ଚାପରେ ରହୁଛି । ଏଭଳି ପ୍ରତିକୂଳ ପରିସ୍ଥିତି ସତ୍ୱେ ସୂଚନା ପ୍ରସାରଣ ନିରପେକ୍ଷ ଏବଂ ବିଶ୍ୱସନୀୟ ହେବା ଜରୁରି ବୋଲି ସେ ମତବ୍ୟକ୍ତ କରିଥିଲେ ।
ବରିଷ୍ଠ ସାମ୍ବାଦିକ ତଥା ନନ୍ଦିଘୋଷ ଟିଭିର ସମ୍ପାଦକ ଶିଶିରଭଟ୍ଟ ମିଶ୍ର କାର୍ଯ୍ୟକ୍ରମରେ ଅନ୍ୟତମ ଆଲୋଚକ ଭାବେ ଅଂଶଗ୍ରହଣ କରି ମହାମାରୀର ଏହି ସଙ୍କଟପୂର୍ଣ୍ଣ ସମୟରେ ଗଣମାଧ୍ୟମ ଏବଂ ସାମ୍ବାଦିକମାନଙ୍କ ପାଇଁ ଏବେ ଏକ ଗମ୍ଭୀର ସ୍ଥିତି ସୃଷ୍ଟି ହୋଇଛି । ଗଣମାଧ୍ୟମରେ ରାଜସ୍ୱ ଓ କର୍ମଚାରୀ ହ୍ରାସ ପାଇଛନ୍ତି । ସାମ୍ବାଦିକମାନେ ମହାମାରୀ ଦ୍ୱାରା ଆକ୍ରାନ୍ତ ହେଉଥିବା ଯୋଗୁ ଖବର ସଂଗ୍ରହ ବାଧାପ୍ରାପ୍ତ ହେଉଛି । ଏହା ସତ୍ୱେ ସକାରାତ୍ମକ ଖବର ସଂଗ୍ରହ କରିବା ବର୍ତମାନ ସମୟର ଆବଶ୍ୟକତା ବୋଲି ସେ କହିଥିଲେ । କାର୍ଯ୍ୟକ୍ରମ ଶେଷରେ ଏକ ପ୍ରଶ୍ନୋତ୍ତର ଅଧିବେଶନ ଆୟୋଜିତ ହୋଇଥିଲା । ଆଲୋଚନାରେ ଅଂଶଗ୍ରହଣ କରିଥିବା ଅତିଥିମାନେ ଅଂଶଗ୍ରହଣକାରୀମାନଙ୍କର ବିଭିନ୍ନ ପ୍ରଶ୍ନର ଉତର ଦେଇଥିଲେ ।
ଖବରକାଗଜ ଦ୍ୱାରା ସଂକ୍ରମଣ ଆଶଙ୍କା ଥିବା ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ ବିଭିନ୍ନ ସମ୍ବାଦପତ୍ରର ପ୍ରକାଶନ ଓ ମୁଦ୍ରଣ ପ୍ରଭାବିତ ହୋଇଛି । ଏଭଳି ସ୍ଥିତିରେ ଛାପା ଗଣମାଧ୍ୟମର ଭବିଷ୍ୟତ କ’ଣ ସେ ସମ୍ପର୍କରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ ସମ୍ପାଦକ ଶ୍ରୀ ସତପଥୀ କହିଥିଲେ ଯେ ଛାପା ଗଣମାଧ୍ୟମର ଏକ ସ୍ୱତନ୍ତ୍ର ବିଶ୍ୱସନୀୟତା ରହିଛି । ବର୍ତ୍ତମାନ କିଛି ଲୋକ ଡିଜିଟାଲ ଗଣମାଧ୍ୟମ ମୁହାଁ ହୋଇଥିଲେ ବି ଭାରତ ଭଳି ଦେଶରେ ସବୁ ଲୋକଙ୍କ ପାଖରେ ଇଂଟରନେଟ ସଂଯୋଗ, କମ୍ପ୍ୟୁଟର, ସ୍ମାର୍ଟଫୋନ ଭଳି ସମ୍ବଳ ନଥିବାରୁ ଛାପା ଗଣମାଧ୍ୟମର ଗୁରୁତ୍ୱ ଅତି କମରେ ଆହୁରି ଦୁଇ ଦଶନ୍ଧି ପର୍ଯ୍ୟନ୍ତ ବଜାୟ ରହିବ । ଏହାଛଡ଼ା ଡିଜିଟାଲ ଗଣମାଧ୍ୟମରେ ବିଭିନ୍ନ ସମୟରେ ମିଥ୍ୟା ଖବର ପ୍ରସାରଣ ହେଉଥିବାରୁ ଛାପା ଗଣମାଧ୍ୟମର ଏକ ସ୍ୱତନ୍ତ୍ର ବିଶ୍ୱସନୀୟତା ପାଠକଙ୍କ ମନରେ ବଜାୟ ରହିଛି ବୋଲି ଶ୍ରୀ ସତପଥୀ କହିଥିଲେ ।
ପିଆଇବି, ଭୁବନେଶ୍ୱରର ଗଣଯୋଗାଯୋଗ ଅଧିକାରୀ ପ୍ରଦୀପ କୁମାର ଚୌଧୁରୀ ଅତିଥି ପରିଚୟ ଦେବା ସହିତ ୱେବିନାରକୁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ ରାଜ୍ୟର ବିଭିନ୍ନ କାର୍ଯ୍ୟାଳୟର ଅଧିକାରୀ, ଗଣମାଧ୍ୟମର ପ୍ରତିନିଧି, ଛାତ୍ରଛାତ୍ରୀ, ଗବେଷକ ଓ ବୁଦ୍ଧିଜୀବୀମାନେ ଅଂଶଗ୍ରହଣ କରିଥିଲେ ।