ଆଇନ ଉଲଂଘନ ଅଭିଯୋଗରେ ୧୧ ଜଣଙ୍କ ବିରୋଧରେ ମାମଲା ରୁଜୁ
ବଡ଼ବିଲ (ଶାସକ ପ୍ରଶାସକ) ବଡ଼ବିଲରୁ ଆଜି ୩୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ସମସ୍ତ ୩୪ ସଂକ୍ରମିତ ପୂର୍ବରୁ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଛି। ପ୍ରକାଶ ଥାଉ କି ବଡ଼ବିଲରେ ସଂକ୍ରମଣ ବଢିବା ଆଶଙ୍କା କରି ଜିଲ୍ଲା ପ୍ରଶାସନ ବଡ଼ବିଲ ସହରକୁ ୭ ଦିନ ପାଇଁ ସଟଡାଉନ ଘୋଷଣା କରିଥିଲା। ହେଲେ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ରୋଗୀଙ୍କ ସଂଖ୍ୟା ଯେପରି ବଢିଚାଲିଛି ସଟଡାଉନ ଅବଧି ବଢିବାର ଆଶଙ୍କା ସୃଷ୍ଟି ହୋଇଛି। ତେବେ ବଡ଼ବିଲ ଅଞ୍ଚଳରେ ଖଣିଜ ପରିବହନ ଜାରି ରହିଥିବାରୁ ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି। କିଛି ଅମାନିଆ ପ୍ରଶାସନର ନିୟମାବଳୀକୁ ବେଖାତିର କରିବା ଦ୍ୱାରା ବଡ଼ବିଲରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। କୋଭିଡ ନିୟମାବଳୀକୁ ଉଲଂଘନ ଅଭିଯୋଗରେ ବଡ଼ବିଲ ପୋଲିସ ୧୧ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିବାର ସୂଚନା ମିଳିଛି। ଆଇନ ଉଲଂଘନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସାଧାରଣରେ ଦାବି ହୋଇଛି।