ମାଲକାନଗିରି ପୋଲିସ କ୍ୟାଟିଂନରେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା ଏବଂ ବୀରମିତ୍ରପୁର ଥାନା ଅଧିକାରୀ ନାବାଳିକା ସହ ଦୁଷ୍କର୍ମ କରିବା ପ୍ରସଙ୍ଗ
ଏସି ଏସଟି ଏଟ୍ରୋସିଟି ଆକ୍ଟ ଲଗାଇ ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ
ରାଜ୍ୟସରକାର ଏସଆଇଟି ଗଠନ କରି ନିରପେକ୍ଷ ତଦନ୍ତ କରିବାକୁ ଦାବୀ କଲା ବିଜେପି
ଏସସି ଏସଟି ଆକ୍ଟ ଅନୁଯାୟୀ ପୀଡିତାଙ୍କ ପରିବାରକୁ ତୁରନ୍ତ ୮.୨୫ ଲକ୍ଷ କ୍ଷତିପୂରଣ ପ୍ରଦାନ କରାଯାଉ
ପୋଲିସ ମହିଳାମାନଙ୍କୁ ସୁରକ୍ଷା ଦେବା ପରିବର୍ତେ ସେମାନଙ୍କ ସହ ଦୁଷ୍କର୍ମ କରିଚାଲିଛି
ବୀରମିତ୍ରପୁର ଘଟଣାରେ ଅନ୍ୟ ଅଭିଯୁକ୍ତ ଏବଂ ଗର୍ଭପାତ କରାଇଥିବା ଡାକ୍ତରଙ୍କୁ ପୋଲିସ ତଦନ୍ତ ପରିସରଭୃକ୍ତ କରିନାହିଁ କାହିଁକି ?
ଦୁଇଟି ଦୁଷ୍କର୍ମ ଘଟଣାରେ ପୋଲିସ ଅଧିକାରୀଙ୍କ ସଂପୃକ୍ତି ଥିବା ଯୋଗୁଁ ଘଟଣାର ତଦନ୍ତ ହେଉନାହିଁ
ଭୁବନେଶ୍ୱର,: ରାଜ୍ୟରେ ମହିଳାମାନେ ପୂରା ଅସୁରକ୍ଷିତ ହୋଇପଡିଛନ୍ତି । ରକ୍ଷକ ଏଠି ଭକ୍ଷକ ପାଲଟିଛି । ଖୋଦ୍ ପୋଲିସ ମହିଳାମାନଙ୍କୁ ସୁରକ୍ଷା ଦେବା ପରିବର୍ତେ ସେମାନଙ୍କ ସହ ଦୁଷ୍କର୍ମ କରିଚାଲିଛି । ଗତ ମେ ୭ ତାରିଖ ଦିନ ମାଲକାନଗିରି ପୋଲିସ କ୍ୟାଟିଂନରେ ଜଣେ ଆଦିବାସୀ ମହିଳା ଚନ୍ଦ୍ରମା ଭୂମିଆଙ୍କୁ ପୋଲିସ କ୍ୟାଟିଂନରେ ଗଣ ଦୁଷ୍କର୍ମ କରାଯାଇଥିଲା ଏବଂ ପରେ ତାଙ୍କର ମୃତୁ୍ୟ ହୋଇଥିଲା । ଏହି ଘଟଣାକୁ ୨ ମାସ ବିତିଥିଲେ ବି ପୋଲିସର ସଂପୃକ୍ତି ଥିବା ଯୋଗୁଁ ଏଦିଗରେ କୌଣସି ତଦନ୍ତ ହେଉନାହିଁ । ଅନ୍ୟପଟେ ପୋଷ୍ଟମର୍ଟମ ରିପୋର୍ଟ ନଆସିବାରୁ ମନରେ ଆଶଙ୍କା ସୃଷ୍ଟି ହେଉଛି ଯେ, ଯେହେତୁ ଘଟଣା ପୋଲିସ କ୍ୟାଟିଂନରେ ଘଟିଲା ଏବଂ ପୋଲିସର ସଂପୃକ୍ତି ଥିବାରୁ ଏ ଘଟଣାକୁ ସରକାରୀ ସ୍ତରରେ ଚାପି ଦିଆଯାଉଛି । ସେହିପରି ଜୁନ୍ ୨୨ ତାରିଖରେ ବୀରମିତ୍ରପୁର ଥାନା ଅଧିକାରୀ ଜଣେ ଆଦିବାସୀ ନାବାଳିକା ସହ ଦୁଷ୍କର୍ମ କରି ପୀଡିତାର ବେଆଇନ ଭାବେ ଏକ ସରକାରୀ ମେଡିକାଲରେ ଗର୍ଭପାତ କରାଇଛନ୍ତି । ବିରୋଧୀଙ୍କ ଚାପ ପଡିବାରୁ କେବଳ ଥାନା ଅଧିକାରୀଙ୍କୁ ଗିରଫ କରାଯାଇଛି । ଦୀର୍ଘ ୩ ମାସ କାଳ ଝିଅଟିକୁ ଥାନାର ଉପର ମହଲାରେ ବଡବାବୁ ଆନନ୍ଦ ଚନ୍ଦ୍ର ମାଝି, ସେହି ଥାନାର ଆଉ ଜଣେ ପୋଲିସ ଅଧିକାରୀ ଏବଂ ତାଙ୍କର ୪ ବନ୍ଧୁ ଦୁଷ୍କର୍ମ କରିଥିବା ବେଳେ ବାକି ଅପରାଧୀଙ୍କୁ ପୋଲିସ ଗିରଫ କରିନାହିଁ । ଏହି ଦୁଇଟି ଘଟଣାରେ ପୀଡିତାଙ୍କ ପରିବାରକୁ ନ୍ୟାୟ ଦେବା, ଏସି ଏସଟି ଏଟ୍ରୋସିଟି ଆକ୍ଟ ଲଗାଇ ଦୋଷୀଙ୍କୁ ଦଣ୍ଡିତ କରିବା, ରାଜ୍ୟସରକାର ଏସଆଇଟି ଗଠନ କରି ନିରପେକ୍ଷ ତଦନ୍ତ କରିବା, ଏସସି ଏସଟି ଏଟ୍ରୋସିଟି ଆକ୍ଟ ଅନୁଯାୟୀ ପୀଡିତାଙ୍କୁ କ୍ଷତିପୂରଣ ଦେବା ଏବଂ ପୋଲିସ ଧମକ ଦେଉଥିବାରୁ ପୀଡିତାଙ୍କ ପରିବାରକୁ ସୁରକ୍ଷା ଯୋଗାଇଦେବା ଆଦି ଦାବୀରେ ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧୀ ଦଳ ଜାତୀୟ ଏସଟି କମିଶନ ଅଧ୍ୟକ୍ଷଙ୍କୁ ଭେଟି ଘଟଣାରେ ହସ୍ତକ୍ଷେପ କରିବା ପାଇଁ ନିବେଦନ କରିଛି ।
ପ୍ରଥମ ଘଟଣାରେ ମାଲକାନଗିରି ପୋଲିସ କ୍ୟାଟିଂନରେ କାର୍ଯ୍ୟରତ ଥିବା ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା । ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ଦୁଇମାସ ବିତିଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ଏଯାବତ ପରିବାର ଲୋକଙ୍କୁ ପୋଷ୍ଟମର୍ଟମ ରିପୋର୍ଟ ଦିଆଯାଇନାହିଁ । ବିଜେପିର ଏକ ପ୍ରତିନିଧୀ ମଣ୍ଡଳୀ ମାନବଧିକାର କମିଶନଙ୍କ ଆଗରେ ଏ ଘଟଣାକୁ ରଖିବା ପରେ ୧୦ ଦିନ ମଧ୍ୟରେ ପୋଷମର୍ଟମ ରିପୋର୍ଟକୁ ସାର୍ବଜନୀନ କରିବା ଏବଂ ପୀଡିତା ପରିବାରକୁ ତୁରନ୍ତ କ୍ଷତିପୂରଣ ଦେବା ପାଇଁ ପାଇଁ କମିଶନ ନିଦେ୍ର୍ଧଶ ଦେଇଥିଲେ । ଏହା ପରେ ବି ପୋଲିସ ଚୁପ୍ ରହିଛି ।
ସେହିପରି ବୀରମିତ୍ରପୁର ଘଟଣାରେ ଖୋଦ୍ ଥାନା ଅଧିକାରୀ ଥାନାର ଉପରମହଲାରେ ଜଣେ ୧୩ ବର୍ଷିଆ ଆଦିବାସୀ ନାବାଳିକାକୁ ବନ୍ଧକ ରଖି ଯୌନ ଉପôୀଡନ କରିଆସୁଥିଲେ । ସେହି ଥାନାର ଆଉ ଜଣେ ପୋଲିସ ଅଧିକାରୀ ଏବଂ ତାଙ୍କର ୪ ବନ୍ଧୁ ଦୁଷ୍କର୍ମ ମଧ୍ୟ ନାବାଳିକା ସହ ଦୁଷ୍କର୍ମ କରିଥିଲେ । ପରେ ଥାନାବାବୁ ପୀଡିତା ନାବାଳିକାକୁ ଗର୍ଭବତୀ କରାଇବା ସହ ବେଆଇନ ଭାବେ ସରକାରୀ ଡାକ୍ତରଖନାରେ ତାଙ୍କର ଗର୍ଭପାତ କରାଇଥିଲେ । ଏହି ଘଟଣାରେ ଅନ୍ୟ ଅଭିଯୁକ୍ତ ଏବଂ ଗର୍ଭପାତ କରାଇଥିବା ଡାକ୍ତରଙ୍କୁ ପୋଲିସ ତଦନ୍ତ ପରିସରଭୃକ୍ତ କରିନାହିଁ କାହିଁକି ବୋଲି ଡ. ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି ।
ଦୁଇ ଦୁଇଟି ଅଭାବନୀୟ ଘଟଣାରେ ଆଦିବାସୀ ମହିଳା ଓ ନାବାଳିକା ପୀଡିତା ହୋଇଥିବାରୁ ରାଜ୍ୟ ସରକାର ତୁରନ୍ତ ଏସସି ଏସଟି ଆକ୍ଟ ଅନୁଯାୟୀ ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ ସେମାନଙ୍କ ପରିବାରକୁ ୮.୨୫ ଲକ୍ଷ ଲେଖାଏଁ କ୍ଷତିପୂରଣ ରାଶି ଦିଅନ୍ତୁ । ପୂର୍ବରୁ ରାଜ୍ୟ ବିଜେପି ପ୍ରତିନିଧୀ ଦଳ ରାଜ୍ୟ ମାନବଧିକାର କମିଶନ ଏବଂ ପୋଲିସ ମହାନିଦେ୍ର୍ଧଶକଙ୍କୁ ଭେଟି ଘଟଣାର ତଦନ୍ତ ନିରପେକ୍ଷ ଭାବେ କରି ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ଦାବି କରିଥିଲା ।
ଏହି ପ୍ରତିନିଧୀ ମଣ୍ଡଳୀରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ ପ୍ରମୁଖ ଉପସ୍ଥିତ ଥିଲେ ।