ପୁଲିସ ଭୟରେ ଔଷଧ ଦୋକାନକୁ ବାଦ ଦେଇ ଅନ୍ୟ ସବୁ ଠପ୍
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜରେ ପ୍ରଥମ ସଟ୍ ଡ଼ାଉନ-୨ ପୁଲିସ ଛାଉଣି ମଧ୍ୟରେ ଶେଷ ହୋଇଛି । ବାରିପଦା ସହରରେ ପୁଲିସ ଭୟରେ କେବଳ ଔଷଧ ଦୋକାନକୁ ବାଦ ଦେଇ ପନିପରିବା, ଗ୍ରୋସାରୀ ଆଦି ସର୍ଟ ଡ଼ାଉନରୁ ବାଦ ପଡ଼ିଥିବା ଅନ୍ୟ ସବୁ ବନ୍ଦ ରହିଥିଲା । ସହରରେ ଗୋଟାଏ ଦୁଇଟି ଦୁଗ୍ଧ ବିତରଣ କେନ୍ଦ୍ର ଖୋଲା ରହିଥିବାର ଦେଖିବାକୁ ମିଳିଥିଲା । ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ନିଦେ୍ର୍ଧଶ ଅନୁସାରେ କୋଭିଡ଼-୧୯ ସଂକ୍ରମଣର ସଫଳ ମୁକାବିଲା ନିମନ୍ତେ ଲକ୍ଡ଼ାଉନ(ଅନଲକ୍-୨)କୁ ଜୁଲାଇ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଥିବା ସମୟରେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାରେ କୋଭିଡ଼-୧୯ ପରିଚାଳନା ଏବଂ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜରେ ପ୍ରଥମ ଥର ସପ୍ତାହର ପ୍ରତ୍ୟେକ ଶନିବାର ଓ ରବିବାର ଦୁଇ ଦିନିଆ ସଟ୍ ଡ଼ାଉନ ଘୋଷଣା କରିଥିଲେ ଏବଂ ଚଳିତ ସପ୍ତାହର ସର୍ଟଡ଼ାଉନ ଆଜି ଶେଷ ହୋଇଛି । ଏହି ସମୟରେ ଜିଲ୍ଲାର ସଦର ମହକୁମା ବାରିପଦାରେ ରାସ୍ତାଘାଟ ଶୂନଶାନ ରହିଥିଲା । ଅତି ଜରୁରୀ କାର୍ଯ୍ୟ ଥିଲେ କାଁ ଭାଁ ଗାଡ଼ି ମୋଟର ଯାତାୟତ କରୁଥିଲେ ମଧ୍ୟ ସହରର ପ୍ରତ୍ୟେକ ଛକରେ ପୁଲିସ ଅଟକାଇ ସେମାନଙ୍କୁ ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚାଲୁଥିବାର ଦେଖିବାକୁ ମିଳିଥିଲା । ବାରିପଦା ସହର ପୁଲିସ ଛାଉଣୀରେ ପରିଣତ ହୋଇଯାଇଥିଲା । ଏଥି ସହିତ ପୁଲିସ ଭ୍ୟାନ ସହରରେ ପଇଁତରା ମାରୁଥିଲା । ସିସି ଟିଭି କ୍ୟାମେରା ଲାଗିଥିବା ପିସିଆର ଭ୍ୟାନ ସହରରେ ଚକ୍କର କାଟିବା ସହିତ ସର୍ଟଡ଼ାଉନ ନିୟମ ଭଙ୍ଗକାରୀମାନଙ୍କ ଉପରେ କଡ଼ା ନଜର ରଖିଥିଲା ।