ହେଡଲାଇନସ୍:

ପୁଣି ଏକ ବିସ୍ଥାପନର ଦ୍ବାରରେ ଲଖନପୁର କୋଇଲାଞ୍ଚଳବାସୀ: ଏଥର 'କର ବା ମର' ଲଢ଼େଇ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଝାରସୁଗୁଡ଼ା :(ସୁଭାଷ ସହାରେ) -ମାଟି ତଳେ ଥିବା ଖଣିଜ ସଂପଦ ଏକପକ୍ଷରେ କିଛି ମୁଷ୍ଟିମେୟ ଲୋକଙ୍କ ପାଇଁ ବରଦାନ ରୂପେ ପ୍ରମାଣିତ ହୁଏ, ଅନ୍ୟପକ୍ଷରେ ଏକ ବିରାଟ ଗୋଷ୍ଠୀପାଇଁ ଏହା ପାଲଟିଯାଏ ଅଭିଶାପ। ଯେଉଁମାନଙ୍କ ପାଇଁ ଏହା ଅଭିଶାପ, ସେମାନଙ୍କ ପାଇଁ ବିସ୍ଥାପନ, ପାରମ୍ପରିକ ଜୀବିକା ହରାଇବାର ଭୟ,ଅନିଶ୍ଚିତତା ସଂଘର୍ଷ ପ୍ରଭୃତି ସମସ୍ୟା ଛିଡ଼ା ହୁଏ। ଏହିପରି ଦୁଇ ଦୁଇ ଥର ବିସ୍ଥାପନର ଶୀକାର ହୋଇଥିବା ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକ ଅନ୍ତର୍ଗତ କୁଡ଼ାଲୋଇ (ଏ)  ନର୍ଥ କୋଲ ବ୍ଲକର ପାଖାପାଖି ଦଶଟି ଗ୍ରାମର ଅଧିବାସୀ ପୁଣି ଥରେ ବିସ୍ଥାପନର ସମ୍ମୁଖୀନ ହେବାକୁ ଯାଉଛନ୍ତି। 

କେନ୍ଦ୍ର ସରକାର ଦେଶର ଯେଉଁ ୪୧ଟି କୋଇଲା ଅଞ୍ଚଳକୁ ଘରୋଇ ସଂସ୍ଥା ମାନଙ୍କ ପାଖରେ ନିଲାମ କରିଛନ୍ତି, ସେ ମଧ୍ୟରୁ ଝାରସୁଗୁଡ଼ା ଜିଲ୍ଲାର କୁଡ଼ାଲୋଇ (ଏ)  ନର୍ଥ କୋଲ ବ୍ଲକ ମଧ୍ୟ ଗୋଟିଏ ଅଟେ। ବଞ୍ଜାରୀ, କୁଡ଼ାଲୋଇ, ଜୟବୁଡ଼ିଆ, କଟୁଯୋର, ନୂଆପଡ଼ା, ଖଡ଼ିଆପଡ଼ା, ମହୁଲଟିକ୍ରା,ବରତାପ ଓ ଆହୁରି କିଛି ଗ୍ରାମ ୯.୬୩ ବର୍ଗ କିଲୋମିଟରରେ ବିସ୍ତୃତ ଏହି କୋଲ ବ୍ଲକ ଅନ୍ତର୍ଗତ। ଏଠାକାର ଜନସଂଖ୍ୟାର ଅଧିକାଂଶ, ଆଦିବାସୀ, ଦଳିତ ଓ ଅନ୍ୟାନ୍ୟ ପଛୁଆ ବର୍ଗ ଅଟନ୍ତି ଯେଉଁମାନେ ପୁରୁଷ ପୁରୁଷ ଧରି ସାଧାରଣତଃ ଚାଷ ଉପରେ ନିର୍ଭରଶୀଳ। କୋଇଲା ଖଣି ଯୋଗୁଁ ଏମାନେ ବିସ୍ଥାପିତ ଓ ସମ୍ପୂର୍ଣ୍ଣ ଭାବରେ କ୍ଷତିଗ୍ରସ୍ତ ହେବେ ବୋଲି ଲଖନପୁର ଖଣି ବିସ୍ଥାପିତ ସଂଗ୍ରାମ  ସମିତିର ସଭାପତି ବିରଞ୍ଚି ସାହୁ ଆଶଙ୍କା ପ୍ରକାଶ କରିଛନ୍ତି। ବର୍ତ୍ତମାନ ଏହି ଅଞ୍ଚଳର ଅଧିବାସୀମାନଙ୍କୁ ଏକତ୍ର କରି ସେ ସରକାରଙ୍କୁ ନିଲାମୀ ବାତିଲ କରିବାକୁ ଦାବି କରୁଛନ୍ତି ।ଜୀବନ ପଛେ ଯାଉ, କିନ୍ତୁ ସରକାରଙ୍କ କୋଲବ୍ଲକର ଘରୋଇକରଣ ନୀତି ଓ ନିଲାମକୁ ବିରୋଧ କରିବାକୁ ଲୋକେ ପଛାଇବେ ନାହିଁ ବୋଲି ସେ ସୂଚାଇ ଦେଇଛନ୍ତି। ହୀରାକୁଦ ବନ୍ଧ ନିର୍ମାଣ ବେଳେ ଓ ଏମସିଏଲର ଖୋଲା ମୁହଁ ଖଣି ଖନନ ବେଳେ ବିସ୍ଥାପିତ ହୋଇ ସାରିଥିବା ଏ ମଧ୍ୟରୁ ଅନେକ ଗ୍ରାମବାସୀ ଆଉ ତୃତୀୟ ଥର ବିସ୍ଥାପିତ ହୋଇପାରିବେ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି। ଲୋକେ ପ୍ରଶ୍ନ ଉଠାଇଛନ୍ତି କେଉଁ ଗଣତନ୍ତ୍ର ବା ସାମ୍ବିଧାନିକ ପ୍ରକ୍ରିୟା ଏହିପରି ବାରମ୍ବାର ଉଦବାସ୍ତୁ କରାଏ ତାହା ସରକାର ସ୍ପଷ୍ଟ କରନ୍ତୁ। ବିସ୍ଥାପନ ନିମନ୍ତେ ଆଗଭର ହୋଇ ଆସୁଥିବା ସରକାର, ଏମସିଏଲ ଓ ଘରୋଇ କମ୍ପାନୀଗୁଡ଼ିକ ଉପଯୁକ୍ତ କ୍ଷତିପୂରଣ, ସ୍ଥାନୀୟ ନିଯୁକ୍ତି ଓ ଥଇଥାନ ସଂପର୍କରେ ଆଖି ବୁଜି ଦେଇଥାନ୍ତି ବୋଲି ଲୋକଙ୍କ ଅଭିଯୋଗ। ଘରୋଇ କମ୍ପାନୀ କୋଲ ବ୍ଲକକୁ ନିଜ ହାତକୁ ନେବା ପରେ ଲୋକଙ୍କୁ କିଛି ଟଙ୍କା କ୍ଷତିପୂରଣ ଆକାରରେ ଦେଇ ନିଜ ଦାୟୀତ୍ୱ ସାରିଦେବେ। ମାତ୍ର ସେତିକି ଟଙ୍କା ଗୋଟିଏ ପିଢ଼ି ମଧ୍ୟ ଚାଲିପାରିବ ନାହିଁ। କିଛି ମାସ ବା କେଇଟା ବର୍ଷ ପରେ ଏ ଟଙ୍କା ସରିଯିବା ପରେ ଲୋକଙ୍କ ଅବସ୍ଥା କ'ଣ ହେ ସହଜରେ ଅନୁମେୟ। ସେମାନେ ରୋଜଗାର, ବାସଗୃହ,କୌଳିକ ବୃତ୍ତି, ଜମି ଇତ୍ୟାଦିର ମୌଳିକ ସମସ୍ୟା ଆଜୀବନ ଲାଗି ରହିବ। ଅପରାଧି ସଂଖ୍ୟା ବଢ଼ିବ। ଲୋକେ ନିଜ ପରମ୍ପରା, ସଂସ୍କୃତି ଓ ଅନ୍ୟାନ୍ୟ ପରିଚୟ ହରାଇବେ। 

ସମିତିର ସଭାପତି ସରକାରଙ୍କୁ ସତର୍କ କରାଇ ଦେଇଛନ୍ତି, କୋଲ ବ୍ଲକ ଘରୋଇକରଣରୁ କ୍ଷାନ୍ତ ରୁହନ୍ତୁ, ନଚେତ ଲୋକମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବେ।

 

0
0
0
s2sdefault