ମୟୂରଭଞ୍ଜ ଜିଲା ପ୍ରଶାସନର ପାରିବା ପଣିଆ : ଅତୀତ ସ୍ମାରକୀ ସଂରକ୍ଷିତ ସଂଗ୍ରହାଳୟରେ ଝୁଲୁଛି ତାଲା
ବାରିପଦା(ଦିଲ୍ଲୀପ ମହାନ୍ତି)- ଓଡ଼ିଶା ଇତିହାସରେ ଭଞ୍ଜବଂଶ ଦୁଇ ଶାଖାରେ ବିଭକ୍ତ ହୋଇ ଉତ୍ତର ଓ ମଧ୍ୟ ଓଡ଼ିଶାରେ ନବମ-ଦଶମ ଶତାଦ୍ଧୀ ସମୟରେ ରାଜତ୍ୱ କରୁଥିବାର ଜଣାପଡେ଼ । ଉତ୍ତର ଓଡ଼ିଶାର ଖଇରଭଣ୍ଡନ ଓ ବୈତରଣୀ ଉପତ୍ୟକାରେ ସ୍ଥାପିତ ହୋଇଥିବା ଖିଜିଙ୍ଗ ମଣ୍ଡଳର ରାଜଧାନୀ ଥିଲା ଖିଜିଙ୍ଗକୋଟ୍ଟ; ଯାହା ଆଧୁନିକ ଖିଚିଂ ସହିତ ପରିଚିହ୍ନିତ ହୋଇଅଛି । ଖିଜିଙ୍ଗକୋଟ୍ଟର ଭଞ୍ଜବଂଶଦ୍ୱାରା ପ୍ରଦତ୍ତ ୧୫ ଗୋଟି ତାମ୍ରଶାସନ ବର୍ତ୍ତମାନ ପର୍ଯ୍ୟନ୍ତ ଆବିଷ୍କୃତ ହୋଇଅଛି । ପ୍ରାୟ ନବମ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ମୟୂରଭଞ୍ଜ ଜିଲାର ଖଇରଭଣ୍ଡନ ଓ କେନ୍ଦୁଝର ଜିଲା କଣ୍ଟାଖଇର ନଦୀର ଦୁଇ କୂଳରେ ଏହି ରାଜ୍ୟ ପରିବ୍ୟାପ୍ତ ରହିଥିଲା । ଏହା ଆର୍ଯ୍ୟ ସଂସ୍କୃତିର ଅନ୍ୟତମ କେନ୍ଦ୍ର ଭାବେ ପ୍ରଖ୍ୟାତି ଲାଭ କରିଥିଲା । ଦିଲ୍ଲୀର ସୁଲତାନ ଫିରୋଜ ସାହା ତୁଗଲକ ଖ୍ରୀ.୧୩୬୦-୬୧ରେ ଦକ୍ଷିଣ ବିହାର ପଟୁ ଏହି ଖିଜିଙ୍ଗକୋଟ୍ଟ ଉପରେ ଆକ୍ରମଣ କରି ଗଢ଼ିଉଠିଥିବା ନଗରୀ, ମନ୍ଦିର ଓ ଅଟ୍ଟାଳିକା ଆଦିକୁ ଧୂଳିସାତ କରି ଭଞ୍ଜ ଇତିହାସକୁ ଏକ ନୂତନ ମୋଡ଼ ଦେଇଥିଲେ ।
ଖିଚିଂ ଓ ତାର ଆଖପାଖ ଅଂଚଳରେ ଭୂଖୋଦନରୁ ମିଳିଥିବା ପ୍ରତ୍ନତାତ୍ତ୍ୱିକ ପ୍ରମାଣ ଦ୍ୱାରା ଖିଂଚିଂର ସାଂସ୍କୃତିକ ମହତ୍ୱକୁ ପ୍ରତିପାଦିତ କରାଇ ପାରିଛି । ଏହି ପ୍ରାଚୀନ କୀର୍ତ୍ତି ରାଜିକୁ ମହାରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ ସଂରକ୍ଷିତ କରିବା ନିମନ୍ତେ ଖ୍ରୀ.୧୯୨୨ରେ ଖିଚଂଠାରେ ଏକ ଆଧୁନିକ ସଂଗ୍ରହାଳୟ ନିର୍ମାଣ କର ସେଥିରେ ସାଇତ ରଖିିଥିଲେ । ଭୂଖନନରୁ ମିଳିଥିବା ପ୍ରାଚୀନ କୀର୍ତ୍ତିର ସାଂସ୍କୃତିକ ମୂଲ୍ୟକୁ ଅବଧାରଣକରିବା କଷ୍ଟକର ରହିଥିଲା । ଏହି ଆଧୁନିକ ସଂଗ୍ରହାଳୟରେ ପ୍ରାଚୀନ ଖିଜିଙ୍ଗମଣ୍ଡଳର ବିଭିନ୍ନ ସ୍ଥାନରୁ ସଂଗୃହୀତ ଅନେକ ଦୁର୍ଲଭ ଦେବଦେବୀମାନଙ୍କ ମୂର୍ତ୍ତି, କୁଶାଣ, କୁଳିଅଣା ଅଞ୍ଚଳରୁ ମିଳିଥିବା ପୁରାତନ ପ୍ରସ୍ତର ଯୁଗରେ ବ୍ୟବହୃତ ପଥର ନିର୍ମିତ ଅସ୍ତ୍ର, ପୁରାତନ ଯୁଗର ମୁଦ୍ରା, ତାମ୍ର ଲେଖ, ମୃଣ୍ମୟପାତ୍ର, ମଧ୍ୟ ଯୁଗୀୟ ଉପକରଣ, ପ୍ରାଗ୍ଐତିହାସିକ ଯୁଗର ଅସ୍ତ୍ରଶସ୍ତ୍ର ଓ ଉପକରଣ, ମୋହର(ସିଲ) ଆଦିକୁ ମହାରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ ଅତି ଯତ୍ନରେ ସାଇତି ରଖିବା ସଂଗେ ସଂଗେ ସଂଗ୍ରହାଳୟର ଦାୟିତ୍ୱ ଜଣେ ଅଭିଜ୍ଞ ଓ ଦକ୍ଷ କର୍ମଚାରୀଙ୍କ ହାତରେ ନ୍ୟସ୍ତ କରିଥିଲେ । ଯାହା ପରବର୍ତ୍ତି ସମୟରେ ମୟୂରଭଞ୍ଜ ତଥା ଓଡ଼ିଶା ସଂସ୍କୃତିର ଏକ ପ୍ରାଣ କେନ୍ଦ୍ର ପାଲଟି ଯାଇଥିଲା । ଏହାର ପ୍ରତ୍ନତତ୍ୱ ଅତୀବ ପ୍ରାଚୀନ ହୋଇଥିବାରୁ ମହତ୍ୱ ତଥା ଗୁରୁତ୍ୱ କ୍ରମଶଃ ବୃଦ୍ଧି ପାଇବା ସହିତ ଖିଚିଂ ମନ୍ଦିର ଓ ସଂଗ୍ରହାଳୟ ପର୍ଯ୍ୟଟକମାନଙ୍କ ନିମନ୍ତେ ମୁଖ୍ୟ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଗଲା । ସଂଗ୍ରହାଳୟରେ ମୟୂରଭଞ୍ଜର ପ୍ରାଚୀନ ଓ ମଧ୍ୟଯୁଗୀୟ ଯେଉଁ ସମସ୍ତ ଉଲ୍ଲେଖନୀୟ ସାଂସ୍କୃତିକ କୃତିମାନ ସଂଗୃହୀତ ଓ ସୁରକ୍ଷିତ ହୋଇ ରହିଛି ତାହା ଅତୀତ ଗୌରବ ଓ ଉନ୍ନତ ସଭ୍ୟତାର ଉଜ୍ଜ୍ୱଳ ନିଦର୍ଶନ ଭାବେ ରହିଥିଲା ।
୧୯୪୯ ମସିହା ଜାନୁୟାରୀ ୧ ତାରିଖ ମୟୂରଭଞ୍ଜ ଗଡ଼ଜାତ ରାଜ୍ୟ ଓଡ଼ିଶା ପ୍ରଦେଶ ସହିତ ମିଶ୍ରଣ ଓ ୨ ତାରିଖରେ ସ୍ୱତନ୍ତ୍ର ଜିଲା ଭାବେ ଶାସିତ ହେଲା । ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାଠାରୁ ପ୍ରାୟ ୧୨୫ କି.ମି ଦୂର ଖିଚିଂ ସଂଗ୍ରହାଳୟ ମୟୂରଭଞ୍ଜ ଜିଲାପ୍ରଶାସନ ଅଧୀନରେ ଥିବା ଜିଲା ସଂସ୍କୃତି ବିଭାଗ ଅଧୀନକୁ ଆସିଲା । କିନ୍ତୁ ମୟୂରଭଞ୍ଜ ଜିଲାପ୍ରଶାସନ ମୟୂରଭଞ୍ଜ ମହାରାଜାଙ୍କ ଦ୍ୱାରା ନିର୍ମିତ ଖିଚିଂ ସଂଗ୍ରହାଳୟର ମୂଲ୍ୟ, ମହତ୍ୱ ଓ ଗୁରୁତ୍ୱକୁ ଉପଲବ୍ଧି କରି ନ ପାରିବାରୁ ସର୍ବ ପ୍ରାଚୀନ ସଂଗ୍ରହାଳୟ ପ୍ରାୟ ୧୧/୧୨ ବର୍ଷରୁ ଅଧିକ ସମୟ ଧରି ବନ୍ଦ ହୋଇ ପଡ଼ିରହିଛି । ପୁଣି, ମୟୂରଭଞ୍ଜ ଜିଲାର ଗର୍ବ, ଗୌରବ ସହିତ ମୟୂରଭଞ୍ଜ ଗଡ଼ଜାତରାଜ୍ୟର କୀର୍ତ୍ତି, ପ୍ରାଗଐତିହାସିକ ଯୁଗର ବାର୍ତ୍ତା ଆଦିର ମୂକସାକ୍ଷୀ ଭାବରେ ଜନସମୂଦାୟରେ ପ୍ରତିପାଦିତ କରାଉଥିବା ଏହି ଖିଚିଂ ସଂଗ୍ରହାଳୟଟି ମୟୂରଭଞ୍ଜ ଜିଲାପ୍ରଶାସନ ହାତରୁ ବାହାରି କେନ୍ଦୁଝର ଜିଲା ପ୍ରଶାସନଠାରେ ପହଁଞ୍ଚି ଯାଇଥିଲା । ଯାହା ମୟୂରଭଞ୍ଜ ଜିଲାପ୍ରଶାସନର ପାରିବାପଣିଆକୁ ପଦାରେ ପକାଇ ଦେଇଛି । ମୟୂରଭଞ୍ଜ ଜିଲା ସଂସ୍କୃତି ବିଭାଗର ଅଧିକାରୀ ଭାବରେ କାର୍ଯ୍ୟକରୁଥିବା କୀର୍ତ୍ତନ ମହାକୁଡ଼ଙ୍କର ୧୯୮୯ ମସିହାରେ ପଡେ଼ାଶୀ କେନ୍ଦୁଝର ଜିଲାକୁ ବଦଳି ହୋଇଥିଲା । ସେହି ସମୟରେ ଖିଚିଂ ସଂଗ୍ରାହାଳୟର ସମସ୍ତ ଦାୟିତ୍ୱ ସହିତ ତାର ନଥିପତ୍ର କେନ୍ଦୁଝର ସଂସ୍କୃତି ବିଭାଗ ହାତକୁ ମୟୂରଭଞ୍ଜ ଜିଲାପ୍ରଶାସନ ଟେକି ଦେଇଥିଲା ଏବଂ ଉକ୍ତ ଦିନଠାରୁ ଖିଚିଂ ସଂଗ୍ରହାଳୟ କେନ୍ଦୁଝର ଜିଲାପ୍ରଶାସନ ହାତକୁ ଚାଲିଯାଇଥିଲା । ଫଳରେ ପରିଚାଳନାଗତ ଅବ୍ୟବସ୍ଥା କାରଣରୁ ପ୍ରାୟ ୧୨ ବର୍ଷରୁ ଅଧିକ ସମୟ ଧରି ସଂଗ୍ରହାଳୟରେ ତାଲା ପଡ଼ି ରହିଥିବାରୁ ଭିତରେ ରହିଥିବା ମୂଲ୍ୟବାନ ତଥା ଦୁର୍ଲଭ ଐତିହାସିକ କିର୍ତ୍ତୀରାଜି ରକ୍ଷଣାବେକ୍ଷଣ ଅଭାବରୁ ଧ୍ୱଂସ ଆଡ଼କୁ ପାଦ ବଢ଼ାଇବା ଆରମ୍ଭ କଲା । ଜିଲ୍ଲାର ଜନସାଧାରଣଙ୍କ ବିରୋଧ ସହ ଜିଲ୍ଲା ପ୍ରଶାସନକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଲା । ଫଳରେ ୨୦୧୭ରେ ତତ୍କାଳୀନ ଜିଲ୍ଲାପାଳ ରାଜେଶ ପ୍ରଭାକର ପାଟିଲ ନିଜ ଅଧୀନକୁ ନେଇ ଆସିଥିଲେ । ସେହିପରି ୧୯୦୩ରେ ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ନିଜ ଗଡ଼ ବାରିପଦାରେ ପ୍ରତିଷ୍ଠା କରିଥିଲେ ଏକ ସଂଗ୍ରହାଳୟ । ପ୍ରଥମେ ଏହା ସହରର ଜୁବୁଲୀ ଲାଇବ୍ରେରୀରେ ଆରମ୍ଭ ହୋଇଥିଲା । ପରବର୍ତ୍ତି ସମୟରେ ଏହା ଜିଲ୍ଲା ସଂସ୍କୃତି ଭବନକୁ ସ୍ଥାନାନ୍ତରିତ ହେଲା । ମୟୂରଭଞ୍ଜ ଜିଲ୍ଲାପାଳଙ୍କ ନିଶ ତଳେ ଅର୍ଥାତ୍ କାର୍ଯ୍ୟାଳୟଠାରୁ ପ୍ରାୟ ୨ ଶହ ଫୁଟ ବ୍ୟବଧାନରେ ଥିବା ଏହି ସଂଗ୍ରହାଳୟରେ ୨୦୧୨ରୁ କୌଣସି କର୍ମଚାରୀ ନିଯୁକ୍ତି ଦିଆନଯିବା ସହିତ ପରିଚାଳନାଗତ ଅବ୍ୟବସ୍ଥା କାରଣରୁ ଶେଷରେ ତାଲା ଝୁଲିଲା । ଯାହାଫଳରେ ମୟୂରଭଞ୍ଜ ମହାରାଜାଙ୍କର ସଂଗ୍ରହାଳୟ ନିର୍ମାଣର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସାଧନଠାରୁ କ୍ରମଶଃ ଦୂରେଇ ଯିବା ସାଙ୍ଗକୁ ପ୍ରତ୍ୟେକ ବର୍ଷ ମେ ୧୮ ଆନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ପାଳନକୁ ଉପହାସ କରିବା ଆରମ୍ଭ କଲା । ବର୍ତ୍ତମାନର ରାଜ୍ୟ ସରକାରଙ୍କ ଉଦାସୀନତା ମୟୂରଭଞ୍ଜ ଜିଲା ପ୍ରତି ଶନିଦେବଙ୍କର କୋପ ଦୃଷ୍ଟି ପଡ଼ିଛି ।
ଏବିଷୟରେ ମୟୂରଭଞ୍ଜ ବାର ଆସୋସିଏସନର ପୂର୍ବତନ ସାଧାରଣ ସମ୍ପାଦକ ଆଇନଜୀବୀ ବିଭୂ ପ୍ରସାଦ ଦାସଙ୍କ କହିବା ଅନୁଯାୟୀ , ମୟୂରଭଞ୍ଜ ଜିଲ୍ଲାର କଳା, ସଂସ୍କୃତି ଓ ସାହିତ୍ୟର ସୁରକ୍ଷା ତଥା ଅଭିବୃଦ୍ଧି ସାଧନ ସହିତ ବିଭିନ୍ନ ଐତିହାସିକ କୀର୍ତ୍ତିରାଜୀକୁ ଧ୍ୱଂସ ମୁଖରୁ ରକ୍ଷା କରିବା ଦିଗରେ ଯତ୍ନବାନ ହେବା ଜିଲ୍ଲା ପ୍ରଶାସନ ଅଧୀନରେ ଥିବା ଜିଲ୍ଲା ସଂସ୍କୃତି ବିଭାଗର ଏକ ମୁଖ୍ୟ ଦାୟିତ୍ୱ । ପୁରାତନ ଇତିହାସ ଓ ଘଟଣାବଳୀ ସହ ବର୍ତ୍ତମାନର ପିଢ଼ିକୁ ପରିଚିତ କରାଇବାରେଜିଲ୍ଲା ସଂସ୍କୃତି ବିଭାଗ ସଂଯୋଗର ସେତୁ ଭଳି କାର୍ଯ୍ୟ କରିଥାଏ । ଏହି ଲକ୍ଷ ହାସଲ ନିମନ୍ତେ ସଂସ୍କୃତି ବିଭାଗର ପ୍ରତ୍ୟକ୍ଷ ଓ ପରୋକ୍ଷ ନିୟନ୍ତ୍ରଣାଧୀନ ଥିବା ଏକାଧିକ ଅନୁଷ୍ଠାନ ମଧ୍ୟରୁ ସଂଗ୍ରହାଳୟ ଅନ୍ୟତମ ଅନୁଷ୍ଠାନ । ଐତିହାସିକ ଦୃଷ୍ଟିକୋଣରୁ ଏହାର ମହତ୍ୱ ମୂଲ୍ୟାୟନ କରିବା କ୍ଷେତ୍ରରେ ପ୍ରଶାସନ ଓ ସଂସ୍କୃତି ବିଭାଗ ଯତ୍ନବାନ ହେବା ଜରୁରୀ । ସଂଗ୍ରହାଳୟ ହେଉଛି ଐତିହାସିକ ତଥ୍ୟାବଳୀର ଗନ୍ତାଘର ଏବଂ ମୂକସାକ୍ଷୀ । ଇତିହାସ ବିଗତ ଦିନର ଘଟଣାବଳୀ । ଅତୀତରପୃଷ୍ଠା ଭୂମି, କିମ୍ବଦନ୍ତି ଆଦିକୁ ଉନ୍ମୋଚନା କରାଇବା କ୍ଷେତ୍ରରେ ସଂଗ୍ରହାଳୟର ମୁଖ୍ୟ ଭୂମିକା ରହିଛି । ଏହାକୁ ଅଧ୍ୟୟନ ଓ ଅନୁଶୀଳନ କରି ଅଗଣିତ ଛାତ୍ର, ଅଧ୍ୟାପକ, ଗବେଷକ ଉପକୃତ ହୋଇପାରନ୍ତେ । ସେମାନଙ୍କ ମଧ୍ୟରୁ ଅନେକ ସନ୍ଦର୍ଭ ପ୍ରସ୍ତୁତ କରି ଡକ୍ଟରେଟ୍ ଉପାଧି ହାସଲ କରିପାରନ୍ତେ । ଗୋଟାଏ ଯୁଗ, ବଂଶ, ଜାତିର ଭାଷା, ସାହିତ୍ୟ, କଳା ଓ ସଂସ୍କୃତି, ଧର୍ମ, ଦେବଦେବୀ, ଐତିହ୍ୟ, ଚାଲିଚଳଣ, ସାମରିକ ଅସ୍ତ୍ରଶସ୍ତ୍ର , ମନୋରଞ୍ଜନ, ବସ୍ତ୍ର ଆଦି ବିଭିନ୍ନ ଦିଗ ଉପରେ ସଂଗ୍ରହାଳୟର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ସେଥିରେ ତାଲା ଝୁଲିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ । ଯେଉଁଠି ବିଶ୍ୱ ସଂଗ୍ରହାଳୟର ମହତ୍ୱ ଓ ଗୁରୁତ୍ୱକୁ ଉପଲବ୍ଧି କରି ଆନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ପାଳନ କରୁଛି ସେହି ସମୟରେ ସଂଗ୍ରହାଳୟର ମହତ୍ୱ ଓ ଗୁରୁତ୍ୱକୁ ବୁଝିବା ଅଥବା ମୂଲ୍ୟାୟନ କରିବାରେ ଆମର କେଉଁଠି ନା କେଉଁଠି ତୃଟି ରହିଯାଇଛି ବୋଲି ମୟୂରଭଞ୍ଜ ବାର ଆସୋସିଏସନର ପୂର୍ବତନ ସାଧାରଣ ସମ୍ପାଦକ ଆଇନଜୀବୀ ଶ୍ରଦାସ ପ୍ରକାଶ କରିଛନ୍ତି । ସେହିପରି ଜିଲା ସଂସ୍କୃତି ଅଧିକାରୀ ତନୁଜା ସିର୍କା ପ୍ରତିକି୍ରୟା ଜାଣିବା ନିମନ୍ତେ ତାଙ୍କର ମୋବାଇଲ ନମ୍ବର ୭୫୦୪୪୯୧୩୨୭ରେ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଗ୍ରହଣ କରୁନଥିଲେ ।