ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଟି.ଇ.ଆପାଙ୍ଗ ଆଓ ଶନିବାର ଦିନ ପାରଳାଖେମୁଣ୍ଡି ପହଞ୍ଚି ସର୍କିଟ ହାଉସ୍ ଠାରେ ଜିଲ୍ଲାପାଳ ଅନୁପମ ସାହା ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀ ପ୍ରଦୀପ କୁମାର ପାତ୍ରଙ୍କ ସହ ଜିଲ୍ଲାରେ ଚାଲିଥିବା କରୋନା ମୁକାବିଲାର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ।
୨୮ ରୁ ୩୦ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ପାରଳାଖେମୁଣ୍ଡି ସମେତ ଜିଲ୍ଲାର ଗୋଷାଣୀ ବ୍ଲକ , ଗୁମ୍ମା ବ୍ଲକ ଓ କାଶୀନଗର ବ୍ଲକର ରାଣୀପେଣ୍ଠ ପଞ୍ଚାୟତ ହେବାକୁ ଥିବା ସଟଡାଉନ୍ ଉପରେ ଆଲୋଚନା କରିବା ସହ ଜିଲ୍ଲା ପ୍ରଶାସନ ଏବଂ ପୋଲିସ୍ ପ୍ରଶାସନ କିପରି ଏଥିପାଇଁ ନିଜକୁ ପ୍ରସ୍ତୁତ କରିଛି ତାହା ଉପରେ ପୁଙ୍ଖାନୁପୁଙ୍ଖ ଭାବେ ପଚାରି ବୁଝିଥିଲେ।
ସେହି ପରି ବିଭିନ୍ନ କଣ୍ଟେନ୍ମେଣ୍ଟ ଜୋନରେ ଜିଲ୍ଲା ପ୍ରଶାସନ ଦ୍ବାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା କରିଥିଲେ। ଅନ୍ୟପଟେ ବିଭିନ୍ନ ସ୍ଥାନରୁ ଫେରିଥିବା ପ୍ରବାସୀ ଓଡ଼ିଆ ମାନଙ୍କର ଦୈନିକ ସଂଖ୍ୟା ଏବଂ ସେମାନଙ୍କ ପାଇଁ ସଙ୍ଗରୋଧ କେନ୍ଦ୍ରରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ମଧ୍ୟ ଆଲୋଚନା ହୋଇଥିଲା।
ସଙ୍ଗରୋଧ କେନ୍ଦ୍ରରୁ ଫେରିଲା ପରେ ଘରେ ରହୁଥିବା ସଙ୍ଗରୋଧ ସମୟରେ ଲୋକ ମାନଙ୍କର କାର୍ଯ୍ୟକଳାପକୁ କିପରି ତଦାରଖ କରାଯିବ ତାହା ଉପରେ ଗୁରୁତ୍ୱ ଦେଇଥିଲେ।
ପରବର୍ତ୍ତୀ ସମୟରେ ଜିଲ୍ଲାପାଳଙ୍କ ସହ ଜିଲ୍ଲାର ଗୋଷାଣୀ ବ୍ଲକର କେରାଣ୍ଡି ପଞ୍ଚାୟତ ଅନ୍ତର୍ଗତ ଡାଲିମ୍ବପୁର କଣ୍ଟେନ୍ମେଣ୍ଟ ଜୋନକୁ ପରିଦର୍ଶନରେ ଯାଇ ସେଠାରେ କାର୍ଯ୍ୟରତ ଥିବା ପୋଲିସ୍ କର୍ମଚାରୀ ଓ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ , ପାରଳାଖେମୁଣ୍ଡି ତହସିଲଦାର ଅଚ୍ୟୁତା ନନ୍ଦ ଜାନୀ , ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡ଼.ମୁନି ଏବଂ ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ସହ ବିଶେଷ ଭାବେ ଆଲୋଚନା କରିଥିଲେ।
ଏହି ସମୟରେ ସମସ୍ତ ସ୍ୱାସ୍ଥ୍ୟ କର୍ମୀଙ୍କୁ ପିପିଇ କିଟ୍ ଯୋଗାଇବା ପାଇଁ ଡ଼.ମୁନିଙ୍କୁ ନିର୍ଦ୍ଦେଶ ଦେଇଥିଲେ । କଣ୍ଟେନମେଣ୍ଟ ଜୋନରେ ସ୍ବାସ୍ଥ୍ୟକର୍ମୀ ମାନେ କାମ କଲାବେଳେ ହେଲଦୀ ଫୁଡ଼ , ପଜିଟିଭ୍ କେଶ ସିଫ୍ଟ , ସ୍ୱାବ କଲେକ୍ସନ , ସାମାଜିକ ଦୂରତା ବଜାୟ ରକ୍ଷା କରିବା , କରୋନା ଲକ୍ଷଣ ଥିବା ଲୋକଙ୍କୁ ଚିହ୍ନଟ କରିବା , ମାସ୍କ ପରିଧାନ କରିବା ଏବଂ ବାରମ୍ବାର ହାତ ଧୋଇବା ଉପରେ ଲୋକମାନଙ୍କୁ ବୁଝାଇ ସଚେତନ କରାଇବା ପାଇଁ ପରାମର୍ଶ ଦେଇଥିଲେ ।
ଜିଲ୍ଲାରେ ଚାଲିଥିବା କରୋନା ମୁକାବିଲାର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ମୋଟାମୋଟି ଭାବେ ସନ୍ତୋଷ ବ୍ୟକ୍ତ କରିଥିଲେ ।
ସର୍କିଟ ହାଉସ୍ ଠାରେ ରହଣି ସମୟରେ ରାଜସ୍ୱ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ସମୀକ୍ଷା କରିଥିଲେ । ଏହି ସମୀକ୍ଷାରେ ଜିଲ୍ଲାପାଳ ଅନୁପମ ସାହା ଏବଂ ଅତିରିକ୍ତ ଜିଲ୍ଲାପାଳ ଜ୍ଞାନରଞ୍ଜନ ଭଞ୍ଜଦେଓ ଉପସ୍ଥିତ ଥିଲେ । ଶେଷରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଟି.ଇ.ଆପାଙ୍ଗ ଆଓ ବ୍ରହ୍ମପୁର ଅଭିମୁଖେ ଫେରିଯାଇଥିଲେ।