ନୂଆଦିଲ୍ଲୀ: ଦେଶର କରୋନା ଯୋଦ୍ଧା ସ୍ଵାସ୍ଥ୍ୟକର୍ମୀମାନଙ୍କୁ ସୁରକ୍ଷା ଦେବା ନିମନ୍ତେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନିଆଯାଇଥିବା କ୍ୟାବିନେଟ୍ ନିଷ୍ପତିକୁ ସ୍ୱାଗତ କରିବା ସହ ଏଥିପାଇଁ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ନିଷ୍ପତି ନେଇ ଦେଶର କରୋନା ଯୋଦ୍ଧାଙ୍କ ସୁରକ୍ଷା ଓ ନିରାପତାକୁ ପ୍ରଧାନମନ୍ତ୍ରୀ ମୋଦି ସୁନିଶ୍ଚିତ କରିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ସେହିପରି ଭାରତ କୋଭିଡ-୧୯ ଜରୁରୀକାଳୀନ ପାଣ୍ଠି ଏବଂ ପାଇଁ ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତୁତି ପରିଚାଳନା ପାଇଁ ୧୫ ହଜାର କୋଟି କ୍ୟାବିନେଟର ଅନୁମୋଦନ ନିଷ୍ପତିକୁ ଶ୍ରୀ ପ୍ରଧାନ ସ୍ୱାଗତ କରିଛନ୍ତି । ଏହି ଅର୍ଥ କରୋନା ରୋଗୀଙ୍କୁ ଚିକିତ୍ସା ନିମନ୍ତେ ସହାୟତା ପ୍ରଦାନ କରିବା ସହ ଦେଶ ସ୍ୱାସ୍ଥ୍ୟ ଭିତିଭୂମିକୁ ମଜବୁତ୍ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଏହି ଅର୍ଥରୁ ୪ ହଜାର ୧୧୩ କୋଟି ଟଙ୍କା ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ମଞ୍ଜୁରି ହୋଇସାରିଥିବା ବେଳେ ୭ ହଜାର ୭୭୪ କୋଟି ଟଙ୍କା ଜରୁରୀକାଳୀନ ପାଣ୍ଠିକୁ ଯିବ ଏବଂ ବଳକା ଅର୍ଥ ମଧ୍ୟକାଳୀନ ସହଯୋଗ ତଥା ୧ରୁ ୪ ବର୍ଷ ପାଇଁ ମିଶନ ମୋଡରେ ଖର୍ଚ୍ଚ କରାଯିବ ବୋଲି ସେ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ କରୋନା ମହାମାରୀ ସହ ଲଢେଇ କରୁଥିବା ଆଗଧାଡିର ଯୋଦ୍ଧା ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ସହ ଦେଶ କାନ୍ଧକୁ କାନ୍ଧ ମିଳାଇ ଛିଡାହୋଇଛି । ନିଜ ଜୀବନକୁ ବିପଦରେ ପକାଇ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀମାନେ ସୁସ୍ଥ ଭାରତ ଗଠନ ପାଇଁ ଦିନରାତି କାମ କରୁଛନ୍ତି । କରୋନା ଯୋଦ୍ଧାଙ୍କୁ ଯେତେ ଧନ୍ୟବାଦ ଦେଲେ ବି ଯଥେଷ୍ଟ ନୁହେଁ । ତେଣୁ ଦେଶର ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ସମର୍ଥନ ଦେବା ସହ ସେମାନଙ୍କୁ ବିଶ୍ୱ ସ୍ୱାସ୍ଥ୍ୟ ସଂକଟରେ ଲଢିବା ପାଇଁ ସହଯୋଗ କରିବା ପାଇଁ ଶ୍ରୀ ପ୍ରଧାନ ଜନସାଧାରଣ ମାନଙ୍କୁ ଆହ୍ୱାନ କରିଛନ୍ତି । ସମସ୍ତେ ଏକାଠୀ ହୋଇ ଏହି ମହାମାରୀ ଚ୍ୟାଲେଞ୍ଜକୁ ଦୂର କରିପାରିବା ବୋଲି ସେ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଡାକ୍ତର, ମେଡିକାଲ କର୍ମଚାରୀ, ଆଶା କର୍ମୀ ଏବଂ ଅନ୍ୟ ସମସ୍ତ ଆଗଧାଡିର ଯୋଦ୍ଧାଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ମହାମାରୀ ରୋଗ ଅଧିନିୟମ,୧୯୮୭ରେ ସଂଶୋଧନ କରିବା ପାଇଁ ଏକ ନିର୍ଦ୍ଦେଶନାମା ଜାରୀ କରିଛନ୍ତି । ଏହି ଅଧିନିୟମରେ ଥିବା କଠୋର ବ୍ୟବସ୍ଥା ଦେଶର ସ୍ୱାସ୍ଥ୍ୟ କର୍ମଚାରୀ ତଥା ସେମାନଙ୍କର ବାସଗୃହ ଓ କାର୍ଯ୍ୟକ୍ଷେତ୍ରକୁ ମଧ୍ୟ ସୁରକ୍ଷା ଦେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ ହର୍ଷବର୍ଦ୍ଧନଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ କରିଥିବାରୁ ଭାରତୀୟ ମେଡିକାଲ ସଂଘକୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜ୍ଞାପନ କରିଛନ୍ତି । ସ୍ୱାସ୍ଥ୍ୟ କର୍ମୀଙ୍କ ସେମାନଙ୍କୁ ସୁରକ୍ଷାଦେବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ସେ କହିଛନ୍ତି ।
ରାଜ୍ୟ
କ୍ୟାବିନେଟ କମିଟି ଅନ ଇକୋନୋମିକ ଆଫେୟାର ନିଷ୍ପତ୍ତିକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସ୍ୱାଗତ
- Hits: 257