ନାମ ଦେବୋତ୍ତର ବିଭାଗର, ସରକାରୀ ରେକର୍ଡରେ ପୌରପରିଷଦ
ଦେବୋତ୍ତର ନିର୍ବାହୀ ଅଧିକାରୀଙ୍କ ଅପାରଗତାକୁ ଦାୟୀ କଲେ ସେବାୟତ
ଉନ୍ନତିକରଣ ଏବଂ ସୌନ୍ଦର୍ଯ୍ୟକରଣର ନିମନ୍ତେ ୧୩୯.୭୩ ଲକ୍ଷ ଟଙ୍କାର କାମ ପାଇଁ ହୋଇପାରୁନି ଟେଣ୍ଡର
ବାରିପଦା(ଦିଲ୍ଲୀପ ମହାନ୍ତି)-ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବରେ ଖ୍ୟାତି ଲାଭ କରିଥିବା ବାରିପଦା ଶ୍ରୀଶ୍ରୀହରିବଳଦେବ ଜୀଉ ବିଜେ ମହାପ୍ରଭୂଙ୍କ ପୁଷ୍କରଣୀ(ହେମସାଗର ପୋଖରୀ) ପ୍ରଦୂଷିତ ହେବାରେ ଲାଗିଛି । ଦେବୋତ୍ତର ବିଭାଗ ପୋଖରୀକୁ ନିଲାମ ଦେଇ ଓ ପୋଖରୀ ହୁଡ଼ା ଦୋକାନୀମାନଙ୍କୁ ଭଡ଼ାରେ ଲଗାଇ ଅର୍ଥ ଆଦାୟ କରୁଥିବା ବେଳେ ବିଭାଗ ଏହାର ରକ୍ଷଣାବେକ୍ଷଣ ଓ ପୁର୍ନଉଦ୍ଧାର କରିବା ଦୂରର ବିଷୟ ଏହା ପୌରପରିଷଦ ଖାତାକୁ ଚାଲିଯାଇଥିବା ବିଷୟରେ କୌଣସି ସୂଚନା ବିଭାଗ ନିକଟରେ ନଥିବାର ଜଣାପଡ଼ିଛି ।
ମୟୂରଭଞ୍ଜ ଗଡ଼ଜାତ ରାଜ୍ୟର ମହାରାଜା ବୈଦ୍ୟ ନାଥ ଭଞ୍ଜଦେଓ ୧୫୬୫ ଖ୍ରୀଷ୍ଟାବ୍ଦରେ ବାରିପଦାରେ ଶ୍ରୀ ଜଗନ୍ନଥ ମହାପ୍ରଭୂଙ୍କ ମନ୍ଦିର ନିର୍ମାଣ ଆରମ୍ଭ କରି ୧୫୭୫ ଖ୍ରୀଷ୍ଟାବ୍ଦରେ ଶେଷ ହୋଇଥିଲା । ସେହି ସମୟରେ ବଡ଼ ଜଗନ୍ନାଥ ମନ୍ଦିରରେ ମହାପ୍ରଭୂମାନଙ୍କର ସେବା କାର୍ଯ୍ୟ ନିମନ୍ତେ ପୁରୀର ଚନ୍ଦନ ପୁଷ୍କରଣୀ ଭଳି ଏଠାରେ ମଧ୍ୟ ହେମସାଗର ପୋଖରୀ ସୃଷ୍ଟି କରିଥିଲେ । ଉକ୍ତ ପୋଖରୀରେ ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମା ମଦନ ମୋହନ ଚାପ ଖେଳି ଥାନ୍ତି । ମୟୂରଭଞ୍ଜ ଗଡ଼ଜାତ ରାଜ୍ୟ ଓଡ଼ିଶା ପ୍ରଦେଶ ସହିତ ୧୯୪୯ ମସିହା ଜାନୁୟାରୀ ୧ ତାରିଖରେ ମିଶ୍ରଣ ଓ ଜାନୁଆରୀ ୨ରୁ ଓଡ଼ିଶାର ସ୍ୱତନ୍ତ୍ର ଜିଲ୍ଲା ଭାବେ ଶାସିତ ହେବା ପରେ ଶ୍ରୀଜୀଉଙ୍କ ସମସ୍ତ ସ୍ଥାବର ଅସ୍ଥାବର ସମ୍ପତି ସହିତ ହେମସାଗର ପୋଖରୀ ଦେବୋତ୍ତର ବିଭାଗ ଅଧୀନରେ ରହିଲା । ୨୦୦୮ ଚଇତ୍ର ପର୍ବ ସ୍ମରଣିକାରେ ତକ୍ରାଳୀନ ବାରିପଦା ଉପଜିଲ୍ଲାପାଳ ଅଜୟ କୁମାର ନାୟକଙ୍କ ଦ୍ୱାରା ଲିଖିତ ଶ୍ରୀଶ୍ରୀହରିବଳଦେବ ଜୀଉ ବିଜେ ବାରିପଦା ସ୍ତମ୍ଭରେ ‘ ସ୍ନ ୧୯୬୫ରେ ବାରିପଦା ସିଭିଲ ଜଜ୍ଙ୍କ ଅଧ୍ୟକ୍ଷତାରେ ହୋଇଥିବା ଟ୍ରିବୁ୍ୟନାଲ ରାୟରୁ ଜଣାଯାଏ ସେ ସମୟରେ ଶ୍ରୀ ଶ୍ରୀ ହରିବଳଦେବ ଜୀଉଙ୍କର ସମ୍ପତ୍ତି ପରିମାଣ ଥିଲା ଏ୨୧୭୫୨.୭୯ । ମାତ୍ର ପରବର୍ତ୍ତୀ ସମୟରେ ବିଭିନ୍ନ ବ୍ୟକ୍ତି/ ଅନୁଷ୍ଠାନ ଚଞ୍ଚକତା ଏହି ଜମିକୁ ତାଙ୍କ ନାମ ଭୁକ୍ତ କରାଇ ନେଇଅଛନ୍ତି । ଅଧିକାଂଶ ଜମି ମଧ୍ୟ ସରକାରୀ ଖାତା ଭୁକ୍ତ ହୋଇଯାଇଅଛି । ବର୍ତ୍ତମାନ ଅବଶିଷ୍ଟ ମାତ୍ର ଏ୨୧.୦୪ ଜମି ଠାକୁରଙ୍କ ନାମରେ ରହିଅଛି ’ । ବାରିପଦା ଉପଜିଲ୍ଲାପାଳ ତଥା ଦେବୋତ୍ତର ନିର୍ବାହୀ ଅଧିକାରୀ ଶ୍ରନାୟକଙ୍କ ଏହି ସ୍ତମ୍ଭ ବିବାଦୀୟ ହୋଇଥିଲେ ମଧ୍ୟ ଦେବୋତ୍ତର ବିଭାଗର ଅପାରଗତା ଦିଗ ପ୍ରତି ଅଙ୍ଗୁଳି ନିଦେ୍ର୍ଧଶ କରାଇଛି ।
ବାରିପଦା ତହସିଲ ଅଧୀନ ୟୁନିଟ-୯ ଆନନ୍ଦ ବଜାର ମୌଜା ଖାତା ନଂ ୨୨୦ ଓ ପ୍ଲଟ ନଂ ୨୨୫, କିସମ- ଜଳାଶୟ, ଏରିଆ ୨.୬୯ ହେମସାଗର ପୁଷ୍କରଣୀର ଜଳାଶୟ ସହିତ ଜଳାଶୟର ଉତ୍ତର ଓ ଦକ୍ଷିଣ ଦିଗରେ ଖାତା ନମ୍ବର ୨୨୦, ପ୍ଲଟ ନଂ ୨୧୧ , କିସମ ରାସ୍ତା, ଏରିଆ ଏ୦.୯୩୦; ଦକ୍ଷିଣ ଦିଗରେ ପ୍ଲଟ ନଂ ୨୨୪, କିସମ ରାସ୍ତା, ଏରିଆ ଏ୦.୨୪୦ ଓ ଦକ୍ଷିଣ ଓ ପୂର୍ବ ଦିଗରେ ପ୍ଲଟ ନଂ ୨୨୬, କିସମ- ରାସ୍ତା , ଏରିଆ ଏ୦.୨୯୦ ଏହି ପରି ପୋଖରୀ ଓ ପୋଖରୀର ଆଡ଼ିକୁ ମିଶାଇ ମୋଟ ଏ୪.୧୫ ଡେସିମିଲ ଜମି ପୌରପରିଷଦ ନାମରେ ରହିଥିବାର ଜଣାପଡ଼ିଛି । ଦେବୋତ୍ତର ନିର୍ବାହୀ ଅଧିକାରୀ ତଥା ବାରିପଦା ଉପଜିଲ୍ଲାପାଳ ଓ ତହସିଲ କାର୍ଯ୍ୟାଳୟ ମଝିରେ କେବଳ ୫/୭ ଫୁଟ ରାସ୍ତା ସୀମାରେଖା ଟାଣି ଛିଡ଼ା ହୋଇଥିବା ବେଳେ ହେମସାଗର ପୋଖରୀ ଦେବୋତ୍ତରଠାରୁ ପୌରପରିଷଦ ଖାତାକୁ ଚାଲିଯିବା ଘଟଣାକୁ ଜଗନ୍ନାଥ ପ୍ରେମୀମାନେ ସହଜରେ ଗ୍ରହଣ କରିପାରି ନାହାନ୍ତି ।
୨୦୧୯ ଫେବୃଆରୀ ୧୨ରେ ବାରିପଦା ପୌରପରିଷଦର ନଗରପାଳ ବବିତା ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହେମସାଗର ପୋଖରୀର ଉନ୍ନତିକରଣ ଏବଂ ସୌନ୍ଦର୍ଯ୍ୟକରଣର ଭିତ୍ତି ପ୍ରସ୍ତର ସ୍ଥାପନ ସମାରୋହକୁ ତତ୍କାଳୀନ ବିଧାନସଭାର ଉପବାଚସ୍ପତି ତଥା ବାରିପଦା ବିଧାୟକ ସାନନ୍ଦ ମାର୍ଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ । ପରବର୍ତ୍ତି ସମୟରେ ପୌରପରିଷଦର ପ୍ରପୋଜାଲ କ୍ରମେ ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ପକ୍ଷରୁ ହେମସାଗର ପୋଖରୀର ଉନ୍ନତିକରଣ ଏବଂ ସୌନ୍ଦର୍ଯ୍ୟକରଣର ନିମନ୍ତେ ୧୩୯.୭୩ ଲକ୍ଷ ଟଙ୍କାର ଅନୁଦାନ ଆସିଥିଲେ ମଧ୍ୟ ଅଦ୍ୟାବଧି ପୌରପରିଷଦ ପକ୍ଷରୁ ଏଥି ନିମନ୍ତେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇ ନାହିଁ । ଏହି ସମସ୍ତ ବିଷୟ ଦେବୋତ୍ତର ବିଭାଗ ଜାଣି ମଧ୍ୟ କିଛି ନଜାଣିବାର ଅଭିନୟ କରିଆସୁଛି ।
ବାରିପଦା ଶ୍ରୀ ଶ୍ରୀ ହରିବଳଦେବ ଜୀଉ ବିଜେଙ୍କ ମନ୍ଦିରରେ ପାଳିତ ହେଉଥିବା ରୀତିନୀତି ସହିତ ହେମସାଗର ପୋଖରୀର ନିବିଡ଼ ସମ୍ପର୍କ ରହିଛି । ଏହି ପୁଷ୍କରଣୀରେ ଚନ୍ଦନ ଚାପ ସହିତ ଶ୍ରୀଜୀଉଙ୍କ କାଳୀୟ ଦଳନ ନୀତି ସମ୍ପନ୍ନ ହୋଇଥାଏ । ମହାପ୍ରଭୂଙ୍କ ଚାପ ପୋଖରୀର ଚର୍ତୁପାଶ୍ୱର୍ରେ ଆହୁଲା ମାରି ଘୁରି ବୁଲିବା ସମୟରେ ଆହୁଲାରେ ପ୍ଲାଷ୍ଟିକ ଜରି ସହିତ ଅଳିଆ ଆବର୍ଜନା ଉଠିଆସିଥାଏ । ପୋଖରୀର ପାଣିରୁ ଦୁର୍ଗନ୍ଧ ବାହାରୁ ଥାଏ । ସ୍ଥାନୀୟ ଜନସାଧାରଣଙ୍କ କହିବା ଅନୁସାରେ ହେମସାଗର ପୋଖରୀ କୌଣସି ଦିନ ପୁର୍ନଉଦ୍ଧାର କରାଯାଇ ନାହିଁ । ଅଧିକନ୍ତୁ ପୋଖରୀ ହୁଡ଼ାରେ କୁକୁଡ଼ା ଗାଡ଼ି ସହିତ ଅନ୍ୟାନ୍ୟ ଗାଡ଼ି ମୋଟରଗୁଡ଼ିକର ଧୋଆସଫା ପାଣି ଜଳାଶୟ ମଧ୍ୟକୁ ନିୟମିତ ଆସୁଅଛି । ସଫେଇ କର୍ମଚାରୀମାନେ ହେମସାଗର ପୋଖରୀର ଉଭୟ ପାଶ୍ୱର୍ରେ ବସବାସ କରୁଥିବା ଲୋକଙ୍କ ଘରର ଅଳିଆ ଆବର୍ଜନା ପୋଖରୀ ହୁଡ଼ାରେ ଗଦା କରିଆସୁଛନ୍ତି । ବର୍ଷା ହେଲେ ବର୍ଷା ପାଣି ସହିତ ଅଳିଆ ଆବର୍ଜନା ଧୋଇ ହୋଇ ପୋଖରୀ ପାଣିରେ ମିଶୁଛି । ଏହା ବ୍ୟତୀତ ପୌରପରିଷଦର ୬, ୭ ଓ ୯ ନଂ ୱାର୍ଡରୁ ଜନସାଧାରଣପୋଖରୀକୁ ବ୍ୟବହାର କରୁଥିବା ବେଳେ ପୂବେ ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରୁଥିଲେ । ବର୍ତ୍ତମାନ ପାଣିକୁ ସ୍ପର୍ଶ କରିବାକୁ ଆଗ୍ରହ ଆସୁ ନାହିଁ । ଭାଗ୍ୟକୁ ଗତ ୨୦୧୩ ଅକ୍ଟୋବର ୧୩ ରେ ଫାଇଲିନ ମହାବାତ୍ୟା ପ୍ରଭାବରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ହେମସାଗର ପୋଖରୀର ପାଣିକୁ କିଛି ମାତ୍ରାରେ ଶୁଦ୍ଧ କରି ଦେଇଥିଲା ବୋଲି ମନ୍ଦିର ସେବାୟତମାନେ କୁହନ୍ତି ।
ହେମସାଗର ପୋଖରୀକୁ ନେଇ ଏମାନେ ଯାହା କୁହନ୍ତି-
"ଠାକୁରଙ୍କୁ ସଦାସର୍ବଦା ନାବାଳକ ବୋଲି ଆଇନ କହୁଛି । ତେଣୁ, ନାବାଳକଙ୍କ ନାମରେ ଥିବା ସମ୍ପତ୍ତି ବିକ୍ରି ଅଥବା ହସ୍ତାନ୍ତର ସମ୍ପୂର୍ଣ୍ଣ ଭାବେ ବେଆଇନ ଓ ଅପରାଧ ବୋଲି ଆଇନରେ ଦର୍ଶାଯାଇଛି । ଯଦି ଦେବୋତ୍ତର ବିଭାଗ ଅଧୀନରେ ସାବକରେ ରହିଥିବା ହେମସାଗର ପୋଖରୀ ହାଲରେ ପୌରପରିଷଦ ନାମକୁ କିପରି ଗଲା ଏବଂ ବିଭାଗ ଜାଣିପାରିଲା ନାହିଁ କିପରି । ଏବିଷୟରେ ନିରପେକ୍ଷ ତଦନ୍ତ କରାଗଲେ ପ୍ରକୃତ ସତ୍ୟାସତ୍ୟ ଲୋକ ଲୋଚନକୁ ଆସିପାରିବ" ବୋଲି ବିଶିଷ୍ଟ ଯୁବ ଆଇନଜୀବୀ ଅରବିନ୍ଦ ଦାସ କୁହିଛନ୍ତି ।
"ହେମସାଗର ପୋଖରୀର ମାଲିକାନାସତ୍ୱ କାହା ନାମରେ ରହିଛି ସେ ବିଷୟରେ ଜଣା ନାହିଁ । ବୁଝି ଦେଖିବି"ବୋଲି ଦେବୋତ୍ତର ନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳ ଦାୟିତ୍ୱରେ ରହିଥିବା ବାରିପଦା ପିଏ ଆଇଟିଡିଏ ବସନ୍ତ କୁମାର ସେଠୀ କହିଛନ୍ତି ।
"ଯଦି ହେମସାଗର ପୋଖରୀର ମାଲିକାନାସତ୍ୱ ପୌରପରିଷଦ ଖାତାକୁ ଚାଲିଯାଇଥିବ ତାହା ଦେବୋତ୍ତର ନିର୍ବାହୀ ଅଧିକାରୀଙ୍କ ପରିଚାଳନାଗତ ଅପାରଗତା ଓ ଦାୟିତ୍ୱ ହୀନତା ଦିଗକୁ ଅଙ୍ଗୁଳି ନିର୍ଦ୍ଦେଶ କରାଉଛି । ବିଭାଗ ବସିଥିବ କେଉଁ ଦିନ ଲୋକେ ମହାପ୍ରଭୂଙ୍କ ମନ୍ଦିରକୁ ନିଜ ନାମରେ କରାଇ ନେଇଯିବ । ଦେବୋତ୍ତର ବିଭାଗର କେତେକ ଅସାଧୁ କର୍ମଚାରୀଙ୍କ ସଲାସୁତରାରେ ମହାପ୍ରଭୂଙ୍କ ହଜାର ହଜାର ଏକର ସମ୍ପତ୍ତି ସିଧାସଳଖ ଭାବେ ହରିଲୁଟ ହୋଇଛି । ଯଦି ରକ୍ଷକ ଭକ୍ଷକ ସାଜେ ତେବେ ଗୁହାରୀ କରିବା କାହାକୁ । ମୁଖ୍ୟମନ୍ତ୍ରୀ ନବୀନ ଏକ ତଦନ୍ତ କମିଶନ ବସାଇ ମହାପ୍ରଭୂଙ୍କ ସମ୍ପତ୍ତିର ହରିଲୁଟ ଉପରେ ତଦନ୍ତ କରନ୍ତୁ" ବୋଲି ସେବାୟତ ସଙ୍ଘର କର୍ମକର୍ତ୍ତା କାମେଶ୍ୱର ତ୍ରିପାଠୀ ପ୍ରକାଶ କରିଛନ୍ତି ।
ସେହିପରି ପୌରପରିଷଦ ନିର୍ବାହୀ ଅଧିକାରୀ ଦାୟିତ୍ୱରେ ରହିଥିବା ବାରିପଦା ବ୍ଲକ ବିଡ଼ିଓ ସରୋଜ କୁମାର ଦାଶଙ୍କ ପ୍ରତିକ୍ରିୟା ଜାଣିବା ନିମନ୍ତେ ୯୪୩୭୦୩୪୧୮୪ରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ ।