"ରାଜ୍ୟସରକାର ଅଧିକା ସୁଧ ଲାଭରେ ରଖିଥିଲେ ପରା, ତାହା ୮% ଟା ୨.୧୧% ହେଲା କେମିତି !"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ସରକାରୀ ଅଧିକାରୀଙ୍କ ଠାରୁ ବକେୟା ଅର୍ଥ ଆଦାୟ କରନ୍ତୁ ରାଜ୍ୟସରକାର 

 ଆକଳନ କରିଥିବା ୮ ପ୍ରତିଶତ ସୁଧରୁ ମାତ୍ର ୨.୧୧ କମ୍ ସୁଧ ହାରରେ ପଇସା ଫେରସ୍ତ ହୋଇଛି

 ଜଗନ୍ନାଙ୍କ ଟଙ୍କା ଘରୋଇ ବ୍ୟାଙ୍କରେ କିପରି ରହିଲା ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ଦରକାର

 ଘରୋଇ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା ରଖିଥିବା ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ  ଦାବି

 ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ବିରୋଧୀ ଦଳ ନେତା 

ଭୁବନେଶ୍ୱର(ଶାସକ ପ୍ରଶାସକ) : ରାଜ୍ୟ ସରକାର କିଛି ଅଧିକା ସୁଧ ଆଶାରେ ଶ୍ରୀମନ୍ଦିର ଜମା ଅର୍ଥକୁ ରାଷ୍ଟ୍ରାୟତ ବ୍ୟାଙ୍କରେ ନରଖି ୟେସ୍ ବ୍ୟାଙ୍କ ଭଳି ଏକ ଘରୋଇ ବ୍ୟାଙ୍କରେ ରଖିଥିଲେ । ଆକଳନ କରିଥିବା ୮ ପ୍ରତିଶତ ସୁଧରୁ ମାତ୍ର ୨.୧୧ ସୁଧ ହାରରେ ପଇସା ଫେରସ୍ତ ହୋଇଛି । ଅଧିକା ସୁଧ ଲାଭରେ ଘରୋଇ ବ୍ୟାଙ୍କରେ ଜଗନ୍ନାଥଙ୍କ ଅର୍ଥକୁ ରଖିଥିବା ରାଜ୍ୟସରକାର କହୁଥିବାବେଳେ ବର୍ତମାନ ତାହା ୮ ପ୍ରତିଶତରୁ ୨.୧୧ ପ୍ରତିଶତ ହେଲା କିପରି? ଯାହାକି ରାଷ୍ଟ୍ରାୟତ ବ୍ୟାଙ୍କ ଦେଉଥିବା ସୁଧ ହାର ରୁ ବି କମ୍ ରହିଛି । କାହିଁକି ଏତେ କମ୍ ସୁଧ ମିଳିଲା? ବାକି ସୁଧ କୁଆଡେ ଗଲା? ସାଢେ ୪ କୋଟି ଓଡିଆଙ୍କ ପ୍ରାଣକେନ୍ଦ୍ର ଜଗନ୍ନାଥଙ୍କ ଅର୍ଥକୁ ଯେଉଁ ସରକାରୀ ଅଧିକାରୀମାନେ ଅଧିକ ସୁଧ ଦେଖାଇ ଘରୋଇ ବ୍ୟାଙ୍କରେ ରଖିଥିଲେ ସେମାନଙ୍କ ଠାରୁ ବାକି ସୁଧ ଅର୍ଥ ଆଦାୟ କରାଯାଉ ବୋଲି ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକ ଦାବି କରିଛନ୍ତି । 

ଶ୍ରୀ ନାଏକ କହିଛନ୍ତି ଯେ, ପୂର୍ବରୁ ଶ୍ରୀମନ୍ଦିର ଟଙ୍କାକୁ ରାଷ୍ଟ୍ରାୟତ ବ୍ୟାଙ୍କରେ ରଖାଯାଉଥିଲା । ଜଗନ୍ନାଙ୍କ ଟଙ୍କା ଘରୋଇ ବ୍ୟାଙ୍କରେ କିପରି ରହିଲା ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ଦରକାର ।  ଏହା ସହ ଯେଉଁ ସରକାରୀ ଅଧିକାରୀମାନେ ମନ୍ଦିର ଟଙ୍କାକୁ ଘରୋଇ ବ୍ୟାଙ୍କରେ ରଖିଥିଲେ ସେମାନଙ୍କ ବିରୁଦ୍ଧରେ ତୁରନ୍ତ ରାଜ୍ୟସରକାର ଦୃଢ କାର୍ଯ୍ୟାନୁଷ୍ଠାନ  ନେବା ସହ ଏହି କ୍ଷତି କାହିଁକି ହେଲା ତାହାର ସମୀକ୍ଷା କରନ୍ତୁ ବୋଲି ଶ୍ରୀ ନାଏକ ଦାବି କରିଛନ୍ତି । 

ୟେସ ବ୍ୟାଙ୍କ ସ୍ଥିତି ଖରାପ ହେବା ଏବଂ ରିଜର୍ଭ ବ୍ୟାଙ୍କ କଟକଣା ଜାରି କରିବା ସତ୍ୱେ ଜଗନ୍ନାଥଙ୍କ ଜମା ଅର୍ଥ ଫେରି ଆସିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଦୃଢ ପ୍ରତିଶୃତି ଦେଇଥିଲେ । ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଶ୍ରୀମନ୍ଦିର ଅର୍ଥ ୟେସ୍ ବ୍ୟାଙ୍କରୁ ଫେରି ଆସିଛି । ଏହି ପରିପ୍ରେକ୍ଷୀରେ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି  ଏବଂ ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଜଣାଇବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି । 

ଏହି ଅବସରରେ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ଉପସ୍ଥିତ ଥିଲେ ।  

0
0
0
s2sdefault