ଆମ ସମସ୍ତଙ୍କୁ ମିଳିମିଶି ଧୈର୍ଯ୍ୟ ଓ ସାହାସର ସହ କରୋନା ଆହ୍ୱାନର ମୁକାବିଲା କରିବାକୁ ପଡିବ - ଧର୍ମେନ୍ଦ୍ର ପ୍ରଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୋରନା ମୁକାବିଲା ନେଇ ସାମାଜିକ ଗଣମାଧ୍ୟମରେ ସଚେତନତାର ବାର୍ତା ଦେଲେ କେନ୍ଦ୍ରମନ୍ତ୍ରୀ

 କରୋନା ଭାଇରସକୁ ପ୍ରତିହତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ସକରାତ୍ମକ ପଦକ୍ଷେପ ନେଉଛନ୍ତି

 ଭୟଭୀତ ହେବା ବଦଳରେ ପ୍ରତିଷେଧକ ଓ ସୁରକ୍ଷାଗତ ପଦକ୍ଷେପ ନେବା ଏବେ ସମୟର ଆହ୍ୱାନ

 ଯୁବପିଢି, ରାଜନୈତିକ କାର୍ଯ୍ୟକର୍ତା, ଗଣମାଧ୍ୟମ ଓ ସରକାରୀ କର୍ମଚାରୀ ଦାୟିତ୍ୱରୁ ନଓହରି ନିର୍ଭୀକ ଭାବେ ଆହ୍ୱାନକୁ ସାମ୍ନା କରନ୍ତୁ

 ପ୍ରଧାନମନ୍ତ୍ରୀଙ୍କ ‘ଜନତା କର୍ଫ୍ୟୁ’ ଆହ୍ୱାନକୁ ସଫଳ କରିବାକୁ ଅନୁରୋଧ

 ବିଦେଶୀ ଫେରନ୍ତା ଲୋକଙ୍କୁ ସରକାରୀ ବ୍ୟବସ୍ଥାରେ ପଞ୍ଜିକରଣ କରିବାକୁ ପରାମର୍ଶ

 ଭିଡ ସ୍ଥାନରେ ସାମାଜିକ ଦୂରତା ଅବଲମ୍ବନ କରିବାକୁ ପରାମର୍ଶ

 ବିଶେଷ ଭାବରେ ଗରିବ ଲୋକମାନଙ୍କ ବିଶେଷ ଯତ୍ନ ନେବାକୁ ଆହ୍ୱାନ

 ରିପୋର୍ଟ ପଜେଟିଭ୍ ବାହାରିଲେ ଭୟଭୀତ ନହୋଇ ଡାକ୍ତର ଓ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ

 ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଦେଶବାସୀ ଏହି ବିଶ୍ୱ ମହାମାରୀକୁ ଦୃଢତାର ସହ ସାମ୍ନା କରନ୍ତୁ

ଭୁବନେଶ୍ୱର(ଶାସକ ପ୍ରଶାସକ) – କରୋନା ଭୂତାଣୁ ବିଶ୍ୱ ମହମାରୀର ରୂପ ନେଇଥିବା ବେଳେ ଆମ ସମସ୍ତଙ୍କୁ ମିଳିମିଶି ଏଭଳି ପ୍ରାକୃତିକ ସଂକଟକୁ ସାମ୍ନା କରିବାକୁ ପଡିବ । ରାଜ୍ୟ ତଥା ଦେଶବାସୀ କୌଣସି ପ୍ରକାର ଭୟଭୀତ ନହୋଇ ଧୈର୍ଯ୍ୟ ଓ ସାହସର ସହ ବିଶ୍ୱ ମହାମାରୀ କରୋନା ଭାଇରସ ବିରୁଦ୍ଧରେ ମୁକାବିଲା କରନ୍ତୁ ବୋଲି ସାମାଜିକ ଗଣମାଧ୍ୟମରେ ଭିଡିଓ ବାର୍ତା ମାଧ୍ୟମରେ ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସାଂପ୍ରତିକ ସ୍ଥିତିରେ ଭୟଭୀତ ହେବା ବଦଳରେ ପ୍ରତିଷେଧକ ଓ ସୁରକ୍ଷାଗତ ପଦକ୍ଷେପ ନେବା ଏବେ ସମୟର ଆହ୍ୱାନ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜିର ଦିନରେ ସମଗ୍ର ବିଶ୍ୱ ଏକ ଅଭାବନୀୟ ପରିସ୍ଥିତିରେ ପହଁଚିଛି । କରୋନା ଭୂତାଣୁ ସମଗ୍ର ମାନବ ଜାତିକୁ ସଙ୍କଟରେ ପକାଇଛି । ଏହା ବିଶ୍ୱଯୁଦ୍ଧ ଠାରୁ ବି ଭୟଙ୍କର ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । କରୋନା ଭାଇରସକୁ ପ୍ରତିହତ କରିବା ପାଇଁ ଭାରତ ସରକାର ଓ ରାଜ୍ୟ ସରକାର ଅନେକ ସକରାତ୍ମକ ପଦକ୍ଷେପ ନେଉଛନ୍ତି |  ଏଭଳି ସମୟରେ ସରକାରଙ୍କ ସହଯୋଗୀ ଭାବେ ଲୋକଙ୍କୁ ବ୍ୟାପକ ସଚେତନତା ହେବାକୁ ପଡିବ । ଯୁବପିଢି, ରାଜନୈତିକ କାର୍ଯ୍ୟକର୍ତା, ଗଣମାଧ୍ୟମ ଓ ସରକାରୀ କର୍ମଚାରୀ ଏହି ଦାୟିତ୍ୱରୁ ମୁହଁ ନଫେରାଇ ସମସ୍ତେ ସାମ୍ନା କରିବା ଦରକାର ।

ଓଡିଶା ସମେତ ଦେଶର ଅଧିକାଂଶ ସଂକ୍ରମିତ ବ୍ୟକ୍ତି ବିଦେଶରୁ ଏହି ଭାଇରାସ ଦ୍ୱାରା ଆକ୍ରାନ୍ତ ହୋଇ ସ୍ୱଦେଶକୁ ଆସିଛନ୍ତି ବା ଦେଶ ଭିତରେ ସେମାନଙ୍କ ସଂସ୍ପର୍ଶରେ ଆସିବା ଦ୍ୱାରା କେହି କେହି ସଂକ୍ରମିତ ହୋଇଛନ୍ତି । ଏପରି ପରିସ୍ଥିତିରେ ବିଦେଶରୁ ଆମ ରାଜ୍ୟ ଓଡିଶାକୁ ଫେରୁଥିବା ବନ୍ଧୁମାନେ ସରକାରୀ ବ୍ୟବସ୍ଥା ଅନୁସାରେ ନିଜକୁ ପଞ୍ଜିକୃତ କରିବା ଓ ଡାକ୍ତରୀ ପରାମର୍ଶ ଅନୁସାରେ ଏହି ସଂକ୍ରମଣର ଲକ୍ଷଣ ଥିଲେ ନିଜକୁ କ୍ୱାରାଂଟାଇନ୍ ବା ଅନ୍ୟ ମାନଙ୍କ ଠାରୁ ଦୂରରେ ରଖିବା ପରି ବ୍ୟବସ୍ଥାକୁ ନିଷ୍ଠାର  ସହିତ ପାଳନ କରିବା ଜରୁରୀ । ଏହାସହ ରିପୋର୍ଟ ପଜେଟିଭ୍ ବାହାରିଲେ ଭୟଭୀତ ନହୋଇ ଡାକ୍ତର ଓ ବିଶେଷଜ୍ଞ ପରାମର୍ଶ ନେବା ଜରୁରୀ ବୋଲି ସେ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଡାକ୍ତର ବା ବିଶେଷଜ୍ଞଙ୍କ କହିବାନୁସାରେ ଥଣ୍ଡା, ଜ୍ୱର, କାଶ ଭଳି ଲକ୍ଷଣ ଦେଖାଗଲେ ଲୋକମାନେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ । ସେହିପରି ଲୋକଙ୍କୁ ଧାର୍ମିକ, ବିବାହ ଉତ୍ସବ ସମେତ ଭିଡ ଅଂଚଳରେ ଅନେକ ସ୍ଥାନରେ ସାମାଜିକ ଦୂରତା ଅବଲମ୍ବନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏହାସମେତ ବିଶେଷ ଭାବରେ ଗରିବ ଲୋକମାନଙ୍କ ବିଶେଷ ଯତ୍ନ ନେବା ସମସ୍ତଙ୍କର ଦାୟିତ୍ୱ ।

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଆସନ୍ତା ରବିବାର ଦେଶର ଲୋକମାନେ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଘରେ ରହି ‘ଜନତା କର୍ଫ୍ୟୁ’କୁ ସଫଳ କରିବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି । ସେହିପରି ଏଭଳି ସମୟରେ ଦେଶର ଡାକ୍ତର, ନର୍ସମାନେ ସାଧାରଣ ଲୋକଙ୍କ ଚିକିତ୍ସା ପାଇଁ ନିର୍ଭୀକ ଭାବେ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି । ଏମାନଙ୍କ ସହଯୋଗ କରିବାକୁ ସେ କହିଛନ୍ତି । ଡାକ୍ତରଖାନାରେ ଗହଳି ନକରି ଘରେ ରହି ଡାକ୍ତରଙ୍କ ପରାମର୍ଶନୁସାରେ ଚିକିତ୍ସା କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏତଦବ୍ୟତିତ ପ୍ରଧାନମନ୍ତ୍ରୀଙ୍କ ଅପିଲ କ୍ରମେ ଆସନ୍ତା ରବିବାର ଦିନ ସଂଧ୍ୟା ୫ଟାରେ ୫ ମିନିଟ୍ ପାଇଁ ଚିକିତ୍ସକ, ପାରା ମେଡିକାଲଙ୍କ ଭଳି ବ୍ୟକ୍ତିବିଶେଷମାନଙ୍କୁ ହରିବୋଲ, କରତାଳି, ହୁଳୁହୁଳି ଓ ଶଙ୍ଖ ଫୁଙ୍କି ଏମାନଙ୍କୁ କୃତଜ୍ଞତା ଜଣାଇବାକୁ ଦେଶବାସୀଙ୍କୁ ନିବେଦନ କରିଛନ୍ତି ଶ୍ରୀ ପ୍ରଧାନ ।

କରୋନା ଭାଇରସର ମୁକାବିଲା ନିମନ୍ତେ ଓଡିଶା ରାଜ୍ୟରେ ସରକାରଙ୍କ ପ୍ରସ୍ତୁତିକୁ ଶ୍ରୀ ପ୍ରଧାନ ପ୍ରଶଂସା କରିବା ସହ କହିଛନ୍ତି ଯେ କରୋନାର ମୁକାବିଲା କରିବା ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ଭଲ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅପରପକ୍ଷରେ ସାର୍କ ଦେଶ ଗୁଡିକରେ କରୋନା ଭାଇରସର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ମୋଦି ନେତୃତ୍ୱ ନେଇଛନ୍ତି । ଏଥିରେ ସମସ୍ତେ ସହଯୋଗୀ ହେବାକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି । ଏଭଳି ସ୍ଥିତିରେ କୌଣସି ପ୍ରକାର ଭୟଭୀତ ନହୋଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଦେଶର ସମସ୍ତ ଜନସାଧାରଣ ମିଶି ରାଜ୍ୟ ଓ ଦେଶକୁ ଏହି ବିଶ୍ୱ ମହାମାରୀକୁ ଦୃଢତାର ସହ ସାମ୍ନା କରନ୍ତୁ ଏବଂ ସମସ୍ତଙ୍କ ମିଳିତ ଉଦ୍ୟମରେ ମାନବ ଜାତି ସୁରକ୍ଷିତ ହୋଇପାରିବ ବୋଲି ସେ କହିଛନ୍ତି । 

0
0
0
s2sdefault