ହେଡଲାଇନସ୍:

ମହାପ୍ରଭୁଙ୍କର ଅର୍ଥକୁ ଲୁଟ କରିବା ପାଇଁ ହୋଇଥିବା ଷଡଯନ୍ତ୍ରର ପର୍ଦ୍ଧାଫାଶ ହେଉ: ବିଜେପି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମହାପ୍ରଭୁଙ୍କର ଅର୍ଥରାଶିକୁ ବେଆଇନ ଭାବେ ଘରୋଇ ବ୍ୟାଙ୍କରେ ରଖିବା ବିରୋଧରେ ଭାରତୀୟ ଜନତା ପାର୍ଟୀ ଆଇନ ଏବଂ ନ୍ୟାୟାଳୟର ଆଶ୍ରୟ ନେବ 

ଭୁବନେଶ୍ୱର,(ଶାସକ ପ୍ରଶାସକ): ଓଡିଶାବାସୀଙ୍କୁ ବାରମ୍ବାର ପ୍ରବଞ୍ଚନା  ଓ ଅପମାନିତ କରିଥିବା ରାଜ୍ୟ ସରକାର ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ବି ଦୁର୍ଦ୍ଧିନରେ ପକାଇବାକୁ ମଧ୍ୟ ପଛାଇନାହାନ୍ତି । ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଦିନଠୁ ରାଜ୍ୟ ସରକାରଙ୍କ ଆନ୍ତରିକତା ଓ ନିଷ୍ଠା  ନଥିବା ସ୍ପଷ୍ଟ ହୋଇସାରିଛି । କୋଟି କୋଟି ଭକ୍ତଙ୍କ ଭାବବେଗ ସହ ଜଡିତ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ୫୪୫ କୋଟି ଟଙ୍କାର ବୃହତ ଅର୍ଥରାଶିକୁ ସରକାରଙ୍କର ଅର୍ଥ ରଖିବା ତାଲିକାଭୁକ୍ତ ହୋଇନଥିବା ଏକ ଘରୋଇ ବ୍ୟାଙ୍କରେ ଏକପାଖିଆ ଏବଂ ସମସ୍ତଙ୍କ ଅଗୋଚରରେ ଜମା ରଖିବା ପଛରେ ମନ୍ଦ ଉଦ୍ଦେଶ୍ୟ  ରହିଥିବାର ସ୍ପଷ୍ଟ ହେଉଛି ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏକ ସାମ୍ବାଦିକ ସମ୍ମିଳନିରେ ଅଭିଯୋଗ କରିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ  ଏହି ସାମ୍ବାଦିକ ସମ୍ମିଲନୀରେ ଶ୍ରୀ ହରିଚନ୍ଦନ ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଇଥିବା ୩ଟି ଚିଠିକୁ ଉଲ୍ଲେଖ କରିଛନ୍ତି ।ପ୍ରଥମ  ଚିଠିକୁ ଉଲ୍ଲେଖ କରି କହିଛନ୍ତି ଯେ, ଏସଏଲବିସିଙ୍କ ଗାଇଡଲାଇନକୁ ଆଧାର କରି ରାଜ୍ୟ ସରକାରଙ୍କ ତକ୍ରାଳୀନ ତକ୍ରାଳୀନ ଅତିରିକ୍ତ ଶାସନ ସଚିବ ତଥା ଉନ୍ନୟନ କମିଶନ ରାଜ୍ୟ ସରକାରଙ୍କ ଅର୍ଥ କେଉଁ କେଉଁ ବ୍ୟାଙ୍କରେ ଜମା ରହିବ, ତାର ଏକ ତାଲିକା ୨୦୧୭ ମସିହାରେ ଦେଇଥିଲେ । ଏହି ତାଲିକାରେ ୨୨ଟି ବିଭିନ୍ନ ରାଷ୍ଟ୍ରାୟତ ଏବଂ ବୃହତ ବ୍ୟାଙ୍କ ଏବଂ ୩ଟି ସମବାୟ ବ୍ୟାଙ୍କର ନାମ ଉଲ୍ଲେଖ କରିଥିଲେ । ଏହି ତାଲିକାରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦାନ ଅର୍ଥରାଶି ଜମା ଥିବା ୟେସ୍ ବ୍ୟାଙ୍କର ନାମ ଯୋଗ୍ୟତା ତାଲିକାରେ ନଥିଲା । ୨୦୧୯ ମସିହା ମାର୍ଚ୍ଚ ମାସରେ ରାଜ୍ୟ ସରକାର ତାଲିକାଭୁକ୍ତ ହୋଇନଥିବା ୟେସ୍ ବ୍ୟାଙ୍କରେ ଫିକ୍ସ ଡିପୋଜିତ ମାଧ୍ୟମରେ ୫୪୫ କୋଟି ଟଙ୍କା ଏବଂ ଫ୍ଲେକ୍ସି ଡିପୋଜିଟ ମାଧ୍ୟମରେ ୪୭ କୋଟି ଟଙ୍କା ଜମା କରିଥିଲେ ବ୍ୟାଙ୍କ ପରିଚାଳନା ପାଇଁ । ଆବଶ୍ୟକୀୟ ଅର୍ଥାଭାବ, ଅତ୍ୟାଧିକ ଏନପିଏ ଏବଂ ନିଦେ୍ର୍ଧଶକଙ୍କ ମନମାନି କାର୍ଯ୍ୟ କାରଣରୁ ୟେସ୍ ବ୍ୟାଙ୍କର ସ୍ଥିତି ଦିନକୁ ଦିନ ଖରା ହୋଇ ଚାଲିଥିଲା । ଏଭଳି ସ୍ଥିତିରେ ତିରୁପତି ମନ୍ଦିର ଟ୍ରଷ୍ଟ ଜମା ରଖିଥିବା ୧୩୦୦କୋଟି ଟଙ୍କା ଉଠାଇ ନେଇଥିବାବେଳେ ରାଜ୍ୟ ସରକାର ଉବଂ ଜଗନ୍ନାଥ ମନ୍ଦିର ପ୍ରଶାସନ  ଚିନ୍ତାମୁକ୍ତ ଓ ନୀରବଦ୍ରଷ୍ଟା ସାଜିଥିଲେ । ଏପରିକି ବିଧାନସଭାରେ ବିଜେପି ବିଧାୟକ ଶ୍ରୀ ଗଣେଷ ରାମ ଖୁଂଟିଆଙ୍କ ପ୍ରଶ୍ନରେ ରାଜ୍ୟ ଦେବୋତର ବିଭାଗ ମନ୍ତ୍ରୀ ଶ୍ରୀ ପ୍ରତା ଜେନା ୟେସ୍ ବ୍ୟାଙ୍କରେ ଜମା ଥିବା ଅର୍ଥରାଶି ମିଆଦ ପୂର୍ଣ୍ଣ ହେବା ପରେ ମାର୍ଚ୍ଚ ୧୯ ତାରିଖ ଦିନ ଉଠାଣ ହେବ ବୋଲି ଲିଖିତ ଉତର ଦେଇଥିଲେ । ତା ମାନେ ସରକାର ସବୁ ଜାଣି ଚୁପ୍ ବସିଥିଲେ ଏହା ପ୍ରମାଣିତ ହେଉଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

ଦ୍ୱୀତିୟ ଚିଠିକୁ ଉଲ୍ଲେଖ କରି ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ୨୦୧୯ ମସିହା ଜୁଲାଇ ମାସରେ ତକ୍ରାଳୀନ ଅର୍ଥ ସଚିବ ଶ୍ରୀ ଅଶୋକ ମୀନାଙ୍କ ନିଦେ୍ର୍ଧଶାବଳୀ ଆଧାରରେ ୟେସ୍ ବ୍ୟାଙ୍କକୁ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଥିଲା । ଯଦିଓ ୟେସ୍ ବ୍ୟାଙ୍କର ଯୋଗ୍ୟତା, କ୍ରେଡେନସିଆଲ ଆଦି ମାନ୍ୟତା ଯୋଗ୍ୟ ନଥିଲା । ତାଲିକାଭୁକ୍ତ ହେବାର ୪ ମାସ ପୂର୍ବରୁ ୟେସ୍ ବ୍ୟାଙ୍କରେ କେଉଁ ଆଧାରରେ ଏବଂ କାହା ନିଦେ୍ର୍ଧଶରେ ଏତେ ବଡ ମାତ୍ରାର ଅର୍ଥ ରାଶି ଜମା କରାଯାଇଥିଲା ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି ।

ତୃତୀୟ ଚିଠିକୁ ଉଲ୍ଲେଖ କରି ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ବ୍ୟାଙ୍କରେ ଗଚ୍ଛିତ ଥିବା ସରକାରୀ ଅର୍ଥରାଶିକୁ ଅନ୍ୟ ବ୍ୟାଙ୍କରେ ଟ୍ରାନ୍ସଫର କରିବା ଦ୍ୱାରା ବ୍ୟାପକ ଅନିୟମିତତା ଏବଂ ଦୁର୍ନୀତିର ସମ୍ଭାବନା ରହିଛି ବୋଲି ତକ୍ରାଳୀନ ଅର୍ଥ ସଚିବ ସିଏଜିଙ୍କ ନିଦେ୍ର୍ଧଶକୁ ଆଧାର କରି ଏଭଳି ଟ୍ରାନ୍ସଫର ଉପରେ ରୋକ ଲାଗୁ କରିବାକୁ ନିଦେ୍ର୍ଧଶ ଦେଇଥିଲେ । ଏହା ସତ୍ୱେ କାହିଁକି ଏବଂ କାହା ନିଦେ୍ର୍ଧଶରେ ମାନ୍ୟତା ହ୍ରାସ ପାଉଥିବା ୟେସ୍ ବ୍ୟାଙ୍କରେ ଜମା ରଖାଗଲା ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି ।

ଏହି ୩ଟି ଚିଠିକୁ ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ହେଇଛି ଯେ, ରାଜ୍ୟ ସରକାର ନିଜେ ଦେଇଥିବା ନିଜ ନିଦେ୍ର୍ଧଶକୁ ଭଙ୍ଗ କରିଛନ୍ତି । ଏପରିକି ୟେସ ବ୍ୟାଙ୍କରେ ଜମାଥିବା ଅର୍ଥ ଆଦୌ ସୁରକ୍ଷିତ ହୁଏ ନାହିଁ ବୋଲି ସରକାର ଜାଣିଥିଲେ । ଏହି ନିୟମ ଭଙ୍ଗ କରିବା ପଛରେ ବହୁ ହିତାଧିକାରୀ ଅଛନ୍ତି ଏବଂ ସେମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୁଳକ କାର୍ଯାନୁଷ୍ଠାନ  ଗ୍ରହଣ କରିବାକୁ ଶ୍ରୀ ହରିଚନ୍ଦନ ଦାବୀ ଜଣାଇଛନ୍ତି ।

ପ୍ରଭୁ ଶ୍ରୀ ଜଗନ୍ନାଥ ଫାଉଣ୍ଡେସନ ଫଣ୍ଡର ଅଧ୍ୟକ୍ଷ ହେଲେ ଖୋଦ୍ ମୁଖ୍ୟମନ୍ତ୍ରୀ । ୫-ଟିରେ ଥିବା ଟେକ୍ନୋଲୋଜିକୁ ଆଧାର କରି ଶାସନ ପ୍ରଦାନ କରୁଥିବା ରାଜ୍ୟ ସରକାରରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ୫୯୨ କୋଟି ଟଙ୍କା ଅର୍ଥରାଶିର ହରଣଚାଲର ନିଷ୍ପତି ପାଇଁ ମୁଖ୍ୟମନ୍ତୀ ଓ ତାଙ୍କ କାର୍ଯ୍ୟାଳୟଠୁ ଆରମ୍ଭ କରି ଦେବୋତର ବିଭାଗ ଏବଂ ମନ୍ଦିର ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ସଂପୃକ୍ତ ଅଛନ୍ତି । ଏଭଳି ଅପରାଧିକ କାର୍ଯ୍ୟ ପାଇଁ ଉତରଦାୟୀତ୍ୱ କିଏ ନେବ ବୋଲି ପ୍ରଶ୍ନ କରିବା ସହ ସତ୍ୟାସତ୍ୟ ରାଜ୍ୟବାସୀଙ୍କ ସମ୍ମୁଖରେ ଉପସ୍ଥାପିତ ହେବା ନିହାତି ଆବଶ୍ୟକ । ଏହି ଦୁର୍ନୀତିର ଚେର କେତେ ଦୂର ଲମ୍ବିଛି ବୋଲି ପ୍ରଶ୍ନ କରିବା ସହ ରାଜ୍ୟ ସରକାର ଏହି ପ୍ରସଙ୍ଗରେ ଏକ ଶ୍ୱେତପତ୍ର ପ୍ରକାଶ କରିବାକୁ ଶ୍ରୀ ହରିଚନ୍ଦନ ଦାବୀ ଜଣାଇଛନ୍ତି ।

ଏହି ଅପରାଧିକ ଏବଂ ନିନ୍ଦନୀୟ ଘଟଣାକୁ ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ସଂପୃକ୍ତ ଦୋଷୀଙ୍କ ବିରୁଦ୍ଧରେ କଠୋର ଓ ଦୃଷ୍ଟାନ୍ତମୁଳକ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିବା ସହ ଜମା ଟଙ୍କା ଫେରସ୍ତ ।ଇବା ପାଇଁ ବିହୀତ ପଦକ୍ଷେ ରାଜ୍ୟ ସରକାର ଗ୍ରହଣ କରନ୍ତୁ । ନଚେତ ଭାରତୀୟ ଜନତା ପାର୍ଟୀ ଆଇନ ଏବଂ ନ୍ୟାୟାଳୟର ଆଶ୍ରୟ ନେବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

ଚୋରକୁ ନିମନ୍ତ୍ରଣ ଜଣାଇ ଘର କବାଟକୁ ଖୋଲି ଦେଇ ଚୋରୀ ହୋଇଯିବା ପରେ ରେଜିଷ୍ଟ୍ରୀ ପୋଷ୍ଟ ମାଧ୍ୟମରେ ଏଫଆଇଆର ଦାୟର କରିବା ଭଳି ରାଜ୍ୟ ସରକାର କାର୍ଯ୍ୟ କରିଛନ୍ତି । ରାଜ୍ୟ ସରକାର ସବୁ ଜାଣିବା ସତ୍ୱେ କାହିଁକି ୟେସ୍ ବ୍ୟାଙ୍କରେ ଟଙ୍କା ଜମା ରଖିଲେ ? ୟେସ୍ ବ୍ୟାଙ୍କ ବୁଡିଯିବା ସମୟରେ ଅର୍ଥରାଶି ଜମା କଲେ । ବାରମ୍ବାର ତାଗିଦ ସତ୍ୱେ ନିର୍ବିକାର ରହିଲେ । ବର୍ତମାନ ପ୍ରତିବନ୍ଧକ ଲାହୁ ହେବା ପରେ ଚେତା ପଶିଲା । ଆରବିଆଇ ଓ କେନ୍ଦ୍ର ସରକାଙ୍କୁ ଚିଠି ଲେଖି ଦେଇ ନିଜ ଦାୟୀତ୍ୱ ସମାପ୍ତ ହୋଇଯିବାର ଆଳ ଦେଖାଇ ନିଜ ମୁଣ୍ଡ ଉପରୁ ଦୋଷ ଉଠାଇବା ମାନସିକତାରୁ ନିବୃତ ରହିବାକୁ ଶ୍ରୀ ହରିଚନ୍ଦନ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ।

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ  ଭଳି ଏହି ପ୍ରସଙ୍ଗକୁ ମଧ୍ୟ ବିଭ୍ରାନ୍ତ କରିବାର ହୀନ ପ୍ରୟାସ ଆରମ୍ଭ କରିଦେଇଛନ୍ତି । ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଟଙ୍କାକୁ ଚୋରୀ, ହରଣଚାଲ ଓ ହଡ କରାଯିବାର ଗନ୍ଧ ବାରି ହେଉଥିବାର ରାଜ୍ୟବାସୀଙ୍କ ସମେତ ଶାସକ ବିଜେଡିର ବରିଷ୍ଠ  ନେତା ଶ୍ରୀ ମହେଶ୍ୱର ମହାନ୍ତିଙ୍କ ବକ୍ତବ୍ୟରୁ ସ୍ପଷ୍ଟ ହୋଇଛି । ପ୍ରବୁ ଶ୍ରୀ ଜଗନ୍ନାଥଙ୍କ ଅର୍ଥରାଶି ମହାଦୁର୍ନୀତିର ପର୍ଦ୍ଧାଫାଶ ନିହାତି ଆବଶ୍ୟକ ରହିଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ସୁରଥ ବିଶ୍ୱାଳ ଉପସ୍ଥିତ ଥିଲେ ।

0
0
0
s2sdefault