ମହିଳା ଦିବସରେ ନାରୀଜାତି ଓ କନ୍ୟା ଶିଶୁ ପ୍ରତି ନିଆରା ଶ୍ରଦ୍ଧା ପ୍ରକଟ କଲେ ଡ଼ ରାମଚନ୍ଦାନି
ସମ୍ବଲପୁର (ରମାକାନ୍ତ ବିଶ୍ୱାଳ ) ଆଜି ବିଶ୍ୱ ମହିଳା ଦିବସ । ଅନେକ ସରକାରୀ ଓ ବେସରକାରୀ ଅନୁଷ୍ଠାନ ନିଜ ନିଜ ଶୈଳୀରେ ଆଡମ୍ବର ସହିତ ଏହି ଦିବସକୁ ପାଳନ କରୁଥିବା ବେଳେ ଆଜି ସକାଳୁ ବୁର୍ଲା ଭୀମସାରରେ ଦେଖିବାକୁ ମିଳିଥିଲା ଏକ ସ୍ୱତନ୍ତ୍ର ପ୍ରୟାସ । ଭିମସାରର ଡାକ୍ତର ଶଙ୍କର ରାମଚନ୍ଦାନି ମହିଳା ଦିବସକୁ ପାଳିଛନ୍ତି ନିଆରା ଢଙ୍ଗରେ | ନାରୀଜାତି ଓ କନ୍ୟାଶିଶୁ ପ୍ରତି ତାଙ୍କ ହୃଦୟରେ ରହିଥିବା ଅସୀମ ଶ୍ରଦ୍ଧାକୁ ପ୍ରକଟ କରିଛନ୍ତି ଅଭିନବ ଢଙ୍ଗରେ |
ନିଜର ଉତ୍ସର୍ଗୀତ ସେବା ପାଇଁ ଜଣାଶୁଣା ଯୁବ ଡାକ୍ତର ଭୀମସାରର ଡାକ୍ତର ଶଙ୍କର ରାମଚନ୍ଦାନି ଗତକାଲି ଘୋଷଣା କରିଥିଲେ ଯେ ଆଜିର ତାରିଖରେ ଅର୍ଥାତ ମହିଳା ଦିବସ ଅବସରରେ ଭୀମସାରରେ ଯେଉଁ ପ୍ରଥମ ଶିଶୁ କନ୍ୟା ଜନ୍ମ ଗ୍ରହଣ କରିବ ତାଙ୍କ ପରିବାରକୁ ଶିଶୁ କନ୍ୟାର ଭବିଷ୍ୟତ ପାଇଁ କୋଡିଏ ହଜାର ଟଙ୍କା ସହାୟତା କରିବେ । ଏହି କ୍ରମରେ ଆଜି ଡାକ୍ତର ରାମଚନ୍ଦାନି ସକାଳୁ ଭୀମସାର ପହଂଚି ମଧ୍ୟ ରାତ୍ରି 12 :23 ମିନିଟରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିବା ଅତାବିରା ବ୍ଲକ ଝାଙ୍କବାହାଲ ଗ୍ରାମର ଏକ ଗରିବ ମହିଳା ଶ୍ରୀମତୀ ଗୀତା ସୁନାଙ୍କୁ ସାକ୍ଷାତ କରି ମା ଛୁଆଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହିତ ସେ ଘୋଷଣା କରିଥିବା କୋଡିଏ ହଜାର ଟଙ୍କା ନଗଦ ପ୍ରଦାନ କରିଥିଲେ । ଏହି ଅବସରରେ ଭୀମସାରର ଅନେକ ଡାକ୍ତର ଓ କର୍ମଚାରୀ ଉପସ୍ଥିତ ଥିଲେ । ମହିଳା ଦିବସରେ ଡାକ୍ତର ରାମଚନ୍ଦାନିଙ୍କର ଏହି ମହତ ଉଦ୍ୟମ କୁ ଅଂଚଳର ବୁଦ୍ଧିଜୀବୀ ଓ ସଚେତନ ନାଗରିକ ପ୍ରଶଂସା କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଡାକ୍ତର ରାମଚନ୍ଦାନି ମଧ୍ୟ ଦୁଇଟି କନ୍ୟା ସନ୍ତାନର ପିତା ଅଟନ୍ତି |












