ହେଡଲାଇନସ୍:

ପ୍ରତାରିତ ଜନସାଧାରଣ, ନିଦା ବିଷ୍ଣୁ ପ୍ରଶାସନ !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମୟୂରଭଞ୍ଜ ପ୍ରଶାସନର ନାକ ତଳେ ଚାଲିଛି ଶତାଧିକ ବେଆଇନ ପାଥୋଲ୍ୟାବ

ବାରିପଦା(ଦିଲ୍ଲୀପ ମହାନ୍ତି )- ଆଦିବାସୀ ଅଧ୍ୟୁଷିତ ପଛୁଆ ଜିଲ୍ଲା ମୟୂରଭଞ୍ଜରେ ଦିନକୁ ଦିନ ଛତୁଫୁଟିଲା ପରି ପ୍ରଶାସନର ନାକ ତଳେ ଜିଲ୍ଲାର ସଦର ମହକୁମା ବାରିପଦା ସହିତ ବିଭିନ୍ନ ଅଞ୍ଚଳରେ ଚାଲିଛି ଶହ ଶହ ବେଆଇନ ପାଥୋଲ୍ୟାବ । ପୁଣି ଅନଭିଜ୍ଞ ଟେକ୍ନିସିଆନ ନକଲି ସାର୍ଟିଫିକେଟ ହାତେଇ ପାଥୋଲ୍ୟାବ ଚଳାଉଥିବା କାରଣରୁ ରୋଗୀ ଠକାମୀର ଶିକାର ହେଉଥିବାର ଅଭିଯୋଗ ହେଉଛି । ସରକାରୀ ହସପିଟାଲ ଓ ଡ଼ାକ୍ତରଖାନାଗୁଡ଼ିକରେ  ଥିବା ପାଥୋଲ୍ୟାବର ଟେକନିସିଆନମାନଙ୍କ ରିପୋର୍ଟ ସହ ବେଆଇନ ପାଥୋଲ୍ୟାବଗୁଡ଼ିକର ଟେକନିସିଆନମାନଙ୍କ ରିପୋର୍ଟ ମଧ୍ୟରେ ତାଳମେଳ ରହୁନଥିବା ଫଳରେ ରୋଗୀମାନଙ୍କ ଜୀବନ ସଙ୍କଟାପନ୍ନ ହେଉଛି । ଜିଲ୍ଲାର ସଦର ମହକୁମା ବାରିପଦା ସହିତ କରଞ୍ଜିଆ, ରାଇରଙ୍ଗପୁର, ଉଦଳା, ଯଶୀପୁର, ବେତନଟୀ, ବିଶୋଇ, ବାଙ୍ଗିରିପୋଷି, ବଡ଼ସାହି ଆଦି ଛୋଟ ବଡ଼ ସହର ସହିତ ଜିଲ୍ଲାର ବିଭିନ୍ନ ସ୍ଥାନଗୁଡ଼ିକରେ ଛତୁ ଫୁଟିବା ଭଳି ବେଆଇନ ପାଥୋଲ୍ୟାବଗୁଡ଼ିକ କାର୍ଯ୍ୟ କରୁଥିବାର ପରିଲକ୍ଷିତ ହୋଇଛି । ଉକ୍ତ ଲ୍ୟାବଗୁଡ଼ିକର ମାଲିକ ଦିନ ଦ୍ୱିପ୍ରହରରେ ଜନସାଧାରଣଙ୍କୁ ଶୋଷଣ କରିଚାଲୁଥିବା ବେଳେ ପ୍ରଶାସନର ଏଦିଗରେ ନାଘା ନାହିଁ କି ପଘା ନାହିଁ ନୀତି ଆପଣେଇ ନେଇଥିବାର କୁହାଯାଉଛି । ସେହିପରି ବେଆଇନ ପାଥୋଲୋଜି, କ୍ଲିନିକ ଓ ଘରୋଇ ହସପିଟାଲ ଆଦି ଉପରେ ଚଢ଼ାଉ  କରାଯିବା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକମାନଙ୍କୁ ନେଇ ଏକ ଟାସ୍କ ଫୋର୍ସ ରହିଥିବା ବେଳେ କାନ ଉଠିବା ଦିନରୁ ଜିଲ୍ଲାରେ ଚଢ଼ାଉ ହୋଇଥିବା ଜଣାପଡ଼ି ନାହିଁ । ଫଳରେ ସ୍ୱାସ୍ଥ୍ୟ ବିଭାଗ, ପ୍ରଶାସନିକ ଅଧିକାରୀ ଓ ବେଆଇନ ପାଥୋଲ୍ୟାବଗୁଡ଼ିକର ମାଲିକମାନଙ୍କ ମଧ୍ୟରେ ଗୁପ୍ତ ବୁଝାମଣାରେ  ସମସ୍ତ କାର୍ଯ୍ୟ ଚାଲି ଆସୁଥିବା ବିଷୟକୁ ନେଇ ଜନସାଧାରଣଙ୍କ ମନରେ ସନେ୍ଦହ ଉଙ୍କି ମାରିଛି ।  ବାରିପଦା ପୌରପରିଷଦରେ ଜୟା, ଗୁପ୍ତା, ଲାଇଫ ଲାଇନ, ହେଲଥ କେୟାର, ତନୁଶ୍ରୀ, ଦିଶା, ସାନୋ ଲାଇଫ, ଓମ ସାଇ ଆଦି ପ୍ରାୟ ୧୨ ପାଖାପାଖି ପାଥୋଲ୍ୟାବ ସ୍ୱାସ୍ଥ୍ୟ ବିଭାଗ ନିକଟରେ ପଞ୍ଜିକରଣ କରାଇଥିବା ବେଳେ  ଫାୟାର ବିଭାଗ ନିକଟରୁ ୩ ଜଣ ସାର୍ଟିଫିକେଟ ନେଇଥିବାର ଜଣାପଡ଼ିଛି । ମାତ୍ର ବାରିପଦା  ସହର ସହିତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଶଷ ଶହ ବେଆଇନ ଲ୍ୟାବ କାର୍ଯ୍ୟକରୁଛି । ସେହିପରି ବାରିପଦା ସହରକୁ ଛାଡ଼ି ଜିଲ୍ଲାର ଅନ୍ୟ କୌଣସି ଅଞ୍ଚଳରୁ ଗୋଟାଏ ବି ପାଥୋଲ୍ୟାବ ପଞ୍ଜିକରଣ ହୋଇ ନ ଥିବାର ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାପଡ଼ିଛି । ପୁଣି ଜିଲ୍ଲାରେ ଚାଲୁ ରହିଥିବା ନର୍ସିଂ ହୋମ ଓ ହସପିଟାଲ ଗୁଡ଼ିକ ମଧ୍ୟରେ ଦୁର୍ଗା, ଗାୟତ୍ରୀ, ଜୀବନଦୀପ, ସାଇ , ଜୟା ପଞ୍ଜିକରଣ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ବେଆଇନ ନର୍ସିଂ ହୋମ କାର୍ଯ୍ୟ କରୁଥିବାର ଜନସାଧାରଣରେ ହେଉଥିବା ଚର୍ଚ୍ଚାରୁ ଜଣାପଡ଼ିଛି ।

           ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପକ୍ଷରୁ ୧୯୯୩ରେ ସ୍ୱାସ୍ଥ୍ୟସେବା ସହିତ ଜଡ଼ିତ ଏହିଭଳି ଅଣସ୍ୱିକୃତି ପ୍ରାପ୍ତ କର୍ମଚାରୀ ତଥା ସଂସ୍ଥା ସମାଜ ପାଇଁ ବିପଦ ପୂର୍ଣ୍ଣ ବୋଲି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ଓ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ନ୍ୟାୟାଳୟର ଏହି ସ୍ପର୍ଶକାତର ରାୟକୁ ଅଣଦେଖା ପ୍ରଦର୍ଶନ କରିଆସୁଥିବାରୁ ଗତ ୨୦୧୦ରେ ବହଳଦାର ଶୁକଦେବ ସାହୁଙ୍କ ଝିଅ ଜ୍ୟୋତି ସ୍ଥାନୀୟ  ଶଙ୍ଖପଟାରେ ଏକ ମେସରେ ରହି ଏମପିସି ସ୍ୱୟଂ ଶାସିତ ମହାବିଦ୍ୟାଳୟରେ +୩ ବାଣିଜ୍ୟରେ ଦ୍ୱିତୀୟ ବର୍ଷ ଛାତ୍ରୀ ଭାବେ ଅଧ୍ୟୟନ କରୁଥିବା ସମୟରେ ୨୦୧୦ ଅକ୍ଟୋବର ୩୦ ରାତିରେ ତାଙ୍କୁ ବାନ୍ତି ସହିତ ପାଇଖାନା ହେବାରୁ ହସପିଟାଲ ନିକଟରେ ଥିବା ଚାନ୍ଦ ଡ଼ାକ୍ତରଙ୍କ ନିକଟରେ ଚିକିତ୍ସା ହେଉଥିଲେ । ମାତ୍ର ଭଲ ନ ହେବାରୁ ବାରିପଦା ହସପିଟାଲ ୩୧/୧୦/୨୦୧୦ ପୂର୍ବାହ୍ନ ପ୍ରାୟ ସାଢେ଼ ୭ ସମୟରେ ଭର୍ତ୍ତି କରାଯାଇଥିଲା ଓ ୧୦.୪୫ରେ ମୃତୁ୍ୟ ହୋଇଥିଲା । ଏହାପରେ ହସପିଟାଲ ପରିସରରେ  ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଉତ୍ତେଜନା ଦେଖା ଦେବାରୁ ଏକ ଯୁଗ୍ମ କମିଟି ମାଧ୍ୟମରେ ଜ୍ୟୋତି ମୃତୁ୍ୟର ତଦନ୍ତ କରାଯିବାର ନିଷ୍ପତ୍ତି ନିଆଯାଇଥିଲା । ପ୍ରଥମେ ଜ୍ୟୋତିକୁ ଚିକିତ୍ସା କରିଥିବା ଡ଼ାକ୍ତର ଚାନ୍ଦଙ୍କ ଚିକିତ୍ସା ସହିତ ତାଙ୍କର ଡ଼ାକ୍ତରୀ ସାର୍ଟିଫିକେଟର ଯାଞ୍ଚ କରାଯିବା ବିଷୟ ଉଠିଥିଲା ।  କିନ୍ତୁ ପରବର୍ତ୍ତି ସମୟରେ ତଦନ୍ତ ତଦନ୍ତ ସ୍ଥାନରେ ରହିଗଲା । ୨୦୧୩  ମାର୍ଚ୍ଚରେ  ବାରିପଦା ପୌରପରିଷଦର ୧୭ ନମ୍ବର ୱାଡର଼୍ର ଶେକ୍ ସଫିକ୍(ମୁନୁ)ଙ୍କ ପୁଅ ଶେକ୍ ସାହିଦ(ସୋନୁ) ସାଇକେଲ ଚଳାଉଥିବା ବେଳେ ତଳେ ପଡ଼ିଯିବାରୁ ତାଙ୍କର ଗୋଡ଼ ଫୁଲିଯାଇଥିଲା । ଡ଼ାକ୍ତର ପରମେଶ୍ୱର ସିଂଙ୍କୁ ଦେଖାଇବାରୁ  ସାଇରେ ଏକ୍ସ-ରେ କରାଇବାକୁ ପରାମର୍ଶ ଦେଇଥିଲେ । ଏହାପରେ ଡ଼ାକ୍ତର ରିପୋର୍ଟ ଦେଖି ଟିବି ହୋଇଥିବାର ପ୍ରେସକ୍ରପସନ କରଥିଲେ । ଶେକ୍ ସଫିକ୍ ଔଷଦ କିଣି ଥିଲେ ମଧ୍ୟ ମନରେ ସନେ୍ଦହ ହେବାରୁ ପୁଅ ଶେକ୍ ସାହିଦଙ୍କୁ ଧରି କଟକ ଯିବା ପରେ ଶରୀରରେ ଟିବି ଦୂରର ବିଷୟ କୌଣସି ରୋଗ ନ ଥିବାର ଜଣାପଡ଼ିଥିଲା । ସେହିପରି ଏକ ବୈଦୁ୍ୟତିକ ଗଣମାଧ୍ୟମର ଜିଲ୍ଲା ପ୍ରତିନିଧି ତଥା ଚିତ୍ରଡ଼ା ଅଞ୍ଚଳର ମୃତ୍ୟୁଞ୍ଜୟ  ସେନାପତିଙ୍କ ପୁତୁରା ସତ୍ୟଜିତ୍ ଓରଫ ଶୁଭମ୍ ସେନାପତି(୬)ଙ୍କୁ  ଜ୍ୱର ନ ଛାଡ଼ିବାରୁ ବାରିପଦାରେ ଡ଼ାକ୍ତରଙ୍କୁ ଦେଖାଇ ସହରରେ ଥିବା ଏକ ଘରୋଇ ପାଥୋଲ୍ୟାବରେ ରକ୍ତ ପରୀକ୍ଷା କରାଇବା ପରେ ରକ୍ତରେ ଡେ଼ଙ୍ଗୁ ଜୀବାଣୁ ଥିବାର ରିପୋର୍ଟ ମିଳିଥିବା । ଫଳରେ ପରିବାରର ସଦସ୍ୟମାନେ ବିଚଳିତ ହୋଇ ଶୁଭମଙ୍କୁ କଟକ ନେବା ପରେ ଡେ଼ଙ୍ଗୁ ବଦଳରେ ମ୍ୟାଲେରିଆ ବାହାରିଥିଲା । 

          ସ୍ୱାସ୍ଥ୍ୟସେବା ନାମରେ କେତେକ ଅନଭିଜ୍ଞ, ଦାୟିତ୍ୱହୀନ ତଥା ଅର୍ଥଲୋଭୀ ବ୍ୟକ୍ତି ବିଶେଷଙ୍କ ପାଇଁରୋଗୀମାନେ ମରଣ ମୁହଁକୁ ଠେଲି ହୋଇଯାଉଥିବାର ବିଭିନ୍ନ ସମୟରେ ଅଭିଯୋଗ ହେଉଥିବା ସତ୍ୱେ ସେମାନଙ୍କ ଉପରେ ସ୍ୱାସ୍ଥ୍ୟ ବିଭାଗ ଓ ପ୍ରଶାସନ ପକ୍ଷରୁ କୌଣସି କାର୍ଯାନୁଷ୍ଠାନ  ଗ୍ରହଣ କରାଯାଉ ନ ଥିବାରୁ ଏମାନେ ମହାମାରୀ ସ୍ୱାସ୍ଥ୍ୟସେବାକୁ କବଳିତ କରିବାକୁ ବସିଲେଣି । ଏଣେ ମୁଖ୍ୟମନ୍ତ୍ରୀ ନବୀନ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦେଇ ମୋ ସରକାର ସହ ୫ଟି କାର୍ଯ୍ୟକ୍ୟମ ପ୍ରଚଳନ କରିଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଓ ପ୍ରଶାସନିକ ଉଦାସୀନତା କାରଣରୁ ସ୍ୱାସ୍ଥ୍ୟସେବା ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି ବୋଲି  ଜନସାଧାରଣରେ ଚର୍ଚ୍ଚା ଜୋର ଧରିଛି ।  

0
0
0
s2sdefault