ହେଡଲାଇନସ୍:

ମାତିଛନ୍ତି ଜମି ମାଫିଆ: ମାଲିକ ନଜାଣି ଜମି ବିକ୍ରି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପ୍ରଶାସନ ଜାଣତରେ ହେଉଛି କି ନା, ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ କ୍ଷତିଗ୍ରସ୍ତ 

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାରେ ଆଇନ ଆଢ଼ୁଆଳରେ ରହି ଜମି ମାଫିଆ ସକ୍ରିୟ ହୋଇପଡ଼ିଛନ୍ତି । ପ୍ରକୃତ ଜମି ମାଲିକର ଅଗୋଚରରେ ତାଙ୍କର ଜମିକୁ ଚଞ୍ଚକତା କରାଯାଇ ଅନ୍ୟକୁ ବିକ୍ରି କରାଯାଉଥିବା ବେଳେ କେଉଁଠି ନିରକ୍ଷର ଆଦିବାସୀ ଲୋକଙ୍କୁ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ସେମାନଙ୍କ ସମ୍ପତ୍ତିକୁ ଚଞ୍ଚକତା ପୂର୍ବକ ଅନ୍ୟକୁ ବିକ୍ରି କରାଯାଉଥିବାର ଅଭିଯୋଗ ହେଉଛି । ଜିଲ୍ଲାରେ ଏହି ପ୍ରକାରର ଅଭିଯୋଗ ବର୍ତ୍ତମାନ  ନିତିଦିନି ଘଟଣାରେ ପରିଣତ ହୋଇସାରିଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅନ୍ତର୍ଗତ ପୂର୍ଣ୍ଣଚନ୍ଦ୍ରପୁର ରାଜସ୍ୱ ମୌଜାରେ ଜମି ମାଲିକଙ୍କଙ୍କ ଅଗୋଚରରେ ତାଙ୍କର ସମ୍ପତ୍ତିକୁ ରାସଗୋବିନ୍ଦପୁର ସବରେଜିଷ୍ଟାରଙ୍କ କାର୍ଯ୍ୟାଳୟରେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରାଯାଇଥିବା ବିଷୟକୁ ନେଇ ଆଜି ମୟୂରଭଞ୍ଜ ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣୀ ଶିବିରରେ ଅଭିଯୋଗ ହୋଇଛି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ଭୁରକୁଣ୍ଡି ଗ୍ରାମର ମାହାଲ ମହାନ୍ତଙ୍କର ମୋରଡ଼ା ଥାନା ଅନ୍ତର୍ଗତ ପୂର୍ଣ୍ଣଚନ୍ଦ୍ରପୁର -୨ ରାଜସ୍ୱ ମୌଜାରେ ଖାତା ନମ୍ବର ୧୦୫ ମୂଳେ ପ୍ଲଟ ନମ୍ବର ୩୦୨ ବାବଦ କିସମ ଡାହି-୧ ଏ୦.୨୯ଡେ.ମି, ପ୍ଲଟ ନମ୍ବର ୩୬୮ କିସମ ଶାରଦ-୨ ଏ୦.୨୧ ଡେ., ପ୍ଲଟ ନମ୍ବର ୩୮୧ କିସମ ଶାରଦ-୨ ଏ୦.୪୯ଡେ.,  ପ୍ଲଟ ନମ୍ବର ୪୦୫ କିସମ ଡାହି-୧ ଏ୧.୧୦ଡେ. ଏବଂ ପ୍ଲଟ ନମ୍ବର ୫୭୧ କିସମ ଶାରଦ-୨ ଏ୧.୧୭ଡେ. ଏହିପରି ମୋଟ ଏ୩.୨୫ ଡେ. ରେକଡର଼୍ ଭୁକ୍ତ ସମ୍ପତ୍ତି ରହିଥିଲା ।  ସମ୍ପତ୍ତିର ଖଜଣା ମଧ୍ୟ ମାହାଲ ମହାନ୍ତ ଦେଇ ଆସୁଥିଲେ ।  ଉକ୍ତ ସମ୍ପତ୍ତିକୁ ମାହାଲ ମହାନ୍ତ ଏବଂ ତାଙ୍କ ପରିବାରର ସଦସ୍ୟମାନଙ୍କ ଅଗୋଚରରେ କୌଣସି ବ୍ୟକ୍ତି ମାହାଲ ମହାନ୍ତ ସାଜି ତାଙ୍କର ଟିପ ଚିହ୍ନ ଦେଇ ୨୦୧୯ ଡ଼ିସେମ୍ବର ୩୧ରେ ଡକୁ୍ୟମେଣ୍ଟ ନଂ ୧୧୩୨୧୯୦୦୪୭୨ ମୂଳେନୟାଗଡ଼ ଜିଲ୍ଲା ନୀଳକଣ୍ଠେଶ୍ୱରପୁର ଅଞ୍ଚଳ ବେଗୁନିଆ ଗ୍ରାମର ସ୍ୱର୍ଗତଃ କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ପୁତ୍ର ବିଧାନଚନ୍ଦ୍ର ପ୍ରଧାନଙ୍କୁ ୨ଲକ୍ଷ ୨୮ ହଜାର ୨ଶହ ଟଙ୍କାରେ ଦଲିଲ କରାଇ ଦେଇଛନ୍ତି । ଉକ୍ତ ଦଲିଲରେ  ମାହାଲ ମହାନ୍ତଙ୍କ ନାମ ରହିଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତିଙ୍କ ଫଟୋ ଲଗାଯାଇଛି । ସେହିପରି ମାହାଲ ମହାନ୍ତଙ୍କ ପୁଅ ଈଶ୍ୱର ଚନ୍ଦ୍ର ମହାନ୍ତଙ୍କ ନାମରେ କେହି ଜଣେ ସାକ୍ଷୀ ଭାବେ ସ୍ୱାକ୍ଷର କରିଥିବା ସମୟରେ ସଞ୍ଜୟ ଜେନା ନାମରେ ଅନ୍ୟ ଜଣେ ସାକ୍ଷୀ ପଡ଼ିଛନ୍ତି । ପୁଣି ମାହାଲ ମହାନ୍ତଙ୍କ ଜମି ମୋରଡ଼ା ତହସିଲ ଓ ମୋରଡ଼ା ଥାନା ଅଧୀନ ନଂ ୯୫ ପୂର୍ଣ୍ଣଚନ୍ଦ୍ରପୁର-୨ ରାଜସ୍ୱ ମୌଜାରେ ହୋଇଥିବା ବେଳେ ଦଲିଲରେ ବେତନଟୀ ଥାନା ଅଧୀନରେ ଥିବାର ଉଲ୍ଲେଖ କରାଯାଇଛି । ଏଥି ସହିତ ଉକ୍ତ ଦଲିଲର ଲେଖକ ମହେନ୍ଦ୍ର ବେହେରା ଆଡ଼ଭୋକେଟ କଟକ(ନଂ୧୯୬୧/୬୨) ବୋଲି ଦର୍ଶାଯାଇଛି । ଏହି ଚଞ୍ଚକତା ପୂର୍ବକ ଜମି ବିକ୍ରି ଘଟଣା ମୋରଡ଼ା ତହସିଲ ଅଧୀନରେ ଥିବା ଗଡ଼ିଗାଁ ରାଜସ୍ୱ ନିରୀକ୍ଷକଙ୍କ ଠାରୁ ଦାଖଲଖାରଜ ମୋକର୍ଦ୍ଧମା ନଂ ୩୩/୨୦୨୦ ପକ୍ଷ ନୋଟିସ ନଂ ୪୦୯୩ ମାହାଲ ମହାନ୍ତଙ୍କ ନିକଟକୁ ଆସିବା ପରେ ଜଣାପଡ଼ିଥିଲା । ଏହି ଚଞ୍ଚକତା କରାଯାଇ ରାସଗୋବିନ୍ଦପୁର ସବରେଜିଷ୍ଟରଙ୍କ କୋର୍ଟରେ ଜମି ବିକ୍ରି ଘଟଣାରେ କାର୍ଯ୍ୟାଳୟର କିଛି ଅସାଧୁ କର୍ମଚାରୀମାନଙ୍କ ହାତ ଥିବାର ଅଭିଯୋଗ କରିଛନ୍ତି ମାହାଲ ମହାନ୍ତଙ୍କ ପୁଅ ଈଶ୍ୱର ଚନ୍ଦ୍ର ମହାନ୍ତ । ଏଥି ସହିତ ନ୍ୟାୟ ପାଇବା ନିମନ୍ତେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ  ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଉପସ୍ଥିତ ରହି ଲିଖିତ ଅଭିଯୋଗ ବାଢ଼ିବା ପରେ ଜିଲ୍ଲାପାଳ ଆରକ୍ଷୀ ଅଧିକ୍ଷକ ସ୍ମିଥ ପି ପରମାରଙ୍କୁ ତଦନ୍ତ ଭାର ପ୍ରଦାନ କରିବା ସହ ଆସନ୍ତା ୧୫ ଦିନ ମଧ୍ୟରେ ନ୍ୟାୟ ପ୍ରଦାନ କରିବାର ପ୍ରତିଶ୍ରୁତି ଦେଇଥିବାର ଜଣାପଡ଼ିଛି । ପ୍ରକାଶ ଥାଉକି, ମାହାଲ ମହାନ୍ତ ଏବଂ ତାଙ୍କ ପରିବାର ପକ୍ଷରୁ ଏହି ଘଟଣାକୁ ନେଇ ରାସଗୋବିନ୍ଦପୁର ତହସିଲ ଓ ଥାନାରେ ଅଭିଯୋଗ କରାଯାଇଥିଲା । ଥାନାରେ ଆଇପିସି ଧାରା ୪୨୦, ୪୬୮, ୪୭୧, ୩୪ ଅନୁସାରେ ଗତ ଫେବୃଆରୀ ୫ରେ କେଶ ନଂ ୧୬/୨୦୨୦ରେ ଏକ ମାମଲା ରୁଜୁ ହୋଇଥିଲା । ମାତ୍ର ଥାନାରେ ମାମଲା ଫାଇଲରେ ବନ୍ଧା ହୋଇ ରହିଯାଇଥିବାରୁ ଆଜି ମାହାଲ ମହାନ୍ତଙ୍କ ପୁଅ ଈଶ୍ୱର ଚନ୍ଦ୍ର ମହାନ୍ତ, ଭାଇ ବୋହୂ କଲ୍ୟାଣୀ ମହାନ୍ତ ଜିଲ୍ଲାପାଳଙ୍କ ସମ୍ମୁଖରେ ସମସ୍ତ ଦସ୍ତାବିଜ ଉପସ୍ଥାପନ କରିଥିଲେ ।

 

0
0
0
s2sdefault