ହେଡଲାଇନସ୍:

ଯାଜପୁର ଜିଲ୍ଲା ନାବାଳିକା ଦୁଷ୍କର୍ମର ହବ୍ :ଲେଖାଶ୍ରୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ) : ରାଜ୍ୟରେ ମହିଳାମାନେ ସୁରକ୍ଷିତ ନାହାଁନ୍ତି । ପ୍ରତିଦିନ ମହିଳାଙ୍କ ସହ ଦୁଷ୍କର୍ମ, ଅସଦାଚରଣ ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ଶାସକ ଦଳର ନେତା ଓ କର୍ମୀମାନେ ବିଭିନ୍ନ ଦୁଷ୍କର୍ମ ଘଟଣାରେ ସାମିଲ ଥିବାର ପ୍ରମାଣ ମିଳୁଛି । ଯାଜପୁର ଜିଲ୍ଲା କୁଆଖିଆ ରସଲପୁର ବ୍ଲକ ଅତଲପୁର ପଂଚାୟତ ୧ ନମ୍ବର ୱାର୍ଡର ଜଣେ ୧୨ ବର୍ଷୀୟା ଆଦିବାସୀ ନାବାଳିକା ସହ ପୂର୍ବତନ ବିଜେଡି ସରପଂଚ ତଥା ବିଜେଡି ଯୁବ ସଭାପତି ସୁବାଷ ଖୁଂଟିଆ ଦୁଷ୍କର୍ମ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ ଘଟଣା । କ୍ଷମତାର ଅହଂକାର ଓ ଔଦ୍ଧତ୍ୟରେ ମଦ୍ୟାନ୍ଧ ଶାସକ ଦଳର ପରିଚୟ ଦେଇଛି ବୋଲି ବିଜେପି ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି । 

ଡ. ସାମନ୍ତସିଂହାର କହିଛନ୍ତି ଯେ, ବିଜେଡି ସଭାପତି ସୁବାଷ ଖୁଂଟିଆ ନାବାଳିକା ଆଦିବାସୀ ଝିଅକୁ ଗୋଟିଏ ସ୍ଥାନରେ ବନ୍ଧକ ବନାଇ ଲଗାତାର ଦୁଷ୍କର୍ମ କରିଚାଲିଥିଲା । କୌଶଳକ୍ରମେ ପୀଡିତା ଜଣକ ସେ ସ୍ଥାନରୁ ଖସି ଆସିବା ପରେ ଅଭିଯୁକ୍ତର ସାନ ଭାଇ ପୁଣି ଥରେ ତାକୁ ଅପହରଣ କରି ନିଜ ଘରକୁ ନେଇ ଦୁଷ୍କର୍ମ କରିଛନ୍ତି । ଏହା ସମଗ୍ର ନାରୀ ସମାଜ ପ୍ରତି ଲଜ୍ଜାର ବିଷୟ । ପୀଡିତା ଜଣକ ଘରକୁ ଫେରିବା ପରେ ବି ରସଲପୁର ବିଜେଡି ବ୍ଲକ ସଭାପତି ଅରୁଣ ରାଉତ ଓରଫ ଧୁନା, ଯାଜପୁର ଜିଲ୍ଲା ବିଜେଡି ଯୁବ ସାଧାରଣ ସଂପାଦକ ମନୋଜ ରାଉତ ଥାନାରେ ଆପୋଷ ବୁଝାମଣା କରି କେସକୁ ରଫାଦଫା କରିବା ପାଇଁ ପୀଡିତାର ବାପାଙ୍କୁ ଧମକ ଦେଇଛନ୍ତି । ବାରମ୍ବାର ଯାଜପୁର ଜିଲ୍ଲାରେ ଏଭଳି ସମ୍ବେଦନଶୀଳ ଘଟଣା ଘଟିଚାଲିଛି । ବିଗତ ୩ ବର୍ଷ ମଧ୍ୟରେ ୩୬୮ ନାବାଳିକା ଝିଅଙ୍କୁ ଦୁଷ୍କର୍ମ କରାଯାଇଛି । ପୂର୍ବରୁ ଧର୍ମଶାଳାରେ ସ୍ମିତାରାଣୀ ଦୁଷ୍କର୍ମ ଏବଂ ହତ୍ୟାମାମଲା, କଂଟିଗଡିଆ ନାବାଳିକା ଝିଅକୁ ବନ୍ଧୁକ ଏବଂ ଛୁରୀ ମୁନରେ ଅପହରଣ କରି ଦୁଷ୍କର୍ମ କରିବା ଘଟଣା ଘଟିବା ପରେ ବି ପୋଲିସ କେବଳ ଦେଖଣାହାରୀ ସାଜିଛି । ଯାଜପୁର ଜିଲ୍ଲା ଏବେ ନାବାଳିକା ଦୁଷ୍କର୍ମର ହବ ପାଲଟିଛି ।  ସମସ୍ତ ଦୁଷ୍କର୍ମ ଘଟଣାରେ ଶାସକ ଦଳର ସଂପୃକ୍ତି ରହୁଛି ଏବଂ ପୋଲିସ ଶାସକ ଦଳ ନିଦେ୍ର୍ଧଶରେ ଅପରାଧୀଙ୍କୁ ସୁରକ୍ଷା ଦେଇ ଚାଲିଛି । 

କ୍ଷମତା ଅନ୍ଧରେ ବିଜେଡି ଅହଂକାରୀ ଏବଂ ବଳାକ୍ରାରୀ ପାଲଟିଛି । ରାଜ୍ୟରେ ହେଉଥିବା ସମସ୍ତ ଦୁଷ୍କର୍ମ ଘଟଣାରେ  ବିଜେଡି ଦଳର ଲିଙ୍କ ଥିବାର ପ୍ରମାଣ ମିଳୁଛି । ଯାଜପୁର ଜିଲ୍ଲାରେ ମହିଳା ମାନଙ୍କ ପ୍ରତି ଅତ୍ୟାଚାର ଓ ବେଭିଚାର ବଢିଚାଲିଛି । ଯାଜପୁର ଜିଲ୍ଲାରେ ବିଜେଡିର ମହିଳା ସାଂସଦ ଏବଂ ସମସ୍ତ ବିଜେଡି ବିଧାୟକ ରହି ମଧ୍ୟ ନାରୀ ସୁରକ୍ଷା ଦିଗରେ କିପରି କାର୍ଯ୍ୟ କରୁଛନ୍ତି ତାହା ବିଗତ ଦିନ ଘଟଣାରୁ ସ୍ପଷ୍ଟ ହେଉଛି । ମହିଳାଙ୍କୁ ସୁରକ୍ଷା ପାଇଁ ରାଜ୍ୟସରକାରଙ୍କ ବ୍ୟବସ୍ଥା କେବଳ ଫାଇଲ ଭିତରେ ସୀମିତ ହୋଇ ରହିଛି । ଶାସକ ଦଳ ନେତା ଓ କର୍ମୀମାନେ ଏଭଳି କୁକର୍ମରୁ ନିଜକୁ ଦୂରେଇ ନରଖିଲେ ଆଗାମୀ ଦିନରେ ମୁଖ୍ୟ ବିରୋଧୀ ଭାବେ ବିଜେପି ରାଜ୍ୟବ୍ୟାପୀ ଆନେ୍ଦାଳନ କରିବ ବୋଲି ଡ.ସାମନ୍ତସିଂହାର ଚେତାବନୀ ଦେଇଛନ୍ତି । 

ଏହି ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ବିଜେଡି ଯୁବସଭାପତିଙ୍କୁ ପୋକସୋ ଆକ୍ଟ ଲଗାଇ ଦୃଷ୍ଟାନ୍ତମୂଳକ ଦଣ୍ଡରେ ଦଣ୍ଡିତ କରାଯାଉ । ଏହା ସହ ଅଭିଯୁକ୍ତର ସାନ ଭାଇ, ରସଲପୁର ବିଜେଡି ବ୍ଲକ ସଭାପତି ଅରୁଣ ରାଉତ ଓରଫ ଧୁନା ଏବଂ ଯାଜପୁର ଜିଲ୍ଲା ବିଜେଡି ଯୁବ ସାଧାରଣ ସଂପାଦକ ମନୋଜ ରାଉତଙ୍କୁ ତଦନ୍ତ ପରିସରଭୃକ୍ତ କରାଯାଉ । ମହିଳାଙ୍କ ଅତ୍ୟାଚାର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଜିରୋ ଟଲେରାନ୍ସ ଗ୍ରହଣ କରନ୍ତୁ ଏବଂ ପୀଡିତାର ଜୀବନ ପ୍ରତି ବିପଦ ଥିବାରୁ ତାଙ୍କ ପରିବାରକୁ ତୁରନ୍ତ ପୋଲିସ ସୁରକ୍ଷା ପ୍ରଦାନ କରାଯାଉ ବୋଲି ଡ. ସାମନ୍ତସିଂହାର ଦାବୀ କରିଛନ୍ତି ।

0
0
0
s2sdefault