ହେଡଲାଇନସ୍:

ଇଏ ଭିନ୍ନ ଜଣେ ଦଶରଥ : ପୁଅ ପାଇଁ ୬ ବର୍ଷ ହେଲା ଭୋଗୁଛନ୍ତି ବନବାସ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ହଜିଯାଇଛି ମାନବିକତା : ପ୍ରଶାସନ ଓ ପୋଲିସ ଜାଣିବା ପରେ ବି ନିଦା ବିଷ୍ଣୁ  

ପୁଅର ଦୋଷପାଇଁ ବନବାସରେ ବୃଦ୍ଧ ଦମ୍ପତ୍ତି ଓ ପରିବାର

 ଭିଟାମାଟି ଫେରିବାରେ ବାଧକ ସାଜିଛି ଗାଁ ମୁଖିଆଙ୍କ ନାଲିଆଖି

ବୋୖଦ୍ଧ(ଜଗନ୍ନାଥ ରେଡ଼ୀ) : ଭାରତୀୟ ଆଇନ ପ୍ରାବଧାନରେ ଶହେ ଦୋଷୀ ବରଂ ଖସି ଯାଆନ୍ତୁ ହେଲେ ଜଣେ ନିର୍ଦ୍ଦୋଷ  ଯେପରି କୌଣସି ପରିସ୍ଥିତିରେ ଦଣ୍ଡ ନପାଉ ବୋଲି ଉଲ୍ଲେଖ ରହିଛି।ମାତ୍ର ବିଡମ୍ବନାର କଥା ବୌଦ୍ଧ ଜିଲ୍ଲା ହରଭଙ୍ଗା ପଞ୍ଚାୟତ ଅନ୍ତର୍ଗତ ବୁକେସିଙ୍ଗା ଗ୍ରାମରେ ଗୋଟିଏ ପୁଅର ଦୋଷପାଇଁ ଦୀର୍ଘ ୬ବର୍ଷ ହେବ ତାର ବୃଦ୍ଧ ନିର୍ଦୋଷ ବାପ ସୁଦର୍ଶନ ବାରିକ(୬୮)ମା ଜିରା ବାରିକ(୬୪)ସାନଭାଇ ନରେଶ ବାରିକ (୨୭)ଙ୍କୁ ବୋହୁ ଓ ଏକ ଶିଶୁ ଙ୍କୁ ବିତାଇବାକୁ ପଡୁଛି ବାରବୁଲା ବନବାସ ଜୀବନ।

ଶୁଣନ୍ତୁ ୟା ପଛରେ ଥିବା ଅମାନବୀୟ କାହାଣୀ  | ଗତ୨୦୧୪ ମସିହା ନଭେମ୍ବର ମାସ୧୪ତାରିଖରେ ଏହି ଗ୍ରାମର ପିଲାମାନେ ମିଶିଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ସମସ୍ତେ ମିଳିମିଶି ପଡିଆ ସଫା କରିବା ସମୟରେ ସାମାନ୍ୟ କଥାକୁ କେନ୍ଦ୍ରକରି  ବିରେନ ବାରିକ ଓ ଯାଦବ ଦେହୁରୀ ନାମକ ଦୁଇଜଣ ପିଲାଙ୍କ ଭିତରେ ବଚସା ଓ ଉଚ୍ଚବାଚ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ବିରେନ ପାଖରେ ପଡିଥିବା ଏକ କ୍ରିକେଟ ବ୍ୟାଟ ସାହାଯ୍ୟରେ ଯାଦବକୁ  ଆକ୍ରମଣ କରିବାରୁ ଘଟଣା ସ୍ଥଳରେ  ମୃତ୍ୟୁ ଘଟିଥିଲା । ଏହି ମାମଲାରେ ପୋଲିସ ଅଭିଯୁକ୍ତ ବିରେନକୁ ହତ୍ୟା ଅପରାଧରେ ଗିରଫ କରି କୋର୍ଟ ଚାଲାଣ କରିଥିଲା।ମାତ୍ର ପୋଲିସର ଆଇନ ଗତ କାର୍ଯ୍ୟାନୁଷ୍ଠାନ ପରେ ଆରମ୍ଭ ହୋଇଥିଲା ଗାଁ ସଭାପତି ଓ ତାଙ୍କ ସହଯୋଗୀଙ୍କ ଦ୍ୱାରା ଗାଁରେ ଆୟୋଜିତ କାଙ୍ଗାରୁ କୋର୍ଟର ବିଚାର ପ୍ରକ୍ରିୟା । ବିରେନର ଏହି ଦୋଷ ପାଇଁ ତାର ବାପ ମା ଭାଇଙ୍କୁ ସବୁଦିନ ପାଇଁ ନିଜ ଭିଟାମାଟିରେ ଥିବା ଘରଦ୍ୱାର  ଛାଡି ଚାଲିଯିବାକୁ ମିଳିଥିଲା କଠୋର ନିର୍ଦ୍ଦେଶ ।  ନିରୁପାୟ ହୋଇ ଅସହାୟ ସୁଦର୍ଶନ ଓ ତାଙ୍କ  ପରିବାର ନିଜର ୪ବଖରାଘର ଓ ୪ଏକର ୮୮ଡେସିମିଲ ଜମିବାଡ଼ିକୁ ଛାଡି ଚାଲିଯାଇଥିଲେ। ସେଦିନ ଠୁ ସେମାନେ ଆଜକୁ ଦୀର୍ଘ ପ୍ରାୟ ୬ ବର୍ଷ ହେବ ଦୟନୀୟ ଭାବେ ରହୁଛନ୍ତି ।

ପ୍ରଥମେ ଛତ୍ରଙ୍ଗ ପଞ୍ଚାୟତର ଭାଲିଆଗୋରା,ବୌଦ୍ଧବ୍ଲକର ବହିରା ପଞ୍ଚାୟତର  ଜୁରାମୁଣ୍ଡା, ଆମ୍ବଝରି ପଞ୍ଚାୟତର କରଡାପଡା,ଓ ଏବେ ଛତ୍ରଙ୍ଗ ପଞ୍ଚାୟତର ଝାରଖମଣ ଆଦି ଅଞ୍ଚଳରେ ଏଠିସେଠି ରହି ବାରବୁଲା ଜୀବନ ଅତିବାହିତ କରି ଆସୁଛନ୍ତି। ଇତି ମଧ୍ୟରେ କାଳେ ଗାଁ ମୁଖିଆଙ୍କ କୌଣସି ଦୟାଭାବ ଆସିଥାଇ ପାରେ ବୋଲି ଚିନ୍ତାକରି କିଛିମାସ ତଳେ ସୁଦର୍ଶନ ବାରିକ ଦରଖାସ୍ତ ଜରିଆରେ ଘରେ ରହିବାକୁ ଅନୁମତି ଦେବାକୁ  ଆକୁଳ ନିବେଦନ କରିଥିଲେ।ହେଲେ ତାଙ୍କ କଥା ଶୁଣିବାକୁ ନାରାଜ ହେବାରୁ ନିରାଶ ହୋଇ ଫେରିବା ପରେ ଗତ ଜାନୁୟାରୀ ୬ତାରିଖରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣୀ ପ୍ରକୋଷ୍ଠରେ ଫେରାଦ ହୋଇ ବାସଗୃହକୁ  ଫେରିବା ପାଇଁ ଆଇନଗତ ସୁରକ୍ଷା ଯୋଗାଇ ଦେବାକୁ ମିନତି କରିଥିଲେ। ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ତାଙ୍କ ପରିବାର ର ଦୁଃଖଭରା କରୁଣ ସ୍ଥିତି ବିଷୟ ଜାଣିବାପରେ ଆସନ୍ତା ୧୫ଦିନ ଭିତରେ ବୁଝାସୁଝା କରି ଏ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ପ୍ରତିଶୃତି ଅନୁଯାଇ ପଦକ୍ଷେପ ନିଆନଯିବାରୁ ପୀଡିତ ପରିବାର ସଦସ୍ୟ ପୁନର୍ବାର ଫେବୃୟାରୀ ମାସ ୩ ତାରିଖରେ ବୌଦ୍ଧ ଓ ୧୭ହରଭଙ୍ଗା ବ୍ଲକରେ ଆୟୋଜିତ ଜନଶୁଣାଣୀ ପ୍ରକୋଷ୍ଠରେ ଭେଟି ନ୍ୟାୟ ଭିକ୍ଷା କରିଥିଲେ ମଧ୍ୟ କିଛି ସୁଫଳ ମିଳିନଥିବା ଜଣାପଡ଼ିଛି।ତେବେ ବୁକେସିଙ୍ଗା ଗ୍ରାମାରେ କେବଳ ସୁଦର୍ଶନଙ୍କ ପରିବାର ନୁହନ୍ତି। ବିଭିନ୍ନ ସମୟରେ ଗାଁ ମୁଖିଆ ଙ୍କ ଦ୍ୱାରା ବାସନ୍ଦର ଶିକାର ହୋଇ ଏବେ ମଧ୍ୟ ଆହୁରି ୬ଟି ପରିବାର ମଧ୍ୟ ଏକଘରିଆ କରି ରଖାଯାଇ ଥିବା ନଜିର ରହିଛି।

ଗ୍ରାମାଞ୍ଚଳରେ ରହିଥିବା ଏଭଳି କୁସଂସ୍କାରର ସୁଯୋଗ ନେଇ ସାମୁହିକ ନିଷ୍ପତ୍ତି ଆଳରେ ନିର୍ଦ୍ଧିଷ୍ଟ କିଛି ଅସାମାଜିକ ତତ୍ତ୍ୱ ଲୋକଙ୍କ ମାନବାଧିକାର କ୍ଷୁର୍ଣ୍ଣ କରୁଥିବା ବେଳେ ସରକାରଙ୍କ ପକ୍ଷରୁ ଏମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବାରୁ ଏଭଳି ନଜିର ମାନ ପଦାକୁ ଆସୁଛି ବୋଲି ସାଧାରଣରେ ମତପ୍ରକାଶ ପାଉଛି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଢ ପଦକ୍ଷେପ ନେବାକୁ ବୁଦ୍ଧିଜୀବି ମହଲରେ ଦାବି ହେଉଛି।

0
0
0
s2sdefault