ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଯାଜପୁର ଗ୍ରାମ ସ୍ଥିତ ସରକାରୀ ପ୍ରକଳ୍ପ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ପକ୍ଷରୁ “ଜାତୀୟ ବିଜ୍ଞାନ ଦିବସ” ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଆକର୍ଷଣୀୟ ମାନର ବିଜ୍ଞାନ ପ୍ରକଳ୍ପ ପ୍ରସ୍ତୁତି ଓ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସିଥିବା ଭ୍ରାମ୍ୟମାଣ ବିଜ୍ଞାନ ଗାଡିରେ ବିଜ୍ଞାନ ସମ୍ବନ୍ଧୀୟ ପ୍ରଦର୍ଶନୀ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ପ୍ରଦର୍ଶନ କରାଯାଇଥିଲା । ପରେ ବିଦ୍ୟାଳୟ ପରିସରରେ ଜାତୀୟ ବିଜ୍ଞାନ ଦିବସ ଅବସରରେ ଏକ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ରଞ୍ଜିତା ପାଢ଼ୀ ସଭା କାର୍ଯ୍ୟକ୍ରମରେ ସଭାପତିତ୍ୱ କରି କାର୍ଯ୍ୟକ୍ରମ ପାଳନର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଆଜିର ଏହି ବିଜ୍ଞାନ ଦିବସ ଦିନରେ ଦେଶରବିଭିନ୍ନ ବୈଜ୍ଞାନିକ ମାନଙ୍କୁ ମନେ ପକାଇ ସେମାନଙ୍କ ଆବିଷ୍କାର ପ୍ରତି ସମ୍ମାନ ଜଣାଇବା ଏବଂ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଜ୍ଞାନ ଶିକ୍ଷା ଓ ବିଜ୍ଞାନ ବିଷୟ ପ୍ରତି ଆଗ୍ରହ ସୃଷ୍ଟି କରିବା ସହିତ ବିଜ୍ଞାନର ପ୍ରଚାର ପ୍ରସାର କରିବା ଏହି ବିଜ୍ଞାନ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ । ମୁଖ୍ୟତଃ ୧୯୨୮ ମସିହା ଫେବୃଆରୀ ୨୮ ରେ ଡଃ. ଚନ୍ଦ୍ରଶେଖର ଭେଙ୍କେଟ ରମଣ ତାଙ୍କର ରମଣ ପ୍ରଭାବ ଆବିଷ୍କାର କରିଥିଲେ । ଯାହାକି ସେ ଏଥିପାଇଁ ପରବର୍ତ୍ତୀ ସମୟରେ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଥିଲେ । ତାଙ୍କର ଏହି ରମଣ ପ୍ରଭାବ ଆବିଷ୍କାର ଦ୍ୱାରା ହିଁ ଆକାଶର ରଙ୍ଗ ଓ ସମୁଦ୍ର ଜଳ ନୀଳ ହେବା କାରଣ ଜଣା ପଡିଥିଲା ବୋଲି କହିଥିଲେ । ଚଳିତ ବର୍ଷ ଏହି ଜାତୀୟ ବିଜ୍ଞାନ ଦିବସ ପାଳନର ବାର୍ତ୍ତା “ବିଜ୍ଞାନରେ ମହିଳା”ସମ୍ପର୍କିତ ଶୀର୍ଷକ ଉପରେ ମୁଖ୍ୟଅତିଥି ସାତ୍ମିକ କୁମାର ପଟ୍ଟନାୟକ କହିଥିଲେ ଯେ , ଭାରତ ବର୍ଷରେ ଅସଂଖ୍ୟ ମହିଳା ବୈଜ୍ଞାନିକ ସୃଷ୍ଟି ହୋଇ ବିଶ୍ବ ଦରବାରରେ ଏକ ଅଗ୍ରଣୀ ରାଷ୍ଟ୍ର ଭାବେ ପ୍ରତିଷ୍ଠିତ କରାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ମହାକାଶ ବିଜ୍ଞାନରେ ମଧ୍ୟ ଅଗ୍ରସର ହୋଇପାରିବା ସହ ଶିଳ୍ପ କ୍ଷେତ୍ରରେ ମଧ୍ୟ ଯଥେଷ୍ଟ ଉନ୍ନତି କରିପାରିଛି ।
ତେଣୁ କୋମଳ ମତି ଛାତ୍ରଛାତ୍ରୀ ମାନଙ୍କୁ ବିଜ୍ଞାନ ଶିକ୍ଷାରେ ସମ୍ପୂର୍ଣ୍ଣ ଭାବେ ମନୋନିବେଶ କରି ବିଜ୍ଞାନ ମନୋଭାବ ଜନ୍ମାଇ ଭବିଷ୍ୟତରେ ଜଣେ ଜଣେ ବୈଜ୍ଞାନିକ ଭାବେ ନିଜକୁ ପରିଚୟ ଦେବା ପାଇଁ ଉଦ୍ୟମ ଜାରି ରଖିବା ପାଇଁ ଆହ୍ବାନ କରିଥିଲେ। ଶିକ୍ଷୟତ୍ରୀ ନର୍ମଦା ଦେଇ କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ନୂଆ-କେରାଣ୍ଡି ବିଦ୍ୟାଳୟର ପ୍ରଧାନଶିକ୍ଷକ ୱାଇ:-ଡିଲେଶ୍ବର ରାଓ , ସିଆରସିସି -ବି.ଭେଙ୍କେଟ ରାମଣା ଏବଂ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଫୁଲ୍ଲ ସ୍ବାଇଁ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ବିଜ୍ଞାନ ଦିବସ ପାଳନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।
ଏହି ଜାତୀୟ ବିଜ୍ଞାନ ଦିବସ ପାଳନ କାର୍ଯ୍ୟକ୍ରମରେ ନୂଆ କେରାଣ୍ଡି , ବି:ସୀତାପୁର , ଜାନିଗୁଡା ଓ କତଲକଇଠା ଗ୍ରାମ ବିଦ୍ୟାଳୟର ଶତାଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ଶିକ୍ଷକ/ଶିକ୍ଷୟତ୍ରୀ ମାନେ ଯୋଗ ଦେଇଥିଲେ । ବିଦ୍ୟାଳୟର ଛାତ୍ରୀଛାତ୍ର ମାନେ ନାଚ ଓ ଗୀତ ପରିବେଷଣ କରିଥିଲେ । ଶିକ୍ଷୟତ୍ରୀ ନର୍ମଦା ଦେଇ କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ/ ଶିକ୍ଷୟିତ୍ରୀ ମାନେ ପରିଚାଳନା କରିଥିଲେ।