ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଗଜପତି ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଗଜପତି ଜିଲ୍ଲାର ମୋଟ ୫୯ ଜଣ ବରିଷ୍ଠ ନାଗରିକ(ମହିଳା ଓ ପୁରୁଷ) ଗୁରୁବାର ଦିନ ଯାତ୍ରା କରିଛନ୍ତି ।
ସେମାନେ ସମସ୍ତେ ପାରଳାଖେମୁଣ୍ଡି ସ୍ଥିତ ଗଜପତି ଇଣ୍ଡୋର ଷ୍ଟାଡିଅମ ଠାରୁ ମଧ୍ୟାହ୍ନରେ ଶିବ କୁମାର ନାମକ ଏକ ଘରୋଇ ବସ୍ ଯୋଗେ ବ୍ରହ୍ମପୁର ଗଲେ ଏବଂ ସେଠାରୁ ଟ୍ରେନ ଯୋଗେ ଯାତ୍ରା କରିବେ । ବରିଷ୍ଠ ନାଗରିକ ମାନଙ୍କ ଏହି ତୀର୍ଥଯାତ୍ରାର ଶୁଭାରମ୍ଭ ଗଜପତି ଜିଲ୍ଲାପାଳ ଅନୁପମ ସାହା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ତୀର୍ଥଯାତ୍ରୀ ଦଳ ଏଠାରୁ ବସ୍ ଯୋଗେ ଯାଇ ବ୍ରହ୍ମପୁର ପହଞ୍ଚିବା ପରେ ଲାଞ୍ଜିପଲୀରେ ଥିବା ଆନ୍ତଜାତୀୟ ଗୁରୁକୁଳ ବିଦ୍ୟାଳୟର ପରିସରରେ ରାତ୍ରିଯାପନ ଓ ଖାଇବା ପ୍ରଭୃତିର ବ୍ୟବସ୍ଥା ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀଙ୍କ ତତ୍ତ୍ୱବଧାନରେ କରାଯାଇଛି।
ସେଠାରୁ ଆସନ୍ତା କାଲି ସକାଳ ୧୦ ଟାରେ ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ ଦକ୍ଷିଣ ଭାରତର ପ୍ରସିଦ୍ଧ ତୀର୍ଥସ୍ଥଳୀ ରାମେଶ୍ୱର , ମଦୁରାଇ ଏବଂ ତିରୁପତି ପ୍ରଭୃତି ଯାତ୍ରାରେ ଯିବେ । ଏହି ତୀର୍ଥଯାତ୍ରାରେ ଗଜପତି ଜିଲ୍ଲାରୁ ମୋଟ ୫୯ ଜଣ ବରିଷ୍ଠ ନାଗରିକ ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ମୋହନାରୁ ୯ ଜଣ , ରା:ଉଦୟଗିରିରୁ ୮ଜଣ, ନୂଆଗଡରୁ ୨ ଜଣ , ଗୋଷାଣୀରୁ ୩୦ ଜଣ ଏବଂ ପାରଳାଖେମୁଣ୍ଡି ପୌର-ପରିଷଦରୁ ୧୦ ଜଣ ଏବଂ ଏଭଳି ପୁରୁଷ ୨୯ ଜଣ ଓ ମହିଳା ୩୦ ଜଣ ରହିଛନ୍ତି । ବ୍ରହ୍ମପୁରରୁ ଏହି ତୀର୍ଥଯାତ୍ରା ଗସ୍ତବେଳେ ଦକ୍ଷିଣ ଓଡ଼ିଶାର ୮ ଟି ଜିଲ୍ଲାର ଯଥା:-ଗଂଜାମ , ଗଜପତି , ଫୁଲବାଣୀ , ବଉଦ , କୋରାପୁଟ , ରାୟଗଡା , ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲା ବରିଷ୍ଠ ନାଗରିକ ମାନେ ରହିଛନ୍ତି ।
ଏ ସମ୍ପର୍କରେ ଜିଲ୍ଲାପାଳ ଅନୁପମ ସାହା ଅଧିକ ସୂଚନା ଦେଇ ସାମ୍ବାଦିକ ମାନଙ୍କୁ କହିଛନ୍ତି ଯେ , ଭାରତ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆମ ଜିଲ୍ଲାର ବରିଷ୍ଠ ନାଗରିକ ମାନଙ୍କୁ ବିଭିନ୍ନ ତୀର୍ଥସ୍ଥଳୀ ମାନଙ୍କୁ ପଠାଯାଉଛି । ସେଥିରେ ଗଜପତି ଜିଲ୍ଲାର ମୋଟ ୫୯ ଜଣ ବରିଷ୍ଠ ନାଗରିକ ମାନଙ୍କୁ ପଠାଯାଇଛି ଏବଂ ତୀର୍ଥଯାତ୍ରାର ଶୁଭାରମ୍ଭ କରାଯାଇଛି। ଆଜି ସେମାନେ ବସ୍ ଯୋଗେ ବ୍ରହ୍ମପୁର ଯାତ୍ରା କରିଛନ୍ତି । ସେଠାରୁ ଟ୍ରେନ ଯୋଗେ ଦକ୍ଷିଣ ଭାରତର ରାମେଶ୍ୱର , ମଦୁରାଇ ଓ ତିରୁପତି ଭ୍ରମଣ କରିବେ ।
ସେମାନଙ୍କ ଯିବା ତୀର୍ଥ ଭ୍ରମଣରେ ଯେଭଳି କୌଣସି ପ୍ରକାରର ଅସୁବିଧା ନ ହୁଏ , ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କ ସହିତ ୨ ଜଣ ଗାଇଡ଼ ବିଜୁ ଯୁବ ବାହିନୀର ଜିଲ୍ଲା ସଂଯୋଜକ ମନୋଜ କୁମାର ସାବତ ଏବଂ ମୋହନା ପଞ୍ଚାୟତ ସମିତିର କନିଷ୍ଠ କିରାଣୀ ଅଜିତ କୁମାର ବେହେରାଙ୍କୁ ପଠାଯାଇଛି।
ପ୍ରତ୍ୟେକ ଦିନ ସେମାନଙ୍କ ସୁବିଧା-ଅସୁବିଧା ବୁଝିବେ ଏବଂ ସେମାନଙ୍କ ସହ ଜିଲ୍ଲା ପ୍ରଶାସନ ଯୋଗାଯୋଗରେ ରହିବେ । ତାଙ୍କ ସହିତ ମେଡିକାଲ କୀଟ ଏବଂ ଅତ୍ୟାବଶ୍ୟକ ଜରୁରୀକାଳୀନ ଜିନିଷ ମଧ୍ୟ ପଠାହୋଇଛି । ଆଶା କରୁଛୁ , ବରିଷ୍ଠ ନାଗରିକ ମାନେ ସୁଖ-ଶାନ୍ତିରେ ଯାତ୍ରା କରି ଫେରି ଆସିବେ ବୋଲି କାମନା କରୁଛୁ , କହିଥିଲେ । ବରିଷ୍ଠ ନାଗରିକ ମାନଙ୍କ ଏହି ତୀର୍ଥଯାତ୍ରା ଯିବା ଓ ଶୁଭାରମ୍ଭ ହେବା ସମୟରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ଓ ସୁନିତା ମିଶ୍ରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।