ତାଲପାଲି ପାଲଟିବା ମଥୁରା, ଖୁଣ୍ଟପାଲି ସାଜିବ ଗୋପପୁର
ଜଣାଶୁଣା ମଂଚ କଳାକାର କଳାକାହ୍ନୁଙ୍କୁ କଂସ ଭାବେ କରାଗଲା ବରଣ
ଗାଇସିଲେଟ/କେଦାର ନାଥ ସାହୁ:ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ତାଲପାଲିର ୩୬ତମ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ପାଇଁ କଂସ ବରଣ ସଂପୂର୍ଣ୍ଣ ହୋଇଯାଇଛି । ପୁଣି ଶୁଣିବାକୁ ମିଳିବ ତାଲପାଲି ଧନୁଯାତ୍ରା ମଞ୍ଚ ଉପରେ ମହାରାଜ କଂସଙ୍କର ଲୋମହର୍ଷଣକାରୀ ସଂଳାପ । ମଞ୍ଚ ପୁଣି ଏବର୍ଷ ଝିଲିମିଲି ଆଲୋକରେ ସଜେଇ ହବ। ରମ୍ଭା,ମେନକା,ଉର୍ବସୀଙ୍କ ରୁଣୁଝୁଣ ନୃତ୍ୟ ବିମୁଗ୍ଧ କରିବ ଦର୍ଶକ ମାନଙ୍କୁ । ଏ ବର୍ଷ କଂସ ଭୂମିକାରେ ମଞ୍ଚାସିନ ହେବାପାଇଁ ଶ୍ରୀ କଳାକାହ୍ନୁ ଚୌହାନଙ୍କୁ କମିଟିର ସଭାପତି ଶ୍ରୀ ମାନଭଞ୍ଜନ ସାହୁ, ସଂପାଦକ ନୀଲମଣି ବରିହା, କୋଷାଧ୍ୟକ୍ଷ ଲୁଚେନ୍ଦ୍ର ସାହୁ ସମେତ କମିଟିର ସଦସ୍ୟ ନାରଦ ବରିହା, କୃଷ୍ଣଚନ୍ଦ୍ର ସାହୁ, ପାଣ୍ଡବ ସାହୁ,ଦିନ ସାହୁ,ଶେଷଦେବ ନାଏକ,ବାବୁଲାଲ ବରିହା ,ପ୍ରଚାର ପ୍ରସାର ଦାୟିତ୍ୱରେ ଥିବା ସାମ୍ବାଦିକ କେଦାର ନାଥ ସାହୁ ଏବଂ ଝସକେତନ ସାହୁ ତଥା ସୋହେଲା ବ୍ଲକ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଜୀବରଧନ ବରିହାଙ୍କ ଉପସ୍ଥିତିରେ ଶ୍ରୀ ଚୌହାନଙ୍କ ବାସ ଭବନ ବରଗଡ଼ ଜିଲ୍ଲା ସ୍ଥିତ ସୋହେଲା ବ୍ଲକର କେନବାହାଲ ଗ୍ରାମରେ କଳାକାର ବରଣ କରାଯାଇଥିଲା । ଏଥିରେ ପ୍ରସିଦ୍ଧ ମଞ୍ଚ କଳାକାର କଳାକାହ୍ନୁ ଚୌହାନଙ୍କୁ ଧନୁଯାତ୍ରା କମିଟି ତରଫରୁ ଯାତ୍ରା କମିଟିର ସଭାପତି ଶ୍ରୀ ମାନଭଞ୍ଜନ ସାହୁ କଂସ ଭୂମିକା ପାଇଁ ଗୁଆ, ନଡିଆ ସହ ଉପଢୌକନ ଓ ପୁଷ୍ପମାଲ୍ୟ ଦେଇ କଂସ ଭୂମିକା ପାଇଁ ବରଣ କରିଥିଲେ । ଚଳିତ ବର୍ଷ ଧନୁଯାତ୍ରା ଆସନ୍ତା ତା୨୪/୦୧/୨୦୨୦ରିଖ ରୁ ଆରମ୍ଭ ହୋଇ ତା୦୩/୦୨/୨୦୧୯ରିଖ ପର୍ଯ୍ୟନ୍ତ ଦୀର୍ଘ ଦଶ ଦିନଧରି ଚାଲିବ |











