ଗାଲେଇଯାଇଛି ଠିକା ସଂସ୍ଥା ଚେଇଁ ଶୋଇଛି ପୂର୍ତ୍ତ ବିଭାଗ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 କଚ୍ଛପ ଗତିରେ ଚାଲିଛି ବୁଢ଼ାବଳଙ୍ଗ ପୋଲ ନିର୍ମାଣ କାର୍ଯ୍ୟ 

ବାରିପଦା(ଦିଲ୍ଲୀପ ମହାନ୍ତି)- ଶାମାଖୁଣ୍ଟା ବ୍ଲକ ଓ ବାରିପଦା ପୌରପରିଷଦର ମଧ୍ୟରେ ସୀମାରେଖା ଟାଣିଛି ବୁଢ଼ାବଳଙ୍ଗ ନଦୀ । ବାରିପଦା-ଉଦଳା ରାଜ୍ୟ ରାଜପଥ ୧୯ରେ ଉକ୍ତ ନଦୀ ଉପରେ ଏକ ସ୍ଥାୟୀ ପୋଲ ନିର୍ମାଣ ନିମନ୍ତେ ପୂର୍ତ୍ତ ଓ ନିର୍ମାଣ ବିଭାଗ ପକ୍ଷରୁ ଟେଣ୍ଡର ହୋଇଥିଲା ଏବଂ  ୨୭କୋଟି ୨୯ଲକ୍ଷ ୮୦ ହଜାର ୨୦୮ ଟଙ୍କା ବ୍ୟୟ ଅଟକଳରେ ପୋଲ ନିର୍ମାଣ କାର୍ଯ୍ୟର ଟେଣ୍ଡର  ଏମଏସ ଆଇରନ ଟ୍ରାଇଙ୍ଗଲ(m/s iron triangle ltd.) ଲିଃକୁ ମିଳିବା ପରେ ସେ ଏଗ୍ରିମେଣ୍ଟ ନଂ ୦୫ପି. ଅଫ୍ ୨୦୧୭-୧୮(ସିସି) ଅନୁସାରେ ପୋଲ ନିର୍ମାଣ ନିମନ୍ତେ କାର୍ଯ୍ୟାଦେଶ ନେଇଥିଲା । ଏଥିରେ କାର୍ଯ୍ୟ ଆରମ୍ଭ ତାରିଖ ୨୦୧୭  ମେ ୧୨ ଓ କାର୍ଯ୍ୟ ସମାପ୍ତି ତାରିଖ ୨୦୧୮ ଡ଼ିସେମ୍ବର ୧୧ ଉଲ୍ଲେଖ ରହିଥିଲା । କିନ୍ତୁ ଠିକା ସଂସ୍ଥା କରିଥିବା ଚୁକ୍ତିନାମା ଅନୁସାରେ ପୋଲର ନିର୍ମାଣ କାର୍ଯ୍ୟ  ପରିସମାପ୍ତିର ଧାର୍ଯ୍ୟ ସମୟଠାରୁ ଏକ ବର୍ଷ ୧୦ ଦିନରୁ ଅଧିକ ସମୟ ଅତିକ୍ରାନ୍ତ ହୋଇ ସାରିଥିଲେ ମଧ୍ୟ ନିର୍ମାଣ ଅଧାଅଧିରେ ପହଁଞ୍ଚିଛି । ପୋଲର ନିର୍ମାଣ କାର୍ଯ୍ୟ ପରିଦର୍ଶନରେ ଆସିଥିବା ପୂର୍ତ୍ତ ଓ ନିର୍ମାଣ ବିଭାଗର ବାରିପଦା ଡ଼ିଭିଜନର ନିର୍ବାହୀ ଅଧିକାରୀ ପ୍ରଶାନ୍ତ ପଣ୍ଡା ଦେଇଥିବା ସୂଚନା ଅନୁସାରେ ପୋଲର ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ଆହୁରି ଏକ ବର୍ଷ ଲାଗିଯିବ । ପୋଲର ତଳ ଭାଗର ନିର୍ମାଣ କାର୍ଯ୍ୟରେ ବିଳମ୍ବ ହେଉଛି । ଏହା ଶେଷ ହୋଇଗଲେ ଉପରକୁ ବେଶୀ ସମୟ ଲାଗିବ ନାହିଁ ବୋଲି ପ୍ରକାଶ କରିଥିଲେ । ତେବେ ପୋଲର ନିର୍ମାଣ କାର୍ଯ୍ୟର ଏହି କଚ୍ଛପ ଗତିକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ଜନସାଧାରଣଙ୍କ କହିବା ଅନୁସାରେ ମୟୂରଭଞ୍ଜ ଗଡ଼ଜାତ ରାଜ୍ୟରେ ମହାରାଜାଙ୍କ ଶାସନ ସମୟରେ ମହାରାଜା ଏହି ପୋଲ ନିର୍ମାଣ କରିଥିଲେ । ମାତ୍ର ୨୦୧୩ ଅକ୍ଟୋବର ୧୨ରେ ଆସିଥିବା ଫାଇଲିନ ମହାବାତ୍ୟା ଓ ଏହା ପ୍ରଭାବରେ ପ୍ରଳୟଙ୍କରୀ ବନ୍ୟାରେ ପୋଲର ଏକାଧିକ ପିଲର ମୂଳ ଶୂନ୍ୟରେ ଝୁଲୁଥିବାର ଦେଖିବାକୁ ମିଳିଥିଲା । ପ୍ରଲ୍ୟଙ୍କରୀ ବନ୍ୟା ପୋଲର ମୂଳଦୁଆକୁ ଦୁର୍ବଳ କରିପକାଇଛି । ମହାରାଜାଙ୍କ ସମୟର ପ୍ରଯୁକ୍ତି ବିଦ୍ୟାରେ ପୋଲ ନିର୍ମାଣ ହୋଇଥିବାରୁ ଏହା ଭୂଷୁଡ଼ି ନଯାଇ ଜନସାଧାରଣଙ୍କ ସେବାରେ ଆସୁଛି । କିନ୍ତୁ ପୋଲ ଦୁର୍ବଳ ହୋଇ ପଡ଼ିଥିବାରୁ କେତେବେଳେ କଣ ହେବ ସେହି ଶଙ୍କା ଓ ଆଶଙ୍କା ମଧ୍ୟରେ ଜନସାଧାରଣ ଗତି କରୁଛନ୍ତି । ଏହି ସମୟରେ ହଠାତ୍ ପୋଲଟି ଭୂଷୁଡ଼ି ପଡ଼ିଲେ କପ୍ତିପଦା ଉପଖଣ୍ଡ ଏବଂ ଶାମାଖୁଣ୍ଟ ବ୍ଲକ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିବ । ତେଣୁ ନୂତନ ପୋଲର ନିର୍ମାଣ କାର୍ଯ୍ୟ ଶେଷ ହେବା ଅନେକ ଗୁରୁତ୍ୱ ବହନ କରୁଥିବା ବେଳେ କାର୍ଯ୍ୟାଦେଶ ନେଇଥିବା ଠିକାଦାର ନିର୍ମାଣ କାର୍ଯ୍ୟରେ ମନ୍ଥର ଗତିକୁ ନେଇ ଜନସାଧାରଣରେ ଅସନ୍ତୋଷ ଦେଖାଦେଇଛି । ଏଥି ସହିତ ନିର୍ମାଣ କାର୍ଯ୍ୟକୁ ବିଭାଗୀୟ ଅଧିକାରୀ ନିୟମିତ ଭାବେ ତଦାରଖ କରୁନଥିବାରୁ ନିର୍ମାଣ କାର୍ଯ୍ୟରେ ଅନିୟମିତତା ହେଉଥିବାର ଅଭିଯୋଗ ହେଉଛି ।  

0
0
0
s2sdefault