ଶେଷ ପର୍ଯ୍ୟନ୍ତ ଟକରା ଟକରି : ବାଦଲଙ୍କୁ ଜିତାଇ ଅରୁଣ ଗଲେ ହାରି
ନୟାଗଡ( ବିଶ୍ୱଜିତ ନାୟକ):- ନୟାଗଡ ଜିଲ୍ଲାର ୪ ବିଧାୟକ ତଥା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ, ବିଧାୟକ ସତ୍ୟନାରାୟଣ ପ୍ରଧାନ, ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଓ ବିଧାୟକ ରମେଶ ବେହେରାଙ୍କ ଭିତରେ ଲଢେଇ ଦେଖାଇବାକୁ ପାଇଲେ ନୟାଗଡବାସୀ | ଅରୁଣ ଯେହେତୁ ପୁରୁଖା, ତେଣୁ ଲଢେଇରେ ନବାଗତ ରମେଶ ଦୁର୍ବଳ ପଡିଲେ | ସେପଟେ ଦୁଇଦୁଇ ଥରର ବିଧାୟକ ସତ୍ୟନାରାୟଣ ପ୍ରଧାନ ଓ ନବାଗତା ତଥା ପୋଖତ ନେତା ସୌମ୍ୟରଂଜନ ପଟ୍ଟନାୟକଙ୍କ ମଧ୍ୟରେ ବି ଲଢେଇ ହୋଇଥିଲା | ଅଭିଜ୍ଞ ବାଦଲଙ୍କ ନେତୃତ୍ୱ ଆଗରେ ଫିକା ପଡିଯାଇଥିଲେ ସୌମ୍ୟରଂଜନ | ଶେଷ ଲଢେଇ କିନ୍ତୁ ଥିଲା ସତ୍ୟନାରାୟଣ ଆଉ ଅରୁଣଙ୍କ ଭିତରେ | ଶେଷ ପର୍ଯ୍ୟନ୍ତ ନାକ ରଗଡାରଗଡି | ଫଇସଲା ହେଇପାରିଲାନି | ଶେଷରେ ବଡେଇ ରଖି ସତ୍ୟନାରାୟଣଙ୍କୁ ବାଜି ଛାଡିଦେଇଥିଲେ ଅରୁଣ |
ଆମେ କିଛି ସତ ସତିକା ଲଢେଇ କହୁନୁ | ମନ୍ତ୍ରୀ ଡ଼ ଅରୁଣ ସାହୁଙ୍କ ପରିକଳ୍ପନାରେ ବିଧାୟକମାନଙ୍କ ଅଧିନାୟତ୍ୱରେ ନୟାଗଡ ଇତିହାସରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଥିବା ପ୍ରଦର୍ଶନୀ ମ୍ୟାଚ କଥା କହୁଛୁ | ଆସନ୍ତା 2ତାରିଖରୁ ଅନୁଷ୍ଠିତ ହେବାକୁ ଯାଉଥିବା ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର 2ଦିନ ପୁର୍ବରୁ ଡିସେମ୍ବର 30 ତାରିଖରେ ନୟାଗଡ ଜିଲ୍ଲାର ଚାରି ବିଧାୟକ ଓ ତାଙ୍କ ଟିମଙ୍କ ମଧ୍ୟରେ ଖେଳାଯାଇଥିଲା ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ।ଏହି ମ୍ୟାଚକୁ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ଅନେକ ଉତ୍କଣ୍ଠା ଦେଖିବାକୁ ମିଳିଥିଲା । ପ୍ରତିପକ୍ଷକୁ ହରେଇବାର ମନୋବୃତ୍ତି ନନେଇ ଏକ ଭାଇଚାରାର ସମ୍ପର୍କ ସୃଷ୍ଟି କରିଥିଲେ ଚାରି ବିଧାୟକ । ନୟାଗଡ ଟିମର ନେତୁତ୍ୱ ନେଇଥିଲେ ନୟାଗଡ ବିଧାୟକ ଡ଼ ଅରୁଣ କୁମାର ସାହୁ ,ରଣପୁର ନେତୁତ୍ୱ ନେଇଥିଲେ ବିଧାୟକ ସତ୍ୟନାରାୟଣ ପ୍ରଧାନ ,ସେହିଭଳି ଖଣ୍ଡପଡ଼ାର ନେତୁତ୍ୱ ସୌମ୍ୟରଂଜନ ପଟ୍ଟନାୟକଙ୍କ ଉପରେ ଥିବାବେଳେ ଦଶପଲ୍ଲା ଟିମର ନେତୁତ୍ୱ ନେଇଥିଲେ ବିଧାୟକ ରମେଶ ଚନ୍ଦ୍ର ବେହେରା । ପ୍ରଥମେ ନୟାଗଡ ଓ ଦଶପଲ୍ଲା ମଧ୍ୟରେ ମ୍ୟାଚ ଖେଳାଯାଇଥିଲା ।ଏହି ମ୍ୟାଚରେ ନୟାଗଡ ଠାରୁ ଦଶପଲ୍ଲା 3-1ଗୋଲରେ ପରାଜୟ ହେଇଥିଲା ଏବଂ ନୟାଗଡ ଟିମ ଫାଇନାଲରେ ପ୍ରବେଶ କରିଥିଲା । ଦ୍ୱିତୀୟ ମ୍ୟାଚ ଖଣ୍ଡପଡ଼ା ଓ ରଣପୁର ମଧ୍ୟରେ ଖେଳାଯାଇଥିବା ବେଳେ ଖଣ୍ଡପଡ଼ା ରଣପୁରଠାରୁ ପରାସ୍ତ ହେଇଥିଲା ଏବଂ ରଣପୁର ଫାଇନାଲରେ ପ୍ରବେଶ କରିଥିଲା । ଶେଷରେ ରଣପୁର ଓ ନୟାଗଡ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯାଇଥିବା ବେଳେ ଉଭୟଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା ଏବଂ କିଏ କାହାକୁ ଗୋଲ ଦେଇପାରିନଥିଲେ। ନୟାଗଡ ବିଧାୟକ ଡ଼ ସାହୁଙ୍କ ଟିମ ଆୟୋଜକ ହୋଇଥିବାରୁ ସମ୍ମାନ ଜଣାଇ ରଣପୁର ଟିମକୁ ଚମ୍ପିୟନ ଘୋଷଣା କରିଥିଲେ । ବାସ୍ତବିକ ଚାରି ବିଧାୟକଙ୍କ ଏପରି ନିଆରା ପ୍ରୟାସ ଓଡିଶା ରାଜନୀତିରେ ନିଆରା ବାର୍ତ୍ତା ବହନ କରିବ ।