ଆଜି ପ୍ରଥମ ମ୍ୟାଚ ବୋରାସମ୍ବର ସ୍ପୋର୍ଟିଙ୍ଗ ଓ ସେଲ ରାଂଚି ଏବଂ ଦ୍ୱିତୀୟ ମ୍ୟାଚ ଜୁଭେନାଇଲ କଟକ ଓ ସେରସା ରାୟପୁର ମଧ୍ୟରେ
ପଦ୍ମପୁର/ନିଳ ଦୀପ
ବୋରାସମ୍ବର ସ୍ପୋର୍ଟିଙ୍ଗ ପଦ୍ମପୁର ଆନୁକୁଲ୍ୟରେ ଆୟୋଜିତ ୨୫ତମ ସର୍ବଭାରତୀୟ ବୋଡାସମ୍ବର କ୍ରିକେଟ କପକୁ କ୍ରୀଡା ସଙ୍ଗଠକ ତଥା ପ୍ରଶାସକ ଶ୍ରୀଯୁକ୍ତ ମହେନ୍ଦ୍ର ବଢେଇ ଏବଂ ଉପଜିଲ୍ଲାପାଳ ଶ୍ରୀ ଦୌଳତ ଚନ୍ଦ୍ରକାର ମୁଖ୍ୟଅତିଥି ଭାବରେ ଯୋଗଦେଇ ଉଦଘାଟନ କିରିଥିଲେ ।
ଉଦଘାଟନୀ ମ୍ୟାଚ ବୁଧବାର ଦିନ ବୋରାସମ୍ବର ସ୍ପୋର୍ଟିଙ୍ଗ ପଦ୍ମପୁର ଏବଂ ବ୍ଲୁ ଡାଇମଣ୍ଡ ବରଗଡ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ବରଗଡ ଦଳ ପ୍ରଥମେ ବ୍ୟାଟିଙ୍ଗ କରି ୨୦ ଓଭରରେ ୦୮ ଉଇକେଟ ହରାଇ ୧୬୩ ରନ ସଂଗ୍ରହ କରିଥିଲେ । ପ୍ରତିବଦଳରେ ପଦ୍ମପୁର ଦଳ ୧୯.୪ ଓଭରରେ ୦୨ ଉଇକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ବିଜୟଲାଭ କରିଥିଲେ । ସେହିପରି ଦ୍ଵିତୀୟ ମ୍ୟାଚ ଜୁଭେନାଇଲ କଟକ ଓ ନବକିଶୋର ବଲାଙ୍ଗିର ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।ନବକିଶୋର ବଲାଙ୍ଗିର ଦଳ ପ୍ରଥମ ବ୍ୟାଟିଙ୍ଗ କରି ୧୪.୨ ଓଭରରେ ସମସ୍ତ ଉଇକେଟ ହରାଇ ୮୦ ରନ ସଂଗ୍ରହ କରିଥିଲେ । କଟକ ଦଳ ୧୧.୩ ଓଭରରେ ଏକ ଉଇକେଟ ହରାଇ ୮୧ ରନ ସଂଗ୍ରହ କରି ବିଜୟ ଲାଭକରିଥିଲା ।
ପୁରଷ୍କାର ବିତରଣୀ ଉତ୍ସବରେ ପଦ୍ମପୁର ସହରର ବରିଷ୍ଠ ସାମ୍ବାଦିକ ଲାଲବିହାରୀ ମିଶ୍ର, ରତ୍ନମଣି ଶତପଥି, ବିଜୟ କୁମାର ସାହୁ ପ୍ରଦିପ୍ତ ଦାଶ, ପ୍ରିୟରଂଜନ ଭୋଇ,ହେମନ୍ତ ସାହୁ, ନିଳକଣ୍ଠ ଦୀପ ପ୍ରମୁଖ ଯୋଗଦେଇ ପଦ୍ମପୁର ଦଳର ଅଧିନାୟକ ଧରଣୀଧର ବାରିକ ଓ କଟକ ଦଳର ରାମଚନ୍ଦ୍ର ବେହେରାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ପୁରଷ୍କୃତ କରିଥିଲେ ।
ବୁଧବାର ର ମ୍ୟାଚ ଗୁଡିକୁ ଅମ୍ପାୟାର ଶୁଶାନ୍ତ ପାଣିଗ୍ରାହୀ, ଚୂଡାମଣି ପାଢୀ,ବିଶ୍ୱଜିତ ଖମାରୀ, ଶ୍ୟାମସୁନ୍ଦର ପଣ୍ଡା ଖେଲପରିଚାଳନା ଖରିଥିବା ବେଳେ ଆକାଶ କୁମାର ଦାଶ ସ୍କୋରର ଦାୟିତ୍ୱ ତୁଲାଇଥିଲେ ଓ ଅଂଜନ ପ୍ରଧାନ ଧାରାବିବରଣୀ ପ୍ରଦାନ କରିଥିଲେ । ଆଜି ଅର୍ଥାତ ଗୁରୁବାର ପ୍ରଥମ ମ୍ୟାଚ ବୋରାସମ୍ବର ସ୍ପୋର୍ଟିଙ୍ଗ ଓ ସେଲ ରାଂଚି ଏବଂ ଦ୍ୱିତୀୟ ମ୍ୟାଚ ଜୁଭେନାଇଲ କଟକ ଓ ସେରସା ରାୟପୁର ମଧ୍ୟରେ ଅନୁଷ୍ଠିତ ହେବବୋଲି ବୋରାସମ୍ବର ସ୍ପୋର୍ଟିଙ୍ଗର ସମ୍ପାଦକ ଭରତ ପଣ୍ଡା ସୂଚନା ଦେଇଛନ୍ତି ।