ହେଡଲାଇନସ୍:

‘ତାଇକୋଣ୍ଡୋ’ରେ ଆଦିବାସୀ ଛାତ୍ରୀ ‘ମେରୀ’ଙ୍କ କୃତିତ୍ୱ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଲେଶ୍ୱର (ଉଜ୍ଜ୍ୱଳ କର ) : ଆନ୍ତର୍ଜାତିକ ତାଇକୋଣ୍ଡୋ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ସହର ଉପକଣ୍ଠ ବାମପଦା ଅଂଚଳର ଆଦିବାସୀ ଛାତ୍ରୀ ମେରୀ ସୋରେନଙ୍କୁ ଏବେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ମେରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ସମଲପୁରସ୍ଥିତ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ବିଧାୟକ ଶ୍ରୀ ଦାସ ଛାତ୍ରୀ ମେରୀଙ୍କର ଏହି ସଫଳତା କେବଳ ଜିଲ୍ଳା ବା ରାଜ୍ୟ ନୁହେଁ ବରଂ ସମଗ୍ର ଦେଶ ପାଇଁ  ଗର୍ବ ଓ ଗୌରବର ବିଷୟ ବୋଲି କହିଥିଲେ । ନିଜସ୍ୱ ଉଦ୍ୟମରେ ତଥା ବିନା ପ୍ରୋତ୍ସାହନରେ ମେରୀ ହାସଲ କରିଥିବା କୃତିତ୍ୱ ଅନ୍ୟମାନଙ୍କ ପାଇଁ ବିରାଟ ଉଦାହରଣ ସୃଷ୍ଟି କରିଛି ବୋଲି ବିଧାୟକ ଶ୍ରୀ ଦାସ ମତ ପ୍ରକାଶ କରିଥିଲେ । ତାଙ୍କର ଉଜ୍ଜ୍ୱଳ  ଭବିଷ୍ୟତ କାମନା କରିବା ସହ ଆଗାମୀ ଦିନରେ ମେରୀଙ୍କ ପ୍ରଶିକ୍ଷଣ ପାଇଁ ସେ ସମସ୍ତ ପ୍ରକାର ସହଯୋଗ କରିବାର ପ୍ରତିଶ୍ରୁତି ଦେଇଥିଲେ । ଏନେଇ ଜିଲ୍ଲା ପ୍ରଶାସନ ଓ ଅଗ୍ରଣୀ ଶିଳ୍ପାନୁଷ୍ଠାନ ମାନଙ୍କର ଦୃଷ୍ଟି ଆକର୍ଷଣ କରିବେ ଶ୍ରୀ ଦାସ କହିଥିଲେ । ବାମପଦା କୁଷ୍ଠାଶ୍ରମ  ସନ୍ନିକଟ ଆଦିବାସୀ ବସ୍ତିର ଭିନ୍ନକ୍ଷମ ମଙ୍ଗଳ ସୋରେନଙ୍କ  କନ୍ୟା ମେରୀ । ସରସ୍ୱତୀପୁର ଉପ୍ରା ବିଦ୍ୟାଳୟର ସପ୍ତମ ଶ୍ରେଣୀର ଛାତ୍ରୀ ଅଟନ୍ତି । କୌଣସି ଦକ୍ଷ ଟ୍ରେନର୍ଙ୍କଠାରୁ ସେ ପ୍ରଶିକ୍ଷଣ ପାଇନଥିଲେ ବି ବଡ଼ଭାଇ  ମୁକ୍ତିକାନ୍ତ ଏବଂ ମାମୁଁଙ୍କଠାରୁ ତାଇକୋଣ୍ଡୋ ପ୍ରତି ଆଗ୍ରହ ପ୍ରକାଶ ସହ ବେଶ୍ ପାରଙ୍ଗମ ମଧ୍ୟ ହୋଇପାରିଥିଲେ । ପରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ ପୂର୍ବକ ସଫଳତା ପାଇବା ସହ ୨୦୧୬ ଏବଂ ୨୦୧୭ ମସିହାରେ ଭଦ୍ରକଠାରେ  ଆୟୋଜିତ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ପୁରସ୍କୃତ ହୋଇଥିଲେ । ଏପରିକି ଜାତୀୟ ସ୍ତରୀୟ ପ୍ରତିଯେଗିତାରେ ମଧ୍ୟ ସେ ଚାମ୍ପିୟନ ଟାଇଟଲ ଜିତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ । ତେବେ ଗତ ଡିସେମ୍ବର ୨୭ ତାରିଖରେ କୋଲକାତାରେ ଆୟୋଜିତ ଅନ୍ତରାଷ୍ଟ୍ରୀୟ ତାଇକୋଣ୍ଡୋ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ସବୁଠାରୁ ବିଡ଼ମ୍ବନା ଓ ପରିତାପର ବିଷୟ ଏଯାଏଁ ତାଙ୍କୁ କୌଣସି ପ୍ରକାର ପ୍ରୋତ୍ସାହନ ମିଳପାରି ନାହିଁ । ପଢ଼ୁଥିବା ବିଦ୍ୟାଳୟର ଶିକ୍ଷକ ଓ  ସମ୍ପର୍କୀୟଙ୍କ ଯତକଞ୍ଚିତ୍ ସହାୟତାରେ ସେ ଏତେବଡ଼ ସଫଳତାର ଅଧିକାରୀ ହୋଇପାରିଛନ୍ତି । ତାଙ୍କୁ ଯଦି ବିଭିନ୍ନ ମହଲରୁ ସହଯୋଗର ହାତ ବଢ଼ା ଯା’ନ୍ତା ତାହାଲେ ମେରୀ ଜଣେ ବିଶ୍ୱସ୍ତରୀୟ ତାଇକୋଣ୍ଡୋ କ୍ରୀଡ଼ାବିତ୍  ଭାବେ ନିଜକୁ ପ୍ରତିପାଦିତ କରିପାରନ୍ତେ ।

 

0
0
0
s2sdefault