ରାଉରକେଲା :ରାଉରକେଲା ଇସ୍ପାତ କାରଖାନାର ସେଲ ହକି ଏକାଡେମି ଅନ୍ୟ ଏକ ସମ୍ମାନଜନକ ଜାତୀୟ ପ୍ରତିଯୋଗିତାରେ ଚମ୍ପିୟାନ ଆଖ୍ୟା ଲାଭ କରିବା ସହିତ ଏହାର ବିଜୟ ଧାରା ଜାରି ରଖିଛି। ସେଲ ହକି ଏକାଡେମି ଦଳ ମହାରାଷ୍ଟ୍ରର ହିଙ୍ଗୋଲି ଠାରେ ଡିସେମ୍ବର ୧୦ରୁ ୧୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ସ୍ଵର୍ଗତ ସେଠ ବଲଭଦୁଆଜୀ କାୟଲ ଜାତୀୟ ହକି ଟୁର୍ଣ୍ଣାମେଣ୍ଟରେ ଚମ୍ପିୟାନ ଟ୍ରଫି ଲାଭ କରିଛି । ସୂଚନାଯୋଗ୍ୟ ଯେ, ଦେଶର ବିଭିନ୍ନ ଭାଗରୁ ୩୭ଟି ଦଳ ଉକ୍ତ ପ୍ରତିଯୋଗିତାରେ ଭାଗ ନେଇଥିଲେ।
ସେଲ ହକି ଏକାଡେମି ଦଳ ପ୍ରତିଯୋଗିତାର ଲିଗ ମ୍ୟାଚରେ ମହରାଷ୍ଟ୍ର ପୋଲିସ ଏବଂ ଔରଙ୍ଗାବାଦ ଦଳକୁ ପରାସ୍ତ କରି କ୍ଵାର୍ଟର ଫାଇନାଲରେ ପ୍ରବେଶ କରିଥିଲା। କ୍ଵାର୍ଟର ଫାଇନାଲରେ ଉକ୍ତ ଦଳ ଅମରାବତିର ଦଳକୁ ୪-୩ ଗୋଲରେ ହରାଇ ସେମି ଫାଇନାଲକୁ ଉନ୍ନିତ ହୋଇଥିଲା । ସେଲ ହକି ଏକାଡେମି ଦଳ ଏଓସି ସିକନ୍ଦରାବାଦକୁ ୩-୧ ଗୋଲରେ ପରାସ୍ତ କରି ଫାଇନାଲରେ ସ୍ଥାନ ପାଇଥିଲା । ତୀବ୍ର ପ୍ରତିଦ୍ୱନ୍ଦିତାମୂଳକ ଫାଇନାଲ ମ୍ୟାଚରେ ସେଲ ହକି ଏକାଡେମୀ ଚିତ୍ତାକର୍ଷକ ହକି ଖେଳର ପ୍ରଦର୍ଶନ କରି ଆର୍ମି ଆର୍ଟିଲେରି ସେଣ୍ଟର ନାସିକକୁ ୨-୧ ଗୋଲରେ ପରାସ୍ତ କରି ଚମ୍ପିୟାନ ଆଖ୍ୟା ଲାଭ କରିଥିଲା । ଦଳର ସଦସ୍ୟ କିଙ୍ଗସନ ସିଂହ ଫାଇନାଲ ମ୍ୟାଚରେ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ଲାଭ କରିଥିବା ବେଳେ ସମୀର ଏକ୍କା ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳୀ ପୁରସ୍କାର ଲାଭ କରିଥିଲେ ଯାହା ଦଳ ମଧ୍ୟରେ ଅଧିକ ଆନନ୍ଦ ଓ ଉତ୍ସାହ ଆଣିଦେଇଥିଲା । ସୂଚନାଯୋଗ୍ୟ ଯେ, ଏହି ଦଳ ପୁନେ ସ୍ଥିତ ମେଜର ଧ୍ୟାନ ଚାନ୍ଦ ହକି ଷ୍ଟାଡିୟମରେ ଡିସେମ୍ବର ପ୍ରଥମ ସପ୍ତାହରେ ଅନୁଷ୍ଠିତ ହୋଇଥିବା ମର୍ଯ୍ୟାଦାଜନକ ୧୧୫ ତମ ସର୍ବ ଭାରତୀୟ ଆଗା ଖାନ ସ୍ଵର୍ଣ୍ଣ କପ ହକି ଟୁର୍ଣ୍ଣାମେଣ୍ଟରେ ମଧ୍ୟ ପ୍ରଥମ ପଦାର୍ପଣରେ ଚମ୍ପିୟାନ ଆଖ୍ୟା ଲାଭ କରିଥିଲା ।
ସେଲ ହକି ଏକାଡେମି ନିମନ୍ତେ ବର୍ଷ ୨୦୧୮ ଅତ୍ୟନ୍ତ ଅନୁକୂଳ ସାବ୍ୟସ୍ତ ହୋଇଛି । ଏକାଡେମି ଚଳିତ ବର୍ଷ ଦେଶର ବହୁ ସମ୍ମାନଜନକ ଟୁର୍ଣ୍ଣାମେଣ୍ଟରେ ସଫଳତା ଲାଭ କରିଛି । ଏକାଡେମିର ବହୁ ସଦସ୍ୟ ଭାରତୀୟ ଜାତୀୟ ଦଳରେ ମଧ୍ୟ ସ୍ଥାନ ପାଇଛନ୍ତି। ସେଲ ହକି ଏକାଡେମିର ପ୍ରାକ୍ତନ କ୍ୟାଡେଟ, ବିରେନ୍ଦ୍ର ଲାକ୍ରା ଭୁବନେଶ୍ଵରରେ ନିକଟରେ ଉଦଯାପିତ ହକି ବିଶ୍ଵ କପରେ ଭାରତୀୟ ଜାତୀୟ ଦଳର ପ୍ରତିନିଧିତ୍ଵ କରି ପ୍ରଭାବଶାଳୀ ଖେଳ ପ୍ରଦର୍ଶନ କରିଥିଲେ । ଏଥିସହିତ ସେଲ ହକି ଏକାଡେମିର ସିଲାନନ୍ଦ ଲାକ୍ରା ଓ ପଙ୍କଜ ରଜାକ ମାଲେସିଆରେ ଅନୁଷ୍ଠିତ ସୁଲତାନ ଆଜଲାନ ସାହ କପ ହକି ଚମ୍ପିୟନସିପ ଓ ସୁଲତାନ ଜୋହର କପ ହକି ଚମ୍ପିୟନସିପରେ ଭାରତୀୟ ଦଳର ପ୍ରତିନିଧିତ୍ଵ କରିଥିଲେ । ଚଳିତ ବର୍ଷ ସେଲ ହକି ଏକାଡେମି ସମ୍ମାନଜନକ ଶ୍ରୀ ନବଗ୍ରହ ଟ୍ରଫି ସର୍ବ ଭାରତୀୟ ଆମନ୍ତ୍ରଣିୟ ହକି ଟୁର୍ଣ୍ଣାମେଣ୍ଟ ଏବଂ ଅଷ୍ଟମ ବିନୋଦ ଖାଣ୍ଡେକର ୨୧ ବର୍ଷରୁ କମ ସର୍ବ ଭାରତୀୟ ସ୍ଵର୍ଣ୍ଣ କପ ହକି ଟୁର୍ଣ୍ଣାମେଣ୍ଟରେ ଚମ୍ପିୟାନ ହୋଇଥିଲା।
ସେଲ ହକି ଏକାଡେମୀ ଏହି ଅଞ୍ଚଳର ଯୁବ ହକି ପ୍ରତିଭାମାନଙ୍କର ପୃଷ୍ଠପୋଷକତା ଓ ଖେଳ ଦକ୍ଷତାର ବିକାଶ ସାଧନରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେଉଛି। ଉତ୍କୃଷ୍ଟ ଭିତ୍ତିଭୂମି ସୁବିଧା ଓ ସୁନାମଧନ୍ୟ ପ୍ରଶିକ୍ଷକଙ୍କ ନିପୁଣ ପ୍ରଶିକ୍ଷଣ ଦ୍ଵାରା ସେଲ ହକି ଏକାଡେମି ବହୁ ଜାତୀୟ ଓ ଆନ୍ତର୍ଜାତୀୟ ଖେଳାଳୀ ସୃଷ୍ଟି କରିବାରେ ସକ୍ଷମ ହେଉଛି ଯେଉଁମାନେ ସମଗ୍ର ଅଞ୍ଚଳ ଓ ଦେଶ ପାଇଁ ଗୌରବ ଆଣିଦେଉଛନ୍ତି ।