Bhubaneswar/ Shasak Prashasak : କିଟରେ ଚାଲିଛି କ୍ରୀଡ଼ା ମହାକୁମ୍ଭ । ସବୁ କ୍ୟାମ୍ପସରେ କ୍ରୀଡ଼ାର ମାହୋଲ୍ । କେଉଁଠି ବ୍ୟଡ୍ମିଣ୍ଟନ୍ ପ୍ରତିଯୋଗିତା ଚାଲିଛି ତ ଆଉ କେଉଁ କ୍ୟାମ୍ପସ୍ରେ ଭଲି ବଲ୍, ବାସ୍କେଟ୍ବଲ, ହକି, ଟେନିସ୍, କ୍ରିକେଟ, ସନ୍ତରଣ ଆଉ ଚେସ୍ । ଗୁରୁବାରଠାରୁ ଆରମ୍ଭ ହୋଇଛି ଜାତୀୟ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଏବଂ ସିବିଏସ୍ଇ ଫାର୍ ଇଷ୍ଟ ସନ୍ତରଣ ପ୍ରତିଯୋଗିତା । ଜାତୀୟ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାରେ ଦେଶର ୧୬୩ ବିଶ୍ୱବିଦ୍ୟାଳୟରୁ ୩୫ଶହ ପ୍ରତିଯୋଗୀଙ୍କ ସମେତ ଅଫିସିଆଲ୍, ମ୍ୟାନେଜର ଓ କୋଚ୍ଙ୍କୁ ମିଶାଇ ପ୍ରାୟ ୬ହଜାର ପ୍ରତିନିଧି ଯୋଗ ଦେଇଛନ୍ତି । ଚାରି ଦିନ ଧରି ଏହି କ୍ରୀଡ଼ା ପ୍ରତିଯୋଗିତା ଚାଲିବ । ଜାତୀୟ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାରେ ବ୍ୟାଡ୍ମିଣ୍ଟନ୍ (ମହିଳା), ଟେନିସ୍ (ପୁରୁଷ ଓ ମହିଳା), ଭଲିବଲ୍ (ପୁରୁଷ), ବାସ୍କେଟବଲ୍ (ପୁରୁଷ) ଓ ହକି (ପୁରୁଷ ଓ ମହିଳା) ପ୍ରତିଯୋଗିତା ରହିଛି । ସେହିପରି କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ ପକ୍ଷରୁ ଆରମ୍ଭ ହୋଇଛି ସିବିଏସ୍ଇ ଫାର୍ ଇଷ୍ଟ ସନ୍ତରଣ ପ୍ରତିଯୋଗିତା । ଏହି ପ୍ରତିଯୋଗିତାରେ ଓଡ଼ିଶା, ପଶ୍ଚିମବଙ୍ଗ, ଛତିଶଗଡ଼, ଆସାମ, ମିଜୋରାମ ଓ ମଣିପୁର ଆଦି ୧୦ଟି ରାଜ୍ୟର ୭୦ଟି ସ୍କୁଲ୍ରୁ ୪ଶହ ପ୍ରତିଯୋଗୀଙ୍କ ସମେତ ଅଫିସିଆଲ୍, କୋଚ୍ ଓ ଅଭିଭାବକଙ୍କୁ ମିଶାଇ ହଜାରେରୁ ଉର୍ଧ୍ଵ ପ୍ରତିନିଧି ଯୋଗ ଦେଇଛନ୍ତି । ଏକକାଳୀନ ଏତେଗୁଡ଼ାଏ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହେଉଥିବା ବେଳେ କିଟ୍ ପରିସର ଏବେ କ୍ରୀଡ଼ା ମହାକୁମ୍ଭରେ ପରିଣତ ହୋଇଛି । ଏହି ସମସ୍ତ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଦେଶ ଓ ବିଦେଶରୁ ୧୦ହଜାରରୁ ଉର୍ଧ୍ଵ ପ୍ରତିନିଧିଙ୍କ ପାଇଁ ରହିବା ଓ ଖାଇବା ତଥା କ୍ରୀଡ଼ାଭ୍ୟାସ ପାଇଁ କିଟ୍ ପରିସରରେ ସମସ୍ତ ବ୍ୟବସ୍ଥା କରାଯାଇଛି । କିଟ୍ର କ୍ରୀଡ଼ା ନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶଙ୍କ ନେତୃତ୍ୱରେ କିଟ୍ କ୍ରୀଡ଼ା ବିଭାଗର ପ୍ରାୟ ୩ଶହରୁ ଉର୍ଧ୍ଵ କର୍ମଚାରୀ ଏହି ସମସ୍ତ କ୍ରୀଡ଼ା ପ୍ରତିଯୋଗିତାର ସୁଚାରୁ ପରିଚାଳନା ପାଇଁ ଆୟୋଜନ କାର୍ଯ୍ୟରେ ଲାଗିଛନ୍ତି ।
ଅକ୍ଟୋବର ୧୫ତାରିଖରୁ କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ତୃତୀୟ ଭାରତ ଚୀନ୍ ଚେସ୍ ସମିଟ୍ ୨୦୧୮ ଆରମ୍ଭ ୨୩ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ । ସର୍ବଭାରତୀୟ ଚେସ୍ ଆସୋସିଏସନ୍, ଓଡ଼ିଶା ଚେସ୍ ଆସୋସିଏସନ୍ ଓ କିଟ୍ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଏହି ପ୍ରତିଯୋଗିତା ଚାଲୁଛି । ଏହି ଚେସ୍ ସମିଟ୍ରେ ଭାରତ ଓ ଚୀନ୍ର ବହୁ ଗ୍ରାଣ୍ଡ ମାଷ୍ଟର ଅଂଶଗ୍ରହଣ କରୁଛନ୍ତି । ଭାରତୀୟ କି୍ରକେଟ୍ କଣ୍ଟେ୍ରାଲ୍ ବୋର୍ଡ ପକ୍ଷରୁ ୧୯ବର୍ଷରୁ କମ୍ ଭିନୁ ମଙ୍କଡ ଟ୍ରଫି ଜୋନାଲ୍ ଲିଗ୍ ଟୁର୍ଣ୍ଣାମେଣ୍ଟ କିଟ୍ କ୍ରିକେଟ ଷ୍ଟାଡ଼ିଅମ୍ରେ ଚାଲିଥିବା ବେଳେ ସ୍ପୋର୍ଟସ ଅଥରିଟି ଅଫ୍ ଇଣ୍ଡିଆ ପକ୍ଷରୁ ୧୭ବର୍ଷରୁ କମ୍ ସୁବ୍ରତ ମୁଖାର୍ଜୀ କନିଷ୍ଠ ବାଳିକା ଫୁଟ୍ବଲ୍ ପ୍ରତିଯୋଗିତା ପାଇଁ ତାମିଲ୍ ଓ ଚୟନ ଶିବିର କିଟ୍ ପରିସରରେ ଚାଲୁରହିଛି । ଶୁକ୍ରବାରଠାରୁ ଏସିଆ ୧୮ବର୍ଷରୁ କମ୍ ବାଳିକା ୭ଏସ୍ ରଗ୍ବୀ ଚାମ୍ପିଅନ୍ସିପ୍ ପାଇଁ ପ୍ରଶିକ୍ଷଣ ଶିବିର ଆରମ୍ଭ ହେବ । ଅକ୍ଟୋବାର ୨୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଶିବିରରେ ୨ଶହରୁ ଉର୍ଧ୍ଵ ପ୍ରତିଯୋଗୀ ଅଂଶଗ୍ରହଣ କରୁଛନ୍ତି । ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଶିକ୍ଷା ସହ କ୍ରୀଡ଼ାକୁ ସର୍ବଦା ଗୁରୁତ୍ୱ ଦେଇଆସୁଛନ୍ତି । ଶ୍ରୀ ସାମନ୍ତଙ୍କ ଉଦ୍ୟମ କ୍ରମେ କିଟ୍ ଓ କିସ୍ରେ ବ୍ୟାପକ ଅତ୍ୟାଧୁନିକ କ୍ରୀଡ଼ା ଭିତ୍ତିଭୂମି ସୃଷ୍ଟି କରାଯାଇଛି । ଫଳରେ ଏଠାରେ ବିଭିନ୍ନ ସମୟରେ ଜାତୀୟ ଓ ଆନ୍ତର୍ଜାତୀୟସ୍ତରର କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଆସୁଛି ।