ହେଡଲାଇନସ୍:

ଆସୁଛନ୍ତି ତ୍ରିମୁର୍ତ୍ତି, ବୃଦ୍ଧି ପାଇଛି ଉତ୍କଣ୍ଠା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପରାଜୟର ସମୀକ୍ଷା ସହ ଦଳୀୟ ନେତା, କର୍ମୀଙ୍କୁ ଏକଜୁଟ କରାଇବା ନିମନ୍ତେ ଦେବେ ଗୁରୁମନ୍ତ୍ର

ବାରିପଦା(ଦିଲ୍ଲୀପ ମହାନ୍ତି )- ରାଜ୍ୟ ତଥା ଜିଲ୍ଲା ରାଜନୀତିରେ ନିଜର ପତିଆରା ପ୍ରଦର୍ଶନ ମାଧ୍ୟମରେ ନିଜକୁ ପ୍ରଭାବଶାଳୀ ନେତା ଭାବେ ଉପସ୍ଥାପନ କରାଇବା ନିମନ୍ତେ ମୟୂରଭଞ୍ଜ ଜିଲ୍ଲା ବିଜେଡ଼ିରେ ଦେଖାଦେଇଛି ପ୍ରତିଯୋଗିତା । ଏହାର କୁପ୍ରଭାବ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରତିଫଳିତ ହୋଇଥିଲେ ମଧ୍ୟ ସେଥିରୁ ବିଜେଡ଼ି ହାଇକମାଣ୍ଡ, ଦଳର ରାଜ୍ୟ ନେତୃମଣ୍ଡଳୀ, ଜିଲ୍ଲା ପର୍ଯ୍ୟବେକ୍ଷକ ଓ ଜିଲ୍ଲାର ନେତା, କର୍ମୀ, ସମର୍ଥକମାନେ କିଛି ଶିକ୍ଷାଲାଭ କରିପାରିଲେ ନାହିଁ । ଦଳୀୟ ସ୍ୱାର୍ଥ ବଳି ପଡ଼ିଥିବା ବେଳେ ବ୍ୟକ୍ତିଗତ ସ୍ୱାର୍ଥ ମୁଖ୍ୟ ପ୍ରସଙ୍ଗ ହୋଇଥିଲା । ପରସ୍ପର ପରସ୍ପରକୁ ସନେ୍ଦହ ଚକ୍ଷୁରେ ଦେଖିବା ଆରମ୍ଭ କରିବା ସହ ଭିତିରି ଚେର କାଟିବା ନିମନ୍ତେ ଗୋଟି ଚାଳନା କରିବାରେ ବ୍ୟସ୍ତ ରହିଥିଲେ । ଫଳରେ ଭୋଟର ବିଜେପିକୁ ଏକ ବିକଳ୍ପ ଭାବେ ଗ୍ରହଣ କରିନେବାରୁ ଗତ ସାଧାରଣ ନିର୍ବାଚନରେ ମୟୂରଭଞ୍ଜ ଜିଲ୍ଲାରେ ବିଜେଡ଼ିକୁ ଶୋଚନୀୟ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା । ୯ ବିଧାନସଭା ଆସନ ମଧ୍ୟରୁ ୬ ଓ ମୟୂରଭଞ୍ଜ, ବାଲେଶ୍ୱର ଲୋକସଭା ଆସନ ବିଜେପି ହାତରେ ସମର୍ପି ଦେଇଥିଲା । ଏତିକିରେ ମନ ଶାନ୍ତ ହୋଇନଥିଲା । ନିଜର ଅପାରଗତା, ସାଙ୍ଗଠନିକ ଦକ୍ଷତାର ଅଭାବ ସହ ରାଜନୈତିକ ଅପରିପକ୍ୱତାକୁ ଲୁଚାଇବା ନିମନ୍ତେ ଦଳ ବିରୋଧୀ କାର୍ଯ୍ୟ ପାଇଁ ପରାସ୍ତ ହୋଇଥିବାର  ହାଇକମାଣ୍ଡଙ୍କ ନିକଟରେ ଚିଠା ଦାଖଲ କଲେ । ଜିଲ୍ଲାରେ ଦଳୀୟ ନେତା, କର୍ମୀ ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀର ଦଳୀୟ ପର୍ଯ୍ୟବେକ୍ଷକମାନଙ୍କ ଭୂମିକା ଉପରକୁ ମଧ୍ୟ ସିଧାସଳଖ ଭାବେ ଅଙ୍ଗୁଳି ଉଠାଇଲେ । ମୟୂରଭଞ୍ଜ ଜିଲ୍ଲାର ୯ ବିଧାନସଭା ଆସନ ମଧ୍ୟରେ ବାରିପଦା ଆସନ ସର୍ବାଧିକ ସୁରକ୍ଷିତ ରହିବାର କୁହାଯାଉଥିବା ବେଳେ ଦଳର ହେଭିୱେଟ ନିର୍ବିବାଦୀୟ ନେତା ଭାବରେ ପରିଚିତ ବିଧାନସଭାର ପୂର୍ବତନ ଉପବାଚସ୍ପତି ସାନନ୍ଦଙ୍କ ଟିକଟକୁ ଝୁଲାଇ  ଠିକ୍ ନାମାଙ୍କନପତ୍ର ଦାଖଲର ଶେଷ ସମୟର ୨ ଦିନ ପୂର୍ବରୁ ତାଙ୍କର ଟିକଟ କାଟି ଦିଆଗଲା । ମୋଟ ଉପରେ ଜିଲ୍ଲାର ୯ ଆସନ ମଧ୍ୟରୁ ୮ ଆସନରେ ବିଧାୟକମାନଙ୍କ ଠିକଟ କାଟି ନୂତନ ପ୍ରାର୍ଥୀଙ୍କୁ ଟିକଟ ଦେବା ଏକ ମସ୍ତବଡ଼ ଭୂଲ ରହିଥିଲା ବୋଲି ରାଜନୈତିକ ସମୀକ୍ଷକମାନେ ମତପୋଷଣ କରନ୍ତି । ଜିଲ୍ଲାରେ ବିଜେଡ଼ିରେ ଅସ୍ଥିରତା ସହ ଦୁର୍ଗର ପତନକୁ କେନ୍ଦ୍ର କରି ପର୍ଯ୍ୟବେକ୍ଷକମାନଙ୍କ ବିରୋଧ ଓ ସପକ୍ଷରେ ମିଶ୍ରିତି ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ତେବେ ହାଇକମାଣ୍ଡ ଶେଷରେ ପର୍ଯ୍ୟବେକ୍ଷକଙ୍କୁ ହଟାଇ ତୃତୀୟ ମହଲାର ପ୍ରଭାବଶାଳୀ ନେତା ଭାବେ ପରିଚିତ ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କୁ ନୂତନ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଲେ । 

                 ଅତୀତରେ ବିଭିନ୍ନ ଜିଲ୍ଲା ଦାୟିତ୍ୱରେ ରହି ପର୍ଯ୍ୟବେକ୍ଷକ ବବି ତାଙ୍କର ବଳିଷ୍ଠ ସାଙ୍ଗଠନିକ ଦକ୍ଷତା  ଓ ନେତୃତ୍ୱର ପ୍ରମାଣ ଦେଇ ସାରିଥିବା ବେଳେ ମୟୂରଭଞ୍ଜ ପର୍ଯ୍ୟବେକ୍ଷକ ଦାୟିତ୍ୱ ତାଙ୍କ ନିମନ୍ତେ ଏକ ଆହ୍ୱାନ ହୋଇଛି । ଏଠାରେ ନେତାମାନଙ୍କର ମୋଢ଼ ବୁଝିବା ଭାରି କଷ୍ଟକର । ଆଠ ଦିଗ ଭଳି ନେତାମାନଙ୍କ ମୁହଁ ଗୋଟାଏ ଗୋଟାଏ ଦିଗକୁ ରହିଛି । ତେଣୁ ସମସ୍ତଙ୍କୁ ଗୋଟାଏ ଘାଟରେ ପାଣି ପିଆଇବା ନିମନ୍ତେ ମୟୂରଭଞ୍ଜ ଜିଲ୍ଲାର ଅତୀତ, ନିକଟ ଅତୀତର ପର୍ଯ୍ୟବେକ୍ଷକ ସହ ବିଭିନ୍ନ ନେତାମାନଙ୍କ ସହ ମୟୂରଭଞ୍ଜ ଆଲୋଚନା କରି ଜିଲ୍ଲା ନେତୃତ୍ୱର ଭୂଗୋଳ, ଇତିହାସ ଆଦିକୁ ସଂଗ୍ରହ କରିବା ପରେ ସେପ୍ଟେମ୍ବର ୭ ଶୁକ୍ରବାର ପ୍ରଥମ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସି ବାରିପଦା ବିଜୁଭବନ ପରିସରରେ ଆୟୋଜିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଉଥିବାର ସୂଚନା ମିଳିଛି । ସାଥୀରେ ରହିଛନ୍ତି ଅତୀତର ପର୍ଯ୍ୟବେକ୍ଷକ ସଞ୍ଜୟ ଦାସବର୍ମା ଓ ନିକଟ ଅତୀତର ପର୍ଯ୍ୟବେକ୍ଷକ ଅରୁଣ ସାହୁ । ସମସ୍ତ ନେତା, କର୍ମୀ ଓ ସମର୍ଥକମାନଙ୍କ ଉପସ୍ଥିତିରେ ଦଳୀୟ ବିପର୍ଯ୍ୟୟକୁ ସମୀକ୍ଷା କରିବା ସହ ଦଳକୁ କିପରି ସୁଦୃଢ଼ କରାଯାଇ ପାରିବ, ଦଳୀୟ ସଭ୍ୟ ସଂଗ୍ରହ ପ୍ରକ୍ରିୟାକୁ କିପରି ତୃଣମୂଳ ସ୍ତରରେ ଅଧିକ ମଜବୁତ କରାଯାଇ ପାରିବ ସେ ସମ୍ପର୍କରେ ସୁଚିନ୍ତିତ ମତାମତ ଗ୍ରହଣ କରିବେ । ବିଶେଷ କରି ଦଳୀୟ ଅନ୍ତର୍ଦ୍ୱନ୍ଦର ମୂଳ ଉତ୍ପାଟନ  ଉପରେ ଅଧିକ ଗୁରୁତ୍ୱ ଦେବା ସଂଗେସଂଗେ କର୍ମୀମାନଙ୍କ ମଧ୍ୟରେ ରହିଥିବା ଅସନ୍ତୋଷ, ଭାବାବେଗକୁ ବୁଝିବା ଏବଂ ସମସ୍ୟାର ସ୍ଥାୟୀ ସମାଧାନ ରାସ୍ତା ଖୋଜି ବାହାର କରିବା କାର୍ଯ୍ୟକାରିଣୀ ବୈଠକର ମୁଖ୍ୟ ଉଦେ୍ଧଶ୍ୟ ବୋଲି ଜଣାପଡ଼ିଛି । ଏଥି ନିମନ୍ତେ ପର୍ଯ୍ୟବେକ୍ଷକ ବବି ଏକ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିସାରିଛନ୍ତି । ତେବେ ମୟୂରଭଞ୍ଜ ଜିଲ୍ଲାରେ କ୍ଷମତା ପତିଆରା ବିସ୍ତାର ନିମନ୍ତେ ଚାଲିଥିବା ପ୍ରତିଯୋଗିତା ସହ କୋଣଠେସା ହୋଇଥିବା ପୁରୁଣା ନେତା, କର୍ମୀମାନଙ୍କୁ ମନାଇ ବିଜେଡ଼ି, ମହିଳା ବିଜେଛି, ଯୁବ ଓ ଛାତ୍ର ବିଜେଡ଼ି, ସଂଖ୍ୟାଲଘୁ ଓ କୃଷକ ଆଦି ବିଭିନ୍ନ ମୋର୍ଚ୍ଚାକୁ ଗୋଟାଏ ଛାତ ତଳକୁ ଆଣିବାରେ କେତେଦୂର ସଫଳ ହେଉଛନ୍ତି ତାହା ପରବର୍ତ୍ତି ସମୟରେ ଜଣାପଡ଼ିବ । 

0
0
0
s2sdefault