ହେଡଲାଇନସ୍:

ସାରସକଣାରେ ବିଜେଡ଼ି ବାଟବଣା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ନୂଆ ମୁହଁ ସପକ୍ଷରେ ବିଜଦ ହାଇକମାଣ୍ଡ

ଚର୍ଚ୍ଚାରେ ସରୋଜିନୀ ଚିନ୍ତାରେ ଭାଦବ,  ସୁଦାମ ଓ ବୁଢା ବି ଖେଳାଇଲେଣି ମୁଣ୍ଡ 

ବାରିପଦାରୁ ଦିଲ୍ଲୀପ ମହାନ୍ତି : ୨୦୧୯ ସାଧାରଣ ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି,  ମୟୂରଭଞ୍ଜ ଜିଲାର ସାରସକଣା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳରେ ରାଜନୈତିକ ଉଷ୍ମତା ସେତିକି ପରିମାଣରେ ବୃଦ୍ଧି ପାଇବାରେ ଲାଗିଛି । ବିଜଦ, ଭାଜପା ଓ କଂଗ୍ରେସ ଦଳର ଆଭ୍ୟନ୍ତରୀଣ ଗୋଷ୍ଠୀ କନ୍ଦଳ ଏହି ୩ ପ୍ରମୁଖ ରାଜନୈତିକ ଦଳକୁ ଅଡ଼ୁଆରେ ପକାଇଥିବା ବେଳେ ଝାମୁମୋ ନିର୍ବାଚନ ମଣ୍ଡଳୀରେ ନିଜର ସ୍ଥିତି ବା ପତିଆରାକୁ ଜାହିର କରାଇବାରେ ସଫଳ ହୋଇଥିବାର ପରିଲକ୍ଷିତ ହୋଇଛି । ବିଜଦର ଅବସ୍ଥା ନେଡ଼ି ଗୁଡ଼ କହୁଣୀକୁ ବୋହି ଯାଇଥିବାର ଜାଣି ହାଇକମାଣ୍ଡ ନୂଆ ମୁହଁ ସପକ୍ଷରେ ରହିଥିବା ବିଷୟକୁ ନେଇ ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା ଜୋର ଧରିଛି । ୨୦୦୮ ଓଡ଼ିଶା ବିଧାନସଭା କ୍ଷେତ୍ର ପୁର୍ନଗଠନ ଓ ସୀମା ନିର୍ଦ୍ଧାରଣ ସମୟରେ ସାରସକଣା, ବିଜାତୋଳା, ବିଶୋଇ ବ୍ଲକ ସହିତ କୁସୁମୀ ବ୍ଲକର ୭ଟି ଗ୍ରାମପଞ୍ଚାୟତକୁ ନେଇ ନୂତନ ଭାବେ ସାରସକଣା ନିର୍ବାଚନ ମଣ୍ଡଳୀ ଜନ୍ମ ନେଇଥିଲା । ଏହା ପୂର୍ବରୁ ସାରସକଣା ବ୍ଲକ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀରେ ରହିଆସିଥିଲା । ଗତ ୨୦୦୯ ବିଧାନସଭା ନିର୍ବାଚନରେ ବିଜଦ- ଭାଜପା ମେଣ୍ଟ ଭାଙ୍ଗି ବାମପନ୍ଥୀ  ଓ ଏନସିପି ଦଳ ସହିତ ବିଜଦର ମେଣ୍ଟ ହେବା ପରେ ଆସନ ବୁଝାମଣାରେ ବିଜଦ ତାର ଭାଗୁଆଳି ଦଳ ଏନସିପି ହାତକୁ ସାରସକଣା ଆସନ ଟେକି ଦେଇ ଥିଲା ଓ ଏନସିପି ପ୍ରାର୍ଥୀ ଝାମୁମୋ ପ୍ରାର୍ଥୀକୁ ପରାସ୍ତ କରି ବିଜୟୀ ହୋଇଥିଲା । ସେହିପରି ୨୦୧୪ ବିଧାନସଭା ନିର୍ବାଚନର ଠିକ୍ ପୂର୍ବରୁ ଝାମୁମୋର ଜିଲା ସଭାପତି ଦଳ ତ୍ୟାଗ କରି ବିଜଦରେ ଲୀନ ହୋଇଥିବା ଏବଂ ନିଜର ବହୁ ଦିନର ବିଧାୟକ ହେବାର ସ୍ୱପ୍ନ ଦେଖି ଆସୁଥିବା ଭାଦବ ହାଁସଦାଃ ଝାମୁମୋକୁ ମାର୍ଜିନ ଭୋଟ ବ୍ୟବଧାନରେ ବିଜଦ ଟିକଟରେ ନିର୍ବାଚନ ଜିତି ବିଧାୟକ ହୋଇଥିଲେ । ୨୦୦୯ ଓ ୨୦୧୪ ବିଧାନସଭା ନିର୍ବାଚନରେ ସାରସକଣା ନିର୍ବାଚନ ମଣ୍ଡଳୀରେ ବିଜଦର ହାଇକମାଣ୍ଡ ଦଳୀୟ ଟିକଟ ପ୍ରଦାନ କରିବା ସମୟରେ ସ୍ଥାନୀୟ ନେତୃମଣ୍ଡଳୀ ଓ କର୍ମୀମାନଙ୍କୁ ଉପେକ୍ଷିତ କରାଇ ନିଜ ପସନ୍ଦ ଓ ଇଚ୍ଛା ଅନୁସାରେ ପ୍ରାର୍ଥୀ ଚୟନ କରିଥିବାରୁ ସ୍ଥାନୀୟ ନେତାଙ୍କ ସହିତ ନିର୍ବାଚନ ମଣ୍ଡଳୀର ଦଳୀୟ ନେତାଙ୍କ ମଧ୍ୟରେ ମତ ପାର୍ଥକ୍ୟ ଦେଖା ଦେଇଥିଲା । ଝାମୁମୋରୁ ଆସି ବିଜଦରେ ସାମିଲ ହୋଇଥିଲେ ମଧ୍ୟ ବିଧାୟକ ଶ୍ରୀ ହାଁସଦାଃଙ୍କ ଦ୍ୱାରା  ବିଜଦର ସ୍ଥାନୀୟ ନେତା ଓ କର୍ମୀ କୋଣ ଠେସା ହେବାରୁ ମତ ପାର୍ଥକ୍ୟ ୨୦୧୪ ନିର୍ବାଚନ ପରେ ଚରମ ସୀମାରେ ପହଁଞ୍ଚିବାରୁ ପରସ୍ପର ମଧ୍ୟରେ ବଳକଷାକଷି ଓ ମୁହଁମୁହିଁ ହେଲେ ।  ବିଜଦ ଏକ ବିଧାୟକ କୈନ୍ଦ୍ରିକ ଦଳ ଭାବେ ପରିଚାଳତ ହେଉଥବାରୁ ବିଜଦର ବିଧାୟକଙ୍କ ସହିତ ସ୍ଥାନୀୟ ନେତା ଓ କର୍ମୀମାନଙ୍କ ମଧ୍ୟରେ ଆରୋପ, ପ୍ରତ୍ୟାରୋପ ଓ ବିରୋଧ ଦେଖାଦେଲା । ହାଇକମାଣ୍ଡ ପରିସ୍ଥିତିର ସ୍ଥାୟୀ ସମାଧାନ କରାଇବା ବଦଳରେ ସାରସକଣା ବ୍ଲକରେ ଜୁଲୁ ନନା ନାମରେ ଲୋକପ୍ରିୟ ନେତାଙ୍କୁ ଦଳରୁ ନିଲମ୍ବନ ଆଦେଶ ଜାରି କରାଇବା ପରେ ଦଳ ବେକ  ବ୍ୟାଙ୍କଫୁଟକୁ ଚାଲି ଗଲା । ପ୍ରତିବାଦରେ ୨୦୧୫ ଅକ୍ଟୋବରରେ ପ୍ରଥମେ ବିଜଦର ସାରସକଣା ବ୍ଲକ ଅଧ୍ୟକ୍ଷଙ୍କ ସମେତ ଉପାଧ୍ୟକ୍ଷ, ୨ ଜଣ ଜିଲାପରିଷଦ ସଦସ୍ୟ, ୧୫ ଜଣ ପଞ୍ଚାୟତ ସମିତିସଦସ୍ୟ, ୭ ଜଣ ସରପଞ୍ଚ ଓ କେତେକକର୍ମୀ ଦଳରୁ ସାମୁହିକ ଭାବେ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ବିଜଦକୁ ପ୍ରତ୍ୟେକ କଥାରେ ଖୋଲାଖୋଲି ବିରୋଧ ଆରମ୍ଭ କଲେ । ପରିଣାମ ସ୍ୱରୂପ କଲେଜ ଓ ପଞ୍ଚାୟତ ନିର୍ବାଚନରେ ବିଧାୟକ ପ୍ରାର୍ଥୀମାନେ ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଥିଲେ ଏବଂ ଅସନ୍ତୁଷ୍ଠ ଗୋଷ୍ଠୀ  ପ୍ରାର୍ଥୀମାନେ ବିଜଦ ପ୍ରାର୍ଥୀମାନଙ୍କଠାରୁ ଭାରି ପଡ଼ିଯାଇଥିଲେ । ୨୦୧୪ ବିଧାନସଭା ନିର୍ବାଚନରେ ବିଜଦକୁ ଝାମୁମୋ ସହିତ କଡ଼ା ମୁକାବିଲା କରିବାକୁ ପଡ଼ିଥିଲା । ଝାମୁମୋର ପୂର୍ବତନ ଜିଲାସଭାପତି ଓ ବର୍ତ୍ତମାନର ବିଜଦ ବିଧାୟକଙ୍କ ସପକ୍ଷରେ ୩୨.୫୬ ପ୍ରତିଶତରୁ କମ ହାରରେ ମୋଟ ୪୬, ୮୬୭ ଖଣ୍ଡ ଭୋଟ ପଡ଼ିଥିବାବେଳେ ଝାମୁମୋ ଖାତାରେ  ୨୯.୮୯ ପ୍ରତିଶତରୁ ଅଧିକ ହାରରେ ମୋଟ ୪୩, ୦୨୮ଖଣ୍ଡ ଭୋଟ ପଡ଼ିଥିଲା ଓ ଶ୍ରୀହାଁସଦାଃ ୩,୮୩୯ ଖଣ୍ଡରୁ ଅଧିକ ଭୋଟ ପାଇ ବିଜୟୀ ହୋଇଥିଲେ । ଅର୍ଥାତ ଝାମୁମୋ ଜିଲା ସଭାପତିଙ୍କର ଦଳ ତ୍ୟାଗ କରିବା ଦଳ ଉପରେ କୌଣସି ପ୍ରଭାବର ଛାପ ପ୍ରତିଫଳିତ ହୋଇ ନଥିବା ବିଷୟ ନିର୍ବାଚନ ଫଳାଫଳ ପ୍ରମାଣିତ କରାଇ ଦେଇଥିଲା । ସେହିପରି ଗତ ଜିଲାପରିଷଦ ନିର୍ବାଚନରେ ବିଜଦ ୧୯.୬୨ ପ୍ରତିଶତ ହାରରେ ୩୦,୯୦୫ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିବା ବେଳେ ଝାମୁମୋ ୨୦.୧୨ ପ୍ରତିଶତ ହାରରେ ୩୧,୬୯୯ ଭୋଟ ପାଇ ଦ୍ୱିତୀୟ ଓ ଭାଜପା ୩୬.୯୯ ପ୍ରତିଶତ ହାରରେ ୫୮,୨୭୨ ଭୋଟ ପାଇ ପ୍ରଥମ ସ୍ଥାନରେ ରହିଥିଲା ଏବଂ ସ୍ୱାଧୀନ ପ୍ରାର୍ଥୀଙ୍କ ସପକ୍ଷରେ ୧୮.୨୭ ପ୍ରତିଶତ ହାରରେ ୨୮,୭୮୦ ଭୋଟ ପଡ଼ିଥିଲା । ବିଜଦ ହାଇକମାଣ୍ଡ ଦଳର ସ୍ଥିତିକୁ ସମୀକ୍ଷା କରିବା ପରେ ଜନମତକୁ ସମ୍ମାନ ଦେଇ ସାରସକଣା ନିର୍ବାଚନ ମଣ୍ଡଳୀରେ ନୂଆ ମୁହଁ ସପକ୍ଷରେ ରହିଥିବା ବିଷୟକୁ ସର୍ବତ୍ର ହେଉଥିବା ଆଲୋଚନାରୁ ଜଣାପଡ଼ିଛି । 

ତେବେ ଏହି ନୂଆ ଚେହେରା କିଏ ତାହାକୁ ନେଇ ସସପେନ୍ସ ରହିଥିବା ବେଳେ ବିଭିନ୍ନ ମହଲରେ ପୂର୍ବତନ ମନ୍ତ୍ରୀ ତଥା ଶିକ୍ଷାବିତ୍ ଲୋକ ପ୍ରିୟ ନେତା ଓ ବିଜୁବାବୁଙ୍କର ଏକାନ୍ତ ଆନୁଗତ ଭାବେ ଜଣାଶୁଣା ଚୈତନ୍ୟ ପ୍ରସାଦ ମାଝିଙ୍କ ସୁପୁତ୍ରୀ ତଥା ନବୀନ ସରକାରରେ ପୂର୍ବତନ ମନ୍ତ୍ରୀ ଓ ବର୍ତ୍ତମାନର ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମଙ୍କ ନାମ ଚର୍ଚ୍ଚା ପରିସରରେ ରହିଅଛି । ରାଜ୍ୟସଭା ସାଂସଦ ଶ୍ରମତୀ ହେମ୍ବ୍ରମ  ଗତ ୨୦୦୯ ବିଧାନସଭା ନିର୍ବାଚନରେ ବାଙ୍ଗିରିପୋଷି ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦିତା କରି ତତ୍କାଳୀନ  ଝାମୁମୋର ରାଜ୍ୟ  ସଭାପତି ଓ ବର୍ତ୍ତମାନ ବିଜଦର ବିଧାୟକ ସୁଦାମ ମାର୍ଣ୍ଡିଙ୍କୁ ସିଧାସଳଖ ଭାବେ ୧୦,୯୪୨ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିଲେ । ବର୍ତ୍ତମାନ ରାଜ୍ୟସଭା ସାଂସଦ ଭାବେ ସାରସକଣା ନିର୍ବାଚନ ମଣ୍ଡଳୀରେ ମଧ୍ୟ ତାଙ୍କର ନିଜସ୍ୱ ସଙ୍ଗଠନ ରହିଥିବା ବେଳେ ସାରସକଣା ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀରେ ରହିଥିବା ବେଳେ ସାଂସଦଙ୍କ ପିତା ପୂର୍ବତନମନ୍ତ୍ରୀ ଚୈତନ୍ୟବାବୁ ୨୦୦୪ରେ ବିଧାୟକ ରହିଥିଲେ । ଜଣେ ଲୋକପ୍ରିୟ ନେତା ଭାବେ ତାଙ୍କର ସଙ୍ଗଠନ ମଧ୍ୟ ସାରସକଣାରେ ସକ୍ରିୟ ରହିଛି । ଗତ ଜାନୁଆରୀ ମାସରେ ପୂର୍ବତନମନ୍ତ୍ରୀ ଚୈତନ୍ୟବାବୁ ଭୂବନେଶ୍ୱରରେ ଏକ ବନ୍ଧୁ ମିଳନ ଉତ୍ସବ ଆୟୋଜନ କରିଥିଲେ, ଯେଉଁଥିରେ ଜିଲାର ବିଭିନ୍ନ ପ୍ରାନ୍ତରୁ ହଜାରେରୁ ଅଧିକ ଶୁଭେଚ୍ଛୁ, ସହକର୍ମୀ ପ୍ରମୁଖ ଯୋଗ ଦେଇଥିଲେ । ଯାହାକୁ ନେଇ ମୟୂରଭଞ୍ଜରେ କେତେକ ନେତା ଈର୍ଷାନ୍ୱିତ ହୋଇ ସମାଲୋଚନା କରିବାକୁ ପଛାଇ ନଥିଲେ । ସାଂସଦ ସରୋଜିନୀଙ୍କ ସହିତ ଅନ୍ୟ କେତେକ ନେତାଙ୍କ ନାମ ମଧ୍ୟ ଚର୍ଚ୍ଚା ପରିସରରେ ରହିଆସିଛି । ସେମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଓ ବୁଢା ମୁର୍ମୁ | ଝିଅର ବାହାଘର ଅଣଆଦିବାସୀ ଘରେ କରାଇ ବିବାଦ ଘେରକୁ ଚାଲିଆସିଥିବା ସୁଦାମଙ୍କ ପାଇଁ ବର୍ତ୍ତମାନ ନିର୍ବାଚନମଣ୍ଡଳୀ ରେ କିଛିଟା ଜଟୀଳତା ପରିଲକ୍ଷିତ ହେଉଛି | ତେଣୁ ସେ ନିଜ ନିର୍ବାଚନ ମଣ୍ଡଳୀ ବଦଳାଇବାକୁ ଚାହୁଁଛନ୍ତି  ଚର୍ଚ୍ଚା ହେଉଛି | ଆଉ ସେ କୁଆଡେ ସାରସକଣା ଉପରେ ମୁଣ୍ଡ ଖେଳାଉଛନ୍ତି ! ସେପରି ଏ ଅଂଚଳର ଜଣେ ସଂଗଠକ ଭାବେ ଜଣାଶୁଣା ବୁଢା ମୁର୍ମୁ ମଧ୍ୟ ଆଶାୟୀ ଥିବା ଜଣାପଡିଛି | ହେଲେ ଏ ନିର୍ବାଚନ ମଣ୍ଡଳୀରେ ପ୍ରାଥୀ ବଦଳାଇବାକୁ ଚାହୁଁଥିବା ବିଜେଡି ହାଇକମାଣ୍ଡ କେଉଁ ମୁହଁକୁ ପ୍ରାଧାନ୍ୟ ଦେଉଛନ୍ତି ତାହା ସମୟ ହିଁ କହିପାରିବ । 

0
0
0
s2sdefault