ହେଡଲାଇନସ୍:

ମିଶନ ବିଜେପୁର : ସରକାରଙ୍କୁ ବିଜେପିର ଟାର୍ଗେଟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଚାଷ ଓ ଚାଷୀ ସମସ୍ୟା, ରାଜନୀତିକ ହିଂସା ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଏବଂ ନୂତନ ଭୋଟରମାନଙ୍କୁ ନେଇ ରାଜ୍ୟ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ

ବିଜେପି ନେତାଙ୍କ ଘରକୁ ଆକ୍ରମଣ କରିବା ଘଟଣାକୁ ବିଜେପି ନିିନ୍ଦା

ଭୁୁବନେଶ୍ୱର/ ଚକ୍ରଧର ମାଝି : ରାଜ୍ୟ ବିଜେପିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ହୋଇଯାଇଛି । ବିଶେଷ ଭାବେ ଚାଷ ଓ ଚାଷୀ ସମସ୍ୟା, ରାଜନୀତିକ ହିଂସା ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଏବଂ ୨୦୧୮ ସୁଦ୍ଧା ନୂତନ ଭୋଟରମାନଙ୍କୁ ନୂଆ ଓଡିଶା ଗଢିବାରେ ସହଯୋଗ କରିବା ପାଇଁ ଆକାଂକ୍ଷା ସୃଷ୍ଟି କରିବା ଆବଶ୍ୟକ ବୋଲି ଏହି ବୈଠକରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ସାଧାରଣ ସଂପାଦକ ଓ ଓଡିଶା ପ୍ରଭାରୀ ଶ୍ରୀ ଅରୁଣ ସିଂହ, ବିଧାୟକ ଦଳ ନେତା ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଷ୍ଟ୍ରୀୟ ସଂପାଦକ ସୁରେଶ ପୁଜାରୀ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ଶାରଦା ପ୍ରସାଦ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।

ବୈଠକ ପରେ ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଭୃଗୁ ବକ୍ସିପାତ୍ର ସୁଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ମରୁଡି, ଚକଡା ପୋକ ଏବଂ ଅଦିନିଆ ବର୍ଷାରେ ଶହଶହ ଏକର ଜମି ନଷ୍ଟ ହୋଇଥିବାବେଳେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସଠିକ୍ କ୍ଷତିପୂରଣ ମିଳନାହିଁ । ଅନ୍ୟପଟେ ରାଜ୍ୟସରକାର ଠିକ୍ ସମୟରେ ଧାନ ଚାଷୀମାନଙ୍କ ଠାରୁ ଧାନ ସଂଗ୍ରହ କରିପାରୁନାହାଁନ୍ତି ।  ଏହି କାରଣରୁ ଚାଷୀ ୮୦୦ ରୁ ୧୦୦୦ ଟଙ୍କାରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛି । କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରିଥିବାବେଳେ ଶାସକ ବିଜେଡିର ପ୍ରରୋଚନାରେ ମଣ୍ଡିଗୁଡିକରେ କମ୍ ମୂଲ୍ୟରେ ଧାନ ସଂଗ୍ରହ କରାହେଉଛି । ଏଭଳି ପ୍ରସଂଗକୁ ରାଜ୍ୟ ବିଜେପି ଗୁରୁତର ସହ ନେଇଛି । ତୁରନ୍ତ କେନ୍ଦ୍ରସରକାରଙ୍କ ରେଟ ଚାର୍ଟ ଅନୁସାରେ ମଣ୍ଡିଗୁଡିକରେ ଧାନ ସଂଗ୍ରହ କରିବାକୁ ରାଜ୍ୟ ବିଜେପି ଦାବୀ କରିଛି । 

ସେହିପରି ଗତକାଲି ବିଜେପୁରରେ ଉପନିର୍ବାଚନ ପୂର୍ବରୁ ହିଂସା ଦେଖିବାକୁ ମିଳିଛି । ଶାସକ ବିଜେଡି ରକ୍ତମୁଖା ସାଜି  ବିଜେପି କର୍ମୀଙ୍କ ଘରକୁ ଗୁଳିମାଡ କରିଛି । ଶାସକ ବିଜେଡିର ଏଭଳି ଅମାନବୀୟ ଘଟଣାକୁ ବିଜେପି ନିନ୍ଦା କରିଛି । ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ । ପାରାଦୀପ ଠାରୁ ଆରମ୍ଭ କରି ବରଗଡ, ମନମୁଣ୍ଡ, ପିପିଲି ,ଭୁବନେଶ୍ୱର, କେନ୍ଦ୍ରାପଡା, ଗଂଜାମ, ରାୟଗଡା ଓ ଗତକାଲି ବିଜେପୁରରେ ନିର୍ବାଚନ ଘୋଷଣା ପୂର୍ବରୁ ଆତଙ୍କିତ ହୋଇ ଶାସକ ବିଜେଡି ତାଙ୍କର ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗୁଳି ଦ୍ୱାରା ବିଜେପି ନେତାଙ୍କ ଘରକୁ ଆକ୍ରମଣ କରିବା ଘଟଣାକୁ ବିଜେପି ନିିନ୍ଦା କରିଛି । ଗତ ସାଢେ ୩ ବର୍ଷ ଭିତରେ  ୧୪ ଜଣ ବିଜେପି କାର୍ଯ୍ୟକର୍ତାଙ୍କୁ ହତ୍ୟା କରାଯାଇଛି ।  ବିଜେଡିର ଇଙ୍ଗିତରେ ପୋଲିସ ସରକାରୀ ଗୁଣ୍ଡା ସାଜିଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ  କ୍ରମେ ବିଜେଡି ସାରା ରାଜ୍ୟରେ ଆତଙ୍କରାଜ କରୁଛି । ପୋଲିସର ଅସହାୟତାରୁ ଜଣାପଡୁଛି କି ପ୍ରତି ମୁହର୍ତରେ ଟିକିନିଖି ନିର୍ଦ୍ଦେଶ  ତୃତୀୟ ମହଳାରୁ ହେଉଛି । ସରକରୀ ବ୍ୟବସ୍ଥା ଉପରେ ସାଧାରଣ ଲୋକଙ୍କ ଭଳି ବିଜେପିର ଭରସା ତୁଟି ଯାଉଥିବା କାରଣରୁ ଆସନ୍ତାକାଲି ରାଜ୍ୟର ୩୦ଟି ଜିଲ୍ଲାର  ଜିଲ୍ଲା ମୁଖ୍ୟାଳୟରେ ବିଜେପି ପ୍ରତିବାଦ କରିବ । ଏଥି ସହ ଆନ୍ଦୋଳନ ଆଗାମୀ ଦିନେରେ ଗଣତାନ୍ତ୍ରିକ ଲଢେଇ ଶାଣିତ କରାଯିବ । ବୁଲେଟ ନୁହେଁ ବାଲାଟ ମାଧମରେ ନିର୍ବାଚନ ଲଢିବା ପାଇଁ ବିଜେପି ଆହ୍ୱାନ କରୁଛି ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି । 

ବିଜେଡି ପୂର୍ବରୁ କେନ୍ଦ୍ର ମନ୍ତ୍ରୀଙ୍କ ଉପରେ ଆକ୍ରମଣ ହୋଇଥିବାବେଳେ ବନ୍ଧୁକର ଭୟ ଦେଖାଇ ବିଜେପୁରବାସୀଙ୍କୁ ଶାସକ ବିଜେଡି ଏବେ ଭୟଭୀତ କରିବାକୁ ଲାଗିଛି । ଏହାକୁ ଦଳ ଗମ୍ଭୀରତାର ସହ ନେବା ସହ ରାଜ୍ୟସରକାରଙ୍କୁ ଏଭଳି କାର୍ଯ୍ୟରୁ ଦୂରେଇ ରହିବା ପାଇଁ ଚେତାବନୀ ଦେଇଛି । ପ୍ରଧାନମଂନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷ ପଂଜୀକରଣ କରୁଥିବା ଭୋଟରମାନଙ୍କୁ ଏ ଶତାଦ୍ଧୀର ଭୋଟର ଭାବେ ଘୋଷଣା କରିଛନ୍ତି । ୨୦୨୨ରେ ସ୍ୱାଧୀନତା ପ୍ରାପ୍ତିର ସୁବର୍ଣ୍ଣ ଜୟନ୍ତୀ ବର୍ଷରେ ନୂତନ ଭାରତବର୍ଷ ଓ ନୂତନ ଓଡିଶା ଗଠନରେ ସେମାନେ ବିକାଶର ସିପାହୀଭାବେ କାମ କରିବେ ବୋଲି ଆଶା ପୋଷଣ କରିଛନ୍ତି । ଏକବିଂଶ ଶତାଦ୍ଧୀରେ ଜନ୍ମିତ ନୂତନ ଭୋଟରଙ୍କୁ ରାଜ୍ୟ ବିଜେପି ସ୍ୱାଗତ କରିବ । ଏଥିସହ ସେମାନଙ୍କୁ ରାଜ୍ୟର ବିକାଶ ତଥା ନୂତନ ଓଡିଶା ଗଠନରେ ସାମିଲ କରିବା ପାଇଁ ଆଗାମୀ ଜାନୁଆରୀ ୧୨ ତାରିଖ ସ୍ୱାମୀ ବିବେକାନ୍ଦ ଜୟନ୍ତୀ  ଠାରୁ ଅପ୍ରିଲ ୧୪ ସମ୍ବିଧାନ ପ୍ରଣେତା ଡ. ବି. ଆର ଆମ୍ବେଦକର ଙ୍କ ଜୟନ୍ତୀ ପର୍ଯ୍ୟନ୍ତ ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀଙ୍କ ନେତୃତ୍ୱରେ ସାମିଲ କରାଯିବ ବୋଲି ଶ୍ରୀ ବକ୍ସିପାତ୍ର ସୁଚନା ଦେଇଛନ୍ତି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ବିଭିନ୍ନ ବସ୍ତି, ସହର ଓ ଗ୍ରାମାଚଂଳରେ କେନ୍ଦ୍ର ସରକାରଙ୍କ ବିକାଶର ବାର୍ତା ପ୍ରଚାର କରାଯିବ । ଏଥି ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ଯୋଗ୍ୟ ହିତାଧିକାରୀମାନଙ୍କୁ ଅବଗତ କରାଯିବ । ଆଗାମୀ ଦିନରେ ରାଜ୍ୟରେ ୨୪ ଘଂଟିଆ ପାଣି, ବିଜୁଳି, ରୋଷେଇ ଗ୍ୟାସ, ସଡକ, କର୍ମନିଯୁକ୍ତି, ଶୌଚାଳୟ , ଦକ୍ଷତା ଅନୁସାରେ ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ଆତ୍ମନିଯୁକ୍ତି ସହ ଦକ୍ଷତା ବିକାଶର ତାଲିମ ପ୍ରଦାନ ଆଦି କ୍ଷେତ୍ରରେ ସମୀକ୍ଷା ହୋଇଥିଲା । 

ଏହି ସମୀକ୍ଷା ବୈଠକରେ ରାଜ୍ୟ ବିଜେପି ନେତୃବୃନ୍ଦଙ୍କ ସମେତ ସମସ୍ତ ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀମାନେ ଉପସ୍ଥିତ ଥିଲେ । ବିଗତ ଦିନରେ ବିଭିନ୍ନ ମୋର୍ଚ୍ଚା ଓ ସଂଗଠନକୁ ଯେଉଁ ସବୁ ଦାୟୀତ୍ୱ ଦିଆଯାଇଥିଲା ତାର ସମୀକ୍ଷା ହେବା ସହ ଆଗାମୀ ଦିନରେ ସାଂଗଠନିକ ବକେୟା କାମ ସବୁ ସାରିବାକୁ ନିଷ୍ଫତି କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦକ ଶ୍ରୀ କାଳନ୍ଦୀ ସାମଲ, ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମହାନ୍ତି ଏବଂ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ ଉପସ୍ଥିତ ଥିଲେ । 

0
0
0
s2sdefault