ହେଡଲାଇନସ୍:

ଓଡ଼ିଶାର ଚାଷୀ ଓ ୧୬ଜିଲ୍ଲାର ଅଧିବାସୀଙ୍କ ପ୍ରତି ବିଜେପି କରୁଛି ଉପହାସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଆନ୍ତଃରାଜ୍ୟ ଜଳ ସଂପଦ ବିବାଦରେ କେନ୍ଦ୍ର ନିରବଦ୍ରଷ୍ଟା ସାଜିପାରିବ ନାହିଁ, ହସ୍ତକ୍ଷେପ କରି ସମାଧାନ କରିବା ତା’ର ଦାୟିତ୍ୱ

ମହାନଦୀ ପ୍ରସଂଗରେ କେନ୍ଦ୍ର ଜଳସଂପଦ ମନ୍ତ୍ରୀଙ୍କ ମନ୍ତବ୍ୟ ଧର୍ମକୁ ଆଖିଠାର

ଆପୋଷ ଆଲୋଚନା ଆଳରେ ଛତିଶଗଡ଼ ପ୍ରତି ପକ୍ଷପାତିତାର ଭାଷା

ଭୁବନେଶ୍ୱର/chakradhar majhi  : ମହାନଦୀର ଆନ୍ତଃ ଜଳ ବିବାଦରେ ବିଜେପି ଶାସନାଧୀନ ଛତିଶଗଡ଼ ଯେଭଳି ଖୋଲାଖୋଲି ବେଆଇନ୍‍ ଭାବେ ହୀରାକୁଦର ଉପର ମୁଣ୍ଡରେ ୬ଟି ବ୍ୟାରେଜ୍‍ ନିର୍ମାଣ କରିଛି ଓ ମହାନଦୀ ପ୍ରବାହକୁ ଓଡ଼ିଶାର ହକ୍‍କୁ ବାଧା ଦେଉଛି, ସେଥିରେ କେନ୍ଦ୍ର ଜଳ ସଂପଦ ବିଭାଗ ନୀରବଦ୍ରଷ୍ଟା ଓ ପକ୍ଷପାତିତା କରିବା ପୁଣିଥରେ କେନ୍ଦ୍ର ଜଳସଂପଦ ମନ୍ତ୍ରୀ ନୀତିନ୍‍ ଗଡ଼କରୀଙ୍କ ମନ୍ତବ୍ୟ ଓ ଚିଠିରୁ ପ୍ରମାଣିତ ହେଉଛି ବୋଲି ବିଜୁ ଜନତା ଦଳ ଉପ-ସଭାପତି ଦେବୀ  ପ୍ରସାଦ ମିଶ୍ର କହିଛନ୍ତି । ୨ ରାଜ୍ୟର ମୁଖ୍ୟମନ୍ତ୍ରୀ ତକ୍ରାଳୀନ କେନ୍ଦ୍ର ଜଳ ସଂପଦ ମନ୍ତ୍ରୀ ସୁଶ୍ରୀ ଉମା ଭାରତୀଙ୍କ ଉପସ୍ଥିତିରେ ଏ ସଂପର୍କିତ ଅଫିସ୍‍ସ୍ତରୀୟ ଆଲୋଚନା ବିଫଳ ହେବା ପରେ ଓଡ଼ିଶା ସରକାର ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ନ୍ୟାୟ ପାଇଁ ଆବେଦନ କରିଥିଲା ବେଳେ ସୁପ୍ରିମକୋର୍ଟରେ ଟ୍ରିବ୍ୟୁନାଲ ପାଇଁ ଜଳ ସଂପଦ ମନ୍ତ୍ରାଳୟ ସତ୍ୟପାଠ କଲା ପରେ, ସଂସଦର ଉଭୟ ସଦନରେ ଏଥିପାଇଁ ଜଳ ସଂପଦ ମନ୍ତ୍ରୀ ପ୍ରତିଶ୍ରୁତି ଦେବା ପରେ ପୁଣି ଘଟଣାକୁ ବିଳମ୍ବିତ କରିବା ଆପୋଷ ଆଲୋଚନାର କୁହେଳି ସୃଷ୍ଟି କରିବା ଛତିଶଗଡ଼ରେ ବିଜେପିର ସ୍ୱାର୍ଥକୁ ସୁହାଇବା ଭଳି ବୋଲି ବିଜେଡି ତରଫରୁ ଅଭିଯୋଗ କରାଯାଇଛି । ଓଡ଼ିଶା ପ୍ରତି କେନ୍ଦ୍ର ଏକ ସଂଘୀୟ ବ୍ୟବସ୍ଥାରେ ତା’ର ସାମ୍ବିଧାନିକ ଦାୟିତ୍ୱବୋଧକୁ ଏଡ଼ାଇ ଛତିଶଗଡ଼ର ଉଲ୍ଲଂଘନକୁ ଜାଣି ନୀରବଦ୍ରଷ୍ଟା ସାଜିଛି, ବରଂ ଗଡ଼କରୀଜୀ ପୂର୍ବରୁ ତ୍ରିପାକ୍ଷିକ ଆଲୋଚନାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦେଇଥିବା ମତାମତକୁ ସମ୍ମାନ ଦେଇ ଛତିଶଗଡ଼ରେ ବେଆଇନ୍‍ ନିର୍ମାଣ ଓ ମହାନଦୀ ଜଳ ପ୍ରବାହର ରୋକ୍‍କୁ ବନ୍ଦ କରିବା ନିର୍ଦ୍ଦେଶ  ସହିତ ତୁରନ୍ତ ଟ୍ରିବ୍ୟୁନାଲ ଘୋଷଣା ଓ ଟ୍ରିବ୍ୟୁନାଲର ରାୟ ପର୍ଯ୍ୟନ୍ତ ଆପୋଷ ଆଲୋଚନା ଜରିଆରେ ସମସ୍ୟାର ସମାଧାନ ପାଇଁ ପନ୍ଥା ନିରୂପଣ ଆହ୍ୱାନ କରିଥିଲେ ଓଡ଼ିଶାବାସୀ ଆଶ୍ୱସ୍ତ ହୋଇଥାନ୍ତେ ବୋଲି  ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ଉପ-ସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଛନ୍ତି ।

ସମ୍ବିଧାନର ଏଣ୍ଟ୍ରି ୫୬, ଲିଷ୍ଟ ୧ ଓ ୭ ସିଡୁ୍ୟଲ୍‍ଡ୍‍ ଅଫ୍‍ କନ୍‍ଷ୍ଟିଚୁ୍ୟସନ୍‍ରେ ସ୍ପଷ୍ଟ ଭାବେ ଲେଖାଅଛି ଯେ ଆନ୍ତଃରାଜ୍ୟ ଜଳ ସଂପଦ ବିବାଦରେ କେନ୍ଦ୍ର ନିରବଦ୍ରଷ୍ଟା ସାଜିପାରିବ ନାହିଁ, ହସ୍ତକ୍ଷେପ କରି ସମାଧାନ କରିବା ତା’ର ଦାୟିତ୍ୱ । ମାତ୍ର ଏଠାରେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ସମ୍ବିଧାନ କଥାକୁ ପାଳନ ନକରି ପକ୍ଷପାତିତା କରୁଛନ୍ତି । ଶ୍ରୀ ମିଶ୍ର ପୁଣି କହିଲେ ଯେ ପୂର୍ବରୁ ଚୁକ୍ତି ଥିଲା, ହୀରାକୁଦର ଉପର ମୁଣ୍ଡରେ ବର୍ଷକୁ ୨୦.୬୧ ମିଲିୟନ୍‍ ଏକର ଫୁଟ ଜଳ ପ୍ରବାହରୁ ୮.୩ ମିଲିୟନ ଏକର ଫୁଟ ଜଳ ତତ୍କାଳୀନ  ମଧ୍ୟପ୍ରଦେଶ ବା ଆଜିର ଛତିଶଗଡ଼ ପାଇଁ ରହିବ । ବାକି ୧୨.୬୬ ମିଲିୟନ୍‍ ଏକର ଫୁଟ ଜଳ ଓଡ଼ିଶା ଉପଯୋଗ କରିବ । ମାତ୍ର ଛତିଶଗଡ଼ ଏହାକୁ ଉଲ୍ଲଂଘନ କରି ଏକପାଖିଆ ଭାବେ ୨୭.୪୮ ମିଲିୟନ୍‍ ଏକର ଫୁଟ ପାଣି ଉପଯୋଗ ପାଇଁ ଚକ୍ରାନ୍ତ କରିଛି । ଛତିଶଗଡ଼ରେ ହେବାକୁ ଥିବା ନିର୍ବାଚନକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ଛତିଶଗଡ଼ ସରକାରକୁ ବ୍ୟାରେଜ୍‍ ନିର୍ମାଣ ବନ୍ଦ କରିବା ପାଇଁ ନିର୍ଦ୍ଦେଶ  ଦେଉନାହାନ୍ତି ବୋଲି ଶ୍ରୀ ମିଶ୍ର କହିଛନ୍ତି ।

ଶ୍ରୀ ମିଶ୍ର କହିଛନ୍ତି ଯେ ମହାନଦୀର ଉପର ମୁଣ୍ଡରେ ୬ଟି ବ୍ୟାରେଜ୍‍ କରାଯାଇଛି, ଯଥା- ସାର୍‍ଡିହା, ସେଓରିନାରାୟଣ, ବସନ୍ତପୁର, ମିରୋଇନ୍‍, କଲ୍‍ମା ଓ ସାମୋଡା । ଯେଉଁ ସବୁଥିରେ ସିଡବ୍ଲୁ୍ୟସିକୁ ଦର୍ଶାଯାଇଛି ଯେ ୨୩୨୪ ହେକ୍ଟର ଜମିକୁ ଜଳସେଚିତ କରିବା ପାଇଁ କ୍ଷୁଦ୍ର ଜଳସେଚନରେ ଅନୁମୋଦନ ଦିଆଯାଇଛି । କେନ୍ଦ୍ର ଜଳ ସଂପଦ ମନ୍ତ୍ରୀ ସଂଜୀବ ବାଲିଆନ୍‍ ମଧ୍ୟ ଅତୀତରେ ସଂସଦରେ ଏହାକୁ ସ୍ୱୀକାର କରିଛନ୍ତି । ଏହାକୁ ଛତିଶଗଡ଼ ପରିବେଶ କର୍ତ୍ତୃପକ୍ଷ (ଏସ୍‍ଇଇଏ) ମଧ୍ୟ ପରିବେଶ ଉଲ୍ଲଂଘନ ହୋଇଛି ବୋଲି ମନ୍ତବ୍ୟ ଦେଇଛନ୍ତି । ଏହିସବୁ ବ୍ୟାରେଜ୍‍ରେ ଚାଷୀଙ୍କ ନାଁ ନେଇ ଶିଳ୍ପାଞ୍ଚଳକୁ ପାଣି ଯୋଗାଇ ଦିଆଯାଉଛି । ମାତ୍ର ଛତିଶଗଡ଼ ସରକାର, ଓଡ଼ିଶା ସରକାର ଓ ସମସ୍ତଙ୍କୁ ଅନ୍ଧାରରେ ରଖି ବଡ଼ ଶିଳ୍ପ ବ୍ୟାରେଜ୍‍ ନିର୍ମାଣ କରି ଜଳ ପ୍ରବାହକୁ ସଂପୂର୍ଣ୍ଣ ଅକ୍ତିଆର କରିବା ପାଇଁ ଚାହିଁଛନ୍ତି, ଯାହା ଏବେ ପଦାରେ ପଡିଛି । ବିଜେପି ଏସବୁ ସ୍ପଷ୍ଟ ଜାଣିଥିଲେ ମଧ୍ୟ ଛତିଶଗଡ଼ରେ ତାଙ୍କ ସରକାର ଥିବାହେତୁ କୌଣସି ପଦକ୍ଷେପ ନେଉନାହିଁ । ଦଳୀୟ ମନୋବୃତ୍ତି ଯୋଗୁ ଓଡ଼ିଶାବାସୀଙ୍କ ନ୍ୟାଯ୍ୟ ଅଧିକାରର ମଧ୍ୟ ବ୍ୟାଘାତ ହେଉଛି । ଏସବୁ କିଛି ନୂଆ ନୁହେଁ । ବିଭିନ୍ନ ଆଲୋଚନାରେ ଏସବୁ ଦର୍ଶାଯାଇଥିଲେ ବି ବିଜେପି ‘ଦାସେ ଆଇଲେ ମୂଳରୁ ଗା’ ନୀତିରେ ଟାଳଟୁଳ କରି ଚାଲିଛି ବୋଲି ଶ୍ରୀ ମିଶ୍ର କହିଛନ୍ତି । ଏହା ବିଜେପିର ଓଡ଼ିଶାର ଚାଷୀ ଓ ୧୬ଜିଲ୍ଲାର ଅଧିବାସୀଙ୍କ ପ୍ରତି ଏକ ଉପହାସ । 

ବିଜୁ ଜନତା ଦଳ ସାଂସଦ ପିନାକୀ ମିଶ୍ର କହିଲେ ଯେ ଓଡ଼ିଶା ପ୍ରତି ଅବିଚାର ହିଁ ବିଜେପିର ବିଚାର ନୀତି ପାଲଟିଛି । ୨୦ ସେପ୍ଟେମ୍ବର ୨୦୧୭ରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ବିଭାଗ ଛତିଶଗଡ଼ର ଜଳସଂପଦ ବିଭାଗ ସଚିବଙ୍କୁ ଚିଠି ଲେଖିଥିଲେ । ଜଳସେଚନର ଆଳ ଦେଖାଇ ଶିଳ୍ପାଞ୍ଚଳଗୁଡିକୁ ପାଣି ଯୋଗାଇ ଦେବାକୁ ଚାହୁଁଛନ୍ତି କି? ପ୍ରତ୍ୟେକ ବ୍ୟାରେଜ୍‍ରେ କେତେ ଶିଳ୍ପକୁ ପାଣି ଯୋଗାଇ ଦିଆଯାଉଛି, ତାହା ମଧ୍ୟ ସେ ଚିଠିରେ ଉଲ୍ଲେଖ କରିଥିଲେ । ଏଥିରୁ ସ୍ପଷ୍ଟ ହେଉଛି, ଛତିଶଗଡ଼ ସରକାର ଏ ପର୍ଯ୍ୟନ୍ତ ଯାହା ତଥ୍ୟ ଦେଇଆସିଛନ୍ତି ସଂପୂର୍ଣ୍ଣ ମିଥ୍ୟା । ପ୍ରକୃତ ସତ୍ୟ ହେଉଛି ଛତିଶଗଡ଼ର ବିଜେପି ସରକାର ସାମୋଡ଼ା ବ୍ୟାରେଜ୍‍ରୁ ଥର୍ମାଲ ପାୱାର ପ୍ଲାଣ୍ଟ ଅଫ୍‍ ଜିଏମ୍‍ଆର୍‍ ଏନର୍ଜି ଲିଃ ରାଇଖେଦାକୁ ପାଣିଯୋଗାଇ ଦେଉଥିବା ବେଳେ ସେଓରୀନାରାୟଣ ବ୍ୟାରେଜ୍‍ରୁ ଜିନ୍ଦଲ ଷ୍ଟିଲ୍‍ ପାୱାର ଲିଃ, କର୍ଣ୍ଣାଟକ ପାୱାର ଲିଃ ଓ କେଏସ୍‍କେ ମହାନଦୀ କମ୍ପାନୀ ଲିଃକୁ ପାଣି ଯୋଗାଇ ଦିଆଯାଉଛି । ସେହିପରି ବସନ୍ତପୁର ବ୍ୟାରେଜ୍‍ରୁ ୭ଟି କମ୍ପାନୀକୁ ପାଣି ଯୋଗାଇ ଦିଆଯାଉଛି । ଏହି କମ୍ପାନୀଗୁଡିକ ହେଲା, ସୋନା ପାୱାର ପ୍ରା.ଲିଃ, ଜିନ୍ଦଲ ଇଣ୍ଡିଆ ଲିଃ, କେଏସ୍‍କେ ମହାନଦୀ କମ୍ପାନୀ ଲିଃ, ଭିଡିଓକନ୍‍ ଇଣ୍ଡିଆ ଲିଃ, ଭୂଷଣ ଏନର୍ଜି ଲିଃ, ଜିନ୍ଦଲ ଷ୍ଟିଲ୍‍ ଓ ପାୱାର ଲିଃ, ନାଲୱା ଷ୍ଟିଲ୍‍ ଓ ପାୱାର ଲିଃ ଆଦି । ମିରୋନୀ ବ୍ୟାରେଜ୍‍ରୁ ୮ଟି କମ୍ପାନୀକୁ ପାଣି ଯୋଗାଇ ଦିଆଯାଉଛି । ଏହି କମ୍ପାନୀଗୁଡିକ ହେଲେ ଆଥେନା ସି.ଜି. ଲିଃ, ଶ୍ୟାମ ସେଞ୍ଚୁରୀ ଲିଃ, ଭୂଷଣ ପାୱାର ଓ ଷ୍ଟିଲ ଲିଃ, ମୋଜର ବିୟର ଲିଃ, କସ୍‍ମସ୍‍ ସ୍ପଞ୍ଜ ଓ ପାୱାର ଲିଃ, ଏସ୍‍କେଏସ୍‍ ଇସ୍ପାତ ଓ ପାୱାର ଲିଃ, ଏସ୍‍କେଏସ୍‍ ପାୱାର ଜେନେରେସନ୍‍ ଲିଃ, ନାଲୱା ଷ୍ଟିଲ୍‍ ଓ ପାୱାର ଲିଃ । ସାର୍‍ଡିହା ବ୍ୟାରେଜ୍‍ରୁ ମଧ୍ୟ ୮ଟି କମ୍ପାନୀକୁ ପାଣି ଯୋଗାଇ ଦିଆଯାଉଛି । ଏହି କମ୍ପାନୀଗୁଡିକ ହେଲେ ଇଣ୍ଡ୍‍ ଭାରତ ଲିଃ, ଭିସା ପାୱାର ଲିଃ, ବିଇସି ପାୱାର ଲିଃ, ଏସ୍‍କେଏସ୍‍ ଇସ୍ପାତ ଲିଃ, ଆର୍‍କେଏମ୍‍ ଜେନ୍‍ ପ୍ରା.ଲିଃ, ଏସ୍‍କେଏସ୍‍ ପାୱାର ଜେନେରେସନ୍‍, ଏନ୍‍ଟିପିସି ଲାରା ଏବଂ  ଏସ୍‍କେଏସ୍‍ ଇସ୍ପାତ ଓ ପାୱାର ଲିଃ । ସେହିପରି କଲ୍‍ମା ବ୍ୟାରେଜ୍‍ରୁ ମୋନେଟ୍‍ ଇସ୍ପାତ ଓ ଏନର୍ଜି ଲିଃ, ଜେଏସ୍‍ଡବ୍ଲୁ୍ୟ ଏନର୍ଜି ଲିଃ, ଟପ୍‍ୱର୍ଥ ଲିଃ, ଜିନ୍ଦଲ ପାୱାର ଲିଃ, ଡିବି ପାୱାର ଲିଃ, କୋର୍‍ବା ୱେଷ୍ଟ ପାୱାର ଲିଃ, ମହାବୀର ଗ୍ଲୋବାଲ୍‍ ଲିଃ ଓ ମହାବୀର ଏନର୍ଜି ଲିଃକୁ ପାଣି ଯୋଗାଉଛନ୍ତି । ସାଂସଦ ଶ୍ରୀ ମିଶ୍ର କହିଛନ୍ତି ଯେ ବଡ଼କଥା ହେଉଛି, ଛତିଶଗଡ଼ ସରକାର ନୁହେଁ, ମହାନଦୀର ଉପର ମୁଣ୍ଡରେ ହେଉଥିବା ବ୍ୟାରେଜ୍‍ ସବୁକୁ ଏହି କମ୍ପାନୀମାନେ ନିର୍ମାଣ କରୁଛନ୍ତି । ସାଂସଦ ଶ୍ରୀ ମିଶ୍ର କହିଛନ୍ତି ଯେ କେନ୍ଦ୍ର ଜଙ୍ଗଲ ବିଭାଗର ଏଭଳି ଏକ କଡ଼ା ଚିଠି ସତ୍ତେ୍ୱ କେନ୍ଦ୍ର ଜଳ ସଂପଦ ମନ୍ତ୍ରୀ ଯେଉଁ ଆଚରଣ ଦେଖାଉଛନ୍ତି, ତାହାକୁ ଓଡ଼ିଶା ଜନସାଧାରଣ କେବେବି କ୍ଷମା ଦେବେନାହିଁ । ଓଡ଼ିଶାର ବିଜୁ ଜନତା ଦଳ ସରକାର ଏହି ଚିଠିକୁ ମାନ୍ୟବର ସୁପ୍ରିମକୋର୍ଟ ଓ ଗ୍ରୀନ୍‍ ଟ୍ରିବ୍ୟୁନାଲରେ ଦାଖଲ କରିବେ । 

ରାଜ୍ୟବାସୀ ଆଶା କରୁଥିଲେ, ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀ ଜଳସଂପଦ ବିଭାଗର ଦାୟିତ୍ୱ ନେବା ପରେ ଓଡ଼ିଶା ପ୍ରତି ଅବିଚାର ନକରି କିଛି ଠୋସ୍‍ ପଦକ୍ଷେପ ନେବେ । ମାତ୍ର କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଚିଠି କେବଳ ଏକ ଚକ୍ରାନ୍ତ ବୋଲି ମୁଖପାତ୍ର ତଥା ସାଂସଦ ପ୍ରତାପ କେଶରୀ ଦେବ କହିଛନ୍ତି । ବିଜେଡି ଭାରତୀୟ ଜନତା ପାର୍ଟିର ଚକ୍ରାନ୍ତକୁ ପଣ୍ଡ କରିବା ପାଇଁ ଜନମତ ଲଢେ଼ଇ ସହ ନ୍ୟାୟିକ ଲଢେ଼ଇ ଜାରି ରଖିବ ବୋଲି ଶ୍ରୀ ଦେବ କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ସରକାରୀ ଉପ-ମୁଖ୍ୟ ସଚେତକ ରୋହିତ ପୂଜାରୀ ଉପସ୍ଥିତ ଥିଲେ ।

0
0
0
s2sdefault