ହେଡଲାଇନସ୍:

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀ ବିରୋଧୀ - ପ୍ରସାଦ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

• ସ୍ୱାମୀନାଥନ୍ କମିଟି ସୁପାରିଶ ଅନୁଯାୟୀ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉତ୍ପାଦନ  ଖର୍ଚ୍ଚର ଦେଢଗୁଣା କରିବେ ବୋଲି ମୋଦିଙ୍କ ପ୍ରତିଶ୍ରୁତି ପ୍ରତିଶ୍ରୁତି ପାଣିର ଗାର 

• ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ୨୦୦ ଟଙ୍କା ବୋନସ୍ ଦେବାକୁ ମୁଖ୍ୟମନ୍ତ୍ରୀଂକ ଘୋଷଣା କେବଳ ପ୍ରତାରଣା

ଭୁବନେଶ୍ୱର/ଚକ୍ରଧର ମାଝି - ନରେନ୍ଦ୍ର ମୋଦି ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୫୫୦ ଟଙ୍କାରୁ ନ ବଢାଇବା ରାଜ୍ୟର ଚାଷୀକୂଳ ପ୍ରତି ଶକ୍ତ ଧକ୍କା । ୨୦୧୭-୧୮ ଲାଗି ଧାର୍ଯ୍ୟ କରାଯାଇଥିବା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଯଥେଷ୍ଟ ଓ ଏଥିରେ ବୃଦ୍ଧି କରିବାରି କୌଣସି ସମ୍ଭାବନା ନାହିଁ ବୋଲି କେନ୍ଦ୍ର କୃଷି ସଶକ୍ତି କରଣ ରାଷ୍ଟ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ପ୍ରକାଶ କରିବା ଦୁର୍ଭାଗ୍ୟଜନକ । ରାଜ୍ୟ ବିଧାନସଭାରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା ସର୍ବସମ୍ମତି କ୍ରମେ ପାରିତ ହୋଇଥିବା ପ୍ରସ୍ତାବକୁ କେନ୍ଦ୍ର ସରକାର ପ୍ରତ୍ୟାଖ୍ୟାନ କରି ରାଜ୍ୟର ଚାଷୀକୂଳ ପ୍ରତି ବିଶ୍ୱାସଘାତକତା କରିଛନ୍ତି ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ କହିଛନ୍ତି । 

ବିଧାନସଭାର ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଆଲୋଚନା କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ବାରମ୍ବାର ଚିଠି ଲେଖିଥିଲେ ମଧ୍ୟ କୌଣସି ଉତର ମିଳିନଥିଲା । କିନ୍ତୁ ଏବେ କେନ୍ଦ୍ର କୃଷି ମନ୍ତ୍ରୀଙ୍କର ସୂଚନା ଅନୁଯାୟୀ କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ନବଢାଇବା ପାଇଁ ଜିଦ୍ରେ ଅଟଳ ରହିଛନ୍ତି । ବର୍ତମାନ କ୍ୱିଂଟାଲ ପିଛା ସହାୟକ ମୂଲ୍ୟ ୧୫୫୦ ଟଙ୍କା ଉପରେ ଜଣେ ଚାଷୀ ୪୩୩ ଟଙ୍କା ଲାଭ ପାଉଛି ବୋଲି କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀଙ୍କର ଉକ୍ତି ହାସ୍ୟାସ୍ପଦ । ସରକାରୀ ଆକଳନ ଅନୁଯାୟୀ ଧାନ କ୍ୱିଂଟାଲ ଉତ୍ପାଦନ  ଖର୍ଚ୍ଚ ୨୩୪୪ ଟଙ୍କା ହୋଇଥିବାରୁ ସର୍ବନିମ୍ନ ସହାୟକ ମୂଲ୍ୟ ଅତିକମ୍ରେ ୨୯୩୦ ଟଙ୍କା କରିବା ପାଇଁ ବିଧାନସଭାରେ ସର୍ବସମ୍ମତି ପ୍ରସ୍ତାବ ଗୃହୀତ ହୋଇଥିଲା । କେନ୍ଦ୍ର ସରକାରଙ୍କର “ଏଗ୍ରିକଲଚରାଲ କଷ୍ଟ୍ ଆଣ୍ଡ ପ୍ରାଇସ୍ କମିଶନ”ଧାନର ଉତ୍ପାଦନ  ଖର୍ଚ୍ଚ ୧୧୧୭ ଟଙ୍କା ଉପରେ ସର୍ବନିମ୍ନ ଧାର୍ଯ୍ୟ ମୂଲ୍ୟଠାରୁ ଚାଷୀ ୪୩୩ ଟଙ୍କା ଲାଭ ପାଉଛି ବୋଲି କିପରି ଆକଳନ କଲେ ତାହା ସନ୍ଦେହଜନକ  । ମରୁଡି ଓ ଚକଡା ରୋଗପୋକ ଆକ୍ରମଣରେ ଚାଷୀକୂଳ ଦୁର୍ଦ୍ଧଶାର ସମ୍ମୁଖିନ ହେଉଥିବା ବେଳେ ଧାନ ସଂଗ୍ରହ ବେଳେ ଏ.ଏଫ୍.କୁ୍ୟ ମାନର ସର୍ତରେ କୋହଳ ମନୋଭାବ ପୋଷଣ କରିବାକୁ ରାଜ୍ୟର ଅନୁରୋଧକୁ ମଧ୍ୟ କେନ୍ଦ୍ର ସରକାର ଏଡେଇ ଦେଇଛନ୍ତି । ତେବେ ନରେନ୍ଦ୍ର ମୋଦି ଶାସନକୁ ଆସିଲା ପରେ ସ୍ୱାମୀନାଥନ୍ କମିଟି ସୁପାରିଶ ଅନୁଯାୟୀ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉତ୍ପାଦନ ଖର୍ଚ୍ଚର ଦେଢଗୁଣା କରିବେ  ବୋଲି ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପାଣିର ଗାର ହୋଇଯାଇଛି । ମିଥ୍ୟା ପ୍ରତିଶ୍ରୁତିରେ କୋଟି କୋଟି ଚାଷୀଙ୍କୁ ଫସାଇ ଥିବା ମୋଦି ସରକାରର ଅସଲ ଚେହେରା ପଦାରେ ପଡିଛି । ଏହି ନିଷ୍ପତି ରାଜ୍ୟ ଚାଷ ଏବଂ ଚାଷୀଙ୍କୁ ବିପର୍ଯ୍ୟସ୍ତ କରିଦେବ । ରାଜ୍ୟ ସରକାର ମଧ୍ୟ ଚାଷୀଙ୍କୁ ଧୋକା ଦେବାରେ ପଛରେ ପଡିନାହାନ୍ତି । ଦୁଇବର୍ଷ ତଳେ ମୁଖ୍ୟମନ୍ତ୍ରୀ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ୨୦୦ ଟଙ୍କା ବୋନସ୍ ଦେବେ ବୋଲି ଘୋଷଣା କରିଥିଲେ ମଧ୍ୟ ଘୋଷଣା ଘୋଷଣାରେ ରହିଗଲା । ଏଥିରେ ମୁଖ୍ୟମନ୍ତ୍ରୀଙ୍କର ଆନ୍ତରିକତା ନଥିଲା ବୋଲି ସ୍ପଷ୍ଟ ଅନୁମେୟ ।  କେନ୍ଦ୍ର ସରକାର ରାଜ୍ୟର ଚାଷୀକୂଳକୁ ବାରମ୍ବାର ପ୍ରତାରିତ ନକରି ନିଷ୍ପତିର ପୁନଃର୍ବିଚାର କରନ୍ତୁ ବୋଲି ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି ।

0
0
0
s2sdefault