ହେଡଲାଇନସ୍:

ରେଳ ରାଷ୍ଟ୍ରମନ୍ତ୍ରୀଙ୍କ ‘ମନ୍‍ କି ବାତ୍‍’, ମୋ ପାଖରେ ତଥ୍ୟ ନାହିଁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : କେନ୍ଦ୍ର ରେଳ ରାଷ୍ଟମନ୍ତ୍ରୀ ଶନିବାର ଭୁବନେଶ୍ୱରରେ ଡାକିଥିବା ସାମ୍ବାଦିକ ସମ୍ମିଳନୀରେ ରାଜ୍ୟର କେତେ ପ୍ରକଳ୍ପ ସଂପୂର୍ଣ୍ଣ ହୋଇନାହିଁ ଓ ଏଥିରେ କେତେ ବ୍ୟୟ ବରାଦ କରାଯାଇଛି ଆଦି ବହୁ ପ୍ରଶ୍ନର ଉତ୍ତର ଦେଇପାରି ନାହାନ୍ତି । ଏହା କ’ଣ ମୋଦି ସୁଶାସନର ଅନ୍ୟତମ ପ୍ରମାଣ ବୋଲି ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ ପ୍ରଶ୍ନ କରିଛନ୍ତି ।

ରେଳ ରାଷ୍ଟ୍ରମନ୍ତ୍ରୀ ଓଡ଼ିଶା ଗସ୍ତ ବେଳେ ଏ ରାଜ୍ୟର ରେଳ ପ୍ରକଳ୍ପଗୁଡିକ ନେଇ ତଥ୍ୟ ରଖିନଥିବା ଜଣାଇଦିଏ, ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କ ଅବହେଳା ଲକ୍ଷ୍ମଣରେଖା ଟପିଗଲାଣି । ବିଜେପୁରରେ ମନ୍‍ କି ବାତ୍‍ ଶୁଣାଇବାକୁ ଦୁଇ କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟର କେତେ ଛାମୁଆ ନେତା ହାଜର ହେବେ ସେ ହିସାବ ବିଜେପି କରିସାରିଥିବା ବେଳେ ଏ ରାଜ୍ୟର କେତେ ରେଳ ପ୍ରକଳ୍ପ ଅସଂପୂର୍ଣ୍ଣ, ତା’ହିସାବ ନାହିଁ କିପରି? ପାଖରେ ତଥ୍ୟ ନଥିବାରୁ ରେଳ ରାଷ୍ଟ୍ରମନ୍ତ୍ରୀ ବାହାପିଆମୀ ଦେଖାଇ ଗତ ୩ବର୍ଷ ମଧ୍ୟରେ ପୂର୍ବ ସରକାରଗୁଡିକ ତୁଳନାରେ ସର୍ବାଧିକ ଟଙ୍କା ଓଡ଼ିଶାକୁ ଅନୁମୋଦନ କରାଯାଇଥିବା ନେଇ ଗାଲୁ ଗଳ୍ପ ବଖାଣିଛନ୍ତି । ସେହିପରି ଶ୍ରୀ ନାୟକ କହିଛନ୍ତି ଯେ ୟୁପିଏ ସରକାର ଅମଳରେ ଓଡ଼ିଶା ପ୍ରତି ଯେପରି ଅବହେଳା କରାଯାଉଥିଲା, ବର୍ତ୍ତମାନ ଏନ୍‍ଡିଏ ସରକାର ଅମଳରେ ସେହିପରି ଅବହେଳା ସୃଷ୍ଟି କରାଯାଉଛି । ଯଦି କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ଓଡ଼ିଶା ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ବୋଲି ଭାବିଥାନ୍ତେ, ତେବେ ସାମ୍ବାଦିକ ସମ୍ମିଳନୀରେ ସେ ସବୁ ପ୍ରଶ୍ନର ଉତ୍ତର ଦେବା ପାଇଁ ତଥ୍ୟ ରଖିଥାନ୍ତେ । ତଥ୍ୟ ନଥାଇ ରାଜ୍ୟକୁ ଦୋଷ ଦେବା କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀଙ୍କ ଗାଲୁଆଙ୍କ ବାରବାଟୀ ଚାଷ ସଦୃଶ । କିନ୍ତୁ ରେଳ ରାଷ୍ଟ୍ରମନ୍ତ୍ରୀଙ୍କ ମନ୍‍ କି ବାତ୍‍ ହେଲା, ‘ମୋ ପାଖରେ ତଥ୍ୟ ନାହିଁ’ ଓ ଏହା ପ୍ରମାଣ କରିଦିଏ ଯେ ଓଡ଼ିଶା ପ୍ରତି ଏନ୍‍ଡିଏ ସରକାରର କେତେ ଅବଜ୍ଞା ମନୋଭାବ ରହିଛି । ଏହା ବିଜେପିର କେଉଁ ପ୍ରକାର ସୁଶାସନ ପରିଚୟ ଦିଏ ବୋଲି ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି ।

0
0
0
s2sdefault