ନବୀନ ସରକାର ଓଡିଶାର ସବୁ ଲୋକଙ୍କୁ ସବୁ ଦିନ ପାଇଁ  ବୋକା ବନାଇ ପାରିବେ ନାହିଁ  :ପୃଥ୍ୱୀରାଜ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

୨୦ ବର୍ଷର ବିଜେଡିକୁ ବିଜେପିର ୨୦ଟି ପ୍ରଶ୍ନ

ପ୍ରତିଷ୍ଠା ଦିବସରେ ପ୍ରଶ୍ନଗୁଡିକର ଉତ୍ତର ରଖିବାକୁ ଆହ୍ୱାନ 

ଭୁୁବନେଶ୍ୱର/ଦୀନବନ୍ଧୁ ନାୟକ  – ୧୮ ବର୍ଷର  ଓଡିଶାବାସୀଙ୍କ ଜନ ଆଶୀର୍ବାଦ ଓ ଚାରି –ଚାରି ଥର ସରକାର ଗଠନ ପରେ ବିଜେଡି  ପ୍ରତିଷ୍ଠା  ୨୦ ବର୍ଷ ପୂର୍ତି ପାଳନ ଅବସରରେ ଓଡିଶାବାସୀଙ୍କ ୨୦ଟି ପ୍ରଶ୍ନର ଜବାବ ଦେବାକୁ ଆହ୍ୱାନ ଜଣାଇଛି ବିଜେପି । ବିଜେଡିର ପ୍ରତିଷ୍ଠା  ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱିରାଜ ହରିଚନ୍ଦନ, ନବୀନ ସରକାର ଓଡିଶାର ସବୁ ଲୋକଙ୍କୁ ସବୁ ଦିନ ପାଇଁ  ବୋକା ବନାଇ ପାରିବେ ନାହିଁ ବୋଲି କହିବା ସହ ବିଜେଡିକୁ ୨୦ଟି ପ୍ରଶ୍ନ ପଚାରି ଏହାର ଜବାବ ରଖିବାକୁ ଆହ୍ୱାନ ଜଣାଇଛନ୍ତି ଶ୍ରୀ ହରିଚନ୍ଦନ । 

ବିଜେପି ପରଚାରିଥିବା ପ୍ରଶ୍ନ ଗୁଡିକ ହେଲା ବିଜେଡି ନେତାଙ୍କର ଛତ୍ର ଛାୟା ତଳେ ଚିଟ ଫଣ୍ଡ ମହା ଦୁର୍ନୀତିରେ ପାଇଁ   ବହୁଚର୍ଚିତ କର୍ପସ ଫଣ୍ଡ କୁଆଡେ ଗଲା ? କ୍ଷତିଗ୍ରସ୍ତ ଜମାଜାରୀଙ୍କୁ କେବେ ଟଙ୍କା ଫେରସ୍ତ ମିଳିବ  । ସରକାରୀ ପ୍ରୋତ୍ସାହନରେ ଖଣି ଚୋରୀ  ଓ ପରେ ୬୧ ହଜାର କୋଟି ଜୋରିମାନା ନୋଟିସ ଓ କୋର୍ଟଙ୍କ ରାୟ ଆଳରେ  ୧୭ ହଜାର କୋଟିରେ ସୀମିତ କାହିଁକି ? ଅଯାଚିତ ଅନୁକମ୍ପା ଦେଖାଇ ଖଣି ଲିଜଧାରୀଙ୍କୁ ଖସି ଯିବା ପାଇଁ ଗଳା ବାଟ କାହିଁକି ଦେଖାଉଛନ୍ତି ରାଜ୍ୟ ସରକାର ? ଫସଲହାନୀ  ଓ ଋଣଜନିତ ଚାଷୀ ଆତ୍ମହତ୍ୟା  କେବେ ମାନିବେ ସରକାର ? ମୃତ ଚାଷୀ ମାନଙ୍କ ପରିବାରକୁ କ୍ଷତିପୂରଣ ମିଳିବ କେବେ ? କେନ୍ଦ୍ର  ଧାନ କ୍ୱିଂଟାଲ ପିଛା ୧୫୫୦ ଟଙ୍କାର ଏମଏସପି ପ୍ରଦାନ କରୁଥିବା ବେଳେ ୧୦୦୦-୧୨୦୦ ଟଙ୍କାରେ ଧାନ ଚାଷୀ କାହିଁକି ଅଭାବୀ ବିକ୍ରୀ କରୁଛି ବାଲି ବିଜେପି ପ୍ରଶ୍ନ କରିଛି । ସେହିପରି ନକଲି ବିହନ ଓ କୀଟନାଶକ ବିକି ଚାଷୀଙ୍କୁ ସର୍ବସ୍ୱାନ୍ତ କରିଥିବା ନେତା-ଅଫିସରଙ୍କ ବିରୁଦ୍ଧରେ କେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ? ଗତ ପାଂଚ ବର୍ଷ ଧରି କୃଷି କମିଶନ ରିପୋର୍ଟ ପଡି ରହିଥିବା ବେଳେ  ଏହାକେବେ କାର୍ଯ୍ୟକାରୀ ହେବ? ଭାଗଚାଷୀଙ୍କ ପାଇଁ କେବେ ବନ୍ଦ ହେବ ,କୁମ୍ଭୀର କାନ୍ଦଣା ଓ ସେମାନଙ୍କୁ ମିଳିବ ଚାଷୀ ଅଧିକାର ? ମନରେଗାରେ  ବର୍ଷକୁ  ଅନ୍ୟୁନ ୧୫୦ ଦିନର  କାମ ମିଳିବାର ବ୍ୟବସ୍ଥା ଥିବା ବେଳେ୫୦ ଦିନର କାମ  କାହିଁକି ମିଳୁନି  ? ଓଡିଶାର କୋଇଲାରେ ସାରା ଦେଶରେ ଆଲୁଅ । ରାଜ୍ୟର କୋଟିଏ ଘରୁ ୩୬ ଲକ୍ଷ ଘରେ ବିଜୁଳି କାହିଁକି ପହଂଚିନି ? କାହିଁକି ଭୁଷୁଡିଛି ରାଜ୍ୟର ସ୍ୱାସ୍ଥ୍ୟ ସେବା ? ଡାକ୍ତରଖାନା କାହିଁକି ଡାକ୍ତରଶୂନ୍ୟ ?  କାହିଁକି ହଜାରେରୁ ଅଧିକ ଡାକ୍ତର ପଦବୀ ଖାଲି ଇତ୍ୟାଦି ପ୍ରଶ୍ନର ଉତର ରଖିବାକୁ ବିଜେପି ଆହ୍ୱାନ ଦେଇଛି । ପ୍ରସୂତି ମହିଳା ଅଟୋରେ, ଖଟରେ, ବେତା, ଟୋକେଇରେ ବୁହା ହୋଇ ରାସ୍ତା ଘାଟରେ ପ୍ରସବ କରୁଛି ।  ଏହା କଣ ମା କୁ ସମ୍ମାନ ? ସ୍କୁଲରେ ମଧ୍ୟାହ୍ନ ଭୋଜନ ଓ ଅଙ୍ଗନବାଡିରେ ଟେକ ହୋମ ରାସନ ଖାଇବା ଯୋଗ୍ୟ ନ ଥିବା ନିମ୍ନ ମାନର ଖାଦ୍ୟ ସାମଗ୍ରୀ ଯୋଗାଣ  ବନ୍ଦ ହୋଇ କେବେ ମିଳିବ ଉଚିତ ମାନର ଖାଦ୍ୟ ଓ   ଦୁର୍ନୀତିର କାର୍ପଟଦାର ମାନଙ୍କୁ କେବେ ମିଳିବ ଦଣ୍ଡ ? ୩୦  ପ୍ରତିଶତ ଜମି ବି ଜଳ ସେଚନର ସୁବିଧାରୁ ବଂଚିତ । କୁଆଡେ ଗଲା ଜଳସେଚନ ପାଇଁ ଲମ୍ବା ପ୍ରତିଶ୍ରୁତି ? ରାଜ୍ୟର ୧୨ ହଜାର ୪୪୨ଟି ଗ୍ରାମକୁ ଏପର୍ଯ୍ୟନ୍ତ କାହିଁକି ନାହିଁ ସବୁ ଦିନିଆ ରାସ୍ତା ? ଜରୁରୀ ପରିସ୍ଥିତିରେ  ଆମ୍ବୁଲାନ୍ସ ନ ପହଂଚିବା କାରଣରୁ ଜୀବନ ହାନୀର କିଏ ନେବ ଦାୟିତ୍ୱ ? ଆଳୁ ମିଶନ, ପିଆଜ ମିଶନ ଫେଲ । ୨୦୦୦ ମସିହାରେ ସରକାରଙ୍କର ୫ ସଚଳ ଶୀତଳ ଭଣ୍ଡାର ଥିବା ବେଳେ ୨୦୧୭ରେ ବି ୫ । ଚାଷୀକୁ ପ୍ରତାରିତ କରିଛି କିଏ  ?  ଲକ୍ଷ ଲକ୍ଷ ନିଯୁକ୍ତି ପ୍ରତିଶ୍ରୁତି ସତ୍ୱେ ଉକ୍ରଟ ବେକାରୀ ଓ ଓଡିଆ ଯୁବକ ବାହାର ରାଜ୍ୟକୁ  ଦାଦନ ଖଟିବାକୁ ଯିବାର ଦାୟିତ୍ୱ କାହିଁକି ମୁଣ୍ଡକୁ ନେଉ ନାହାନ୍ତି ସରକାର ? ଏବଂ ଲଘୁ ବନଜାତ ଦ୍ରବ୍ୟର ଏମଏସପି  କେନ୍ଦ୍ର ସରକାର ଘୋଷଣା କରିବା ସତ୍ୱେ ଗରୀବ ଓଡିଆ ଆଦିବାସୀକୁ ସରକାରୀ ମୂଲ୍ୟ କଣ ପାଇଁ ମିଳୁନି ବୋଲି ବିଜେପି ପ୍ରଶ୍ନ କରିବା ସହ ଏହାର ଉତର ରଖିବାକୁ ଦାବି କରିଛି  । 

ଉପରୋକ୍ତ ୨୦ଟି ପ୍ରଶ୍ନର ଉତର ମୁଖ୍ୟମନ୍ତ୍ରୀଶ୍ରୀ ହରିଚନ୍ଦନ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପ ସଭାପତି  ସମୀର ମହାନ୍ତି, ରାଜ୍ୟ ମୁଖପାତ୍ର ସଜ୍ଜନ  ଶର୍ମା, ଦିଲୀପ ମହାନ୍ତି ଓ ଗୋଲକ ପ୍ରସାଦ ମହାପାତ୍ର, ରାଜ୍ୟ ସଂପାଦକ  ଦିଲୀପ ମଲ୍ଲିକ, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault