ହେଡଲାଇନସ୍:

ଉଦଳା ସିଂହାସନ, କିଏ କିଣିବ ଭୋଟରଙ୍କ ମନ !!

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଖୋଜା ଚାଲିଛି ଗୋଲକଙ୍କ ଉତ୍ତରାଧିକାରୀ 

ଆଶାରେ ବିଜେଡି ହ୍ୟାଟ୍ରିକ ନେବ ମାରି 

ସିଟ ହାତେଇବା ପାଇଁ ବିଜେପି କମର କଷିଛି 

ଗୋଳିଆ ପାଣିରୁ ମାଛ ମାରିବାକୁ ମେଣ୍ଟ ବସିଛି 

ବାରିପଦା(ଦିଲ୍ଲୀପ ମହାନ୍ତି )- ଅବିଭକ୍ତ ମୟୂରଭଞ୍ଜ ଜିଲ୍ଲାର ୩୧ନଂ-ଉଦଳା(ଅନୁସୂଚିତ ଜନଜାତି) ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏପ୍ରିଲ ୨୯ ୪ର୍ଥ ପର୍ଯ୍ୟାୟରେ ନିର୍ବାଚନ ହେବ । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ବାଚନ ମଣ୍ଡଳୀରୁ କିଏ ପ୍ରାର୍ଥୀ ହେବ ତାହା ସ୍ପଷ୍ଟ ହୋଇନାହିଁ । ୩ ପ୍ରମୁଖ ରାଜନୈତିକ ଦଳ ବିଜଦ, ଭାଜପା, କଂଗ୍ରେସରେ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଜାରି ରହିଛି । ସମସ୍ତ ରାଜନୈତିକ ଦଳରେ ଆଶାୟୀମାନଙ୍କର ଜୋରଦାର ଲବି ଚୟନ ପ୍ରକ୍ରିୟାକୁ ବିଳମ୍ବିତ କରାଉଛି । ଉଦଳା ଏନଏସିର ୧୨ ୱାର୍ଡ  ସହିତ ଉଦଳା ବ୍ଲକର ୧୨ ପଞ୍ଚାୟତ ଅଧୀନରେ ଥିବା ୧୭୦ଟି ୱାର୍ଡ, ଗୋପବନ୍ଧୁନଗର ବ୍ଲକର ୧୩ ଟି ପଞ୍ଚାୟତ ଅଧିନରେ ଥିବା ୧୭୧ ୱାର୍ଡ ଏବଂ କପ୍ତିପଦା ବ୍ଲକର ୧୯ଟି ପଞ୍ଚାୟତ ଅଧୀନରେ ଥିବା ୧୨୧ଟି ୱାର୍ଡ ମଧ୍ୟରେ ବସବାସ କରିଥିବା ୨୦୧୯ ଜାନୁଆରୀ ୨୧ରେ ପ୍ରକାଶିତ ଭୋଟର ତାଲିକା ଅନୁସାରେ ୯୪,୩୫୦ ପୁରୁଷ, ୯୪,୨୯୪ ମହିଳା ଓ  ୨ ଅନ୍ୟାନ୍ୟ  ଏହିପରି ମୋଟ ୧,୮୮,୬୪୬ ଭୋଟରଙ୍କୁ ନେଇ ଗଠିତ ମୟୂରଭଞ୍ଜ ଜିଲ୍ଲାର ୩୧ନଂ ଉଦଳା(ସଂ) ବିଧାନସଭା ନିର୍ବାଚନ ମଣ୍ଡଳୀ । ଅତୀତରେ ଉକ୍ତ ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ୭ଥର ବିଜୟୀ ହୋଇଥିବା ବେଳେ ୨୦୦୦ ଓ ୨୦୦୯ ବିଜେଡି-ବିଜେପି ମେଣ୍ଟ ସରକାରରେ ବିଜେପି ୨ଥର, ୨୦୦୯ ଓ ୨୦୧୪ରେ ବିଜେଡ଼ି ୨ ଥର ; ପ୍ରଜାସୋସିଆଲିଷ୍ଟ ପାର୍ଟି, ଜନକଂଗ୍ରେସ, ଜନତା ପାର୍ଟି ଓ ଜନତାଦଳ ପ୍ରତ୍ୟେକେ ଥରେ ଲେଖାଏଁ ନିର୍ବାଚିତ ହୋଇଛନ୍ତି । ଗତ ୨୦୦୯ ନିର୍ବାଚନରେ ବିଜେଡ଼ି ପ୍ରଥମ ଥର ଏକାକୀ ନିର୍ବାଚନ ଲଢ଼ିଥିଲା ଏବଂ ବିଜେଡ଼ି ପ୍ରାର୍ଥୀ ଶ୍ରୀନାଥ ସୋରେନ ୩୫.୪୯ ପ୍ରତିଶତ ହାରରେ ୪୦,୫୯୭ ଖଣ୍ଡ ଭୋଟ ପାଇ ନିକଟତମ ପ୍ରତିଦ୍ୱନ୍ଦି କଂଗ୍ରେସ ପ୍ରାର୍ଥୀ ଅନଙ୍ଗ ଚରଣ ସେନାପତିଙ୍କୁ ୧୧,୧୯୩ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ । ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଶ୍ରୀସେନାପତି ୨୫.୭୧ ପ୍ରତିଶତ ହାରରେ ୨୯,୪୦୪ ଖଣ୍ଡ ଭୋଟ ପାଇ ଦ୍ୱିତୀୟ, ବିଜେପି ପ୍ରାର୍ଥୀ ବିଜୟ କୁମାର ସେନାପତି ୧୨.୬୫ ପ୍ରତିଶତ ହାରରେ ୧୪,୪୭୨ ଖଣ୍ଡ ଭୋଟ ପାଇ ତୃତୀୟ ଓ ଜେଏମଏମ ପ୍ରାର୍ଥୀ ଦୁଲାଲ ସୋରେନ ୧୧.୧୪ ପ୍ରତିଶତ ହାରରେ ୧୨,୭୩୭ ଖଣ୍ଡ ଭୋଟ ପାଇ ଚତୁର୍ଥ ସ୍ଥାନରେ ରହିଥିଲେ ।

ପରବର୍ତ୍ତି ସମୟରେ  ବିଧାୟକ ଶ୍ରୀସୋରେନ  ନିର୍ବାଚନ ମଣ୍ଡଳୀରେ ଜନସାଧାରଣଙ୍କ ନିକଟରୁ ନିଜକୁ ଦୂରେଇ ଗଲେ । ଜନସାଧାରଣଙ୍କ ସୁବିଧା ଅସୁବିଧାରେ ନିଜକୁ ସାମିଲ କରାଇବା ପରିବର୍ତ୍ତେ ସେମାନଙ୍କୁ ସାକ୍ଷାତ ଦେବାକୁ ଆଗ୍ରହ ପ୍ରକାଶ କଲେ ନାହିଁ । ମହାଦେବଙ୍କୁ ଦର୍ଶନ କରିବା ପୂର୍ବରୁ ବାହନ ବୃଷଭଙ୍କୁ ସାକ୍ଷାତ କରିବା ନ୍ୟାୟରେ ସବୁ କିଛି ଚାଲୁଥିବାର ଅଭିଯୋଗ ହେଉଥିଲା । ଫଳରେ ନିର୍ବାଚନ ମଣ୍ଡଳୀରେ ଜନଅସନ୍ତୋଷ ଉଗ୍ରରୂପ ନେଇଥିଲା । ଏଥି ସହିତ ଦଳରେ ଗୋଷ୍ଠୀ ଚରମ ସୋପାନରେ ପହଁଞ୍ଚିଯାଇଥିଲା । ମୁକୁ ଓରଫ ମନୋଜ ମହାନ୍ତି ଓ ବିଧାୟକ ଶ୍ରୀନାଥ ସୋରେନ ଗୋଷ୍ଠୀ ମଧ୍ୟରେ ବଳ କଷାକଷି ଓ ଟଣାଓଟରା ଆରମ୍ଭ ହୋଇଯାଇଥିଲା । ପ୍ରାୟ ୨୦୧୩ ଉଦଳା ଏନଏସି ନିର୍ବାଚନରେ ବିଧାୟକ ଶ୍ରୀସୋରେନ ବିଜେଡ଼ି ପ୍ରାର୍ଥୀ ଚୟନ କରି ଟିକଟ ବାଣ୍ଟିଥିବା ବେଳେ ବିଜେଡ଼ି ବିରୋଧରେ ସମାନ୍ତର ଭାବେ ଶ୍ରୀମହାନ୍ତି ସ୍ୱାଧୀନ ପ୍ରାର୍ଥୀ ଛିଡ଼ା କରାଇଲେ । ବିଜେଡ଼ି ପ୍ରାର୍ଥୀଙ୍କ ସପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ଖୋଦ ପ୍ରଚାରରେ ଆସିଥିଲେ ମଧ୍ୟ ବିଜେଡ଼ି ଖାତା ଖୋଲିବା ଦୂରର ବିଷୟ ପ୍ରତିଦ୍ୱନ୍ଦିତା ପରିସର ମଧ୍ୟକୁ ଆସିପାରିଲା ନାହିଁ । ବିଜେଡ଼ିରେ ଏହି ଗୋଷ୍ଠୀ ବିବାଦରୁ ଫାଇଦା ଉଠାଇଥିଲା ବିଜେପି ଏବଂ ଉଦଳା ଏନଏସିକୁ ନିଜ ଦଖଲକୁ ନେଇବାରେ ସଫଳ ହୋଇଥିଲା । ନିର୍ବାଚନରେ ବିଧାୟକଙ୍କ ବିରୋଧୀ ଗୋଷ୍ଠୀ ମୁକୁ ମହାନ୍ତିଙ୍କ ସ୍ୱାଧୀନ ପ୍ରାର୍ଥୀ ୫ଟି ୱାର୍ଡକୁ ଦଖଲ କରିଥିବା ବେଳେ ବିଜେପି୪, କଂଗ୍ରେସ ୨ ଓ ଅନ୍ୟ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଥିଲେ । ବିଜେପି, କଂଗ୍ରେସ ଓ ଅନ୍ୟ ସ୍ୱାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ମେଣ୍ଟ ହୋଇ ଏନଏସିକୁ ବିଜେପି ନିଜ ଅକ୍ତିଆରରେ ରଖିବାରେ ସଫଳ ହୋଇଥିଲା । ଉଦଳାରେ ବିଜେଡ଼ିରେ ଏହି ପ୍ରକାରର ଦୟନୀୟ ଅବସ୍ଥା କାରଣରୁ ୨୦୧୪ ନିର୍ବାଚନରେ ବିଧାୟକ ଶ୍ରୀସୋରେନଙ୍କୁ ବାଦ ଦିଆଯାଇ ବିଜେପି ଛାଡ଼ି ବିଜେଡ଼ିର ହାତ ଧରିଥିବା ପୂର୍ବତନ ମନ୍ତ୍ରୀ ଗୋଲକ ନାୟକଙ୍କୁ ଦଳୀୟ ଟିକଟ ମିଳିଥିଲା । ନିର୍ବାଚନରେ ଶ୍ରୀନାୟକ ୩୬.୫୧ ପ୍ରତିଶତ ହାରରେ ୪୯,୬୨୮ ଖଣ୍ଡ ଭୋଟ ପାଇ ନିକଟତମ ପ୍ରତିଦ୍ୱନ୍ଦି ବିଜେପି ପ୍ରାର୍ଥୀ ଭାସ୍କର ମଢେ଼ଇଙ୍କୁ  ୮,୫୨୯ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ । ନିର୍ବାଚନରେ ଶ୍ରୀମଢେ଼ଇ ୪୧,୦୯୯ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ । ଏଥି ସହିତ କଂଗ୍ରେସ ୧୭.୧୭ ପ୍ରତିଶତ ହାରରେ ୨୩,୩୪୫ ଖଣ୍ଡ ଭୋଟ ପାଇ ତୃତୀୟ ଓ ଜେଏମଏମ ୧୧.୩୪ ପ୍ରତିଶତ ହାରରେ ୧୫,୪୧୭ ଖଣ୍ଡ ଭୋଟ ପାଇ ଚତୁର୍ଥ ସ୍ଥାନରେ ରହିଥିଲେ । ପରବର୍ତ୍ତି ସମୟରେ ବିଧାୟକ ଶ୍ରୀ ନାୟକଙ୍କ ସ୍ୱାସ୍ଥ୍ୟଗତ ଅସୁସ୍ଥତା କାରଣରୁ ରାଜନୀତିରେ ସକ୍ରିୟ ହୋଇପାରିଲେ ନାହିଁ । ତେଣୁ ୨୦୧୯ ନିର୍ବାଚନରେ ବିଜେଡ଼ି ନୂଆ ମୁହଁ ସନ୍ଧାନରେ ରହିଥିବା ବେଳେ ତାଙ୍କ ସ୍ଥାନକୁ କିଏ ପୂରଣ କରିବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବିଜେଡ଼ିରୁ ଟିକଟ ହାତେଇବା ଲବିରେ ୨୦୧୪ ନିର୍ବାଚନରେ ଟିକଟ ପାଇବାରୁ ବଞ୍ଚିତ ହୋଇଥିବା ବିବାଦୀୟ ପୂର୍ବତନ ବିଧାୟକ ଶ୍ରୀସୋରେନ ପୁଣି ଥରେ ସାମିଲ ହୋଇଛନ୍ତି । ତେବେ ସର୍ବାଗ୍ରେ ଡ଼ା. ମନୋରଞ୍ଜନ ମଲ୍ଲିକ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଭାସ୍କର ବିଶ୍ୱାଳ ପ୍ରମୁଖଙ୍କ ନାମ ରହିଥିବା ବେଳେ ତଳକୁ ଦୁଲାଲ ସୋରେନବାସେନ ମାର୍ଣ୍ଡି ଆଦି ବହୁ ଆଶାୟୀ ରେସରେ ରହିଛନ୍ତି । ତେବେ ବିଜେଡ଼ିକୁ କୁମ୍ଭୀର ନେଇ ମଝି ନଦୀରେ ପହଁଞ୍ଚାଇ ସାରିଥିବା ବେଳେ ଦଳୀୟ ଗୋଷ୍ଠୀ  ବିବାଦ ଥମୁ ନଥିବା ବିଷୟକୁ ନେଇ ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା ଜୋର ଧରିଛି ଏବଂ ୨୦୧୯ରେ ବିଧାୟକ ଶ୍ରୀନାୟକଙ୍କ ସ୍ଥାନ କିଏ ନେବ ଏହାକୁ କେନ୍ଦ୍ର କରି ବିଜେଡ଼ି ଦଳରେ ଏକ ପ୍ରତିଯୋଗିତା ଆରମ୍ଭ ହୋଇଥିବାର ପରିଲକ୍ଷିତ ହୋଇଛି ଓ ଏହା ହାଇକମାଣ୍ଡଙ୍କ ନିମନ୍ତେ ମୁଣ୍ଡ ବ୍ୟଥାର ମୁଖ୍ୟ କାରଣ ପାଲଟିଛି । ସେହିପରି ବିଜେପି ଏହି ଆସନକୁ ପୁଣି ଥରେ ଦଖଲକୁ ନେବା ପାଇଁ ଅଣ୍ଟାଭିଡ଼ିଛି ଏବଂ ପୂର୍ବତନ ବିଧାୟକ ଭାସ୍କର ମଢେ଼ଇ, ସ୍ୱାସ୍ଥ୍ୟ ବିଭାଗର ଅବସରପ୍ରାପ୍ତ ଉଚ୍ଚ ପଦାଧିକାରୀ ଡ଼ା. ଶିବ ନାରାୟଣ ସିଂ, ଚର୍ତୁଭୁଜ ପାତ୍ର ଓ ତପନ ମାର୍ଣ୍ଡି ପ୍ରମୁଖ ଟିକଟ ହାତେଇବା ରେସରେ ରହିଛନ୍ତି । ତେବେ ପୂର୍ବତନ ବିଧାୟକ ଶ୍ରୀମଢେ଼ଇକୁ ନେଇ ବିବାଦ ଦେଖା ଦେଇଛି । ଶ୍ରୀମଢେ଼ଇ ୨୦୦୯ରେ ଦଳୀୟ ଟିକଟରୁ ବଞ୍ଚିତ ହେବା ପରେ କଂଗ୍ରେସ ପ୍ରାର୍ଥୀ ଅନଙ୍ଗ ଚରଣ ସେନାପତିଙ୍କୁ ସମର୍ଥନ ଦେବା, ଟିକଟ ପାଇଁ ବିଜେଡ଼ି ଶିବିର ସହିତ ସମ୍ପର୍କ ସ୍ଥାପନ କରିଥିବା  ଆଦି ବିଭିନ୍ନ ଅଭିଯୋଗ ମଧ୍ୟରେ ଛନ୍ଦି ହୋଇପଡ଼ି ବିବାଦ ଘେର ମଧ୍ୟକୁ ଟାଣି ହୋଇଆସିଛନ୍ତି । ଏହା ବ୍ୟତୀତ କଂଗ୍ରେସ ଦଳରୁ ଦୁଃଖିଶ୍ୟାମ ମୁର୍ମୁ, ଦୁର୍ଗା ଟୁଡ଼ୁ ; ଜେଏମଏମରୁ ଜିଲ୍ଲାପରିଷଦ ସଦସ୍ୟ ଚକ୍ରଧର ସିଂ, ଉପେନ୍ଦ୍ର କୁମାର ହେମ୍ବ୍ରମ ପ୍ରମୁଖ ଆଶାୟୀ  ତାଲିକାରେ ସାମିଲ ରହିଥିବା ବିଷୟକୁ ନେଇ ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା ହେଉଛି । ତେବେ କଂଗ୍ରେସ ଓ ଜେଏମଏମ ମଧ୍ୟରେ ମେଣ୍ଟ ହେବାର ଯଥେଷ୍ଟ ସମ୍ଭାବନା ରହିଥିବାରୁ ଉକ୍ତ ଆସନ କଂଗ୍ରେସ ଭାଗରେ ପଡ଼ୁଥିବାର ସମ୍ଭାବନା ରହିଛି । କିନ୍ତୁ, ଉଦଳା  ନିର୍ବାଚନ ମଣ୍ଡଳୀରେ ବିଜେଡ଼ି, ବିଜେପି ଓ କଂଗ୍ରେସ-ଜେଏଏମ ମେଣ୍ଟ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ହେବାକୁ ଯାଉଛି ଏବଂ ଏହା କାଣ୍ଟେକି ବରାବର ହେବାକୁ ଏଡ଼ାଇ ଦେଇ ହେବ ନାହିଁ ।  ତେବେ ବିଜେଡ଼ି ଉକ୍ତ ଆସନକୁ ହାତଛଡ଼ା ନକରି ହେଟ୍ରିକ୍ ମାରିବା ନିମନ୍ତେ ନିଜର ସମସ୍ତ ଶକ୍ତି ଖଟାଇବାକୁ ଯୋଜନା ପ୍ରସ୍ତୁତ କରିଥିବାର ଜଣାପଡ଼ିଛି । 

 

0
0
0
s2sdefault