ହେଡଲାଇନସ୍:

ବଡ଼ସାହି ସିଂହାସନ, କିଏ କିଣିବ ଭୋଟରଙ୍କ ମନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନିର୍ଣ୍ଣାୟକ ଭୂମିକାରେ ସାଧାରଣ ବର୍ଗ ଭୋଟର, ଭଲ ସ୍ଥିତିରେ କଂଗ୍ରେସ 

ଗୋଷ୍ଠୀ କନ୍ଦଳ ବିଜେଡ଼ିକୁ ମୁଣ୍ଡ ବିନ୍ଧା, ତ୍ରିମୁଖୀ ଲଢ଼ାଇର ସମ୍ଭାବନା

ବାରିପଦା(ଅରବିନ୍ଦ ଦାସ )- ୨୦୦୮ ଓଡ଼ିଶା ବିଧାନସଭା ପୁର୍ନଗଠନ ସମୟରେ ନୂତନ ଭାବେ ୩୨ନଂ-ବଡ଼ସାହି(ଅନୁସୂଚିତ ଜାତି) ନିର୍ବାଚନ ମଣ୍ଡଳୀ ସୃଷ୍ଟି ହୋଇଥିଲା । ଏହା ପୂର୍ବରୁ ବଡ଼ସାହି ବ୍ଲକର ସିଂହଭାଗ ବୈଶିଙ୍ଗା ନିର୍ବାଚନ ମଣ୍ଡଳୀରେ ରହିଥିବା ବେଳେ କେତେକ ପଞ୍ଚାୟତ ଖୁଣ୍ଟା ଓ କୁଳିଅଣା ନିର୍ବାଚନ ମଣ୍ଡଳୀରେ ସାମିଲ ଥିଲା । ବାଲେଶ୍ୱର ଲୋକସଭା କ୍ଷେତ୍ରରେ ସାମିଲ ଥିବା ମୟୂରଭଞ୍ଜର ଜିଲ୍ଲାର ବେତନଟୀ ବ୍ଲକର ୨୪ଟି ପଞ୍ଚାୟତ ଓ ବଡ଼ସାହି ବ୍ଲକର ୩୦ଟି ପଞ୍ଚାୟତ ମଧ୍ୟରୁ ୨୧ଟି ପଞ୍ଚାୟତରେ  ଏବଂ ୨୦୧୯ ଜାନୁଆରୀ ୨୧ରେ ପ୍ରକାଶିତ ଭୋଟର ତାଲିକା ଅନୁସାରେ ୯୪,୩୮୨ ପୁରୁଷ, ୯୩,୧୨୧ ମହିଳା ଓ ୯ ଅନ୍ୟାନ୍ୟ ଏହିପରି ମୋଟ ୧,୮୭,୫୧୨ ଭୋଟରକୁ ନେଇ ଗଠିତ ୩୨ନମ୍ବର ବଡ଼ସାହି(ସଂ)  ନିର୍ବାଚନ ମଣ୍ଡଳୀ ରାଜନୀତି ଦୃଷ୍ଟି କୋଣରୁ ଅନେକ ଗୁରୁତ୍ୱ ବହନ କରିଆସୁଛି  । କେନ୍ଦ୍ର ମୁଖ୍ୟ ନିର୍ବାଚନ କମିଶନର ଗତ ମାର୍ଚ୍ଚ ୧୦ରେ ନିର୍ବାଚନୀ ବିଗୁଲ୍ ବଜାଇବା ପରେ ବଡ଼ସାହି ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉଷ୍ମତା ବୃଦ୍ଧିପାଇଥିବାର ପରିଲକ୍ଷିତ ହୋଇଛି ।  ଏଠାରେ ଆସନ୍ତା ଏପି୍ରଲ ୨୯ ଚତୁର୍ଥ ପର୍ଯ୍ୟାୟରେ ଲୋକସଭା ଓ ବିଧାନସଭା ନିମନ୍ତେ ଭୋଟ ଗ୍ରହଣ ହେଉଥିବା ସମୟରେ ନାମାଙ୍କନ ପତ୍ର ଦାଖଲ ଏପ୍ରିଲ ୨ରୁ ଆରମ୍ଭ  ହୋଇ ୯ରେ ଶେଷ ହେବ ଏବଂ ଭୋଟ ଗଣନା ମେ ୨୩ରେ ହେବ । ଫଳରେ ଉକ୍ତ ବିଧାନସଭା କ୍ଷେତ୍ର ଉଭୟ ବିଜେଡ଼ି ଓ ବିଜେପି ନିମନ୍ତେ ସମ୍ମାନର ପ୍ରଶ୍ନ ପାଲଟି ଯାଇଛି । ବିଜେଡ଼ି ନିଜର ଦୁର୍ଗ ରକ୍ଷା କରିବା ଓ ବିଜେପି ଏହାକୁ ଦଖଲ କରିବା ନିମନ୍ତେ ସ୍ୱତନ୍ତ୍ର ରଣକୌଶଳ  ଓ ରଣନୀତି ପ୍ରସ୍ତୁତି ମାଧ୍ୟମରେ ସମରସଜ୍ଜା କରିବାରେ ଲାଗିଛନ୍ତି । ପଛରେ ପଡ଼ିଯାଇ ନାହାନ୍ତି କଂଗ୍ରେସ ଓ ଜେଏମ୍ଏମ୍  ମେଣ୍ଟ ଧର୍ମକୁ ପାଳନ କରିବା ସହ ବିଜୟର ଧ୍ୱଜା ଉଡ଼ାଇବା ନିମନ୍ତେ ଆଶାବାଦୀ ହୋଇପଡ଼ିଛି । ପ୍ରାର୍ଥୀ ତାଲିକା  ଘୋଷଣାକୁ କେବଳ ଅପେକ୍ଷାରେ ରହିଥିବା ସମୟରେ ସମସ୍ତ ଦଳରେ ଗୋଷ୍ଠୀ  କନ୍ଦଳ ମୁଣ୍ଡବ୍ୟଥାର କାରଣ ପାଲଟିଛି । ସେହିପରି ନିର୍ବାଚନ ମଣ୍ଡଳୀରେ ଭୋଟରଙ୍କ ମୋଡ଼କୁ ପରଖିବା ସହଜ ମନେ ହେଉନାହିଁ । ଜନତା ଜନାର୍ଦ୍ଧନଙ୍କ ରାୟ କାହା ସପକ୍ଷରେ ଯିବ ତାହା ମଧ୍ୟ ପରଖିବା ନେତାଙ୍କ ପାଇଁ ଅସମ୍ଭବ ହୋଇପଡ଼ିଥିବା ବେଳେ ନିର୍ବାଚନ ମଣ୍ଡଳୀରେ ବିଜେଡ଼ି,  ବିଜେପି ଓ କଂଗ୍ରେସ-ଜେଏମଏମ ମେଣ୍ଟ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ହେବାର ସମ୍ଭାବନା ଦେଖାଦେଇଛି ।

                 ୩୨ନଂ-ବଡ଼ସାହି(ଅନୁସୂଚିତ ଜାତି) ନିର୍ବାଚନ ମଣ୍ଡଳୀ ୨୦୦୯ରେ ପ୍ରଥମ ନିର୍ବାଚନର ସମ୍ମୁଖୀନ ହୋଇଥିଲା । ଏଥିରେ ବିଜେଡ଼ି ପ୍ରାର୍ଥୀ ମନୋରଞ୍ଜନ ସେଠୀ ୪୫.୨୭ ପ୍ରତିଶତ ହାରରେ ୪୮,୩୮୨ ଖଣ୍ଡ ଭୋଟ ପାଇ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦି କଂଗ୍ରେସ ପ୍ରାର୍ଥୀ ତଥା ବର୍ତ୍ତମାନ ନିର୍ବାଚନ ମଣ୍ଡଳୀରେ ୨୦୧୪ ନିର୍ବାଚନରେ ବିଜେଡିରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଗଣେଶ୍ୱର ପାତ୍ରଙ୍କୁ ୧୫,୪୯୯ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ । ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଶ୍ରୀପାତ୍ର ୩୨,୮୮୩ ଖଣ୍ଡ ଭୋଟ ପାଇଥିଲେ । ସେହିପରି ୨୦୧୪ ନିର୍ବାଚନ ସମୟରେ କଂଗ୍ରେସ ତ୍ୟାଗ କରି ବିଜେଡ଼ି ଟିକଟରେ ନିର୍ବାଚନ ଲଢ଼ି ଗଣେଶ୍ୱର ପାତ୍ର ୩୯.୨୪ ପ୍ରତିଶତ ହାରରେ ୫୨,୬୯୪ ଖଣ୍ଡ ଭୋଟ ପାଇ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦି କଂଗ୍ରେସ ପ୍ରାର୍ଥୀ ଜାମିନୀକାନ୍ତ ନାଏକଙ୍କୁ ତ୍ରିମୁଖୀ ପ୍ରତିଦ୍ୱନ୍ଦିତାରେ ୧୬,୮୩୪ ଖଣ୍ଡ ଭୋଟ ବ୍ୟବଧାନରେ ହରାଇ ନିର୍ବାଚିତ ହୋଇଥିବା ସମୟରେ ଶ୍ରୀନାଏକ ୨୬.୭ ପ୍ରତିଶତ ହାରରେ ୩୫,୮୬୦ ଖଣ୍ଡ ଭୋଟ ପାଇ ପରାସ୍ତ ହୋଇଥିଲେ । ସେହିପରି ବିଜେପି ପ୍ରାର୍ଥୀ ବୃନ୍ଦାବନ ଦାସ ୨୫.୨୯ ପ୍ରତିଶତ ହାରରେ ୩୩,୯୬୨ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ । ପରବର୍ତ୍ତି ସମୟରେ ବିଧାୟକ ଶ୍ରୀପାତ୍ର ଆସ୍ତେ ଆସ୍ତେ ବିବାଦ ଘେରକୁ ଟାଣି ହୋଇଆସିଲେ । ପ୍ରଥମେ ବଡ଼ସାହି ନିର୍ବାଚନ ମଣ୍ଡଳୀର ବିଜେଡ଼ିର ନେତା ଓ କର୍ମୀମାନଙ୍କୁ ଆପଣାର କରି ପାରିନଥିଲେ । ଶ୍ରୀପାତ୍ରଙ୍କ ସହିତ ବିଜେଡ଼ିରେ ମିଶିଥିବା କେତେକ କଂଗ୍ରେସ ସମର୍ଥକଙ୍କୁ ଅଧିକ ଗୁରୁତ୍ୱ ଦେବା ଫଳରେ ବିଜେଡ଼ିରେ ଅସନ୍ତୋଷ ଦେଖାଦେଇଥିଲା । ଏହାର ପ୍ରଭାବ ସିଧାସଳଖ ଭାବେ ୨୦୧୭ରେ ସିଧାସଳଖ ଭାବେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରତିଫଳିତ ହୋଇଥିଲା ଏବଂ ବିଜେଡ଼ି ଜିଲ୍ଲାପରିଷଦ ନିର୍ବାଚନରେ ୫ଟି ଜୋନରେ ୩୩.୯୯ ପ୍ରତିଶତ ହାରରେ ୪୪,୯୩୫ ଖଣ୍ଡ ଭୋଟ ପାଇ ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଥିଲା ଏବଂ ବିଜେପି ୫୨.୪୮ ପ୍ରତିଶତ ହାରରେ ୬୯,୩୭୬ ଖଣ୍ଡ ଭୋଟ ପାଇ ସମସ୍ତ ୫ଟି ଜୋନକୁ ଦଖଲ କରିନେଇଥିଲା । ଏଥି ସହିତ ବେତନଟୀ ବ୍ଲକର ଏକ ଭିଏଲବବ୍ଲୁ୍ୟକୁ ଆକ୍ରମଣ, ବିଭିନ୍ନ ପ୍ରକାରର ଦୁର୍ନୀତିରେ ଜଡ଼ିତ ରହିଥିବା ଅଭିଯୋଗ ତାଙ୍କୁ ଅଧିକ ବିବାଦୀୟ କରିପକାଇଥିଲା । ଏଥି ସହିତ ବିଧାୟକ ଶ୍ରୀପାତ୍ର ବଡ଼ସାହି ନିର୍ବାଚନ ମଣ୍ଡଳୀରେ ନିଜର ଲୋକପ୍ରିୟତା ହରାଇବସିଥିବାକୁ ନେଇ ନିର୍ବାଚନ ମଣ୍ଡଳୀରେ ଜନସାଧାରଣଙ୍କ ମଧ୍ୟରେ ହେଉଥିବା ଚର୍ଚ୍ଚାରୁ ଜଣାପଡ଼ିଛି । ତାଙ୍କ ଉପରେ ଚିଟଫଣ୍ଡ ମାମଲାରେ ସିବିଆଇର ଜାଲରେ ଫଶି ହୋଇଥିବା ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନାଙ୍କ ଆର୍ଶୀବାଦ ରହିଥିବା କାରଣରୁ ୨୦୧୯ରେ ପୁଣି ଥରେ ଶ୍ରୀପାତ୍ରଙ୍କୁ ବଡ଼ସାହି ନିର୍ବାଚନ ମଣ୍ଡଳୀରୁ ଟିକଟ ମିଳୁଥିବା ବିଷୟକୁ ନେଇ ଆଲୋଚନା ଜୋର ଧରିଛି । ସେହିପରି ବଡ଼ସାହି ନିର୍ବାଚନ ମଣ୍ଡଳୀରେ ବିଜେଡ଼ିରୁ ଟିକଟ ପାଇବା ନିମନ୍ତେ ଆଶାୟୀ ତାଲିକାରେ ବାରିପଦାରୁ ଲଲାଟେନ୍ଦୁ ବେହେରା, ପୂର୍ବତନ ବିଧାୟକ ମନୋରଞ୍ଜନ ସେଠୀ, ଜଗନ୍ନାଥ ମଲ୍ଲିକ, ଶୁଭକାନ୍ତ ବେହେରା, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ମାହେଶ୍ୱରୀସେଠୀ ପ୍ରମୁଖ ରହିଥିବା ବେଳେ ଟିକଟ ଲବିରେ ଆଗଧାଡ଼ିରେ ମାହେଶ୍ୱରୀଙ୍କ ନାମକୁ ନେଇ ଅଧିକ ଚର୍ଚ୍ଚ ହେଉଛି ।  ଏଥି ସହିତ ପୂର୍ବତନ ପ୍ରାର୍ଥୀ ବୃନ୍ଦାବନ ଦାସ ବିଜେଡ଼ିରେ ଯୋଗ ଦେବେ ବୋଲି ମଧ୍ୟ ନିର୍ବାଚନ ମଣ୍ଡଳୀରେ ଆଲୋଚନା ହେଉଛି । କିନ୍ତୁ ଏଥିରେ କେତେ ପରିମାଣରେ ସତ୍ୟତା ରହିଛି, ତାହା କେବଳ ଶ୍ରୀଦାସ ହିଁ କହିପାରିବେ । ସେହିପରି ଜିଲ୍ଲାପରିଷଦ ନିର୍ବାଚନରେ ଆଶାତୀତ ସଫଳତା ପାଇଥିବା ବିଜେପି ବଡ଼ସାହି ଆସନକୁ ଦଖଲ କରିବା ନିମନ୍ତେ ଆଶାବାଦୀ ରହିଥିବାରୁ ଦଳରେ ଆଶାୟୀମାନଙ୍କ ଲମ୍ବା ଧାଡ଼ି ଲାଗିଛି । ପ୍ରଥମେ ବିଜେପି ପରବର୍ତ୍ତି ସମୟରେ ବିଜେଡ଼ି ଓ କଂଗ୍ରେସ ସବୁଠି ବାରମ୍ବାର ନିଜର ରଙ୍ଗ ବଦଳାଇ ଏଡ଼ାଳରୁ ସେ ଡ଼ାଳକୁ ଡ଼ିଆଁ ଡେ଼ଇଁ କରିବା ନିରାଶ ହୋଇ ଶେଷରେ ପୂଣି ଥରେ ବିଜେପିକୁ ବାହୁଡ଼ି ଆସିବା ପରେ ଦଳରୁ ଟିକଟ ହାତେଇବା ଲବିରେ ସାମିଲ ହୋଇଛନ୍ତି ଜାମିନୀ କାନ୍ତ ନାଏକ । ସେହିପରି ୨୦୦୯, ୨୦୧୪ ନିର୍ବାଚନରେ ଟିକଟରୁ ବଞ୍ଚିତ ହୋଇ ଆସିଥିବା ବିଜେପି ନେତା ଅଭିନ୍ନ ସୁନ୍ଦର ପାତ୍ର ପୁଣି ଥରେ ଦଳୀୟ ଟିକଟ ପାଇଁ ଆଶାବାଦୀ ରହିଛନ୍ତିା ଦଳରୁ ଟିକଟ ନପାଇ ଜଣେ ଶୃଙ୍ଖଳିତ ଦଳୀୟ ନେତୃତ୍ୱ ପ୍ରତି ଆନୁଗତ ପ୍ରକାଶ କରିଆସିଥିବା ଶ୍ରୀପାତ୍ର ଆଶାୟୀ ତାଲିକାର ସମ୍ମୁଖରେ ରହିଥିବା ବେଳେ ବୃନ୍ଦାବନ ଦାସ, ସନାତନ ବିଜୁଳି, ଅର୍ଜୁନ ଦଳାଇ, ମାନସ ବେହେରା,  ଶରତ ଚନ୍ଦ୍ର ମଲ୍ଲିକ ପ୍ରମୁଖଙ୍କ ନାମ ଚର୍ଚ୍ଚା ପରିସରରେ ରହିଛି । ପୁଣି ବଡ଼ସାହି ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ସଙ୍ଗଠନ ଶକ୍ତିଶାଳୀ ରହିଥିବାରୁ ଜେଏମଏମ ଏଠାରେ କଂଗ୍ରେସକୁ ନିର୍ବାଚନ ଲଢ଼ିବା ନିମନ୍ତେ ପ୍ରସ୍ତାବ ଦେଇଛି । ଆଉ  କଂଗ୍ରେସରୁ ଟିକଟ ହାତେଇବା ନିମନ୍ତେ ଆଶାୟୀମାନଙ୍କ ମଧ୍ୟରେ ପୂର୍ବତନ ପ୍ରାଶାସନିକ ଅଧିକାରୀ ହରିଶ୍ଚନ୍ଦ୍ର ବେହେରା, ଇଂ. ସଞ୍ଜୟ ବେହେରା, ଦେବଯାନୀ ବେହେରା, ପ୍ରଭାକର ମହାଳିକ ଓ କ୍ଷୀରୋଦ ଚନ୍ଦ୍ର ପାତ୍ର ପ୍ରମୁଖଙ୍କ ନାମ ଚର୍ଚ୍ଚା ପରିସରରେ ରହିଛି । ଏହି ନିର୍ବାଚନ ମଣ୍ଡଳୀରୁ ଏକମାତ୍ର ମହିଳା ପ୍ରାର୍ଥୀଙ୍କୁ ଦଳ ଠିଆ କରାଇପାରେ ବୋଲି ଶୁଣିବାକୁ ମିଳୁଛି | ଯାହା ହେଲେବି କଂଗ୍ରେସର ସ୍ଥିତି ଏହି ନିର୍ବାଚନମଣ୍ଡଳୀରେ ଅପେକ୍ଷାକୃତ ଭଲ ରହିଛି | 

                 ୨୦୧୯ ନିର୍ବାଚନରେ ବିଜେଡ଼ି ମୁଖ୍ୟମନ୍ତ୍ରୀ ନବୀନଙ୍କ ନେତୃତ୍ୱରେ ଜାରି ରହିଥିବା ବିକାଶର ଧାରା  ଓ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳତା, କେନ୍ଦ୍ରୀୟ ଅବହେଳା ଆଦିକୁ ନେଇ ନିର୍ବାଚନ ମଣ୍ଡଳୀରେ ଭୋଟରମାନଙ୍କୁ ନିଜ ସପକ୍ଷରେ ପ୍ରଭାବିତ କରାଇବାକୁ ଯାଉଥିବା ବେଳେ ବିଜେପି ବିଜେଡ଼ି ସରକାରରେ ଦିର୍ନୀତି, ଭ୍ରାଷ୍ଟାଚାର, ପିସି କାରବାର ଆଦି ଓ କଂଗ୍ରେସ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅପାରଗତା, ଦୁର୍ନୀତି, ଭ୍ରାଷ୍ଟାଚାର, ବେକାରୀ ଓ ନିଯୁକ୍ତି ସମସ୍ୟା ଆଦିକୁ ଆୟୁଧ କରିବା ସହ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଛାଡ଼, କୃଷି ଓ କୃଷକର ବିକାଶ ନିମନ୍ତେ ସେମାନଙ୍କୁ ୫ ବର୍ଷ ନିମନ୍ତେ ସ୍ୱତନ୍ତ୍ର ପ୍ରୋତ୍ସାହନ,  ଏମଏସପିକୁ ୧୭ଶହରୁ ୨୭ଶହକୁ ବୃଦ୍ଧି, ସମସ୍ତଙ୍କୁ ରୋଜଗାରର ଗ୍ୟାରେଣ୍ଟି ଆଦିକୁ ନେଇ ଭୋଟରଙ୍କ ସମ୍ମୁଖୀନ ହେବାକୁ ଯାଉଛନ୍ତି । ଫଳରେ ବଡ଼ସାହି ନିର୍ବାଚନ ମଣ୍ଡଳୀ  ତ୍ରିମୁଖୀ ପ୍ରତିଦ୍ୱନ୍ଦିତାର ସମ୍ମୁଖୀନ ହେଉଥିବା ବେଳେ ଭୋଟରମାନେ କାହା ମୁଣ୍ଡରେ ସୁନା କଳସ ଢ଼ାଳୁଛନ୍ତି ତାହା ଆସନ୍ତା ମେ ୨୩ ଭୋଟ ଗଣନା ପରେ ଜଣାପଡ଼ିବ ।  

  

 

0
0
0
s2sdefault