ହେଡଲାଇନସ୍:

ଚୋର ମା କାନ୍ଦେନି, ଯଦି କାନ୍ଦେ ଦୁଆର ଦେଇ କାନ୍ଦେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଉପବାଚସ୍ପତି ପଦବୀକୁ ନେଇ ଲାଭ କ୍ଷତିର ଅଙ୍କ କସୁଛନ୍ତି ସାନନ୍ଦଙ୍କ ସମର୍ଥକ 

ଏଣେ ନୀଳକଣ୍ଠ ସାଜି ନିର୍ବିକାର ସାନନ୍ଦ 

ବାରିପଦା/ dillip mohanty -କଥାରେ ଅଛି, ଚୋର ମା କାନ୍ଦେନି, ଯଦି କାନ୍ଦେ ଦୁଆର ଦେଇ କାନ୍ଦେ । ଆଉ ଏବେ ସେମିତି ପରିସ୍ଥିତି ସୃଷ୍ଟି ହୋଇଛି ମୟୁରଭଞ୍ଜ ଜିଲ୍ଲାର ଲୋକ ପ୍ରିୟ, ସର୍ବଗ୍ରାହ୍ୟ, ତଥା  ମାର୍ଜିତ ନେତା ସାନନ୍ଦ ମାର୍ଣ୍ଡିଙ୍କର ! ତାଙ୍କ ପାଇଁ କଣ୍ଟା ସାଜିଛି ତାଙ୍କୁ ମିଳିଥିବା ସାମ୍ବିଧାନିକ ପଦବୀ । ପଦବୀର କଟକଣା ଭିତରେ ଛନ୍ଦି ହୋଇଯାଇଥିବା ସାନନ୍ଦଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି ପଦବୀର କଟକଣା ! ଦଳୀୟ ରାଜନୈତିକ କାର୍ଯ୍ୟକ୍ରମରେ ଖୋଲା ଖୋଲି ସାମିଲ ହୋଇ ନପାରିବା ଯୋଗୁ ତାଙ୍କ ଆକ୍ରମଣାତ୍ମକ ରାଜନୀତି ଏକ ପ୍ରକାର ଶିଥିଳ ହୋଇଯାଇଛି । ଥରେ ଉପବାଚସ୍ପତି କରିଦେଲା ଭିନ୍ନ କଥା, ଲଗାତାର ତାଙ୍କୁ ଉପବାଚସ୍ପତି ପଦବୀରେ ଛନ୍ଦି ଦେଇ ବିଜେଡି ସାନନ୍ଦଙ୍କ ଅବସ୍ଥା ଏମିତି କରି ଦେଇଛି, ଯେମିତିକି ମୁହଁରେ ତୁଣ୍ଡି ବନ୍ଧା ଘୋଡା ଆଗରେ ସାଭାନାର ବିସ୍ତିର୍ଣ୍ଣ  ତୃଣଭୂମୀ । କେବଳ ସାନନ୍ଦଙ୍କ ଯେ କ୍ଷତି ହୋଇଛି ତାହା ନୁହେଁ ବିଜେଡି ନିଜ ଗୋଡ଼ରେ ନିଜେ ଫାଉଡା ମାରିଛି ! ଆଉ ତାହାର ପରିଣାମ ଦଳ ଭୋଗିସାରିଛି ପଞ୍ଚାୟତିରାଜ ନିର୍ବାଚନରେ । ଆଶା କରାଯାଉଥିଲା ସାନନ୍ଦଙ୍କ ଭଳି ଲୋକପ୍ରିୟ ନେତାଙ୍କୁ ଦଳ ରାଷ୍ଟ୍ରମନ୍ତ୍ରୀ ଟିଏ କରିବ ! ନହେଲେ ଉପବାଚସ୍ପତି ପଦରୁ ଅବ୍ୟାହତି ଦେଇ ଅତି କମରେ  ଜିଲ୍ଲା ଯୋଜନା ବୋର୍ଡ଼ ର ସଭାପତି କରିବ, ଜିଲ୍ଲା ପରିଷଦ ଗଢ଼ିଥିବା ବିଜେପିକୁ ବ୍ରେକ ଦେବାପାଇଁ । ହେଲେ ସେତକ ବି ହେଲାନି । ନହେଲେ ଖାଲି କିଛି ପଦବୀ ନଦେଇ ବିଧାୟକ ହେଲେ ରହିଥାନ୍ତେ, ଦଳର କାର୍ଯ୍ୟକ୍ରମରେ ଆଉ ନିର୍ବାଚନମଣ୍ଡଳୀ ରେ ଖୋଲାରେ ବୁଲି ପାରିଥାନ୍ତେ ଅନ୍ୟ ବିଧାୟକଙ୍କ ଭଳି । ଏହା ତାଙ୍କ ବିରୋଧରେ କାହାର ଚକ୍ରାନ୍ତ ବୋଲି ଚର୍ଚ୍ଚା ହେଉଥିବା ବେଳେ ସାନନ୍ଦଙ୍କୁ ସାମ୍ବିଧାନିକ କଟକଣା ଭିତରୁ ମୁକ୍ତି ଦିଆ ନଯାଏ ତେବେ ଜିଲ୍ଲାରେ ଆଗାମୀ ବିଧାନସଭା ନିର୍ବାଚନରେ ପଂଚାୟତ ନିର୍ବାଚନର ପୁନରାବୃତ୍ତି ହେବାର ଆଶଙ୍କା କୁ ଏଡାଇ ଦିଆଯାଇନପାରେ ବାରିପଦା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ନେତା ଓ ସମର୍ଥକମାନଙ୍କ ମହଲରେ ଆରମ୍ଭ ହୋଇଛି । ତେବେ ଏହା ସତ୍ୟ ଯେ  ଉପବାଚସ୍ପତି ଆସନ ବାରିପଦା ବିଧାୟକ ସାନନ୍ଦ ମାର୍ଣ୍ଡିଙ୍କୁ ଅଡ଼ୁଆ ସୂତା ମଧ୍ୟରେ ଛନ୍ଦି ଦେଇଛି ଏବଂ ଏହା ତାଙ୍କ ରାଜନୈତିକ  କ୍ୟାରିଅରକୁ ବେଶ ପ୍ରଭାବିତ କରାଇଛି  ।

       ଓଡ଼ିଶାରେ ବିଜେଡ଼ି-ବିଜେପି ମିଳିତ ସରକାର ସମୟରେ ଗତ ୨୦୦୪ରେ ସାନନ୍ଦ ମାର୍ଣ୍ଡି କୁଳିଅଣା ବିଧାନସଭା କ୍ଷେତ୍ରରୁ ପୂର୍ବତନ ଜେଏମଏମର ରାଜ୍ୟ ସଭାପତି ତଥା ବର୍ତ୍ତମାନ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର  ବିଧାୟକ ସୁଦାମ ମାର୍ଣ୍ଡିଙ୍କୁ ହରାଇ ବିଧାୟକ ଭାବେ ନିର୍ବାଚିତ ହୋଇ ନିଜର ରାଜନୈତିକ କେରିଅର ଆରମ୍ଭ କରିଥିଲେ । ଏହାପରେ ୨୦୦୮ ବିଧାନସଭା ମଣ୍ଡଳୀ ପୁର୍ନଗଠନ ସମୟରେ କୁଳିଅଣା ନିର୍ବାଚନ ମଣ୍ଡଳୀ ଉଚ୍ଛେଦ ହେବା ଏବଂ ରାଜ୍ୟରେ ବିଜେଡ଼ି-ବିଜେପି ମେଣ୍ଟ ଭାଙ୍ଗିବା ପରେ ୨୦୦୯ ସାଧାରଣ ନିର୍ବାଚନରେ ବାରିପଦା ନିର୍ବାଚନ ମଣ୍ଡଳୀରୁ ସାନନ୍ଦ ମାର୍ଣ୍ଡି ବିଜେଡ଼ି ନିର୍ବାଚନ ଜିତି ମୁଖ୍ୟମନ୍ତ୍ରୀ ନବୀନ ସରକାରରେ ଉପବାଚସ୍ପତି ଆସନ ଅଳଙ୍କୃତ କରିଥିଲେ । ସେହିପରି ୨୦୧୪ ସାଧାରଣ ନିର୍ବାଚନରେ ମଧ୍ୟ ବିଜେଡ଼ି ଟିକଟରେ ବାରିପଦା ବିଧାୟକ  ଭାବେ ନିର୍ବାଚିତ ହୋଇ ସେହି ଉପବାଚସ୍ପତି ଆସନକୁ ସମ୍ଭାଳି ଆସୁଛନ୍ତି । ଉପବାଚସ୍ପତି ପଦବୀ ନିମନ୍ତେ ସାମ୍ବିଧାନିକ ବ୍ୟବସ୍ଥାର ଅଙ୍କୁଶ ପରିସରରେ ରହିବାକୁ ପଡ଼ିଥାଏ । ଉକ୍ତ ସାମ୍ବିଧାନିକ ପ୍ରୋଟୋକଲ ଉପବାଚସ୍ପତି ସାନନ୍ଦ ମାର୍ଣ୍ଡିଙ୍କ ରାଜନୈତିକ କେରିଅରରେ ପ୍ରାଚୀର ସଦୃଶ ରାସ୍ତା ଅବରୋଧ କରାଇଛି । ନିଜ ନିର୍ବାଚନ ମଣ୍ଡଳୀରେ ଦଳୀୟ କାର୍ଯ୍ୟକ୍ରମ ଆଦିରେ ଯୋଗ ଦେଇ ନ ପାରିବା ସହିତ ଇଚ୍ଛା ଅନୁସାରେ ନିର୍ବାଚନ ମଣ୍ଡଳୀ ଗସ୍ତ କରି ନ ପାରିବା ଆଦି ତାଙ୍କୁ ସମସ୍ୟା ଘେରକୁ ଟାଣି ନେଇଯାଇଛି । ପ୍ରାୟ ଦୀର୍ଘ ୯ ବର୍ଷ ପାଖାପାଖି ଏହି ଉପବାଚସ୍ପତି ପଦବୀରେ ରହିବା ଓଡ଼ିଶା ବିଧାନସଭାରେ ଏକ ଇତିହାସ ସୃଷ୍ଟି କରାଇଥିବା ବେଳେ ଏହା ସମର୍ଥକମାନଙ୍କ ମହଲରେ ହତାଶ ଭାବ ଖେଳାଇ ଦେଇଥିବାର ପରିଲକ୍ଷିତ ହୋଇଛି । ମୟୂରଭଞ୍ଜ ରାଜନୀତିରେ ସାନନ୍ଦ ମାର୍ଣ୍ଡି ଏକ ଅପ୍ରତିଦ୍ୱନ୍ଦି ନେତା ଭାବେ ନିଜକୁ ପ୍ରତିପାଦିତ କରାଇ ପାରିଥିବା ବେଳେ ପ୍ରୋଟୋକଲ ତାଙ୍କୁ ବେକଫୁଟକୁ ଟାଣି ନେଇଯାଉଛି । ଏହାର ଫାଇଦା ଉଠାବାରେ କେତେକାଂଶରେ ସଫଳ ହୋଇପାରିଛି ବିରୋଧୀ । ସାନନ୍ଦଙ୍କ ଦୁର୍ଗରେ ବିଜେପି ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡ଼ିକୁ ପଛକୁ ଠେଲି ଦେଇ ୫ଟି ଜିଲାପରିଷଦ ଆସନରୁ ୪ଟିକୁ ଦଖଲ କରିଥିବା ବେଳେ ବିଜେଡ଼ିକୁ ଗୋଟାଏ ଜିଲାପରିଷଦ ଆସନ ସହିତ ୨ଟି ବ୍ଲକକୁ ଦଖଲରେ ରଖି ସନ୍ତୋଷ୍ଟ ହେବାକୁ ପଡ଼ିଛି । 

       ବାରିପଦା ପୌରପରିଷଦ ସହିତ ବାରିପଦା ପୌରପରିଷଦ ଓ ବ୍ଲକ ସହିତ ଖୁଣ୍ଟା ବ୍ଲକ ଓ ବଡ଼ସାହି ବ୍ଲକର ୧୧ଟି ପଞ୍ଚାୟତକୁ ନେଇ ଗଠିତ ବାରିପଦା ନିର୍ବାଚନ ମଣ୍ଡଳୀରେ ଗତ ୨୦୦୯ ନିର୍ବାଚନରେ ଏହି ଆସନରୁ ବର୍ତ୍ତମାନର ରାଜ୍ୟ ବିଧାନସଭାର ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି ପ୍ରାୟ ୨୯.୬୩ ହାରରେ ୩୩,୭୩୮ ଖଣ୍ଡ ଭୋଟ ପାଇ ନିର୍ବାଚନ ଜିତି ଥିଲେ । ସେହିପରି ୨୦୧୪ ସାଧାରଣ ନିର୍ବାଚନରେ ୭୪.୪୧ ପ୍ରତିଶତ ମତଦାନ ହୋଇଥିଲା । ଏହା ମଧ୍ୟରୁ ବିଜେଡ଼ି ବିଧାୟକ ସାନନ୍ଦ ୩୮.୦୭ ପ୍ରତିଶତ ହାରରେ  ମୋଟ ୫୪,୧୩୧ ଖଣ୍ଡ ଭୋଟ ପାଇ ୧୭,୧୧୪ଖଣ୍ଡ ଭୋଟ ବ୍ୟବଧାନରେ ନିକଟତମ ପ୍ରତିଦ୍ୱନ୍ଦି ବିଜେପି ପ୍ରାର୍ଥୀକୁ ପରାସ୍ତ କରି ବିଜୟୀ ହୋଇଥିବା ବେଳେ ବିଜେପି ୨୬.୦୩ ପ୍ରତିଶତ ହାରରେ ୩୭,୦୧୭ ଖଣ୍ଡ ଭୋଟ ପାଇ ପରାସ୍ତ ହୋଇଥିବା ବେଳେ କଂଗ୍ରେସକୁ ୧୫.୪୩ ପ୍ରତିଶତ ହାରରେ ୨୧,୯୩୩ ଖଣ୍ଡ ଓ ଝାମୁମୋକୁ ୧୩.୫୧ ପ୍ରତିଶତ ହାରରେ ୧୯,୨୧୪ ଖଣ୍ଡ ଭୋଟ ମିଳି ଥିଲା । ଏହାପରେ ୨୦୧୭ରେ ଅନୁଷ୍ଟିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବଡ଼ସାହି ବ୍ଲକର ୨୨ , ଖୁଣ୍ଟା ବ୍ଲକର ୧୩, ୧୪ ଓ ବାରିପଦା ବ୍ଲକର ୨୯ ନମ୍ବର ଜିଲାପରିଷଦ ଆସନ ବିଜେପି ଦଖଲ କରିଥିବା ବେଳେ ୩୦ ନମ୍ବର ଜିଲାପରିଷଦ ଆସନ ବିଜେଡ଼ି ହାତେଇବାରେ ସଫଳ ହୋଇଥିଲା । ଜିଲାପରିଷଦ ନିର୍ବାଚନରେ ବିଜେଡ଼ିକୁ ୩୨.୫୫ ପ୍ରତିଶତ ହାରରେ  ୩୫,୧୧୭ ଖଣ୍ଡ ଭୋଟ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ବିଜେପି ୪୩.୧୪ ପ୍ରତିଶତ ହାରରେ ମୋଟ ୪୬,୫୩୯ ଖଣ୍ଡ ଭୋଟ ପାଇ ପ୍ରଥମ ସ୍ଥାନରେ ରହିଥିଲା । ସେହିପରି କଂଗ୍ରେସ ୬.୨୮ ପ୍ରତିଶତ ହାରରେ ୬,୭୭୧ ଖଣ୍ଡ ଭୋଟ ପାଇ ୪ର୍ଥ ଓ ଝାମୁମୋ ୧୫.୯୭ ପ୍ରତିଶତ ହାରରେ ୧୭,୨୨୨ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲା । ବିଧାନସଭା ଓ ଜିଲାପରିଷଦ ନିର୍ବାଚନରେ ବିଭିନ୍ନ ଦଳ ସପକ୍ଷରେ ପଡ଼ିଥିବା ଭୋଟର ପରିମାଣକୁ ତର୍ଜମା କଲେ ଜିଲାପରିଷଦ ନିର୍ବାଚନରେ ଭାଜପାର ଭୋଟର ହାର ୧୭.୧୧ ପ୍ରତିଶତ ବୃଦ୍ଧି ପାଇ ଥିବା ବେଳେ ବିଜଦର ଭୋଟ ହାର ୫.୫୨ ପ୍ରତିଶତ ତଳକୁ ଖସି ଆସିଛି । ସେହିପରି ଝାମୁମୋରୁ ରାଜ୍ୟ ସଭାପତି ସୁଦାମ ମାର୍ଣ୍ଡିଙ୍କ ସହିତ ମୟୂରଭଞ୍ଜ ଜିଲା ସଭାପତି ଭାଦବ ହାଁସଦାଃ ଆଦି ଆଗଧାଡ଼ିର ନେତାମାନେ ଦଳ ତ୍ୟାଗ କରି ବିଜେଡ଼ିରେ ସାମିଲ ହୋଇଥିଲେ ମଧ୍ୟ ଝାମୁମୋର କ୍ଷତି ହେବା ବଦଳରେ ଦଳ ଅଧିକ ଶକ୍ତିଶାଳୀ ହୋଇ ଉଠିଥିବାର ଜିଲାପରିଷଦ ନିର୍ବାଚନରେ ଦଳ ସପକ୍ଷରେ ପଡ଼ିଥିବା ଭୋଟରୁ ପରିଲକ୍ଷିତ ହୋଇଛି । ଝାମୁମୋର ଭୋଟର ହାର ବିଧାନସଭା ନିର୍ବାଚନଠାରୁ ଜିଲାପରିଷଦ ନିର୍ବାଚନରେ ୨.୪୬ ପ୍ରତିଶତ ଉନ୍ନତି ଘଟିଥିବାର ଫଳାଫଳରୁ ଜଣାପଡ଼ିଛି । ମାତ୍ର କଂଗ୍ରେସର ଭୋଟର ହାର ମାତ୍ରାଧିକ ତଳକୁ ଖସି ଆସିଛି । ଜିଲାପରିଷଦ ନିର୍ବାଚନରେ କଂଗ୍ରେସ ବିଧାନସଭା ନିର୍ବାଚନରେ ପାଇଥିବା ଭୋଟର ହାରଠାରୁ ୯.୧୫ ପ୍ରତିଶତ ତଳକୁ ଖସି ଆସିଥିବାର ଦେଖିବାକୁ ମିଳିଛି ।           

             ବିଜେଡ଼ି ଜିଲାପରିଷଦ ନିର୍ବାଚନରେ ବିଜେପିର ଏହି ସଫଳତା ସହିତ ନିଜ ଦଳର ବିଫଳତାର କାରଣ ଖୋଜିବାରେ ଲାଗିଛି । ବାରିପଦା ବିଧାୟକ ତଥା ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି  ଜଣେ ମାର୍ଜିତ, ମିଷ୍ଟଭାଷୀ, ଜନ ଦରଦୀ, ଜନସାଧାରଣଙ୍କ ସୁଖଦୁଃଖର ସାଥୀ ହୋଇଥିବା ବେଳେ ନିର୍ବାଚନରେ କେଉଁ କାରଣରୁ ଭୋଟ ବିଜେଡ଼ି ସପକ୍ଷରେ ଆସିଲା ନାହିଁ, ଏହାକୁ କେନ୍ଦ୍ର କରି ଦଳୀୟ ନେତା, ବିଧାୟକଙ୍କ ସମର୍ଥକମାନେ ସମୀକ୍ଷା ପରେ ସମୀକ୍ଷା ବୈଠକ ବସିଥିଲେ ମଧ୍ୟ ଅଦ୍ୟାବଧି କୌଣସି ସିଦ୍ଧାନ୍ତରେ ଉପନୀତ ହୋଇପାରୁ ନ ଥିବା ସମୟରେ ରାଜନୀତି ବିଶାରଦମାନେ ବାରିପଦା ବିଧାୟକ ସାନନ୍ଦଙ୍କ ନିମନ୍ତେ ଉପବାଚସ୍ପତି ଆସନ ମୁଖ୍ୟ କାରଣ ବୋଲି ମତ ଦିଅନ୍ତି । ବିଧାୟକ ସାନନ୍ଦ ସାମ୍ବିଧାନିକ ବ୍ୟବସ୍ଥା ମଧ୍ୟରେ ବନ୍ଧା ହୋଇଯାଇଥିବା କାରଣରୁ ବାରିପଦା ନିର୍ବାଚନ ମଣ୍ଡଳୀରେ ସାଧାରଣ ଜନତା ତାଙ୍କର ପ୍ରିୟ ବିଧାୟକଙ୍କୁ ନିଜ ଗାଁ ମାଟିରେ ବର୍ଷ ପରେ ବର୍ଷ ଦୀର୍ଘ ୭ ବର୍ଷ ଧରି ପାଦ ଥାପୁ ନ ଥିବାର ଦେଖିବାକୁ ପାଉଛନ୍ତି । ଏଥି ସହିତ ଆଦିବାସୀ ତଥା ସାଧାରଣ ଜନତାଙ୍କୁ ପୋଟୋକଲର ଅର୍ଥ କଣ ଜଣା ନ ଥାଏ । ଏହା ବିଜେପି ନିମନ୍ତେ ଏକ ପ୍ଲସ ପଏଣ୍ଟ ହୋଇପାରିଛି । ଯାହାଫଳରେ ବିଜେଡ଼ି ଜିଲାପରିଷଦ ନିର୍ବାଚନରେ ବେକଫୁଟକୁ ଚାଲିଯିବାକୁ ବାଧ୍ୟ ହୋଇଛି ; ମାତ୍ର ଏହାର ପ୍ରଭାବ ୨୦୧୯ ନିର୍ବାଚନରେ ସମ୍ଭବତଃ ପ୍ରତିଫଳିତ ହେବାର ଆଶଙ୍କା ନାହିଁ । କାରଣ ସେହି ସମୟରେ ସାନନ୍ଦ ସାମ୍ବିଧାନିକ ବ୍ୟବସ୍ଥା ମଧ୍ୟରୁ ମୁକ୍ତ ହୋଇ ନିଜେ ନିର୍ବାଚନ ମଣ୍ଡଳୀରେ ପ୍ରଚାରକୁ ଉହ୍ଲାଇ ସାରିଥିବେ । ତେବେ ମୁଖ୍ୟମନ୍ତ୍ରୀ ନବୀନ ମଧ୍ୟ ଜଣେ ବିଧାୟକଙ୍କୁ ଏତେ ବର୍ଷ ପର୍ଯ୍ୟନ୍ତ ପ୍ରଟୋକଲ  ମଧ୍ୟରେ ବାନ୍ଧି ରଖିବା କେତେଦୂର ଯୁକ୍ତିଯୁକ୍ତ ତାହା ମୁଖ୍ୟମନ୍ତ୍ରୀଙ୍କୁ କେବଳ ଜଣା ବୋଲି ରାଜନୈତିକ ସମୀକ୍ଷକମାନେ ମତ ପୋଷଣ କରିଛନ୍ତି ।   ଏହା ସାନନ୍ଦଙ୍କ ବିରୋଧରେ କାହାର ଷଡଯନ୍ତ୍ର ନୁହେଁ ତ ! ତେଣେ ବିଜେଡି ବେଳ ଥାଉ ଥାଉ  ବନ୍ଧ ନବାନ୍ଧିଲେ ବଢିପାଣି ଉଜାଣି ବହିବାର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ !

0
0
0
s2sdefault