ହେଡଲାଇନସ୍:

"କାଳିଆ" : ରାଜ୍ୟ ଅର୍ଥନୀତି ପଛେଇବ ନାହିଁ କିମ୍ବା ରାଜ୍ୟବାସୀଙ୍କ ମୁଣ୍ଡ ପିଛା ଋଣ ବଢ଼ିବ ନାହିଁ  : ଅମର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ମରୁଡ଼ି, ଋଣ ବୋଝ ଆଦି ସମସ୍ୟା ଦେଇ ଗତି କରୁଥିବା ଓଡ଼ିଶାର ତମାମ ଚାଷୀମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ରାଜ୍ୟ ସରକାର ‘କାଳିଆ’ ଯୋଜନା ଆରମ୍ଭ କରିଛନ୍ତି । ଏହା ସେମାନଙ୍କ ହାତମୁଠା ଟାଣ କରିବ ଏବଂ ଚାଷ ଦିଗରେ ମନୋନିବେଶ କରି ଜୀବିକା ନିର୍ବାହ କରିବା ପାଇଁ ସେମାନଙ୍କୁ ଶକ୍ତି ପ୍ରଦାନ କରିବ । ଅତୀତରେ ରାଜ୍ୟ ସରକାର ଆଣିଥିବା ଜନହିତକାରୀ ଯୋଜନାଗୁଡିକ ଭଳି କାଳିଆ ମଧ୍ୟ ବେଶ୍‍ ଫଳପ୍ରଦ ହେବ ଏବଂ ଏହାଦ୍ୱାରା ରାଜ୍ୟ ଅର୍ଥନୀତି ପଛେଇବ ନାହିଁ କିମ୍ବା ରାଜ୍ୟବାସୀଙ୍କ ମୁଣ୍ଡ ପିଛା ଋଣ ବଢ଼ିବ ନାହିଁ । ଆଜି ‘କାଳିଆ’ ଯୋଜନାର ଲୋକପ୍ରିୟତା କେବଳ ଓଡ଼ିଶା ମଧ୍ୟରେ ସୀମିତ ନାହିଁ, ବରଂ ଦେଶବ୍ୟାପୀ ଏହାକୁ ନେଇ ଚର୍ଚ୍ଚା ହେଉଛି । ଏମିତି କି କେନ୍ଦ୍ର ସରକାର ମଧ୍ୟ ଏହି ଯୋଜନା ପ୍ରତି ଆକର୍ଷିତ ହୋଇ ଏଭଳି ଅନୁରୂପ ଏକ ଯୋଜନା ଆଣି ଦେଶର ଚାଷୀମାନଙ୍କୁ ବିପଦରୁ ଉଦ୍ଧାର କରିବା ପାଇଁ ବିଚାର କରୁଥିବା ଜଣାଯାଏ । ସଂପ୍ରତି ଅଧିକାଂଶ ରାଜ୍ୟର ସରକାର ଚାଷୀମାନଙ୍କ ଉପରେ ବାକି ଥିବା ଋଣକୁ ଛାଡ଼ କରିବା ପାଇଁ ପଛାଉ ନାହାନ୍ତି । ଉଦାହରଣ ଭାବେ ଛତିଶଗଡ଼, ରାଜସ୍ଥାନ, ମଧ୍ୟପ୍ରଦେଶ ଭଳି ରାଜ୍ୟକୁ ନିଆଯାଇପାରେ । କିନ୍ତୁ ଓଡ଼ିଶାର ନବୀନ ପଟ୍ଟନାୟକ ସରକାର ବିଭିନ୍ନ ଦିଗକୁ ପୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚ କରିବା ପରେ ‘କାଳିଆ’ ଭଳି ଏକ ଅନନ୍ୟ ଯୋଜନା ହାତକୁ ନେଇଛନ୍ତି । ଏହାଦ୍ୱାରା ରାଜ୍ୟ ଚାଷୀମାନଙ୍କର ବିକାଶ ହେବା ସହ ରାଜ୍ୟ ଅର୍ଥନୀତିକୁ ମଧ୍ୟ ସେମାନଙ୍କ ଅବଦାନ ବଢ଼ିବ ବୋଲି ଆଶା କରାଯାଉଛି ।

ଏହି ଯୋଜନା କାର୍ଯ୍ୟକାରୀ କରିବା ଅତ୍ୟନ୍ତ ଜରୁରୀ ହୋଇପଡିଥିବାରୁ ସରକାର ରାଜ୍ୟ ବିପର୍ଯ୍ୟୟ ଓ ଜରୁରୀକାଳୀନ ପାଣ୍ଠି (ଓସିଏଫ୍‍)ରୁ ୭୩୪.୬୬ କୋଟି ଟଙ୍କା ଉଠାଇଛନ୍ତି । ଚାଷୀମାନଙ୍କ ସମସ୍ୟାର ପ୍ରତିକାର ପାଇଁ ଏହା ଅତ୍ୟନ୍ତ ଜରୁରୀ ହୋଇପଡିଥିଲା ଏବଂ ସରକାର ଏହି ପଦକ୍ଷେପକୁ ଉଚିତ୍‍ ମଣୁଛନ୍ତି । ଏଭଳି କରି ସରକାର ଜରୁରୀକାଳୀନ ପାଣ୍ଠିର ଦୁରୁପଯୋଗ କରିଛନ୍ତି ବୋଲି ବିରୋଧୀ ଦଳଗୁଡିକ ଯେଉଁଭଳି ଭାବେ ଅଭିଯୋଗ କରୁଛନ୍ତି, ତାହା ଆଦୌ ଯୁକ୍ତିଯୁକ୍ତ ନୁହେଁ । ଜରୁରୀକାଳୀନ ସମୟରେ ଏହି ପାଣ୍ଠି ବ୍ୟବହାର କରାଯିବା ଉଚିତ୍‍ ଥିଲା ଏବଂ ସରକାର ତାହା ହିଁ କରିଛନ୍ତି । ଅନ୍ୟପକ୍ଷରେ ସରକାର ମନମୁଖି ଭାବେ ଏଭଳି ଆଦୌ କରିନାହାନ୍ତି, ବରଂ ଆଇନ୍‍ର କ୍ଷେତ୍ରାଧିକାରରେ ରହି ଏହି ବଳିÂ ପଦକ୍ଷେପ ନେଇଛନ୍ତି ।

ବିରୋଧୀ ଦଳଗୁଡିକ ହୀନ ଉଦେ୍ଧଶ୍ୟ ରଖି ଏବଂ ଆଇନ୍‍ର ବାସ୍ତବତାକୁ ନଜର ଅନ୍ଦାଜ କରି ସରକାରଙ୍କ ଉପରେ ଦୋଷ ଲଦି ଚାଲିଛନ୍ତି । ତେବେ ସେମାନେ ଉଠାଇଥିବା ଅଭିଯୋଗକୁ ତର୍ଜମା କରିବା ସହ ଏହି ଅଭିଯୋଗର ଭିତ୍ତି କ’ଣ ଏବଂ ରାଜ୍ୟ ଉପରେ ତାହାର ପ୍ରଭାବ ପଡିବ କି ନାହିଁ, ତାହା ଉପରେ ବିଚାର କରିବା ଜରୁରୀ ହୋଇପଡିଛି ।

ବିରୋଧୀମାନେ ଉଠାଇଥିବା ପ୍ରଶ୍ନ

୧. ‘କାଳିଆ’ ସ୍କିମ୍‍ ପାଇଁ ସରକାର ଓଡ଼ିଶା ଜରୁରୀକାଳୀନ ପାଣ୍ଠି (ଓସିଏଫ୍‍)ରୁ ଅର୍ଥ ମଞ୍ଜୁର କରି ଅନିୟମିତତା କରିଛନ୍ତି କି?

୨. ‘କାଳିଆ’ ସ୍କିମ୍‍ରେ ଚାଷୀମାନଙ୍କୁ ଆର୍ଥିକ  ସହାୟତାପ୍ରଦାନ କରିବା ଲାଗି ଯଦି ସରକାରଙ୍କ ନିକଟରେ ଅର୍ଥ ନାହିଁ, ତେବେ ପ୍ରାକୃତିକ ଦୁର୍ବିପାକ ବେଳେ ଏଥିପାଇଁ ପାଣ୍ଠି କେଉଁଠୁ ଆସିବ?

୩. ‘କାଳିଆ’ ଭଳି ଯୋଜନା ଆଣି ସରକାର ରାଜ୍ୟବାସୀଙ୍କ ମୁଣ୍ଡ ପିଛା ଋଣକୁ ଅହେତୁକ ଭାବେ ବଢ଼ାଇଦେବେ ନାହିଁ ତ?

ଏବେ ବିଚାର କରିବା ଜରୁରୀକାଳୀନ ପାଣ୍ଠିକୁ ‘କାଳିଆ’ ସ୍କିମରେ ରେ ବିନିଯୋଗ କରି ସରକାର ନିୟମ ଉଲ୍ଲଂଘନ କରିଛନ୍ତି କି ନାହିଁ? ଭାରତୀୟ ସମ୍ବିଧାନର ଧାରା ୨୬୭ ଅନୁସାରେ ଭାରତୀୟ ଜରୁରୀକାଳୀନ ପାଣ୍ଠି ଗଠନ ନେଇ ନିୟମ ରହିଛି । ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନକ୍ରମେ ବିନିଯୋଗ କରାଯାଇପାରିବ । ସେହିଭଳି ଧାରା ୨୦୫ ବା ୨୦୬ ଅନୁସାରେ ରାଜ୍ୟର ଅପ୍ରତ୍ୟାଶିତ ବା ଜରୁରୀକାଳୀନ ବ୍ୟୟ ନିମନ୍ତେ ରାଜ୍ୟପାଳ ଏହି ପାଣ୍ଠିରୁ ଅଗ୍ରୀମ ପ୍ରଦାନ କରିପାରିବେ ।

ଏହାବ୍ୟତୀତ ରାଜ୍ୟ ସରକାର ମନମୁଖି ଭାବେ ଏଭଳି କରିଛନ୍ତି କି ନାହିଁ, ତାହା ଉପରେ ମଧ୍ୟ ବିଚାର କରିବା ଆବଶ୍ୟକ । ପୂର୍ବରୁ ଓସିଏଫ୍‍ ଅର୍ଥ ଅନ୍ୟ ଦିଗରେ ବିନିଯୋଗ ହୋଇଛି କି ନାହିଁ, ତାହା ମଧ୍ୟ ଯାଞ୍ଚ କରିବା ଦରକାର । ଯଦି ଅତୀତର ଘଟଣାବଳିକୁ ନଜର ପକାଇବା, ତା’ହେଲେ ବର୍ତ୍ତମାନ ରାଜ୍ୟ ସରକାର ଗ୍ରହଣ କରିଥିବା ପଦକ୍ଷେପର ଯଥାର୍ଥତାକୁ ବିଚାର କରିପାରିବା ।

ପୂର୍ବ ତଥ୍ୟକୁ ଅବଲୋକନ କଲେ ଜଣାଯାଏ, ୧୯୯୫-୯୬ରେ ଓସିଏଫ୍‍ ଅର୍ଥ ଅନେକ କ୍ଷେତ୍ରରେ ବିନିଯୋଗ ହୋଇଛି । ତନ୍ମଧ୍ୟରୁ ନ୍ୟାସନାଲ୍‍ ୱାଟରସେଡ୍‍ ଡେଭଲପ୍‍ମେଣ୍ଟ ପ୍ରୋଗ୍ରାମ ଫର୍‍ ରେନ୍‍ ଫେଡ୍‍ ଏରିଆ  ପାଇଁ ୧୦.୪୩ କୋଟି ଟଙ୍କା, ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମ ପାଇଁ ୧୧.୩୪ କୋଟି ଟଙ୍କା, ସମବାୟ ଋଣ ରିପେମେଣ୍ଟ ପାଇଁ ୧୫ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହାବାଦ୍‍ ଏହି ଅବଧିରେ ଆହୁରି ଅନେକ କ୍ଷେତ୍ରରେ ମଧ୍ୟ ଛୋଟବଡ଼ ସହାୟତା ଯୋଗାଇ ଦିଆଯାଇଛି ।

ସେହିଭଳି ୧୯୯୬-୯୭ରେ ୪୦୦ କେଭି ଲାଇନ୍‍ ରେଙ୍ଗାଳି କୋଲାଘାଟ ଟ୍ରାନ୍ସମିଶନ ଲାଇନ୍‍ ନିର୍ମାଣ ଲାଗି ଓସିଏଫ୍‍ରୁ ୨ କୋଟି, ଆସ୍କା ସୁଗାର ଇଣ୍ଡଷ୍ଟ୍ରି ଲିଃର ସଂପ୍ରସାରଣ ଓ ଆଧୁନିକୀକରଣ ଲାଗି ୬.୦୫ କୋଟି ଟଙ୍କା, ୧୯୯୭-୯୮ରେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କକୁ ଋଣ ବାବଦରେ ୭.୨୮ କୋଟି, କଳିଙ୍ଗ ନଗର ପ୍ଲଟ ବିକାଶ ସ୍କିମ୍‍ ନିମନ୍ତେ ଭିତ୍ତିଭୂମି ବିକାଶ କାର୍ଯ୍ୟ ପାଇଁ ୨ କୋଟି, ଓଏସ୍‍ସିଟିସି କର୍ମଚାରୀଙ୍କୁ କ୍ଷତିପୂରଣ ଭାବେ ୫.୧୫ କୋଟି, ରାଜ୍ୟରେ ବୈଷୟିକ ଶିକ୍ଷା ନିମନ୍ତେ ଆବଶ୍ୟକ ଯନ୍ତ୍ରାଂଶ ଓ ଅନ୍ୟାନ୍ୟ ଉପରକରଣ ହାସଲ ପାଇଁ ୩ କୋଟି, ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କୁ ପ୍ରାକ୍‍ ମାଟ୍ରିକ ମେଧାବୃତ୍ତି ପାଇଁ ୧୨.୨୭ କୋଟି ଟଙ୍କା ପ୍ରଦାନ କରାଯାଇଛି ।

୧୯୯୮-୯୯ରେ ଏମ୍‍ଏଲ୍‍ଏ ଲାଡ୍‍ ସ୍କିମ୍‍ ପାଇଁ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ଆବଶ୍ୟକ ଅତିରିକ୍ତ ପାଣ୍ଠି ବାବଦ ୭.୩୫ କୋଟି, ଓଡ଼ିଶା ଫିସ୍‍ ସିଡ୍‍ ଡେଭଲପ୍‍ମେଣ୍ଟ କର୍ପୋରେସନ୍‍ ଲିଃ ଦ୍ୱାରା ହାସଲ କରାଯାଇଥିବା ଋଣର ଏକକାଳୀନ ଥଇଥାନ ପାଇଁ ବ୍ୟାଙ୍କଗୁଡିକୁ ବକେୟା ପ୍ରଦାନରେ ୭.୩୫ କୋଟି ଟଙ୍କା ଏବଂ ଆହୁରି ଅନେକ କ୍ଷେତ୍ରରେ ଛୋଟମୋଟ ପାଣ୍ଠି ଓସିଏଫ୍‍ରୁ ଯୋଗାଇ ଦିଆଯାଇଛି । ଖାଲି ସେତିକି ନୁହେଁ, ୧୯୯୯-୨୦୦୦ରେ ମଧ୍ୟ ଓସିଏଫ୍‍ରୁ ଅନେକ ଦିଗ ପାଇଁ ପାଣ୍ଠି ଯୋଗାଇ ଦିଆଯାଇଛି । ଓସ୍‍କାର୍ଡ ବ୍ୟାଙ୍କକୁ ପେମେଣ୍ଟ ବାବଦରେ ୧୯ କୋଟି, ହୁଡ୍‍କୋ ଭୁବନେଶ୍ୱରକୁ ସୁଧ ପ୍ରଦାନ ପାଇଁ ୬.୩୦ କୋଟି, ଏମ୍‍ପି ଲାଡ୍‍ ସ୍କିମ୍‍ ଅନୁସାରେ ପ୍ରତି ନିର୍ବାଚନ ମଣ୍ଡଳୀକୁ ଅତିରିକ୍ତ ୫ଲକ୍ଷ ଟଙ୍କା ଲେଖାଏଁ ଦେବା ପାଇଁ ୭.୩୫ କୋଟି ଟଙ୍କା ଓସିଏଫ୍‍ରୁ ଖର୍ଚ୍ଚ ହୋଇଛି ।

‘କାଳିଆ’ ଯୋଜନା ଦ୍ୱାରା ରାଜ୍ୟ ଉପରେ ଋଣ ବୋଝ ବଢ଼ିବ ବୋଲି ବିରୋଧୀମାନେ ଯେଉଁ ବିଭ୍ରାନ୍ତିକର ଆଶଙ୍କା ସୃଷ୍ଟି କରୁଛନ୍ତି, ତାହାର କୌଣସି ମୂଲ୍ୟ ନାହିଁ । ଅନ୍ୟ ରାଜ୍ୟଗୁଡିକର ଋଣକୁ ଦେଖିଲେ, ଓଡ଼ିଶାର ଋଣବୋଝ ଅତ୍ୟନ୍ତ କମ୍‍ । ସେଥିପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‍ବିଆଇ) ପକ୍ଷରୁ ପ୍ରକାଶିତ ତଥ୍ୟ ଉପରେ ଦୃଷ୍ଟି ପକାଇବା ଆବଶ୍ୟକ । ଆରବିଆଇ ତଥ୍ୟ ଦର୍ଶାଇଛି ଯେ ୨୦୧୬ ମାର୍ଚ୍ଚ ଶେଷ ସୁଦ୍ଧା ଉତ୍ତର ପ୍ରଦେଶ ସବୁଠାରୁ ଋଣୀ ରାଜ୍ୟର ଆଖ୍ୟା ପାଇଛି । ଏହି ସମୟରେ ରାଜ୍ୟ ଉପରେ ଋଣ ବୋଝ ୩,୮୫,୩୦୦ କୋଟି ଟଙ୍କା ଥିଲା ବେଳେ ମହାରାଷ୍ଟ୍ର ଉପରେ ୩,୫୧,୪୦୦ କୋଟି ଓ ପଶ୍ଚିମବଙ୍ଗ ଉପରେ ୩,୧୪,୭୦୦ କୋଟି ଟଙ୍କା ରହିଛି । ୨୦୦୭ ଆରମ୍ଭରୁ ରାଜ୍ୟଗୁଡିକ ବଜାରରୁ ବିପୁଳ ପରିମାଣର ଋଣ ହାସଲ କରିଛନ୍ତି । ବିଶେଷକରି ରାଜ୍ୟ ବିକାଶ ଋଣ (ଏସ୍‍ଡିଏଲ୍‍) ଆଧାରରେ ଏହି ଋଣ ହାସଲ କରାଯାଇଛି । ବିପୁଳ ଋଣ ହାସଲ କରିଥିବା ଅନ୍ୟ ୩ ରାଜ୍ୟ ମଧ୍ୟରେ ରାଜସ୍ଥାନ, ପଞ୍ଜାବ ଓ ଗୁଜରାଟ ରହିଛନ୍ତି । ତଥ୍ୟ ଅନୁସାରେ ଏସ୍‍ଡିଏଲ୍‍ ପରିମାଣ ୨୦୧୨-୧୩ରୁ ୨୦୧୭-୧୮ ମଧ୍ୟରେ ଦୁଇଗୁଣ ବୃଦ୍ଧି ପାଇଛି ।

ରାଜ୍ୟଗୁଡିକର ବଜେଟ୍‍ ଆକଳନକୁ ବିଚାର କଲେ ଜଣାଯାଏ, ୨୦୧୮-୧୯ ଆର୍ଥିକ  ବର୍ଷରେ ମହାରାଷ୍ଟ୍ରର ଋଣ ବୋଝ ସର୍ବାଧିକ ୪,୬୧,୯୧୩ କୋଟି ଟଙ୍କାରେ ପହଞ୍ଚôଯିବ । ୨୦୧୭-୧୮ (୩,୬୪,୭୪୩ କୋଟି) ତୁଳନାରେ ଏହା ୧୩.୪୭% ଅଧିକ ବୋଲି ଜଣାପଡିଛି । ସେହିଭଳି ୨୦୧୯ରେ ଉତ୍ତରପ୍ରଦେଶର ଋଣ ପରିମାଣ ୪,୪୩,୩୬ କୋଟି ଟଙ୍କା ଛୁଇଁବ, ଯାହା ୨୦୧୮ରେ ୪,୦୬,୪୭୪ କୋଟି ଓ ୨୦୧୭ରେ ୩,୭୩,୪୧୭ କୋଟି ଟଙ୍କା ରହିଥିଲା । ତାଲିକାର ତୃତୀୟ ସ୍ଥାନରେ ଥିବା ପଶ୍ଚିମବଙ୍ଗର ଋଣ ୨୦୧୯ରେ ୩,୯୪,୮୩୨ କୋଟି ଟଙ୍କା ହେବ, ଯାହା ୨୦୧.୮ରେ ୩,୬୪,୦୧୯ କୋଟି ଟଙ୍କା ଥିଲା ।

ଅନ୍ୟପକ୍ଷରେ ଆଉ କେତେକ ରାଜ୍ୟଗୁଡିକର ଋଣ ସହ ତୁଳନା କଲେ ଓଡ଼ିଶାର ଋଣ ପରିମାଣ ବେଶ୍‍ କମ୍‍ । ୨୦୧୬-୧୭ରେ ଓଡ଼ିଶାର ସରକାରୀ ଋଣ ପରିମାଣ ୪୨,୦୧୮ କୋଟି ଟଙ୍କା ରହିଥିଲା ବେଳେ ବିକଶିତ ରାଜ୍ୟ ଆଖ୍ୟା ପାଇଥିବା ଗୁଜରାଟର ୨,୪୩,୧୪୬ କୋଟି ଟଙ୍କା, ହରିଆଣାର ୧,୨୪,୬୦୩ କୋଟି ଓ କେରଳର ୧,୮୯,୭୬୯ କୋଟି ଟଙ୍କା ରହିଥିଲା । ୨୦୧୧ ଜନଗଣନା ରିପୋର୍ଟକୁ ହିସାବ କଲେ ଏହି ସମୟରେ ଓଡ଼ିଶାର ମୁଣ୍ଡପିଛା ଋଣ ପରିମାଣ ମଧ୍ୟ କମ୍‍ । ଓଡ଼ିଶାର ଲୋକସଂଖ୍ୟା ୨୦୧୧ ରିପୋର୍ଟ ମୁତାବକ ୪,୧୯,୭୪,୨୧୮ ରହିଥିବା ବେଳେ ଗୁଜରାଟର ୬,୦୪,୩୯,୬୯୨, ହରିଆଣାର ୨,୫୩,୫୧,୪୬୨ ଓ କେରଳର ୩,୩୪,୦୬,୦୬୧ ରହିଛି ଏବଂ ସେହି ଅନୁସାରେ ଓଡ଼ିଶାର ମୁଣ୍ଡପିଛା ଋଣ ୧୦,୦୧୦.୪୩ ଟଙ୍କା, ଗୁଜରାଟର ୪୦,୨୨୯.୫୨ ଟଙ୍କା, ହରିଆଣାର ୪୯,୧୫୦.୧୨ ଟଙ୍କା ଓ କେରଳର ୫୬,୮୦୬.୭୬ ଟଙ୍କା ରହିଛି ।

ଏହାବ୍ୟତୀତ କେନ୍ଦ୍ର ସରକାରଙ୍କ ଋଣ ସଂକ୍ରାନ୍ତରେ ସଦ୍ୟତମ ଭାବେ ଯେଉଁ ରିପୋର୍ଟ ପ୍ରକାଶ ପାଇଛି ତାହା ଅତ୍ୟନ୍ତ ଚିନ୍ତାଜନକ ରହିଛି । ବିଶେଷକରି ସାଢେ଼ ୪ବର୍ଷ ମଧ୍ୟରେ ବା ମୋଦି ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ କେନ୍ଦ୍ର ଋଣ ପରିମାଣର ୫୦% ବୃଦ୍ଧି ପାଇ ୨୦୧୮ ସେପ୍ଟେମ୍ବର ବେଳକୁ ଏହା ୮୨,୦୩,୨୫୩ କୋଟି ଟଙ୍କାରେ ପହଞ୍ଚôଛି । ୨୦୧୪ ଜୁନ୍‍ ପର୍ଯ୍ୟନ୍ତ କେନ୍ଦ୍ରସରକାରଙ୍କ ଉପରେ ମୋଟ ଋଣ ପରିମାଣ ୫୪,୯୦,୭୬୩ କୋଟି ଟଙ୍କା ରହିଥିଲା । ଏହି ରିପୋର୍ଟ ଅନ୍ୟ କେଉଁ ବେସରକାରୀ ସଂସ୍ଥା ନୁହେଁ, ବରଂ ଖୋଦ୍‍ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଏହି ରିପୋର୍ଟ ପ୍ରକାଶ କରିଛି । ଏହି ତଥ୍ୟରୁ ଆହୁରି ଜଣାଯାଏ, କେନ୍ଦ୍ର ସରକାରଙ୍କ ବଜାର ଋଣ ପରିମାଣ ଆଲୋଚ୍ୟ ସାଢେ଼ ୪ବର୍ଷରେ ୪୭.୫% ବୃଦ୍ଧି ପାଇ ୫୨ଲକ୍ଷ କୋଟି ଟଙ୍କାରେ ପହଞ୍ଚôଛି । ସରକାରଙ୍କ ଅଷ୍ଟମ ସଂସ୍କରଣ ଷ୍ଟାଟସ୍‍ ପେପର୍‍ରୁ ଏହି ତଥ୍ୟ ମିଳିଥିବା ଆଜି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ  ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ବିଜେଡି ଆଇଟି ସାମ୍ମୁଖ୍ୟ ମୁଖ୍ୟ ଡ. ଅମର ପଟ୍ଟନାୟକ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟତମ ମୁଖପାତ୍ର ଡ. ସସ୍ମିତ ପାତ୍ର ଓ ସାଧାରଣ ସଂପାଦକ ମାନସ ମଙ୍ଗରାଜ ଉପସ୍ଥିତ ଥିଲେ ।

0
0
0
s2sdefault