ହେଡଲାଇନସ୍:

ବିମୁଦ୍ରାକରଣ କଳାଧନ ଫେରାଇ ଆଣିବାରେ ବିଫଳ ହୋଇଛି : ନିରଞ୍ଜନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ)  - ରାତିଅଧିଆ ନିଷ୍ପତି ନେବାରେ ଓସ୍ତାଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମୁଦ୍ରାକରଣକୁ ନଭେମ୍ବର ୮ ତାରିଖରେ ଦୁଇ ବର୍ଷ ପୂରଣ ହୋଇଛି । ୨୦୧୬ ନଭେମ୍ବର ୮ ତାରିଖ ରାତି ଅଧରେ ଏକଚାଟିଆ ନିଷ୍ପତି ନେଇ ମୋଦି ୫୦୦ ଓ ୧୦୦୦ ଟଙ୍କିଆ ନୋଟ ପ୍ରଚଳନକୁ ବନ୍ଦ କରିଦେଲେ । ଦେଶରେ କଳାଟଙ୍କା କାରବାରକୁ ରୋକିବା, ଜାଲନୋଟ ପ୍ରଚଳନ ବନ୍ଦ କରିବା ଏବଂ ବିଦେଶରେ ଥିବା କଳାଧନ ସ୍ୱଦେଶକୁ ଫେରାଇ ଆଣିବା ଲକ୍ଷ୍ୟରେ ମୋଦି ବିମୁଦ୍ରାକରଣ କାର୍ଯ୍ୟକାରୀ କରିଥିଲେ । ହେଲେ ତାହା ଶୋଚନୀୟ ଭାବେ ବିଫଳ ହୋଇଛି ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।

 ସେ କହିଛନ୍ତି ଯେ, ଭାରତୀୟ ରିଜର୍ଭ ବ୍ୟାଙ୍କ ହିସାବ ଅନୁଯାୟୀ ବିମୁଦ୍ରାକରଣ ଘୋଷଣା କରାଯିବା ସମୟରେ ଦେଶରେ  ୧୫.୪୧ ଲକ୍ଷ କୋଟି ଟଙ୍କାର ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ପ୍ରଚଳିତ ଥିଲା । ବିମୁଦ୍ରାକରଣ ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ନିକଟକୁ ତାହାର ପାଖାପାଖି ୯୯.୩ ପ୍ରତିଶତ, ଅର୍ଥାତ ୧୫.୩୦ ଲକ୍ଷ କୋଟି ଟଙ୍କାର ନୋଟ୍ ଫେରିଲା । ଅବଶିଷ୍ଟ ୧୦,୭୨୦ କୋଟି ଟଙ୍କାର ଅଯୋଗ୍ୟ ଘୋଷିତ ନୋଟ୍ ଜମା ହୋଇନାହିଁ । ତେବେ ବିମୁଦ୍ରାକରଣର ଛଅମାସ ପରେ ବିଦେଶୀ ବ୍ୟାଙ୍କଗୁଡିକରେ ପାଖାପାଖି ୭ ହଜାର କୋଟି ଟଙ୍କା ଜମା କରାଯାଇଥିଲା ଏବଂ ତାହା କଳାଧନ ବୋଲି ଜାଣିବାକୁ ମିଳିଥିଲା । ବିମୁଦ୍ରାକରଣର କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ଭାଗରେ ନକଲି ୨ହଜାର ଟଙ୍କିଆ ନୋଟ ମଧ୍ୟ ଜବତ କରାଗଲା । ପରେ ନକଲି ୫୦୦ ଟଙ୍କିଆ ବଜାରକୁ ଆସିଲା । ମୋଦି ସରକାରଙ୍କ କଡା ନଜର ସତ୍ୱେ ଉକ୍ତ କଳାଟଙ୍କା ବିଦେଶକୁ କିଭଳି ଗଲା ଏବଂ କିଏ ସେହି ଟଙ୍କା ଜମାକଲା, ଜାଲ ନୋଟ କିଭଳି ପ୍ରଚଳନ କରାଗଲା, ମୋଦି ତାହାର ଜବାବ ଦିଅନ୍ତୁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଏଥିରେ ସରକାରୀ କଳ ସଂପୃକ୍ତ ନି ନୁହେଁ, ତାହା କେନ୍ଦ୍ର ସରକାର ସ୍ପଷ୍ଟ କରିବାକୁ ସେ ଦାବି କରିଛନ୍ତି ।

ରାଫେଲ ଭଳି ସେହି ପ୍ରସଙ୍ଗ ଉପରେ ମଧ୍ୟ ମୋଦି ନୀରବ ରହିଥିବାରୁ କେନ୍ଦ୍ରରେ କ୍ଷମତାରେ ଥିବା ବିଜେପିର କିଛି ନେତା, ଦଳ ସହିତ ସୁସମ୍ପର୍କ ରଖିଥିବା ବ୍ୟକ୍ତିବିଶେଷ ଉକ୍ତ ଅର୍ଥ ଜମା କରିଥାଇପାରନ୍ତି ବୋଲି ପିସିସି ସଭାପତି କହିଛନ୍ତି । ବିମୁଦ୍ରାକରଣ କରି ସମଗ୍ର ଦେଶବାସୀଙ୍କୁ ମାସାଧିକ କାଳ ରାଜରାସ୍ତାରେ ଧାଡିବାନ୍ଧି ଛିଡା କରାଇଥିବା ଏବଂ ଏଥିଯୋଗୁଁ କିଛି ଲୋକଙ୍କର ମୃତ୍ୟୁ  ଘଟିଥିବାରୁ ଏକ ତ୍ରୁଟିପୂର୍ଣ୍ଣ ତଥା ଦୁଃଖଦ ନିଷ୍ପତି ପାଇଁ ମୋଦି ଦେଶବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବାକୁ ନିରଞ୍ଜନ ଦାବି କରିଛନ୍ତି ।

0
0
0
s2sdefault