ପାଇପ୍ ଯୋଗେ ରନ୍ଧନ ଗ୍ୟାସ୍ ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ୨୦୦୯ ମସିହାରୁ ଦାବି କରିଆସୁଛନ୍ତି
କେନ୍ଦ୍ରମନ୍ତ୍ରୀଙ୍କ ଘୋଷଣା ସତ୍ୟର ଅପଳାପ: ବିଜେଡି
ପାଣି ଓ ଗ୍ୟାସ ମାମଲାରେ ବିଜେଡିକୁ ପୁଣି ମିଛୁଆ ରାଧୁଆ : ବିଜେପି
ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଖୁବ୍ଶୀଘ୍ର କଟକ-ଭୁବନେଶ୍ୱରକୁ ପାଇପ୍ ଯୋଗେ ରନ୍ଧନ ଗ୍ୟାସ୍ ଯୋଗାଇ ଦିଆଯିବା କଥା ଯେଉଁ ଘୋଷଣା କଲେ ତାହା ସତ୍ୟର ଅପଳାପ । ସେ ବୋଧହୁଏ ପ୍ରକଳ୍ପର ରୂପରେଖ ଓ କାର୍ଯ୍ୟଧାରା ସଂପର୍କରେ ଅନଭିଜ୍ଞ କିମ୍ବା ଓଡ଼ିଶାବାସୀଙ୍କୁ ଭକୁଆ ବନେଇବା ପାଇଁ ଅପଚେଷ୍ଟା କରିଛନ୍ତି । ଏଥିରେ ସେ ସଫଳ ହେବେ ନାହିଁ । କାରଣ ସେ କ୍ରମାଗତ ଭାବରେ ମିଛ ବୟାନବାଜି କରୁଛନ୍ତି ଏବଂ ତାଙ୍କ କଥାର ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତରବରିଆ ଭାବରେ ଏକ କଲୋନୀରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରି ଯେଉଁ ବାହାବା ନେବାକୁ ଚେଷ୍ଟା କରୁଛନ୍ତି, ତାହା କଦାପି ଫଳପ୍ରଦ ହେବନାହିଁ । ଏହି ରନ୍ଧନ ଗ୍ୟାସ୍ ଯୋଗାଣ ଭୁବନେଶ୍ୱରର କୌଣସି ଏକ ବସ୍ତିରୁ ଆରମ୍ଭ କରିଥିଲେ କ’ଣ ଅସୁବିଧା ଥିଲା ବୋଲି ପ୍ରଶ୍ନ ଉଠିଛି । କେନ୍ଦ୍ରମନ୍ତ୍ରୀଙ୍କ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଭଳି ଏ କାର୍ଯ୍ୟକ୍ରମ ମଧ୍ୟ ରାଜନୈତିକ ଉଦେ୍ଧଶ୍ୟ ପ୍ରଣୋଦିତ ଏବଂ ଲୋକମାନଙ୍କୁ ସୁବିଧା ଯୋଗାଇବା ପାଇଁ ତାଙ୍କର କୌଣସି ଉଦେ୍ଧଶ୍ୟ ନାହିଁ ବୋଲି ଆଜି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ଦଳର ମୁଖପାତ୍ର ତଥା ସାଂସଦ ପ୍ରତାପ କେଶରୀ ଦେବ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ପ୍ରିୟଦର୍ଶୀ ମିଶ୍ର ଓ ବିଜୟ କୁମାର ମହାନ୍ତି କହିଛନ୍ତି ।
ଶ୍ରୀ ଦେବ କହିଥିଲେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩.୧୦.୨୦୦୯ରେ ତକ୍ରାଳୀନ ପ୍ରଧାନମନ୍ତ୍ରୀଙ୍କୁ କଟକ-ଭୁବନେଶ୍ୱର ପାଇଁ ପାଇପ୍ ଯୋଗେ ରନ୍ଧନ ଗ୍ୟାସ୍ ଯୋଗାଇ ଦେବାକୁ ଚିଠି ଲେଖିଥିଲେ । ଗୋଦାବରୀ ବେସିନ୍ରେ ଯେଉଁ ଗ୍ୟାସ୍ ଉପôାଦନ ହେଉଥିଲା, ତାକୁ ଓଡ଼ିଶା ସହିତ ଲିଙ୍କ୍ କରିବା ପାଇଁ ସେ ଚିଠିରେ ଉଲ୍ଲେଖ କରିଥିଲେ । ଏହାଫଳରେ ଘରୋଇ ଓ ଅନ୍ୟାନ୍ୟ ଶିଳ୍ପ ଅନୁଷ୍ଠାନ ମଧ୍ୟ ଉପକୃତ ହୋଇଥାନ୍ତେ । ଏହାପରେ ଗେଲ୍ର ଅଧିକାରୀ, ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ଇଡ୍କଲ ଅଧିକାରୀମାନଙ୍କ ମଧ୍ୟରେ ଏ ସଂପର୍କରେ ଆଲୋଚନା ହୋଇଥିଲା । ନିଷ୍ପତ୍ତି ହୋଇଥିଲା ଯେ ରାଜ୍ୟ ସରକାର ଧାମରାରେ ଗ୍ୟାସ୍ ଟର୍ମିନାଲ୍ ପାଇଁ ଏକ ଜାଗା ଦେବେ ଏବଂ ସେଠାରେ ଗ୍ୟାସ୍ ଟର୍ମିନାଲ୍ ହେବା ପରେ କଟକ-ଭୁବନେଶ୍ୱରକୁ ସୁବିଧାରେ ପାଇପ୍ ଯୋଗେ ରନ୍ଧନ ଗ୍ୟାସ୍ ଯୋଗାଣ ହୋଇପାରିବ । ଡିସେମ୍ବର ୧୯, ୨୦୧୨ରେ ହୋଇଥିବା ଏହି ନିଷ୍ପତ୍ତିକୁ କେନ୍ଦ୍ର ସରକାର ଆଉ ଆଗକୁ ନେଇନଥିଲେ । କେନ୍ଦ୍ର ସରକାରଙ୍କ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ ୨୦୧୭ ମସିହା ଜାନୁଆରୀ ୧୨ ତାରିଖରେ ଏକ ଚିଠିରେ ଜଣାଇଲେ ଯେ କ୍ୟାବିନେଟ୍ କମିଟି ଅଫ୍ ଇକୋନୋମିକ୍ ଆଫାୟାର୍ସ ଏହି ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି । ଏହି ପ୍ରକଳ୍ପ ବାସ୍ତବରେ ଅକ୍ଟୋବର ୨୦୧୬ ମସିହାରେ ମଞ୍ଜୁରୀ ପାଇଥିଲା ବୋଲି ଚିଠିରେ ଉଲ୍ଲେଖ ଥିଲା । ଭାରତ ସରକାରଙ୍କ ତୈଳ ଓ ପ୍ରାକୃତିକ ଗ୍ୟାସ୍ ବିଭାଗ ୪ଟି ପର୍ଯ୍ୟାୟରେ ୫୧୭୬ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଜଣାଇଥିଲେ । ଏହା ୨୦୧୬-୧୭ ରେ ୯୦୦ କୋଟି, ୨୦୧୭-୧୮ ରେ ୧୨୦୦ କୋଟି, ୨୦୧୮-୧୯ରେ ୧୫୦୦ କୋଟି ଓ ୨୦୧୯-୨୦ରେ ୧୫୭୬ କୋଟି ବ୍ୟୟ କରିବା ପାଇଁ ଯୋଜନା ରହିଥିବା କଥା ଚିଠିରେ ଉଲ୍ଲେଖ କରିଥିଲେ । ଏହି ପ୍ରକଳ୍ପ ୨୫୭୬ କିଲୋମିଟର ଅତିକ୍ରମ କରି ହଳଦିଆ-ଜଗଦିଶପୁର ଓ ଧାମରା-ବୋକାରୋ ସର୍କିଟ୍କୁ ସଂଯୋଗ କରିବ ବୋଲି ପ୍ରସ୍ତାବ ଥିଲା । ପ୍ରଥମ ପର୍ଯ୍ୟାୟରେ ପାରାଦୀପ ଠାରୁ କଟକ-ଭୁବନେଶ୍ୱର ଦେଇ ୪୦୦ କିମି ଓ ପରେ ଅନୁଗୁଳ ଠାରୁ ୩୭୩ କିମି ଅତିକ୍ରମ କରି ଝାଡ଼ଖଣ୍ଡରେ ପ୍ରବେଶ କରିବାର ଯୋଜନା ରହିଥିଲା । ଏହାଥିଲା ଷ୍ଟେଜ୍-୨ ଓ ଷ୍ଟେଜ୍-୩ର କାର୍ଯ୍ୟକ୍ର୍ରମ । ଷ୍ଟେଜ୍-୧ ବୋକାରୋରୁ ରାଞ୍ଚô ଦେଇ ଓଡ଼ିଶା ସୀମାରେ ପ୍ରବେଶ କରିବାକୁ ଥିବା ବେଳେ ଷ୍ଟେଜ୍-୧ କାମ ବୋକାରୋରୁ ଆରମ୍ଭ ହେବ ଏବଂ ଷ୍ଟେଜ୍-୨ କାମ ସୁନ୍ଦରଗଡ଼ ଠାରୁ ଏବଂ ଷ୍ଟେଜ୍-୩ କାମ ଅନୁଗୁଳ ଠାରୁ ଆରମ୍ଭ ହୋଇ ଧାମରା ପାଖରେ ପହଞ୍ଚôବ । ବିଭାଗର ରିପୋର୍ଟ ଅନୁସାରେ ଏହି ପ୍ରକଳ୍ପ ୨୦୨୦ରେ ସରିବ ।
ତେଣୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖୁବ୍ଶୀଘ୍ର କଟକ-ଭୁବନେଶ୍ୱରରେ ପାଇପ୍ ଯୋଗେ ଗ୍ୟାସ୍ ଯୋଗାଇଦେବା କଥା କହି ଯେଉଁ ବାହାସ୍ପୋଟ ମାରିଛନ୍ତି ତାହା କେବଳ ଲୋକଙ୍କୁ ଭୂଆଁ ବୁଲାଇବା ସଦୃଶ । ସେ ହେଉଛନ୍ତି ମିଛର ସୌଦାଗର । ଲୋଭନୀୟ ମିଛ କହି କହି ଓଡ଼ିଶାବାସୀଙ୍କ ମନ କିଣିବାକୁ ଚେଷ୍ଟା କରିବା ସହ ଆଉ ଯେପରି କେହି ଓଡ଼ିଶାରୁ କେନ୍ଦ୍ରମନ୍ତ୍ରୀ ହୋଇନାହାନ୍ତି ତାହା ଜଣାଇବାକୁ ଚାହୁଁଛନ୍ତି । କିନ୍ତୁ ଏଥିରେ ସେ ସଫଳ ହେବେ ନାହିଁ । କାରଣ ଉପରୋକ୍ତ ତଥ୍ୟ ଅନୁସାରେ ବାସ୍ତବରେ କିଏ ରାଧୁଆ ଓ କିଏ ମିଛଆ ଲୋକଙ୍କ ସାମ୍ନାରେ ପରିଷ୍କାର ହୋଇଯାଇଛି ବୋଲି ଶ୍ରୀ ଦେବ କହିଛନ୍ତି ।
ପାଣି ଓ ଗ୍ୟାସ ମାମଲାରେ ବିଜେଡିକୁ ପୁଣି ମିଛୁଆ ରାଧୁଆ : ବିଜେପି
ଭୁୁବନେଶ୍ୱର : ପାଇପ ଯୋଗେ ପ୍ରାକୃତିକ ଗ୍ୟାସ ଯୋଗାଣ ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡିର ସମାଲୋଚନା ପରେ ବିଜେପି ତରଫରୁ ବିଜେଡିକୁ ପାଲଟା ଆକ୍ରମଣ କରାଯାଇଛି । ଗ୍ୟାସ ଓ ପାଣି ନେଇ ଶାସକ ଦଳକୁ ଘେରିଛି ବିଜେପି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ବିକାଶ ପାଇଁ ଜାଗିର ଓ ଠିକା ନେବା ଓଡିଆ ଲୋକଙ୍କ ବିକାଶ କେବଳ ନବୀନ ପଟ୍ଟନାୟକଙ୍କର ପେଟେଂଟ ନୁହେଁ ବୋଲି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିବା ସହ ପାନୀୟ ଜଳ ପ୍ରକଳ୍ପ ନେଇ ମୁଖ୍ୟମନ୍ତ୍ରୀଙ୍କୁ କଟୁ ସମାଲୋଚନା କରିଛନ୍ତି ଦଳୀୟ ମୁଖପାତ୍ର ଗୋଲକ ମହାପାତ୍ର ।
ଶ୍ରୀ ମହାନ୍ତି କହିଛନ୍ତି ଯେ ୨୦୦୯ ଓ ୨୦୧୨ ମସିହାରେ କଟକ- ଭୁବନେଶ୍ୱରରେ ପାଇପ ଯୋଗେ ଗ୍ୟାସ ପାଇଁ ମୁଖ୍ୟମନ୍ତ୍ରୀ ଚିଠି ଲେଖିଥିବା ବେଳେ ୨୦୧୬ ମସିହାରେ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ କମିଟି ଅନ ଇକୋନୋମିକ ଆଫେୟାର୍ସ ଏହି ପ୍ରକଳ୍ପକୁ ମଂଜୁରୀ ଦେଇଥିଲା । ପ୍ରକଳ୍ପର ଶ୍ରେୟ ମୋଦିଙ୍କର ନା ଆଉ କାହାର ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଜାଗା ଯୋଗାଇ ଦେଲେ ୨ ମାସ ଭିତରେ ନବୀନ ନିବାସରେ ପାଇପ ଯୋଗେ ପ୍ରାକୃତିକ ଗ୍ୟାସ ଯୋଗାଇ ଦିଆ ଯାଇ ପାରିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ୨୦୧୪ ସୁଦ୍ଧା ମାତ୍ର କୋଟିଏ ଘରୁ ମାତ୍ର ୨୨ ଲକ୍ଷ ଘରେ ଏଲପିଜି ଥିବା ବେଳେ ସାଢେ ତିନି ବର୍ଷରେ ଏହା ୫୨ ଲକ୍ଷରେ ପହଂଚିଛି । ଏଥିରୁ ୧୭ ଲକ୍ଷ ଗରୀବ ମହିଳାଙ୍କୁ ସରକାର ସହାୟତାରେ ଉଜ୍ୱଳା ଯୋଜନାରେ ଯୋଗାଇ ଦିଆ ଯାଇଛି । ଏହା ଧର୍ମେନ୍ଦ୍ର ପ୍ରଧାନ ଓ ମୋଦି ସରକାରଙ୍କର ଓଡିଆ ଲୋକଙ୍କ ପ୍ରତି ପ୍ରତିବଦ୍ଧତା ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଏହା ସହ ମୁଖ୍ୟମନ୍ତ୍ରୀ କଟକରେ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ଭିତିପ୍ରସ୍ତର ସ୍ଥାପନାକୁ ନେଇ କଡା ସମାଲୋଚନା କରିଛନ୍ତି ଦଳର ମୁଖପାତ୍ର ଗୋଲକ ମହାପାତ୍ର । କଟକ ସହରର ୫ ଶହ କିମି ପୁରୁଣା ପାଇପ ମାର୍ଚ ୨୦୧୭ ସୁଦ୍ଧା ୧୫୨ କୋଟି ଟଙ୍କା ଖର୍ଚରେ ଶେଷ ହେବ ବୋଲି ୩୦.୦୭.୨୦୧୬ରେ ଘୋଷଣା କରିଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଘୋଷଣାନାମାକୁ ସାର୍ବଜନୀନ କରି ଏହି କାର୍ଯ୍ୟ ହୋଇ ନ ଥିବାରୁ ମୁଖ୍ୟମନ୍ତ୍ରୀ ମିଛୁଆ-ରାଧୁଆ କି ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ମହାପାତ୍ର । ଏହା ସହ ରାଜ୍ୟର ଗ୍ରାମାଂଚଳର ମୋଟ ଘରର ୨.୫ ପ୍ରତିଶତ ଘରେ ପାଇପ ଯୋଗେ ପାନୀୟ ଜଳ ପହଂଚିଥିବା ରାଜ୍ୟ ସରକାର ସ୍ୱୀକାର କରିଛନ୍ତି । ୧୭ ବର୍ଷରେ ୨.୫ ପ୍ରତିଶତ ଘରେ ଯଦି ପାଇପ ଯୋଗେ ପାନୀୟ ଜଳ ପହଂଚିଲା ତେବେ ୨୦୨୫ ସୁଦ୍ଧା ରାଜ୍ୟ ସରକାରଙ୍କ ନିର୍ଧାରିତ ଲକ୍ଷ୍ୟ କିପରି ପୂରଣ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି । ରାଜ୍ୟ ସରକାର ୨୦୧୬ରେ ୫୦ଟି ପାନୀୟ ଜଳ ପ୍ରକଳ୍ପର ଶିଳାନ୍ୟାସ କରିଥିବା ବେଳେ ସେଗୁଡିକର ଲୋକାର୍ପଣ ହୋଇ ନ ଥିବା ବେଳେ କଟକରେ ଶିଳାନ୍ୟାସ ପ୍ରକଳ୍ପ ନାଁ ରେ ମୁଖ୍ୟମନ୍ତ୍ରୀ ମିଛୁଆ- ରାଧୁଆ ଭଳି ଓଡିଆ ଲୋକଙ୍କୁ ଭଣ୍ଡଉ ନାହାନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି ।











