ମାନ ରକ୍ଷା ଲାଗି ମାନହାନି ମକଦ୍ଦମା କଲେ ଅମିତ ଶାହଙ୍କ ପୁଅ
ନୂଆଦିଲ୍ଲୀ : ନା ଖାଉଙ୍ଗା...ନା ଖିଲାଉଙ୍ଗା ବା ଖାନେ ଦୁଃଙ୍ଗା କହିଥିଲେ ମୋଦିଜୀ....ଆଉ ଦୁର୍ନୀତିକୁ ଜମା ପ୍ରଶ୍ରୟ ଦିଆଯିବ ନାହିଁ...ଆଉ ବିଜେପି ସଭାପତି ଅମିତ ଶାହା ମଧ୍ୟ ଦୁର୍ନୀତି ଉପରେ ପ୍ରବଚନ ଦେଇଆସୁଛନ୍ତି । କଳାଧନ ରୋକିବାକୁ ବିମୁଦ୍ରିକରଣ କରାଗଲା ଓ ବହୁତ ବେନାମୀ ଅର୍ଥ ଏହାଦ୍ୱାରା ପଦାକୁ ଆସିଯିବ ବୋଲି କହିଆସୁଛନ୍ତି । ଗୁଡ଼ାଏ ଫାର୍ମକୁ ଚିହ୍ନଟ କରାଯାଇଛି ବୋଲି କୁହାଯାଇଛି । ବିରୋଧୀ ଦଳ ର ନେତା ମାନଙ୍କ ପରିବାର ଉପରେ ଅଙ୍କୁଶ କସା ଯାଉଛି । ସେ ଅତି ଉତ୍ତମ କଥା, ଯିଏ ଚୋରି କରୁଛି ଆଉ ଟିକସ ଫାଂକିଛି ତାକୁ ଧରାଯିବ ନିହାତି ଆବଶ୍ୟକ । ଯାହାର ରୋଜଗାର ଏକ ନିର୍ଦିଷ୍ଟ ସମୟସୀମା ମଧ୍ୟରେ ସନ୍ଦେହଜନକ ଭାବେ ବୃଦ୍ଧି ପାଉଛି ସେମାନଙ୍କ ସମ୍ପତି ଯାଞ୍ଚ ହେବା ଉଚିତ । ଏବେ ବର୍ଷକ ଭିତରେ ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ପୁଅଙ୍କ ସମ୍ପତି ୧୬୦୦୦ ଗୁଣ ବଢିବା ଭଳି ଖବର ରେଜିଷ୍ଟ୍ରାର ଅଫ କମ୍ପାନିଜ ଙ୍କ ଦ୍ୱାରା ପ୍ରଦତ୍ତ ତଥ୍ୟକୁ ଆଧାର କରି ଏକ ୱେବ ପୋର୍ଟାଲ ରେ ପ୍ରକାଶ ପାଇବା ପରେ ଏବେ ମୋଦି ଶହ ଯୋଡ଼ିଙ୍କ କଥା ଓ କାମକୁ ନେଇ ଲୋକଙ୍କ ଭିତରେ ଚର୍ଚା ଆରମ୍ଭ ହୋଇଛି । ଏହାକୁ ନେଇ ଦେଶବ୍ୟାପି ଚର୍ଚା ଜୋର ଧରିଥିବା ବେଳେ ଅଡୁଆରେ ପଡିଯାଇଛନ୍ତି ଅମିତ ଆଉ ବିଜେପି । ନା ଖାଉଙ୍ଗା...ନା ଖିଲାଉଙ୍ଗା ବା ଖାନେ ଦୁଃଙ୍ଗା କଥା କହି ଆସୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ପ୍ରସଙ୍ଗରେ ନିରବ ଥିବା ବେଳେ ଭାରତ ଇତିହାସ ରେ ପ୍ରଥମ ଥର ପାଇଁ ଜଣେ ସାଧାରଣ ନାଗରିକ ଜୟ ଶାହ(ଅମିତଙ୍କ ପୁଅ )ଙ୍କ ପାଇଁ ସଫେଇ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋଏଲ । ଗୁଜୁରାଟ ନିର୍ବାଚନ ଆଉ ମାତ୍ର କେତେ ଦିନ ଥିବା ଯୋଗୁ ଦଳର ଏହି ଘଟଣା ମୁଣ୍ଡବିନ୍ଧା ବାଢ଼ିଦେଇଥିବା ତଥା `ଜୟଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗର ତଦନ୍ତ କରିବାକୁ ବିରୋଧୀ ଦଳଗୁଡ଼ିକ ଦାବି କରିବା ପରିପ୍ରେକ୍ଷୀରେ ମାନ ରକ୍ଷା ପାଇଁ ଗୋଟେ ମାନହାନି ମକଦ୍ଦମା କରି ଦେଇଛନ୍ତି ।
ଅଭିଯୋଗ ଅନୁଯାୟୀ ବିଜପି ନେତୃତ୍ୱାଧୀନ ଏନଡିଏ କେନ୍ଦ୍ରରେ ଶାସନକୁ ଆସିବା ପରେ ଅମିତ ଶାହାଙ୍କ ପୁଅ କମ୍ପାନୀର କାରବାର ଆଶାଠାରୁ ଅଧିକ ବଢିଛି । ଏପଟେ ଅମିତ ଶାହାଙ୍କ ପୁଅ ଜୟ ଶାହା ଏହି ଅଭିଯୋଗକୁ ମିଥ୍ୟା, ଅପମାନଜନକ ଏବଂ ମାନହାନୀପୂର୍ଣ୍ଣ କହି ଖଣ୍ଡନ କରିଛନ୍ତି । ତେବେ ଏହି ଅଭିଯୋଗକୁ ନେଇ କଂଗ୍ରେସ, ବାମ ଦଳ ଏବଂ ଆପର ନେତାମାନେ ମୋଦି ସରକାରଙ୍କ ଉପରେ ବର୍ଷିବା ସହ ଏହି ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି । କଂଗ୍ରେସ ନେତା କପିଲ ସିବଲ ଏହାକୁ ଘୋର ପୁଞ୍ଜିବାଦର ମାମଲା କହିଥିଲାବେଳେ ସିପିଆଇ ନେତା ସୀତାରାମ ୟେଚୁରୀ ଏହା ମୋଦି ସରକାରଙ୍କ ଦୁର୍ନୀତିର ଏବେକା ଘଟଣା ବୋଲି କହିଛନ୍ତି । ସିବଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଆଜି ଆମେ ପ୍ରଧାନମନ୍ତ୍ରୀ ତଥା ପ୍ରଧାନ ସେବକଙ୍କୁ ପ୍ରଶ୍ନ କରୁଛୁ ଏବେ ଘୋର ପୁଞ୍ଜିବାଦ ଉପରେ ଆପଣଙ୍କ ରାୟ କ’ଣ ? କ’ଣ ଏହି ମାମଲାର ତଦନ୍ତ ପାଇଁ ଆପଣ ସିବିଆଇକୁ ନିର୍ଦେଶ ଦେବେ ? କଣ ଆପଣ ପ୍ରବର୍ତ୍ତନ ନିର୍ଦେଶାଳୟକୁ ଏହି ଲୋକଙ୍କୁ ଗିରଫ କରିବାକୁ ଆଦେଶ ଦେବେ । ‘ଦି ୱେର’ ନାମକ ଏକ ୱେବସାଇଟରେ ପ୍ରକାଶିତ ଏକ ଖବରକୁ ନେଇ ବିରୋଧୀ ଦଳମାନେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଖବର ଅନୁସାରେ ରେଜିଷ୍ଟ୍ରାର ଅଫ କମ୍ପାନୀଜ (ଆରଓସି)ର ପରିସଂଖ୍ୟାନରୁ ଜଣାପଡିଛି ଯେ ଜୟ ଶାହାଙ୍କ ମାଲିକାନାରେ ଥିବା ‘ଟେମ୍ପୁଲ ଏଣ୍ଟରପ୍ରାଇଜେସ’ର ରାଜସ୍ୱ ୨୦୧୫-୧୬ରେ ୧୬୦୦୦ ଗୁଣା ବୃଦ୍ଧି ଘଟିଛି । ଅର୍ଥାତ କମ୍ପାନୀର ପୂର୍ବ ବର୍ଷ ଅପେକ୍ଷା ପ୍ରାୟ ୮୦ କୋଟି ଟଙ୍କା ଲାଭ କରିଛି । ସିବଲ ଆରଓସିରୁ ପ୍ରାପ୍ତ ତଥ୍ୟକୁ ଆଧାର କରି ଅଭିଯୋଗ କରିଥିଲେ ଯେ କୁସୁମ ଫନିଚର୍ସ ଏଲଏଲପିକୁ ମଧ୍ୟ ପ୍ରଦେଶରେ ପବନ ଶକ୍ତି କ୍ଷେତ୍ରରେ ଏକ ଠିକା ମିଳିଛି । ଯେତେବେଳେକି କମ୍ପାନୀ ଷ୍ଟକ୍ ଟ୍ରେଡିଙ୍ଗ (ଅଂଶଧନ କାରବାର) କରୁଛି । ଏହି କମ୍ପାନୀର ୬୦% ଅଂଶଧନ ଜୟ ଶାହାଙ୍କ ପାଖରେ ରହିଛି । ‘ଦି ୱେର’ ଖବର ଅନୁଯାୟୀ ଟେମ୍ପୁଲ ଏଣ୍ଟରପ୍ରାଇଜେସ କମ୍ପାନୀ ବାଲାନ୍ସ ସିଟ ଅନୁସାରେ ୨୦୧୩ ଏବଂ ୨୦୧୪ ଆର୍ଥିକ ବର୍ଷରେ କମ୍ପାନୀ ସାମାନ୍ୟ କାରବାର କରିଥିଲା । ଏହି ଦୁଇ ବର୍ଷରେ ଯଥାକ୍ରମେ ୬,୨୩୦ ଟଙ୍କା ଏବଂ ୧,୭୨୪ ଟଙ୍କା କ୍ଷତି କରିଥିଲା । ୨୦୧୪-୧୫ ଆର୍ଥିକ ବର୍ଷରେ ଜୟ ଶାହାଙ୍କ କମ୍ପାନୀ ୧୮,୭୨୮ ଟଙ୍କା ଲାଭ କରିଥିଲା ଓ କମ୍ପାନୀର ରାଜସ୍ୱ ୫୦ ହଜାର ଟଙ୍କାରେ ପହଞ୍ଚିଥିଲା । ତେବେ ୨୦୧୫-୧୬ ଆର୍ଥିକ ବର୍ଷରେ କମ୍ପାନୀର ଲାଭ ଆଶାଠାରୁ ୧୬୦୦୦ ଗୁଣ ବୃଦ୍ଧି ପାଇ ରାଜସ୍ୱ ୫୦ ହଜାରରୁ ୮୦.୫ କୋଟି ଟଙ୍କାରେ ପହଞ୍ଚିଛି । ହେଲେ ଦେଖାଯାଉ ଏ ମାମଲା କେତେଦୂର ଯାଉଛି ଓ ଏହାର ପ୍ରଭାବ କିମିତି ପଡୁଛି !











