ହେଡଲାଇନସ୍:

କେନ୍ଦ୍ରରେ ଯିଏ ଇନ୍ଦ୍ର, ସିବିଆଇ ତାର ସଚୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ସିବିଆଇକୁ ଅସ୍ତ୍ର ଭାବରେ ବ୍ୟବହାର ହେଉଛି,ଜାଭଡେକରଙ୍କ ବୟାନରୁ ପ୍ରମାଣିତ : ଦାମ

   କେନ୍ଦ୍ରମନ୍ତ୍ରୀ ଶ୍ରୀ ଜାଭଡେକର ତାଙ୍କର ଓଡ଼ିଶା ଗସ୍ତ କାଳରେ ତଥ୍ୟ ନଥାଇ ରାଜ୍ୟ ସରକାରଙ୍କ ଉପରେ ଅପାରଗତା ଓ ଦୁର୍ନୀତିର ମନଗଢ଼ା  ଆରୋପ କଲାବେଳେ କହିଥିଲେ ଶାସକ ଦଳର ମନ୍ତ୍ରୀ ଓ ବିଧାୟକମାନଙ୍କୁ ସିବିଆଇ ବାନ୍ଧିବ  । ଏଥିରୁ ସ୍ପଷ୍ଟ ହେଉଛି ଯେ ଦେଶର ସର୍ବୋଚ୍ଚ ତଦନ୍ତନ୍ତକାରୀ ସଂସ୍ଥା ସିବିଆଇ ସଚୀଙ୍କ ଭଳି । କେନ୍ଦ୍ରରେ ଯିଏ ଇନ୍ଦ୍ର ହେଉଛନ୍ତି ସିବିଆଇ ତାଙ୍କର ସଚୀ (ସଚୀ ହେଉଛନ୍ତି ଦେବରାଜ ଇନ୍ଦ୍ରଙ୍କ ସ୍ତ୍ରୀ ) ଭଳି କାମ କରୁଛନ୍ତି । ଉପା ସରକାର ଅମଳରେ କୋଇଲା ଦୁର୍ନୀତି  ଓ ଟୁଜି ସ୍କାମ ବାବଡରେ ମାନ୍ୟବର ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରି କହିଥିଲେ ଯେ ସିବିଆଇ କେନ୍ଦ୍ରର ପଞ୍ଜୁରୀରେ  ପୋଷା ଶୁଆ ଭଳି କାମକରୁଛି  । ଏବେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜାଭଡେକର ଯେଉଁ ବୟାନବାଜି କଲେ, ସେଥିରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ମନ୍ତବ୍ୟ ଯଥାର୍ଥ ବୋଲି ପ୍ରମାଣିତ ହୋଇଛି ବୋଲି ବରିଷ୍ଠ ବିଜେଡି ନେତା ତଥା ମନ୍ତ୍ରୀ ଡ଼. ଦାମୋଦର ରାଉତ କହିଛନ୍ତି ।

ଡ଼ ରାଉତ କହିଛନ୍ତି ଯେ,  ଚିଟଫଣ୍ଡ ସମ୍ପର୍କରେ ସମ୍ବାଦ ପଦାକୁ  ଆସିବାକ୍ଷଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂଗେ ସଂଗେ କ୍ରାଇମବ୍ରାଞ୍ଚ  ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ । କ୍ଷୀପ୍ର ଗତିରେ ତଦନ୍ତ  କରାଯାଇ କେତେ ଚିଟଫଣ୍ଡ  ସଂସ୍ଥାର ପ୍ରାୟ ୩୦୦ କୋଟି ଟଙ୍କା ବାଜ୍ୟାପ୍ତ କରାଗଲା  । ବହୁଲୋକ ଜେଲକୁ ଯାଇଥିଲେ ଏବଂ କ୍ରାଇମବ୍ରାଞ୍ଚ ତଦନ୍ତ ·ଚାଲିଥିଲା ବେଳେ ବିରୋଧୀମାନେ ମାନ୍ୟବର ସୁପ୍ରିମକୋର୍ଟରେ ଆବେଦନ କଲେ ଯେ କ୍ରାଇମବ୍ରାଞ୍ଚଏକ ରାଜ୍ୟ ସଂସ୍ଥା, ସେଥିରୁ ନ୍ୟାୟ ମିଳିବ ନାହିଁ  । ଏହାର ତଦନ୍ତ ଭାର ସିବିଆଇକୁ ଦିଆଯାଉ । ରାଜ୍ୟ କ୍ରାଇମବ୍ରାଞ୍ଚହାତରୁ ସିବିଆଇ ତଦନ୍ତ ଭାର  ନେଲା  । ଏହା ବିଗତ ୨୦୧୨ ମସିହାର କଥା  । ଏବେ ୨୦୧୭ ମସିହା ହେଲାଣି  । ଏଥିରେ ସଂଶ୍ଳିଷ୍ଟ ଲୋକମାନଙ୍କୁ ଧରିବାକୁ ସିବିଆଇ କରୁଛି କ'ଣ ? ଅନ୍ତତଃ ଗତ ୩ ବର୍ଷ ହେଲା ସିବିଆଇକୁ ମାଧ୍ୟମ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ବିରୋଧୀ ଦଳର  ମନ୍ତ୍ରୀ ଏବଂ ବିଧାୟକମାନଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଛନ୍ତି  । ଆଇନ ତା'ବାଟରେ ଯାଉ, ଯିଏ ଦୋଷ  କରିଥିବ ସିଏ ଦଣ୍ଡ ପାଉ , ଏକଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର କହି ଆସିଛନ୍ତି  । ତେବେ କେନ୍ଦ୍ରମନ୍ତ୍ରୀମାନେ ଆସି ଶାସକ ଦଳର ମନ୍ତ୍ରୀ ଓ ବିଧାୟକମାନେ ବନ୍ଧା ହେବା କହିବା ଅର୍ଥ ସିବିଆଇ ଯେ କେନ୍ଦ୍ରର ରାଜନୈତିକ ଉଦ୍ଦେଶ୍ୟରେ  ପରିଚାଳିତ ଏହା ପ୍ରମାଣିତ ହୋଇ ସାରିଛି ବୋଲି ଡ଼ ରାଉତ କହିଛନ୍ତି ।

ସେ କହିଛନ୍ତି ଯେ ତେବେ ଆମର ଗଣତାନ୍ତ୍ରିକ ବିଧି ବ୍ୟବସ୍ଥା ଓ ପରମ୍ପରାକୁ ଉଲ୍ଲଂଘନ କରି ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀମାନେ ଅନ୍ୟ ଏକ ଦଳ   ଦ୍ୱାରା ଶାସିତ ରାଜ୍ୟକୁ ଆସି ସେ ରାଜ୍ୟର ମାଟି ଉପରେ ଛିଡ଼ା ହୋଇ ଯେଉଁ ବୟାନବାଜି କରୁଛନ୍ତି ତାହା ଅତୀତରେ କେବେ ଦେଖା ଦେଇ ନଥିଲା  । ସ୍ୱୟଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି  ଓଡ଼ିଶା ଗସ୍ତରେ ଆସିଲେ  । ତାଙ୍କର ଗସ୍ତକୁ ସୁରକ୍ଷିତ କରିବା ପାଇଁ ରାଜ୍ୟ ସରକାର ବିପୁଳ ଅର୍ଥ ଖର୍ଚ୍ଚ କରିଥିଲେ ଏବଂ ପ୍ରଧାନମନ୍ତ୍ରୀ ସମବେତ ଜନତାଙ୍କୁ ଉଦ୍ବୋଧନ  ଦେବା ବେଳେ ପ୍ରଥମ ବାକ୍ୟରେ କହନ୍ତି, ଯେଉଁଠି ବିଜେପି ନାହିଁ ସେଠି ବିକାଶ ନାହିଁ  । ଅନ୍ୟ ଅର୍ଥରେ କେନ୍ଦ୍ରୀୟ ପାଣ୍ଠି ଓ ରାଜ୍ୟ ପାଣ୍ଠିର ବିନିଯୋଗରେ ପ୍ରଧାନମନ୍ତ୍ରୀ ଆସି ତାଙ୍କ ଦଳର ପ୍ରଚାର କରନ୍ତି  । ସମ୍ବିଧାନ ଅନୁଯାୟୀ ସବୁ ରାଜ୍ୟର ସମବିକାଶ ପ୍ରଧାନମନ୍ତ୍ରୀଙ୍କ ଦାଇତ୍ୱ ବୋଲି ସେ ହୁଏତ ଜାଣି ନାହାଁନ୍ତି  କିମ୍ବା ଜାଣି ମଧ୍ୟ ଉଲ୍ଲଂଘନ କରୁଛନ୍ତି, ଲୋକେ ତାହା ବିଚାର କରିବେ । ରାଜ୍ୟ ସରକାରମାନଙ୍କର ରାଜସ୍ୱ ଆୟ କରିବାର ଅନେକ ପନ୍ଥା ରହିଛି  । କେନ୍ଦ୍ରର ତାହା ନାହିଁ  । ସବୁ ରାଜ୍ୟରୁ କେନ୍ଦ୍ରୀୟ ଟିକସ ଭାବେ ଯାହା ଆଦାୟ ହୁଏ ସେଥିରେ କେନ୍ଦ୍ର ସରକାରଙ୍କ ପାଣ୍ଠି ଗଠିତ ହୁଏ ଏବଂ ରାଜ୍ୟମାନଙ୍କର ସମବିକାଶ ପାଇଁ ସେହି ପୁଞ୍ଜିକୁ ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ବଣ୍ଟନ କରାଯାଏ  । କେନ୍ଦ୍ର ସରକାରଙ୍କ ନିଜସ୍ୱ ଆୟ କେବଳ ରେଳବାଇ ବିଭାଗ  । ସେଥିଯୋଗୁଁ ରେଳ ବିଭାଗର ସ୍ୱତନ୍ତ୍ର ବଜେଟ୍ ରହିଆସିଥାଏ । ଏବେ ବିଜେପି ଦଳର  ପ୍ରଧାନମନ୍ତ୍ରୀଙ୍କଠୁ ଆରମ୍ଭ କରି ଗାଁର ବିଜେପି କର୍ମୀମାନେ ମଧ୍ୟ ଚିତ୍କାର  କରୁଛନ୍ତି ଯେ, ପ୍ରଧାନମନ୍ତ୍ରୀ ଟଙ୍କା ଦେଲେ ଏ ସରକାର ଖର୍ଚ୍ଚ କରି ପାରୁନାହାଁନ୍ତି କିମ୍ବା ଖାଇ ଯାଉଛନ୍ତି  । ସତେ ଯେମିତି ପ୍ରଧାନମନ୍ତ୍ରୀ ନିଜ ବ୍ୟାଙ୍କ ଆକାଉ ରୁ ଟଙ୍କା ଦେଉଛନ୍ତି  । ଆମ ଗଣତନ୍ତ୍ର ଶାସନର ୬୮ ବର୍ଷ ଭିତରେ ଏଭଳି ଘଟଣା କେବେ ଘଟି ନଥିଲା  । ଏଥିରୁ ସ୍ପଷ୍ଟ ପ୍ରମାଣିତ ଯେ ବିଜେପିର କେନ୍ଦ୍ରମନ୍ତ୍ରୀମାନେ ଏବଂ ରାଜ୍ୟ ନେତାମାନେ ଆମ ସଂଘୀୟ ରାଷ୍ଟ୍ରର ସମ୍ବିଧାନକୁ ଆଦୌ ପଢ଼ି ନାହାଁନ୍ତି  । ଟଙ୍କା ବଳରେ ଶାସନ ଦାଖଲ କରିହୁଏ ଏଭଳି ଏକ ଉଗ୍ର ମାନସିକତାରେ ସେମାନେ କାର୍ଯ୍ୟ କରୁଛନ୍ତି ବୋଲି ଡ଼ ରାଉତ କହିଛନ୍ତି । 

ଡ଼ ରାଉତ ଆହୁରି ମଧ୍ୟ କହିଛନ୍ତି ଯେ ଭାରତୀୟ ଜନତାପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଓଡ଼ିଶା ଗସ୍ତରେ ଆସିଲା ବେଳେ ଦର୍ପର ସହ କହିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ପୋଡ଼ି ଯାଇଥିବା ଟ୍ରାନ୍ସଫରମର  । ତାକୁ ଉପାଡ଼ି କରି ଫୋପାଡ଼ି ଦିଅ। ତାଙ୍କର ଓଡ଼ିଶା ଗସ୍ତ ମିଶନ ଥିଲା ୧୨୦ ପ୍ଲସ  । ସେତେବେଳେ ମୋ ପ୍ରତିକ୍ରିୟାରେ କହିଥିଲି ଯେ ଅମିତ୍ ଶାହ ଜଣେ ସଟ୍ଟା ବେପାରୀ ପରି କଥା କହୁଛନ୍ତି  । ବିଜେପି ନେତାମାନେ ମୋର କଟୁ ସମାଲୋଚନା କରିଥିଲେ  । ଏବେ ବର୍ଷେ ୨ ବର୍ଷ ମଧ୍ୟରେ ଅମିତ୍ ଶାହ ପୁତ୍ରଙ୍କର ସଟ୍ଟା ବେପାର ୧୬ ହଜାର ଗୁଣ ବଢ଼ିଛି । ଏଥିରୁ ସହଜରେ ଅନୁମେୟ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ କିଏ ଓ ସେ କ'ଣ କରନ୍ତି ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ତାଙ୍କର ସମ୍ପର୍କ କ'ଣ ? ଧର୍ମ, ସମ୍ପ୍ରଦାୟ  ଏବଂ ଅର୍ଥବଳ ଯେଉଁ ଦଳର ରାଜନୈତିକ ନୀତି ଓ ଆଦର୍ଶର ମୂଳଦୁଆ, ଦେଶବାସୀ ତାଙ୍କଠାରୁ ଅଧିକ କିଛି ଆଶା କରନ୍ତି ନାହିଁ  ବୋଲି ଡ଼ ରାଉତ କହିଛନ୍ତି । 

0
0
0
s2sdefault