ଛତିଶଗଡ଼ର ବେଆଇନ୍‍ କାର୍ଯ୍ୟ ବିରୋଧରେ ଲୋକଙ୍କୁ ସଚେତନ କର ଓ ଅଭିଯାନରେ ସାମିଲ କର : ନବୀନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

‘ମହାନଦୀର ଜଳ ସଂକଟ ପାଇଁ ୨ୟ ପର୍ଯ୍ୟାୟ ସଂଗ୍ରାମ’ ଜୋରଦାର କରିବ  ବିଜେଡି 

 ଚାଷୀ ଟୀକାରାମ ଭୋଇ ବଖାଣିଲେ  ମହାନଦୀର ତଳମୁଣ୍ଡରେ ଥିବାରୁ ଚାଷୀକୂଳଙ୍କ ଦୁର୍ଦ୍ଦଶା  

23-04-18-bjd.jpg - 142.78 kB

ଭୁବନେଶ୍ୱରରୁ ମାନସୀ ମିଶ୍ର : ମହାନଦୀ ପ୍ରସଙ୍ଗରେ ଛତିଶଗଡ଼ର ବେଆଇନ  କାର୍ଯ୍ୟ ଓ କେନ୍ଦ୍ରସରକାରଙ୍କ ଉଦାସୀନତା କାରଣରୁ ଓଡ଼ିଶା ପ୍ରତି ହୋଇଥିବା  ଅନ୍ୟାୟ ବିରୋଧରେ ଜନସଚେତନତା ସୃଷ୍ଟି କରିବା ସହିତ ମହାନଦୀ ଅବବାହିକାରେ ଥିବା ଅଂଚଳ ଅଧିବାସୀଙ୍କୁ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ମହାନଦୀରେ ଉପୁଜିଥିବା ସାମ୍ପ୍ରତିକ ସଂଗୀନ ସୁଖା ସ୍ଥିତି ଯୋଗୁ ଓଡ଼ିଶାର ମହାନଦୀ ଅବବାହିକା ଅଞ୍ଚଳର ଜନଜୀବନ ପ୍ରଭାବିତ ହୋଇଥିବା ପରିପ୍ରେକ୍ଷୀରେ ମହାନଦୀ ଅବବାହିକାର ୧୫ଟି ଜିଲ୍ଲାର ବିଜେଡି ଜନପ୍ରତିନିଧି ଓ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ନେଇ ବିଜୁ ଜନତା ପକ୍ଷରୁ ଆୟୋଜିତ  କର୍ମଶାଳାରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ଉପରୋକ୍ତ ଆହ୍ୱାନ ଦେବା ସହ କେନ୍ଦ୍ର ବିଜେପି ଓ କେନ୍ଦ୍ର ପ୍ରତି ନିଜ  ଅସନ୍ତୋଷ ଜାହିର କରିଛନ୍ତି | ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ  କେନ୍ଦ୍ର ମହାନଦୀ ଟ୍ରିବ୍ୟୁନାଲ  ଗଠନ ପ୍ରଚଳିତ ଆଇନ୍‍ ଅନୁଯାୟୀ ନକରିବା ପରେ ଓଡ଼ିଶା ସରକାର ମାନ୍ୟବର ସୁପ୍ରିମ୍ କୋର୍ଟରେ  ଆବେଦନ କରିବା ପରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ଏହା ଗଠନ ହେଉଛି ।  ମହାନଦୀ ପାଇଁ ତା’ର ଉପନଦୀ ଇବ୍‍ ଓ ତେଲ ନଦୀକୂଳରେ ୧୬୫୦୦ ହେକ୍ଟରରୁ ଉର୍ଧ୍ଵ  ବନୀକରଣ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ‘ସବୁଜ ମିଶନ’ ଜରିଆରେ ନିଆଯାଉଛି ବୋଲି ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରିଥିଲେ । 

ଭୁବନେଶ୍ୱର ଦଳୀୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ  ଏହି କର୍ମଶାଳାକୁ ଦଳର ଉପ-ସଭାପତି ପ୍ରସନ୍ନ ଆଚାର୍ଯ୍ୟ ଓ ଦେବୀ ପ୍ରସାଦ ମିଶ୍ର ପରିଚାଳନା ଓ ସଂଯୋଜନା କରିଥିଲେ ଏବଂ ପାଖାପାଖି ୭୦୦ ପ୍ରତିନିଧି ମଣ୍ଡଳୀ ଯଥା, ବିଜୁ ଜନତା ଦଳର ରାଜ୍ୟ କର୍ମକର୍ତ୍ତା, ଛାମୁଆ ସଂଗଠନର ରାଜ୍ୟ ସଭାପତି/ମହାନଦୀ ଅବବାହିକା ଜିଲ୍ଲା ବିଜୁ ଜନତା ଦଳ ବିଧାୟକ, ବିଧାୟିକା/ବିଧାୟକ ପ୍ରାର୍ଥୀ, ସାଂସଦ, ଜିଲ୍ଲା ପର୍ଯ୍ୟବେକ୍ଷକ, ଜିଲ୍ଲା ସଭାପତି, ବ୍ଲକ ଓ ନଗର ସଭାପତି, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଅଧ୍ୟକ୍ଷା, ବ୍ଲକ ଅଧ୍ୟକ୍ଷ, ଅଧ୍ୟକ୍ଷା, ପୌର ପରିଷଦ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ/ଅଧ୍ୟକ୍ଷା ଯୋଗଦେଇଥିଲେ । ଏଥିରେ ମହାନଦୀ ୨ୟ ପର୍ଯ୍ୟାୟ ଆନ୍ଦୋଳନକୁ  ଜୋରଦାର ଭାବେ ଗଢି ତୋଳିବା ପାଇଁ ଏହି କର୍ମଣଶାଳାରେ ନିଷ୍ପତ୍ତି ହୋଇଛି । ଏଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଯଥାଶୀଘ୍ର ନିଆଯିବ ବୋଲି କୁହାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଓଡ଼ିଶାରେ ମହାନଦୀ ଓ ଉପୁଜିଥିବା ସଦ୍ୟତମ ସ୍ଥିତି ଉପରେ ଏକ ପ୍ରମାଣିତ ଚଳଚ୍ଚିତ୍ର ପ୍ରଦର୍ଶିତ କରାଯାଇଥିଲା । ଏହି ଅବସରରେ ‘ମହାନଦୀ ପାଇଁ ମହାସଂଗ୍ରାମ’ ନାମକ ଏକ ପୁସ୍ତକକୁ  ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଥିଲେ ।

ପ୍ରଥମେ ଆଭିମୁଖ୍ୟ ସଂପର୍କରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଉପସ୍ଥାପନା କରିଥିବା ବେଳେ ମହାନଦୀ ସଂକଟର ଘଟଣା ପ୍ରବାହ ଉପସ୍ଥାପନା କରିଥିଲେ  ଦେବୀ ପ୍ରସାଦ ମିଶ୍ର, ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, କିଶୋର କୁମାର ମହାନ୍ତି ଓ ଡ. ଅରୁଣ କୁମାର ସାହୁ । ପରେ ସୁଖାସୋଡ଼ା ଗ୍ରାମ ଯେଉଁଠି ମହାନଦୀ ଓଡ଼ିଶାରେ ପ୍ରବେଶ କରିଛି, ସେହି ଗ୍ରାମର ଚାଷୀ ଟୀକାରାମ ଭୋଇ ମହାନଦୀର ତଳମୁଣ୍ଡରେ ଥିବାରୁ ଚାଷୀକୂଳ କିପରି ହଇରାଣ ହେଉଛନ୍ତି ସେ ବିଷୟରେ ଉଲ୍ଲେଖ କରିଥିଲେ । ମହାନଦୀ ସଂକଟର ବୈଷୟିକ ଦିଗ ଉପରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଇଂ ଶ୍ରୀଧର ବେହେରା ଓ ଉପ ମୁଖ୍ୟ ସରକାରୀ ସଚେତକ ଇଂ ରୋହିତ ପୂଜାରୀ ଆଲୋଚନା କରିଥିବା ବେଳେ ମହାନଦୀ ବିବାଦର ଆଇନ୍‍ଗତ ଦିଗ ଉପରେ ଅସିମ୍‍ ଅମିତାଭ ଦାସ ସୂଚନା ଦେଇଥିଲେ ।

ସେହିପରି ମହାନଦୀ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ସଂଗ୍ରାମ ଅଭିଯାନ ସଂପର୍କରେ ଦଳର ସାଧାରଣ ସଂପାଦକ ସଂଜୟ କୁମାର ଦାସବର୍ମା ପ୍ରସ୍ତାବ ଆଗତ କରିଥିଲେ । ବିଧାୟକ ପଦ୍ମନାଭ ବେହେରା, ଅତନୁ ସବ୍ୟସାଚୀ ନାୟକ, ଡା. ରାସେଶ୍ୱର ପାଣିଗ୍ରାହୀ, ସାଂସଦ ପ୍ରତାପ କେଶରୀ ଦେବ, ଭର୍ତ୍ତୃହରି ମହତାବ, ତଥାଗତ ସତପଥୀ, ନଗେନ୍ଦ୍ର ପ୍ରଧାନ, କୁଳମଣି ସାମଲ, କଳିକେଶ ନରାୟଣ ସିଂହଦେଓ, ସୌମ୍ୟରଞ୍ଜନ ପଟ୍ଟନାୟକ, ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ଅଶୋକ ଚନ୍ଦ୍ର ପଣ୍ଡା, ସୁଶାନ୍ତ ସିଂହ, ବେଦପ୍ରକାଶ ଅଗ୍ରୱାଲ୍‍, ସରକାରୀ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ, ପ୍ରମିଳା ମଲିକ, ବିଷ୍ଣୁଚରଣ ଦାସ ଏହି ଅଭିଯାନ ସଂପର୍କରେ ଆଲୋଚନା କରିଥିଲେ । ଆଗତ ହୋଇଥିବା ପ୍ରସ୍ତାବକୁ ସମସ୍ତ ଛାମୁଆ ସଂଗଠନର ସଭାପତିମାନେ ସମର୍ଥନ ଜଣାଇଥିଲେ । ଶେଷରେ ଦଳର ସାଧାରଣ ସଂପାଦକ ଦେବାଶିଷ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କର୍ମଶାଳାରେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଆଗାମୀ ୨ଦିନ ମଧ୍ୟରେ ପ୍ରତିନିଧିମାନଙ୍କୁ ଜଣାଇ ଦିଆଯିବ ବୋଲି ଶ୍ରୀ ମିଶ୍ର କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ମହେଶ୍ୱର ମହାନ୍ତି, ଶଶୀଭୂଷଣ ବେହେରା, ପ୍ରଦୀପ ମହାରାଥୀ, ଉଷା ଦେବୀ, ପ୍ରତାପ ଜେନା, ପ୍ରଫୁଲ୍ଲ ସାମଲ, ନୃସିଂହ ସାହୁ, ସାଂସଦ ପ୍ରଭାସ ସିଂହ, ପ୍ରଶାନ୍ତ ନନ୍ଦ, ବିଧାୟକ ଦେବାଶିଷ ନାୟକ, ପ୍ରଣବ ପ୍ରକାଶ ଦାସ, ପ୍ରଭାତ ତ୍ରିପାଠୀ, ପ୍ରଶାନ୍ତ ମୁଦୁଲି, ମହିଧର ରଣା, ପ୍ରଦୀପ ପାଣିଗ୍ରାହୀ, ପ୍ରିୟଦର୍ଶୀ ମିଶ୍ର, ପ୍ରୀତିରଞ୍ଜନ ଘଡ଼ାଇ, ରଜନୀକାନ୍ତ ସିଂହ, ସୁଦାମ ମାରାଣ୍ଡି, ଅନୁଭବ ପଟ୍ଟନାୟକ, ମିଲନ୍‍ କାନୁନ୍‍ଗୋ, ମୁନ୍ନା ଖାଁ, ରାଣାପ୍ରତାପ ପାତ୍ର, ମେୟର ଅନନ୍ତ ନାରାୟଣ ଜେନା, ରାଜ୍ୟ ସଂପାଦକ ବିଜୟ ନାୟକଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା, ଜିଲ୍ଲା ସଭାପତି ପ୍ରମୁଖ ଉପସ୍ଥିତ ଥିଲେ ।

 

0
0
0
s2sdefault