ହେଡଲାଇନସ୍:

ନିରଞ୍ଜନ ଲେଖିଲେ ଚିଠି, ତାଲା ବନ୍ଦରେ କେବଳ ଶ୍ରୀମନ୍ଦିର ସେବାୟତ ପ୍ରଭାବିତ ହୋଇନାହାନ୍ତି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରଥଯାତ୍ରା ସମ୍ପର୍କରେ ନିଅନ୍ତୁ ଆଗୁଆ, ସମୟଚିତ ତଥା ସୁଚିନ୍ତିତ ପଦକ୍ଷେପ 


ଭୁବନେଶ୍ୱର (ଶାସକ ପ୍ରଶାସକ: ପିସିସି ସଭାପତି  ନିରଞ୍ଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲେଖିଛନ୍ତି ଚିଠି | ସେ କରୋନା ପରିପ୍ରେକ୍ଷୀରେ ରାଜ୍ୟ ସରକାର ନେଉଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି | ଏହା ସହିତ  ତାଙ୍କ ଚିଠିରେ ମୁଖ୍ୟତ ଦୁଇଟି ବିନ୍ଦୁ ଉପରେ ଉଲ୍ଲେଖ କରିଛନ୍ତି | ଗୋଟିଏ ହେଲା ସେବାୟତଙ୍କୁ ଆର୍ଥିକ ସହାୟତା ପ୍ରସଙ୍ଗ ଓ ଅନ୍ୟଟି ଶ୍ରୀଜୀଉଙ୍କ ରଥ ଯାତ୍ରା ପ୍ରସଙ୍ଗ | ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ପ୍ରଶାସନ ପକ୍ଷରୁ କରାଯାଇଥିବା ୫୦୦୦ଟାଙ୍କର ସହାୟତା ଘୋଷଣା ପରିପ୍ରେକ୍ଷୀରେ ନିରଞ୍ଜନ କହିଛନ୍ତି ଯେ ତାଲା ବନ୍ଦରେ କେବଳ ଶ୍ରୀମନ୍ଦିର ସେବାୟତ ପ୍ରଭାବିତ ହୋଇନାହାନ୍ତି | ସେହିପରୀ ରଥଯାତ୍ରା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବା ଯୋଗୁ ସମସ୍ତଙ୍କ ପରାମର୍ଶ ଭିତ୍ତିରେ ରଥଯାତ୍ରା ସମ୍ପର୍କରେ ନିଅନ୍ତୁ ଆଗୁଆ, ସମୟଚିତ ତଥା ସୁଚିନ୍ତିତ ପଦକ୍ଷେପ  | ସେ ତାଙ୍କ ପାତ୍ରରେ ଯାହା ଲେଖିଛନ୍ତି ତାହାକୁ ଅବିକଳ ଉପସ୍ଥାପନ କରୁଛୁ ପାଠକଙ୍କ ଅବଗତି ନିମନ୍ତେ | 

ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ
ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡିଶା

    କରୋନା ମହାମାରୀର ସଂକ୍ରମଣ ଆଶଙ୍କାରେ ଆଜି ସମଗ୍ର ବିଶ୍ୱ ଆତଙ୍କିତ। ଏହି ପରସ୍ଥିତିରେ ଓଡିଶାର ଜନସାଧାରଣଙ୍କୁ ଏହି ଭୂତାଣୁ ସଂକ୍ରମଣରୁ ରକ୍ଷାକରିବା ପାଇଁ ରାଜ୍ୟ ସରକାର ଯେଉଁ ସବୁ ପଦକ୍ଷେପ ଗ୍ରହଣ କରିଆସୁଛନ୍ତି, ତାହା ସ୍ୱାଗତଯୋଗ୍ୟ ।
     ଆନୁଷ୍ଠାନିକ ଭାବେ ସମଗ୍ର ଦେଶରେ ତାଲାବନ୍ଦ ମଇ ମାସ ୩ ତାରିଖ ପର୍ଯ୍ୟନ୍ତ ହେଉଥିଲେ ମଧ୍ୟ, ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସମାଜିକ ଦୂରତା ରକ୍ଷାକରିବା କେତେଦିନ ଆବଶ୍ୟକ ହେବ, ତାହା ହୁଏତ ଏବେଠାରୁ ଆକଳନ କରିହେବ ନାହିଁ ।
     ଏହି ତାଲାବନ୍ଦ ଯୋଗୁଁ ଆମ ରାଜ୍ୟର ଲକ୍ଷାଧିକ ଚାଷୀ, ଶ୍ରମଜୀବି, ଉଠାଦୋକାନୀ ପ୍ରଚୁର କ୍ଷତି ସହିଲେଣି । ଓଡିଶା ବାହାରେ ରହୁଥିବା ଶ୍ରମିକମାନେ ନାହିଁ ନଥିବା କଷ୍ଟ ଭୋଗୁଛନ୍ତି । ରେସନ କାର୍ଡ ନପାଇଥିବା ଲୋକେ ନାନାଦି ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କ ଜୀବିକା ବନ୍ଦ ହୋଇଯାଇଥିବାରୁ ଜୀବନ ନିର୍ବାହ ଦୁର୍ବିସହ ହୋଇପଡିଲାଣି । ତଥାପି କରୋନା ସଂକ୍ରମଣ ଆଶଙ୍କାରେ ସେମାନେ ସରକାରଙ୍କ ସମସ୍ତ କଟକଣାକୁ ମାନି ଚଳୁଛନ୍ତି । ଇତି ମଧ୍ୟରେ ସରକାର ଶ୍ରମଜୀବିମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରିଥିବା ପ୍ରସଙ୍ଗ ସେମାନଙ୍କୁ କିଛି ପରିମାଣରେ ଆଶ୍ୱସ୍ତ କରିପାରେ । କିନ୍ତୁ ଏହା ସେମାନଙ୍କ କ୍ଷତି ଭରଣା ପାଇଁ ଯଥେଷ୍ଟ ନୁହେଁ । ସେହିପରି ଦୀର୍ଘଦିନ ହେଲା ରାଜ୍ୟର ସମସ୍ତ ଧର୍ମପୀଠ ବନ୍ଦ ହୋଇଥିବାରୁ ସେବାୟତ, ପୂଜକମାନେ ମଧ୍ୟ
ଆର୍ଥିକ ଦୁର୍ଗତି ମଧ୍ୟରେ ସମୟ ବିତାଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ୨୧୩୦ ସେବାୟତ ପରିବାରକୁ ପରିବାର ପିଛା ୫ହଜାର ଟଙ୍କା ଆର୍ଥିକ ସହାୟତା ଦେବାକୁ ଘୋଷଣାକରାଯାଇଛି । ଏହା ଏକ ଉତ୍ତମ  ପଦକ୍ଷେପ । କିନ୍ତୁ ତାଲା ବନ୍ଦ ଯୋଗୁ କେବଳ ଶ୍ରୀମନ୍ଦିରର ସେବାୟତମାନେ ପ୍ରଭାବିତ ହୋଇନାହାନ୍ତି । ସମଗ୍ର ରାଜ୍ୟର ଏପରି କୌଣସି ପଂଚାୟତ ନାହିଁ, ଯେଉଁ ଠାରେ ସ୍ଥାନୀୟ ପ୍ରସିଦ୍ଧି ଲାଭ କରିଥିବା ମଠ, ମନ୍ଦିର, ମସଜିଦ୍‌, ଗୀର୍ଜା, ଗୁରୁଦ୍ୱାର ବା ଧର୍ମପୀଠ ନାହିଁ । ସେଥିମଧ୍ୟରୁ କେତେକ ଦେବୋତ୍ତର କମିଶନଙ୍କ ତତ୍ତ୍ବାବଧାନରେ ଥିବା ବେଳେ ବହୁ ମଠ, ମନ୍ଦିର ଓ ଅନ୍ୟାନ୍ୟ ଧର୍ମପୀଠ ଗ୍ରାମବାସୀଙ୍କ ସହଯୋଗରେ ତିଷ୍ଠି ରହିଛି । ଏହି ସବୁ ଧର୍ମପୀଠରେ ସେବାୟତ, ପୂଜକ, ମାଳି, ରୋଷେୟା ଆଦି କାମରେ ଏକ ଲକ୍ଷରୁ ଅଧିକ ପରିବାରନିର୍ଭର କରନ୍ତି । ମାସାଧିକ କାଳ ହେଲା ତାଲାବନ୍ଦ ଯୋଗୁ ଏହି ସବୁ ଧର୍ମାନୁଷ୍ଠାନ ଉପରେ ନିର୍ଭରଶୀଳ ପୂଜକ, ମାଳି, ଭୋଗ, ଦୀପ ଦୋକାନୀ ପ୍ରଚୁର କ୍ଷତି ସହିଲେଣି । ସେମାନଙ୍କର ଚଳିବାର ଆଉ କୌଣସି ପନ୍ଥା ନାହିଁ । ତେଣୁ
ଶ୍ରୀମନ୍ଦିରର ସେବାୟତମାନଙ୍କ କ୍ଷତିକୁ ଭରଣା କରି ସେମାଙ୍କୁ ଆର୍ଥିକ ସହାୟତା ଦିଆଯାଉଥିବା ବେଳେ ରାଜ୍ୟର ଛୋଟବଡ ସବୁ ଧର୍ମପୀଠର ପୂଜକ, ସେବକ, ମାଳି ଓ ଅନ୍ୟାନ୍ୟ ଧର୍ମପୀଠର ସେବକ ଇତ୍ୟାଦିଙ୍କୁ ମଧ୍ୟ ସରକାର ଅନୁରୂପ ଭାବେ ଆର୍ଥିକ ସହାୟତା ଦେବା ଉଚିତ୍ ।
     ଆସନ୍ତା ଜୁନ୍ ୨୩ ତାରିଖରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା । ରଥଯାତ୍ରା ପାଇଁ ରଥକାଠ ପୁରୀରେ ରଥଖଳାରେ ପହଂଚି ଗଲାଣି । ଏପ୍ରିଲ ୨୬ ତାରିଖ ଅକ୍ଷୟତୃତୀୟା ଠାରୁ ରଥ ନିର୍ମାଣ ଆରମ୍ଭ ହୋଇଯିବ । ହାତରେ ଆଉ ଅଧିକ ସମୟ ନାହିଁ । ରଥଯାତ୍ରା ସମୟବେଳକୁ ସାମଜିକ ଦୂରତା କଟକଣା କୋହଳ ହୋଇଯାଥିବାର ସମ୍ଭାବନା ମଧ୍ୟ କ୍ଷୀଣ । ତେଣୁ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସରକାର ଶ୍ରୀମନ୍ଦିର ପରିଚାଳନା କମିଟି ଓ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ଯଥାଶୀଘ୍ର ବିଚାର ବିମର୍ଶ କରି ରଥଯାତ୍ରା ସମ୍ପର୍କରେ ନିର୍ଦ୍ଧିଷ୍ଟ ନିଷ୍ପକ୍ସି ନେବା ଆବଶ୍ୟକ । ଲକ୍ଷଲକ୍ଷ ଜଗନ୍ନାଥପ୍ରେମୀଙ୍କ ପରି ମୁଁ ଜଣେ ଜଗନ୍ନାଥପ୍ରେମୀ । କିନ୍ତୁ ଚଳିତନର୍ଷର ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ ।
ସମଗ୍ର ମାନବଜାତିକୁ ଏବେ କରୋନା ଭୂତାଣୁ ପରି ଏକ ମହା ବିପତ୍ତି  ପଡିଛି । ଏପରି ପରିସ୍ଥିତି ଇତିହାସରେ ବିରଳତମ ବୋଲି କୁହାଯିବ । ତେଣୁ ଏହି ପରିସ୍ଥିତିରେ ରଥଯାତ୍ରା କିପରି ହେବ, ତାହାର ରୂପରେଖ କ’ଣ ହେବ, କି ପଦକ୍ଷେପ ଗ୍ରହଣ କଲେ ଆମେ ନିରାପଦରେ ଓ ଶୃଙ୍ଖଳା ସହିତ ରଥଯାତ୍ରାକୁ ସଂପନ୍ନ କରିପାରିବା ତାହା ଏବେଠାରୁ ନିର୍ଦ୍ଧାରିତ ହୋଇଯିବା ଆବଶ୍ୟକ ।
     ରଥଯାତ୍ରା କେବଳ ପୁରୀରେ ହୁଏନାହିଁ । ଏହି ରଥକୁ ସମ୍ମାନ ଦେଇ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ତେଣୁ ଶ୍ରୀମନ୍ଦିରର ରଥଯାତ୍ରା ସମ୍ପର୍କରେ ନିର୍ଦ୍ଦିଷ୍ଟ ନିଷ୍ପତ୍ତି  ହୋଇଯିବାପରେ ତାହାକୁ ସମଗ୍ର ରାଜ୍ୟରେ ଅନୁପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇପାରେ ।
    କରୋନା ଭୂତାଣୁ ସଂକ୍ରମଣ ଯେପରି ଏକ ଉଦ୍‌ବେଗଜନକ ପ୍ରସଙ୍ଗ, ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସେହିପରି ଏକ ସ୍ପର୍ଶକାତର ପ୍ରସଙ୍ଗ । ତେଣୁ ମହାପ୍ରଭୁଙ୍କ ରଥଯାତ୍ରାସଂପର୍କରେ ନିଷ୍ପତ୍ତି  ନେବାବେଳେ କରୋନା ଭୂତାଣୁ ସଂକ୍ରମଣର ଆଶଂକାକୁ ଆଖି ଆଗରେ ରଖି ସୁଚିନ୍ତିତ ପଦକ୍ଷେପ ନେବାକୁ ପଡିବ । ଏଥିପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି, ସେବାୟତ ତଥା ଓଡିଶାର ନାଗରିକ ସମାଜର ମତାମତ ନେବା ଅଧିକ ସମୟୋଚିତ ହେବ ।
    ଏପ୍ରିଲ୍ ୨୬ ତାରିଖଠାରୁ ରଥଯାତ୍ରାର ପ୍ରଥମ ପର୍ବ ଆରମ୍ଭ ହୋଇ ଯାଉଥିବାରୁ ଆଉ ଅଧିକ ବିଳମ୍ବ ନ’କରି ସରକାର ଏଦିଗରେ ଯଥାର୍ଥ ପଦକ୍ଷେପ ଗ୍ରହଣ କରିବେ ବୋଲି ଆଶା କରୁଛି ।

ଆପଣଙ୍କର ବିଶ୍ୱସ୍ତ,
(ନିରଞ୍ଜନ ପଟ୍ଟନାୟକ)
ସଭାପତି,
ଓଡିଶା ପ୍ରଦେଶ କଂଗ୍ରେସ କମିଟି

0
0
0
s2sdefault