ହେଡଲାଇନସ୍:

ନନ୍ଦିନୀ ନନ୍ଦନଙ୍କ "ଗୁଲ୍ଲୁ (ସତପଥୀ)-ଆରଏସ" କଥା :  ହତାଶା ନା ସ୍ପଷ୍ଟବାଦିତା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଭୁବନେଶ୍ୱର :ମତେ ଫାଶୀ ଦିଅ ବୋଲି ସମ୍ପାଦକୀୟ ଲେଖି ଏକଦା  ବିଚାର ବ୍ୟବସ୍ଥା ଗାଲରେ ଶକ୍ତ ଚଟକଣୀ ଦେଇ  ସାରା ଓଡିଶାକୁ ଦୋହଲାଇ ଦେଇଥିବା ତଥା ଚର୍ଚ୍ଚାରେ ଥିବା ନନ୍ଦିନୀ ନନ୍ଦନ, ପୂର୍ବତନ ସାଂସଦ ଖବର କାଗଜ ଧରିତ୍ରୀର ସମ୍ପାଦକ ତଥାଗତ ସତପଥୀଙ୍କ  "କୁକୁର ଟୁଇଟ" କୁ ଏବେ ରାଜନୈତିକ ଝଡ | ଗଣମାଧ୍ୟମ ଉଠୁଛି ପଡୁଛି | ସୋସିଆଲ ମିଡ଼ିଆ କମେନ୍ଟ ଆଉ ପ୍ରଶଂସାରେ ଭର୍ତ୍ତି ହେଇଯାଉଛି | ମାନେ ଟୁଇଟ କଲା ପରଠୁ କିଛି ଲୋକ ତାଙ୍କୁ ସୋସିଆଲ ମିଡ଼ିଆ ହିରୋ ବନେଇ ଦେଇଛନ୍ତି | ତାକୁ ନେଇ ଅନେକ ସ୍ତମ୍ଭ ଓ ଖବର ଗଣମାଧ୍ୟମରେ ଆଉ ସୋସିଆଲ ମେଡିଆରେ | ହେଲେ ତାହା ତାଙ୍କର ଶଠ ପଣ ନ ସ୍ପଷ୍ଟବାଦୀ ଉଚାରଣ ବୋଲି ଏବେ ଚର୍ଚା !!!!

 ସେ ଟୁଇଟ କରିଛନ୍ତି କଣ ?

 " I support Gullu (Satpathy) for RS. Trust me, he is more trustworthy(and totally cuddly, purebred, lovable and friendly) than anyone else named in this country by any political party. Everyone welcome to come meet him. He is a people's bloke "

ଏହାର ଭାବାର୍ଥ ଆପାତତଃ ଏହିପରି ଯେ " ମୁଁ ଆରଏସ( ନିହାତି ପକ୍ଷେ ରାଜ୍ୟସଭା ବୋଲି ଲେଖିବାକୁ ଚାହିଁଥିବେ) ପାଇଁ ଗୁଲ୍ଲୁ ସତପଥୀର ନାଁକୁ ସମର୍ଥନ କରୁଛି | ମୋତେ ବିଶ୍ୱାସ କରନ୍ତୁ, କୌଣସି ବି ରାଜନୈତିକ ଦଳ ଦ୍ୱାରା ନାମିତ ଯେ କୌଣସି ବ୍ୟକ୍ତିଙ୍କ ତୁଳନାରେ ଅଧିକ ଭରସାଯୋଗ୍ୟ..........!" ଅତ୍ୟନ୍ତ ନିରୋଳା ସ୍ପଷ୍ଟୋକ୍ତି | ଏଭଳି ଲେଖିବା ପାଇଁ ଦମ ଆଉ କଲିଜା  ଥିବା ଦରକାର | 

ଏଭଳି ସ୍ପଷ୍ଟୋକ୍ତି କେଉଁ ପରିପ୍ରେକ୍ଷୀରେ ଦେଇଛନ୍ତି  ?

 ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଦ୍ୱାରା ରାଜ୍ୟସଭା ପାଇଁ ୪ ଜଣ ପ୍ରାର୍ଥୀଙ୍କ ଘୋଷଣା ପରବର୍ତ୍ତୀ ପ୍ରତିକ୍ରିୟା ଦେଇଛନ୍ତି ରାଜନୀତିରୁ ନଗଦ ନଗଦ ସନ୍ୟାସ ନେଇଥିବା ପୂର୍ବତନ ସାଂସଦ ତଥାଗତ ଶତପଥୀ | ତରୁଣ ତଥା ଯୁବକ ଅବସ୍ଥାରେ ମା ନନ୍ଦିନୀ ଦେବୀଙ୍କ ବ୍ୟକ୍ତିଗତ ଜୀବନଙ୍କ ନେଇ ଡ଼ାଇରୀ ଲେଖି ପାରୁଥିବା ତଥାଗତ ଶତପଥୀଙ୍କ ସ୍ପଷ୍ଟବାଦୀତାକୁ ନେଇ ସନ୍ଦେହ କରିବାର ଆଦୌ ଅବକାଶ ନାହିଁ |  ତାଙ୍କ ଲେଖିବା ଆଉ ତାକୁ ନେଇ ଗଣମାଧ୍ୟମରେ ଦେଉଥିବା ଚର୍ଚ୍ଚାକୁ ଯଦି ବିଚାରକୁ ନିଆଯାଏ ତେବେ ନବୀନ ବାବୁ ଘୋଷଣା କରିଥିବା ୪ଜଣ ପ୍ରାର୍ଥୀଙ୍କ ଠାରୁ ତାଙ୍କ କୁକୁର ଗୁଲ୍ଲୁ (ଯାହାକୁ କି ସେ ଗୁଲ୍ଲୁ ସତପଥୀ ବୋଲି କହିଛନ୍ତି) ଅଧିକ ଭରସାଯୋଗ୍ୟ ବା ବିଶ୍ୱସ୍ତ ବୋଲି ସେ ଜୋର ଦେଇ କହିଛନ୍ତି | ତଥାଗତ ବାବୁଙ୍କ ଭଳି ସ୍ପଷ୍ଟବାଦୀ କହିଛନ୍ତି ମାନେ ତାଙ୍କ କୁକୁର ସବୁଠୁ ଅଧିକ ଭରସାଯୋଗ୍ୟ ହୋଇଥିବ ନିଶ୍ଚୟ | ଏବେ ସୋସିଆଲ ମିଡିଆରେ ଗୁଲ୍ଲୁ (ସତପଥୀ)ର ବାପା କିଏ ବୋଲି ଚର୍ଚା ଆରମ୍ଭ ହୋଇଯାଇଛି | ଗୁଲ୍ଲୁ ଗୋଟେ କୁକୁର ନାଁ ହୋଇଥାଇପାରେ, ହେଲେ ଶତପଥୀ ସାଇଙ୍ଗା କେବଳ ମଣିଷର | ତେଣୁ ଗୁଲ୍ଲୁ ସତପଥୀର ବାପା କିଏ  ବା ସିଏ କାହାର ବ୍ରିଡ଼(ଛୁଆ)  ତାକୁ ନେଇ ଚର୍ଚ୍ଚା ଚାଲିଛି  | ଆଉ ସେ କେମିତି ମଣିଷ ସାଇଙ୍ଗା ପାଇଲା ତାହା ତଥାଗତ ବାବୁହିଁ ସ୍ପଷ୍ଟ କରିପାରିବେ | କାରଣ ଜ୍ଞାନରେ, ଗୁଣରେ, ଗାରିମାରେ ଆଉ ବଂଶ ବୁନିୟାଦିରେ ତୁଳନାତ୍ମକ ଭାବେ ଉଚ୍ଚରେ ଥିବା ତଥାଗତ ବାବୁ ଯାହା କହିଛନ୍ତି ସବୁ ସତ ହୋଇଥାଇ ପାରେ | ତାଙ୍କ ଦ୍ୱାରା ଲିଖିତ "ଶତପଥୀ ସାଇଙ୍ଗା ଧରି କୁକୁର ଗୁଲ୍ଲୁ ବିଶ୍ୱସ୍ତ ହୋଇପାରେ | ହେଲେ ରାଜ୍ୟସଭା ପାଇଁ ନାମିତ(ରାଜନୈତିକ ଦଳ) ବିଜେଡିର ୪ଜଣ ପ୍ରାର୍ଥୀଙ୍କୁ କୁକୁରଠୁ ତଳ ସ୍ତରରେ ରଖିବା ବା ଯାହାକୁ ପଠାଯାଉଛି ରାଜ୍ୟସଭା ସେମାନେ ତାଙ୍କ କୁକୁରଠାରୁ ନ୍ୟୁନ ବୋଲି କହିବା ଏକ ପ୍ରକାର ହୀନମନ୍ୟତା ଭଳି କାହିଁକି ଲାଗୁଛି | ତଥାଗତ ବାବୁଙ୍କ ନଜରରେ କାହିଁକି ଏ ମଣିଷଗୁଡ଼ା କୁକୁରଠୁ ହୀନ ହେଲେ ବା ତଥାଗତ ବାବୁଙ୍କୁ ବା କେଉଁ ପରିସ୍ଥିତି ବାଧ୍ୟ କଲା ଏପରି କହିବାକୁ ତାହା ତାଙ୍କୁ ଜଣାଥିବ | ହେଲେ ବୁଝି ହେଲାନାହିଁ, ୪ଜଣଙ୍କ ଭିତରୁ କିଏ ତାଙ୍କ ଗୁଲ୍ଲୁ (ସତପଥୀ)ଠାରୁ କମ ବିଶ୍ୱସ୍ତ ! ମମତା ମହାନ୍ତ ନା ମୁନ୍ନା ଖାଁ ନା ସୁବାସ ସିଂ ନା  ସୁଜିତ କୁମାର !!

ପ୍ରଥମରେ ମୁନ୍ନା ଖାଁନ | ବିଜୁ ଜନତା ଦଳର ବହୁ ପୁରାତନ କର୍ମକର୍ତ୍ତା | ଯୁବରୁ କାମ ଆରମ୍ଭ |ବିଜୁ ବାବୁଙ୍କ ସମୟରୁ ଜନତା ଦଳରେ କାମ କରିଆସିଥିଲେ | ଯେତେବେଲେ ନବରଂଗପୁର  ଜିଲ୍ଲା ରାଜନୀତିରେ ବାଦଶାହ ବୋଲି କୁହାଯାଉଥିବା କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ହବିବୁଲ୍ଲା ଖାଁ ଜିଲ୍ଲାରେ କଂଗ୍ରେସ ଛାଡି ଅନ୍ୟ କୌଣସି ଦଳର ଦୁବ କଅଁଳିବାକୁ ଦେଉନଥିଲେ, ସେତେବେଳେ ତାଙ୍କ ସହ ଟକ୍କର ଦେଇ ଅଣ କଂଗ୍ରେସ ରାଜନୀତି ଆରମ୍ଭ କରିଥିଲେ ହବିବୁଲ୍ଲାଙ୍କ ନିଜ ପୁତୁରା ମୁନ୍ନା ଖାଁ | ଏପରିକି ହବିବୁଲ୍ଲାଙ୍କ ସମର୍ଥିତ କଂଗ୍ରେସ ପ୍ରାର୍ଥୀଙ୍କ ବିରୋଧରେ ଠିଆ ହୋଇ ସରପଂଚ ବି ହୋଇଥିଲେ ମୁନ୍ନା | ସେବେଠୁ ଜନତା ଦଳ ଆଉ ବିଜେଡିରେ ପଡିରହିଛନ୍ତି | ବଳଭଦ୍ର ମାଝୀଙ୍କ ଟିମରୁ ଆରମ୍ଭ କରି ସଞ୍ଜୟ ଦାସବର୍ମାଙ୍କ ଯୁବ ଟିମ ପର୍ଯ୍ୟନ୍ତ ସବୁଥିରେ ସେ ସାମିଲ ଥିଲେ  | ସଞ୍ଜୟଙ୍କ ଯୁବ ଟିମରେ ମାତ୍ର ଯେତେବେଳେ ୫ଜଣ ସାଧାରଣ ସମ୍ପାଦକ ଥିଲେ ସେତେବେଳେ ମୁନ୍ନା ସାଧାରଣ ସମ୍ପାଦକ | ଦଳର ଜଣାଶୁଣା ସଂଖ୍ୟାଲଘୁ ଫେସ | ଦଳର ସମ୍ପାଦକ ବି ରହିଛନ୍ତି ଆଉ ଗତ କିଛି ବର୍ଷ ଧରି ଦଳର ସଂଖ୍ୟାଲଘୁ ସେଲର ଆବାହକ ରହିଆସିଛନ୍ତି | ସବୁଥର ଚେଷ୍ଟା କରନ୍ତି,  କୌଣସି ଥର ଟିକେଟ ପାଇନାହାନ୍ତି | ନିରାଶ ହୁଅନ୍ତି, ମନଉଣା କରନ୍ତି , କିନ୍ତୁ ତାପରେ ଇଫତାର ପାର୍ଟି ଆୟୋଜନ କରନ୍ତି | ତାଙ୍କ ପଛରେ ଆସି ବିଧାୟକ ମନ୍ତ୍ରୀ ହେଲେଣି, ହେଲେ ମୁନା ଲଲିପପ ଧରି ସୁନା ପିଲା ଭଳି ବସିଛତି ବିଜେଡି ପିଣ୍ଡାରେ |  ଦଳ ଛାଡି ଯାଇ ନାହାନ୍ତି ତଥାଗତ ବାବୁ ଓଜିପି ଗଲା ପରି | ଦଳରେ ପଡି ପଡି ରହିଥିଲେ, ହେଲେ କେବେ ଦଳ ବିରୋଧରେ କହିନଥିଲେ, ବ୍ଲାକମେଲ କରିନାହାନ୍ତି କି ଦଳ ବିରୋଧୀ କାମ କରିଥିବା ନଜିର ତାଙ୍କ ବିରୋଧରେ ନାହିଁ | ତେଣୁ ଦଳର ଦୀର୍ଘ ୨୫ ବର୍ଷର ପୁରୁଣା ଶୃଙ୍ଖଳିତ ନେତା ଆଉ  ଜଣାଶୁଣା ସଂଖ୍ୟାଲଘୁ ଚେହେରା ଭାବେ ନବୀନ ବାବୁ ତାଙ୍କୁ ବାଛି ଥାଇ ପାରନ୍ତି | ସମ୍ପ୍ରତ୍ତି ଦେଶରେ ଯେଉଁଭଳି ଭାବେ ସାମ୍ପ୍ରଦାୟିକତାର ଘୃଣିତ ରାଜନୀତି ମୁଣ୍ଡ ଟେକିଛି, ସେଭଳି ପରିସ୍ଥିତିରେ ପ୍ରଥମ ଥର ପାଇଁ ସଂଖ୍ୟାଲଘୁ ବର୍ଗରୁ ଜଣେ ମୁସଲିମ ଚେହେରା ପଠାଇ ଭିନ୍ନ ବାର୍ତ୍ତା ଦେବାକୁ ଉଦ୍ୟମ କରିଥାଇ ପାରନ୍ତି | ଆଉ ଦଳପ୍ରତି ଦୀର୍ଘଦିନର ନିବିଡ଼ତା ଆଉ ଆନୁଗତ୍ୟକୁ ପୁରସ୍କୃତ କରିଥାଇ ପାରନ୍ତି ନବୀନ ବାବୁ |  

ତାପରେ ସୁଜିତ କୁମାରଙ୍କ କଥା | ସୁଜିତ କୁମାର ଜଣେ ଉଚ୍ଚ ଶିକ୍ଷିତ ଆଉ ଜଣାଶୁଣା ସ୍ଟ୍ରାଟ୍ରର୍ଜିଷ୍ଟ | ସେ ବିଜେଡ଼ିକୁ କେମିତି ଆଉ କାହିଁକି ଆସିଲେ ସେ ଦିଗକୁ  ନଯାଇ ୨୦୧୪ ନିର୍ବାଚନ ପୂର୍ବରୁ ଏଯାବତ ଦଳରେ ତାଙ୍କ ଉପସ୍ଥିତି ଆଉ ପ୍ରତ୍ୟକ୍ଷ ଅବଦାନ ବିଷୟରେ ଆଲୋଚନା କରିବା |  ଅକ୍ସଫୋର୍ଡ ଆଉ  ହାଭାର୍ଡରୁ ଉଚ୍ଚଶିକ୍ଷା ହାସଲ କରିଥବା ସୁଜିତ ୨୦୧୪ ନିର୍ବାଚନ ବହୁତ ପୂର୍ବରୁ ଦଳ ସହିତ ଯୋଡି ହୋଇ ରହିଥିବା ବେଳେ ପରଦା ପଛରେ ରହି ଦଳର ବିଜୟପାଇଁ ଅନେକ କାମ କରିଛନ୍ତି | ଦଳ ଯେତେବେଳେ ଯେଉଁ ଦାୟିତ୍ୱ ଦେଇଛି ତାହାକୁ ତୁଲାଇଛନ୍ତି | ଯେଉଁ କେତେଜଣ ସ୍ଟ୍ରାଟ୍ରର୍ଜିଷ୍ଟଙ୍କ ଅବଦାନ ବିଜେଡିର ବିଜୟ ପାଇଁ  ରହିଛି, ସେମାନଙ୍କ ମଧ୍ୟରେ ସୁଜିତ କୁମାର ଅନ୍ୟତମ ବୋଲି ଚର୍ଚା ହୁଏ | ୨୦୧୪ ନିର୍ବାଚନ ପରେ ତାଙ୍କ କାର୍ଯ୍ୟଦକ୍ଷତା ଆଧାରରେ ସୁଜିତ କୁମାରଙ୍କୁ ଯୋଜନା ବୋର୍ଡର ସଦସ୍ୟ  କରାଯାଇଥିଲା | ତାଙ୍କୁ କଳାହାଣ୍ଡି ନୂଆପଡା ଜିଲ୍ଲାର କିଛି ନିର୍ବାଚନମଣ୍ଡଳୀରେ ୱାର୍ଡ କମିଟି ଗଠନ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା |  ପରେ ୨୦୧୯ରେ ବି ଦଳ ଉଲ୍ଲେଖନୀୟ ବିଜୟ ହାସଲ କଲାପରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ଭାବେ ନିଯୁକ୍ତ କରିଥିଲେ ମୁଖ୍ୟମନ୍ତ୍ରୀ | ପରଦା ପଛରେ ରହି ବିଜେଡି ପାଇଁ  ତାଙ୍କ ନିରବଛିନ୍ନ ଅବଦାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଵୀକୃତି ଦେଇ ତାଙ୍କ ଭଳି ଜଣେ ଉଚ୍ଚଶିକ୍ଷିତ ବ୍ୟକ୍ତିଙ୍କୁ ଦଳର ଜଣେ ବୁଦ୍ଧିଜୀବୀ ଫେସ ଭାବେ  ରାଜ୍ୟସଭାକୁ ପଠାଇଛନ୍ତି | ଏ ଯାବତ ନବୀନ ବାବୁ ଯେତେଜଣ ରାଜ୍ୟସଭାକୁ ପଠାଇଛନ୍ତି, ସେମାନଙ୍କ ଭିତରେ ସୁଜିତ କୁମାର ବୋଧହୁଏ ସର୍ବାଧିକ ଉଚ୍ଚଶିକ୍ଷିତ ତଥା ବୌଦ୍ଧିକ ସମ୍ବଳ ଯୁକ୍ତ ବ୍ୟକ୍ତି | 

ତାପରେ ଆଣିବା ମମତା ମହାନ୍ତଙ୍କ ପ୍ରସଙ୍ଗକୁ | ଦଳପାଇଁ ନିଷ୍ଠାର ସହ କାମ କଲେ ଗାଁ ସରପଂଚ ବି ବିଧାନ ସଭା ଟିକେଟ ପାଇପାରିବ ବା ଜ଼ିଲ୍ଲା ପରିଷଦ ମେମ୍ବର ବି ରାଜ୍ୟ ସଭା ବି ଯାଇପାରିବ, ଏ ଭଳି ଗୋଟେ ବାର୍ତ୍ତା ଦେଇଛନ୍ତି ନବୀନ ବାବୁ | ଆଉ ତାଙ୍କୁ ଏମିତି ସେମିତି ଉଠାଇ ଆଣି ରାଜ୍ୟସଭା ପଠାଯାଇନି | ତାଙ୍କୁ ପଠାଇବା ପଛରେ ତାଙ୍କର ଉତ୍ସର୍ଗୀତ ଅବଦାନ ମଧ୍ୟ ବିଚାରକୁ ନେଇଛି ଦଳ | ଦଳର ସଂଗଠନ ସହିତ ବହୁ ଦିନ ଧରି ଜଡିତ ମମତା ତୃଣମୂଳ ସ୍ତରରେ ଜଣେ ଟାଣୁଆ ସଙ୍ଗଠିକା | ଆଉ ସେ ୨୦୧୨ରୁ ୧୭ ବିଜେଡିରୁ ଜିଲ୍ଲା ପରିଷଦ ସଦସ୍ୟ ଥିଲେ | ସମ୍ପ୍ରତି ବିଜେଡିର ମହିଳା ସଂଗଠନ  ସଭାନେତ୍ରୀ | ରାଜ୍ୟ ପରିଷଦ ସଦସ୍ୟ | ଆଦିବାସୀ ଜିଲ୍ଲା ମୟୁରଭଞ୍ଜରେ  ତୃଣମୂଳ ସ୍ତରରୁ ଆସିଥିବା ଜଣେ ବିଜେଡିର ଜଣେ ଲଢୁଆ ନେତ୍ରୀ | ଏସଏଚଜି ସହ ଜଡିତ | ପଂଚାୟତ ନିର୍ବାଚନରେ ଚରମ ବିପର୍ଯୟ ପରେ ସାରସକଣା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଜାତୋଳାରେ ହୋଇଥିବା ଜିଲ୍ଲା ପରିଷଦ ଉପନିର୍ବାଚନରେ ଦଳ ଯେଉଁଭଳି ଭାବେ ବାଉନ୍ସ ବ୍ୟାକ କରିଥିଲା ପ୍ରାୟ ୪୦୦୦ରୁ ଅଧିକ ଭୋଟରେ, ସେ ସମୟରେ ମମତାଙ୍କ ଭୂମିକା ବି ଗୁରୁତ୍ୱପୂର୍ଣ ଥିଲା | ଆଉ ଗୋଟେ କ୍ୱାଲିଟି ହେଲା, ସେ ମହିଳା ଆଉ ମୟୁରଭଞ୍ଜ ରାଜନୀତିକୁ କେତେକାଂଶରେ ପ୍ରଭାବିତ କରୁଥିବା କୁଡୁମି ସମୁଦାୟର | ମୟୁରଭଞ୍ଜର ରାଜନୈତିକ ଦୃଶ୍ୟପଟ୍ଟ ଓ ରାଜ୍ୟ ରାଜନୀତିରେ କୁଡୁମି  ସମୁଦାୟଙ୍କ ଦୀର୍ଘଦିନର ଦାବି ପରିପ୍ରେକ୍ଷୀରେ ସେମାନଙ୍କ ଅସନ୍ତୋଷକୁ ପ୍ରଶମିତ କରିବାକୁ ଚେଷ୍ଟା କରିଛନ୍ତି ବିଜେଡି ସଭାପତି |  ଗତ ଗତ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡ଼ିର ଦୁର୍ଗ କୁହାଯାଉଥିବା ମୟୂରଭଞ୍ଜ ଜିଲ୍ଲାରେ ବିଜେଡ଼ିକୁ ଶକ୍ତ ଧକ୍କା ମିଳିଥିଲା | ମୟୂରଭଞ୍ଜ ଲୋକସଭା ଆସନ ସହିତ ଜିଲ୍ଲାର ୯ ବିଧାନସଭା ଆସନରୁ ୬ଟି ବିଜେପି ଖାତାକୁ ଚାଲିଯାଇଥିଲା । ହାରିବା ମାର୍ଜିନ ବି ସେତେ ବେଶୀ ନଥିଲା | ବିଧାନସଭା ନିର୍ବାଚନରେ ବିଜେପି  ଝୁଲାକୁ ୩୯.୪୫ ପ୍ରତିଶତ ହାରରେ ୫,୫୭,୧୮୨ ଖଣ୍ଡ ଭୋଟ ଯାଇଥିବା ବେଳେ ବିଜେଡ଼ିକୁ ୩୭.୮୩ ପ୍ରତିଶତ ହାରରେ ୫,୩୪,୩୧୮ ଖଣ୍ଡ ଭୋଟ ମିଳିଥିଲା । ବିଜେଡି ଏମପି ପ୍ରାର୍ଥୀ ଦେବାଶିଷ ମାରାଣ୍ଡି ୪,୫୮,୧୫୩ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ପାଇଥିଲେ ୪, ୮୩,୧୭୫ | ମାର୍ଜିନ ସେତେ ବେଶୀ ବି ନୁହେଁ | ବିଜେଡି ପରାଜୟର ବହୁତ କାରଣ ଥାଇପାରେ, ହେଲେ ପ୍ରାୟ ୨୦୦୦୦ ଭୋଟର ଥିବା କୁଡୁମି ସମୁଦାୟର ଅସନ୍ତୋଷ ଓ ଅସମର୍ଥନ ବିଜେଡି ପରାଜୟର ସେଇ ପ୍ରମୁଖ କାରଣ ମଧ୍ୟରୁ ଅନ୍ୟତମ | ମୋଟାମୋଟି କୁଡୁମି ଭୋଟ ହାତେଇବାରେ ବିଜେପି ସଫଳ ହେଇଥିଲା | କେବଳ ମୋରଡାରେ ରାଜୁ ଦାସ ମ୍ୟାନେଜ କରିନେଲେ ବୋଲି ବିଜେଡି ସେଠି କୁଡୁମି ଭୋଟ କିଛି ପାଇଲା |  ବିଜେପିର କୁଡୁମି ନେତା ଛୋଟଲାଲ ମହାନ୍ତ ଅସନ୍ତୋଷ ହେବାରୁ  ମୋରଡାରେ ତାହା ରାଜୁ ଦାସଙ୍କୁ ସହାୟକ ହେଲା କୁଡୁମି ଭୋଟ ହାତେଇବାରେ  | ବିଜେପି  ଅନୁସୂଚିତ ଜନଜାତି  କାର୍ଡ ଖେଳି ଜିଲ୍ଲାରୁ ମୋଟାମୋଟି ଭାବେ ରାଜନୀତିରେ ନିରବି ଯାଇଥିବା ଅନୁସୂଚିତ ଦ୍ରୌପଦୀ ମୁର୍ମୁଙ୍କୁ ୨୦୧୫, ମେ ମାସରେ  ଝାଡ଼ଖଣ୍ଡ ଭଳି ପଡୋଶୀ ରାଜ୍ୟର ରାଜ୍ୟପାଳ ଭାବେ ନିଯୁକ୍ତ କରି ଆଦିବାସୀ ଭୋଟକୁ ପ୍ରଭାବିତ କରିବାକୁ ଉଦ୍ୟମ କରିଥିଲା |  ଆଉ ଅନେକାଂଶରେ ଆଦିବାସୀଙ୍କ ଆସ୍ଥାକୁ ଜିତିବାରେ ସକ୍ଷମ ହୋଇଥିଲା | ତାହାର ପ୍ରଭାବ ପଂଚାୟତ ନିର୍ବାଚନରେ ଦେଖିବାକୁ ମିଳିଥିଲା | କୁଡୁମି ମାନେ ପଂଚାୟତ ନିର୍ବାଚନରେ ବି ବିଜେଡି ଠାରୁ ଦୂରେଇଯାଇଥିଲେ |  କାରଣ ଥିଲା  କୁଡ଼ୁମୀ ସମ୍ପ୍ରଦାୟ ଅନୁସୂଚିତ ଜନଜାତି ତାଲିକା ଭୁକ୍ତ ଦାବିକୁ ମୁଖ୍ୟମନ୍ତ୍ରୀ ନବୀନ କେନ୍ଦ୍ରକୁ ସୁପାରିଶ ନ କରିବା ଫଳରେ କୁଡ଼ୁମୀମାନେ ବିଜେଡ଼ିର ହାତ ଛାଡ଼ି ଦେଇଥିଲେ । ଫଳରେ ନିର୍ବାଚନରେ ବିଜେଡ଼ିକୁ ଶକ୍ତ ଧକ୍କା ପହଁଞ୍ଚିଥିଲା । ପଂଚାୟତ  ନିର୍ବାଚନରେ ମଧ୍ୟ କୁଡୁମି ସମ୍ପ୍ରଦାୟର ଅସମର୍ଥନ ପାଇଁ ବିଜେଡ଼ିକୁ ବହୁମୂଲ୍ୟ ଦେବାକୁ ପଡିଥିଲା | ଜ଼ିଲ୍ଲା ପରିଷଦ ବିଜେପି ପୋଛିନେଲା | ଜିଲ୍ଲା ପରିଷଦ ଓ ସାଧାରଣ ନିର୍ବାଚନରେ ହୋଇଥିବା କ୍ଷତିକୁ ଭରଣା କରିବା ପାଇଁ  ଡ୍ୟାମେଜ କଣ୍ଟ୍ରୋଲ ମିଶନ ଭାବେ କୁଡୁମି ସମୁଦାୟର ତୃଣମୂଳସ୍ତରର ନେତ୍ରୀ ମମତାଙ୍କୁ ନବୀନ ବାଛି ଥାଇପାରନ୍ତି  | ଗୋଟିଏ ଗୁଳିରେ ପାଞ୍ଚ ଶିକାର, ମାନେ ଅଭିଜ୍ଞତା ତଥା ଦୁରଦୃଷ୍ଟି ସମ୍ପନ୍ନ ରାଜନୈତିକ ଚାଲ ଖେଳିଛନ୍ତି ରାଜନୈତିକ ପଶାପାଲିରେ | ପ୍ରଥମ ମୟୁରଭଞ୍ଜର ଖାଲି ହେଲା , ମୟୁରଭଞ୍ଜକୁ ଗଲା | ଦୁଇରେ ମହିଳା | ତିନିରେ କୁଡୁମି ଓବିସି, ସଂସଦରେ କୁଡୁମୀଙ୍କ ସ୍ୱର ଉଠାଇବାକୁ ପ୍ରତିନିଧିତ୍ବ ମିଳିଲା | ଚାରିରେ ଲୋକସଭା ସଂସଦ ନଥିବା ମୟୁରଭଞ୍ଜରେ ଜଣେ ସାଂସଦ  ରହିଲେ | ପାଞ୍ଚରେ ଲୋକଙ୍କ ପାଖକୁ ବାର୍ତ୍ତାଗଲା ବିଜେପି ପୂର୍ବତନ ମନ୍ତ୍ରୀ ଦ୍ରୌପଦୀଙ୍କୁ ଯଦି ଝାଡ଼ଖଣ୍ଡ ରାଜ୍ୟପାଳ କରି ପାରିଲା, ବିଜେଡି ମଧ୍ୟ ତା ଜିଲ୍ଲା ପରିଷଦ ସଦସ୍ୟଙ୍କୁ ରାଜ୍ୟସଭା ପଠାଇ ତୃଣମୂଳ ସ୍ତରର ନେତ୍ରୀ ବା ନେତାଙ୍କୁ ପୁରସ୍କୃତ କରିପାରିବ | 

ତାପରେ ସୁବାସ ସିଂଙ୍କ କଥା | ୨୦୧୩ ମସିହା ପୂର୍ବରୁ ନବୀନ ବାବୁଙ୍କୁ ବହେ ଗାଳି କରିଛନ୍ତି ବାମପନ୍ଥୀ ସଂଗଠନର ସଦସ୍ୟ ଭାବେ ଓ ଶ୍ରମିକ ନେତା ଭାବେ | ବାମପନ୍ଥୀ ଶୃଙ୍ଖଳାରେ ସରକାର ବିରୋଧୀ ଆନ୍ଦୋଳନ କରି ପୋଲିସ ଠୁ ମାଡ ବି ଖାଇଛନ୍ତି |ହେଲେ ବିଜେଡିରେ ଯୋଗଦେଲା ପରେ ବିଜେଡିର ଜଣେ ଶୃଙ୍ଖଳିତ ସଦସ୍ୟଭାବେ କାର୍ଯ୍ୟ  କରିଆସିଛନ୍ତି | ବସ୍ତି ଓ ଶ୍ରମିକ ରାଜନୀତିରେ ଦଳ ପାଇଁ ଉପଯୋଗୀ ସାବିତ ହୋଇଛନ୍ତି | ବିଜେଡିରେ ଯୋଗଦେବାର ତାଙ୍କର ଯଦିଓ ୬ବର୍ଷରୁ ଉର୍ଧ୍ଵ ହେବ,ହେଲେ ତାଙ୍କୁ ଦିଆଯାଇଥିବା ଦାୟିତ୍ୱ ସୁଚାରୁ ରୂପେ ତୁଲାଇଛନ୍ତି | ମୋଟାମୋଟି ଭାବେ ଶ୍ରମିକ ସଂଗଠନ ଓ ଟ୍ରେଡ଼ ୟୁନିଅନ ରାଜନୀତିଠୁ ଦୂରରେ ଥିବା ବିଜେଡି, ବିଜୁ ବାବୁଙ୍କ ନାମରେ  ଶ୍ରମିକ ସଂଗଠନ ମାଧ୍ୟମରେ ଶ୍ରମିକ ମାନଙ୍କୁ ଏକାଠି କରିବା ଆରମ୍ଭ କଲେ | ଯଦିଓ ଏଚଏମଏସର ଟାଣୁଆ ଶ୍ରମିକ ନେତା ରାଜୁ ସିଂ ବିଜେଡି ଶ୍ରମିକ ସଂଗଠନର ସଭାପତି ଥିଲେ, ତଥାପି ପ୍ରାୟତଃ ସଂଗଠନର ସାଧାରଣ ସମ୍ପାଦକ ଭାବେ ସୁବାସ ହିଁ ଆଗୁସାର ହୋଇ ସଂଗଠର କଳେବର ବୃଦ୍ଧି କରିବାରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ  | ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ସଭାପତି ଭାବେ ରାଜ୍ୟର ଅଣସଂଗଠିତ ନିର୍ମାଣ ଶ୍ରମିକମାନଙ୍କୁ ସଂଗଠିତ କରିଥିଲେ | ଦଳର ଶ୍ରମିକ ସଂଗଠନ ମାଧ୍ୟମରେ ନିର୍ମାଣଶ୍ରମିକ ମାନଙ୍କୁ ପଂଜିକୃତ କରି ସେମାନଙ୍କ ପାଇଁ ବିଭିନ୍ନ ସହାୟତା ବଣ୍ଟନ ମେଳା ମାଧ୍ୟମରେ ସରକାରଙ୍କ ପ୍ରତି ଆକର୍ଷିତ  କରାଇପାରିଛନ୍ତି | ଏକଦା କଂଗ୍ରେସ, ବିଜେପି ଓ ବାମ ସମର୍ଥିତ ସଂଗଠନ ଅଧୀନରେ ଶ୍ରମିକ ସଂଗଠନର ଏକଚାଟିଆ ଠିକା ଥିବା ବେଳେ ସୁବାସ ସିଂଙ୍କ ବିଜେଡି ଛତାତଳେ ଶ୍ରମିକ ମାନଙ୍କୁ ଏକାଠି କରି ଦଳ ପାଇଁ ଶ୍ରମିକ ଭୋଟବ୍ୟାଙ୍କ ସୃଷ୍ଟି କରିବାରେ ସକ୍ଷମ ହୋଇଥଲେ | ଯାହାର ପ୍ରଭାବ ଦେଖିବାକୁ ମିଲିଥଲା ୨୦୧୯ ନିର୍ବାଚନରେ | ଆଉ ସେଇଥି ପାଇଁ ତାଙ୍କୁ ସେଇ ଏକ ପଦବୀରେ ପୁନଃ ଅବସ୍ଥାପିତ କରାଯାଇଥିଲା ନିର୍ମାଣ ଶ୍ରମିକ ବୋର୍ଡରର ଅଧ୍ୟକ୍ଷ ଭାବେ | ତଥାଗତ ବାବୁ ଓଜିପିରେ ଥିବା ବେଳେ ନବୀନ ବାବୁଙ୍କୁ ସମାଲୋଚନା କରି ଓଜିପି ଛାଡି ବିଜେଡିରେ ଯୋଗ ଦେବା ପରେ ଏମପି ହୋଇପାରିଥିଲେ | ଭୁପିନ୍ଦର ସିଂ ମଧ୍ୟ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେବା ପରେ ରାଜ୍ୟସଭା ଯାଇଥିଲେ | ନବ ଦାସ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେବା ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ହୋଇ ପାରିଲେ | ଏମିତି ଅନେକ ନଜିର ଅଛି | ନିଜେ ପା ତଥାଗତ ବାବୁ ବଡ ନଜିର, ଓଜିପିରେ ବିଜେଡି ଆଉ ନବୀନଙ୍କୁ  ସୋଦି ସୋଦି ବିଜେଡିରେ ଯୋଗ ଦେବା ପରେ ସେ ଏମପି ଟିକେଟ ପାଇଁ ଜିତିଥିଲେ |  ତେଣୁ ବିଜେଡି ଦଳର ଶ୍ରମିକ ତଥା ଟ୍ରେଡ଼ ୟୁନିଅନ ଫେସ ଭାବରେ ସୁବାଷଙ୍କୁ ପଠାଇ ତାଙ୍କ ୬ବର୍ଷର ପରିଶ୍ରମକୁ ସ୍ୱୀକୃତି ଦେଇଥାଇ ପାରନ୍ତି ନବୀନ | 

ହେଲେ ତଥାଗତ ବାବୁ ଯେଉଁ କୁକୁର ପ୍ରସଙ୍ଗ ଉଠାଇଛନ୍ତି ତାହା ବି ଗୁରୁତ୍ୱପୂର୍ଣ | ତଥାଗତ ବାବୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଦେବୀଙ୍କ ପୁଅ |  ଯେଉଁମାନଙ୍କୁ ନବୀନ ବାବୁ ରାଜ୍ୟସଭା ପାଇଁ ମନୋନୀତ କରିଛନ୍ତି ଯଦିଓ ସେମାନେ କୌଣସି ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ବା ଶିଳ୍ପପତିଙ୍କ ପିଲା ନୁହନ୍ତି,  ସେମାନେ ସାଧାରଣ ମଧ୍ୟବିତ୍ତ ପରିବାରର |  ନିହାତି ଦଳ ପାଇଁ କାମ କରିଛନ୍ତି | ଦଳରେ ରହିଥିବା ବେଳେ ସେମାନଙ୍କ ବିରୋଧରେ  ଦଳବିରୋଧୀ କାର୍ଯ୍ୟର ଅଭିଯୋଗ ନାହିଁ | ଆଉ ରାଜନୀତି ବି ଚାରିଟି ନୁହେ, ଏହା ଦାଓ ପେଞ୍ଚର ଖେଳ | ସବୁରି ମୂଳରେ ଭୋଟ , ସବୁଦଳର ହିସାବ କୋଉଟା କଲେ ଭୋଟ ବଢିବ | ଦ୍ରୌପଦୀ ମୁର୍ମୁଙ୍କ ରାଜ୍ୟପାଳ ନିଯୁକ୍ତି ଭୋଟ, ଆଉ ମମତା ମହନ୍ତଙ୍କ ରାଜ୍ୟସଭା ଯିବା ପଛରେ ବି ଭୋଟ |  ହେଲେ ତଥାଗତ ବାବୁ ଏମାନଙ୍କ ଭିତରୁ କାହାକୁ କୁକୁର ଠୁ ହୀନ କରି  ଦେଖିଲେ | ହଠାତ ଏବେ ଏ ଇଙ୍ଗିତ କାହାପ୍ରତି | ହଁ, ଏଭଳି ପ୍ରତିକ୍ରିୟା ଆଗରୁ କେବେ ଦେଇନଥିଲେ |କାରଣ ଆଗରୁ ଭାସ୍କର ରାଓ, ବିଷ୍ଣୁଦାସ , ଅନୁଭବ ମହାନ୍ତି, ଭୂପିନ୍ଦର  ସିଂ, ରବି ମହାପାତ୍ର, ନରେନ୍ଦ୍ର ସ୍ୱାଇଁ ଆଦି ରାଜ୍ୟସଭା ଗଲାବେଲେ ତଥାଗତ ବାବୁ ଏଭଳି  କହିଥିଲେ ଏବେ କହି ଥିଲେ ଖଟକା ଲାଗିନଥାନ୍ତା | ଲୋକ କହିଥାନ୍ତେ କି ଧାରଣା ହୋଇଥାନ୍ତା ତଥାଗତ ବାବୁ ସବୁବେଳେ ଏମିତି କହନ୍ତି | ତେଣୁ ଯାହା କହିଛନ୍ତି ସ୍ପଷ୍ଟ କହିଛନ୍ତି ସବୁଥର ଭଳି | ହେଲେ ସେମିତି ସେ ଆଗରୁ କରିନଥିଲେ ପୂର୍ବର ରାଜ୍ୟ ସଭା ପାଇଁ ପ୍ରାର୍ଥୀ ଚୟନ ବେଳେ  | କାରଣ ସେତେବେଳେ ସାଂସଦ ଥିଲେ ବା ଆଶାରେ ଥିଲେ କି କଣ ! ଆଉ  ଦେଖିବାକୁ ଗଲେ,  ତଥାଗତ ବାବୁଙ୍କ ପରି ସୁଜିତ କୁମାର, ମମତା ମହାନ୍ତ, ସୁବାସ ସିଂ ଓ ମୁନ୍ନା ଖାଁ ଆଦୌ  ଭାଗ୍ୟବାନ ନୁହନ୍ତି ବା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ କି ଝିଅ ଭାବେ  ଉତ୍ତରାଧିକାର ସୂତ୍ରରେ ରାଜନୀତିକୁ ଆସିନାହାନ୍ତି | ଯାହା ହେଇଛନ୍ତି ବା ଯାହା ପ୍ରମାଣିତ କରିଛନ୍ତି, ସେ ସବୁ କରିଛନ୍ତି ନିଜ ଦମରେ ଆଉ ନିଜକୁ ମିଳିଥିବା ସୁଯୋଗର ସଦୁପଯୋଗ କରି | ତେଣୁ ସାଧାରଣ ପରିବାରରୁ ନିଜ ଦମରେ ଏଯାଏ ଏ ସ୍ଥିତିରେ ପହଁଚିଥିବା ସୁଜିତ, ମମତା, ସୁବାସ ଓ ମୁନ୍ନା ଆଦୌ ସୁନା ଚାମଚ ପାଟିରେ ପୁରାଇ ଜନ୍ମ ହୋଇନଥିଲେ | ତାପରେ ତଥାଗତଙ୍କ ଏମାନଙ୍କ ପ୍ରତି କୌଣସି ବ୍ୟକ୍ତିଗତ ଶତ୍ରୁତା ନଥିବ | ହେଲେ ଏପରି ସେମାନଙ୍କୁ ଶତପଥି ଛୁଆ( କାରଣ ଟୁଇଟରରେ ଗୁଲ୍ଲୁ ଶତପଥୀ" ) ଗୁଲ୍ଲୁ କୁକୁରଠୁ ନୀଚା ଦେଖାଇବା ପଛରେ ଆଉ କିଛି କାରଣ ନାହିଁ ତ ! ରାଜନୈତିକ ମହଲରେ ହେଉଥିବା ଚର୍ଚ୍ଚା ଅନୁଯାୟୀ  ଏହା ସ୍ପଷ୍ଟବାଦୀ ତଥାଗତଙ୍କ ହତାଶାର ସ୍ପଷ୍ଟ ପ୍ରତିଫଳନ ହୋଇରହାଇପାରେ  | ପ୍ରତ୍ୟକ୍ଷ ରାଜନୀତିରୁ ସନ୍ୟାସ ଘୋଷଣା କରିଥିବା ତଥାଗତ ରାଜ୍ୟସଭା ପାଇଁ ଆଉ ଆଶାୟୀ ନଥିଲେ ତ ! ହେଲେ କେହି କେହି କହନ୍ତି ଆଉ ତାଙ୍କ ନିର୍ବାଚନମଣ୍ଡଳୀରେ ଆଲୋଚନା ଯେ ତଥାଗତ ବାବୁ କୁଆଡେ ଜାଣିସାରିଥିଲେ ସେ ନିର୍ବାଚନରେ ଜିତିବା  କଷ୍ଟକର | ତାଙ୍କ ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ବିଧାୟକ ମାନଙ୍କ ସହ ତାଙ୍କର ସମ୍ପର୍କ ଉତ୍ତମ ନଥିଲା | ଲୋକ ତାଙ୍କୁ ଜିତାଉଛନ୍ତି  ବୋଲି ତାଙ୍କ ମନରେ ଧାରଣା ଥିଲା | ତେଣୁ ଏକା ମାଧିଆ ୨୪ ଫଳ ରୀତିରେ ସେ ନିଜ ଷ୍ଟାଇଲରେ କାମ କରିଥିଲେ |  ସେ କାହା ସହ ଭଲ ସମ୍ପର୍କ ରଖୁନଥିଲେ | ତେଣୁ ଏଥର ଲୋକସଭା ପାଇଁ ଏମପିରେ ଠିଆ ହୋଇଥିଲେ ତାଙ୍କୁ ଅସହଯୋଗ କରିଥାନ୍ତେ ସେ ବିଧାୟକ ମାନେ , ସେ ଏ ବିଷୟ ଜାଣିସାରିଥିଲେ | ତେଣୁ ରାଜନୀତିରୁ ସନ୍ୟାସ ଘୋଷଣା କରିଥିଲେ | ହେଲେ ଅନୁଗୋଳରେ ଚର୍ଚ୍ଚାଯେ  ତଥାଗତ ବାବୁ କୁଆଡେ ତାଙ୍କର ହାତଗଣତି ସମର୍ଥକଙ୍କ ଆଗରେ କହିଥିଲେ ଯେ ତାଙ୍କୁ ରାଜ୍ୟସଭା ଯିବା ପାଇଁ  ପ୍ରସ୍ତାବ ଆସୁଛି | ଯଦି ଆସିଛି ସେ ତେବେ ପୁଣି ରାଜନୀତିକୁ ଫେରିବେ | ତେଣୁ ସେ ରାଜ୍ୟସଭା ପାଇଁ ଆଶାୟୀ ଥିଲେ ବୋଧ ହୁଏ, ଯାହାର ପ୍ରତିଫଳନ ଗୁଲ୍ଲୁ ଉପାଖ୍ୟାନ ବା କୁକୁର ପ୍ରକରଣ | ହେଲା...ଆଶା କରିଥିଲେ , ହେଲାନି | ସବୁ କଣ ଯିଏ ଆଶା କରେ ସବୁ ମିଳେ !! ହେଲା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ହିସାବରେ ବିଧାୟକ ହେଲେ , ଚାରିଚାରି ଥର ସଂସଦ ରହିଲେ | ମାନେ ୨୫ ବର୍ଷରୁ  ଅଧିକ କାଳ ପ୍ରତିନିଧିତ୍ବ କଲେ | ଏତେ ବଡ ନେତା, ଜ୍ଞାନୀ , ଗୁଣି ଆଉ ପୁଣି ଖବର କାଗଜର ମାଲିକ ! ରାଜନୀତିରେ ଆସି ନିଜ ସିଂଗରେ ମାଟି ଟାଳିବାକୁ ଚେଷ୍ଟା କରିଥିବା ସାଧାରଣ ସାଧାରଣ ପରିବାରର ସୁଜିତ, ମମତା, ମୁନ୍ନା ଆଉ ସୁବାଷଙ୍କ ପ୍ରତି ଏପରି ବ୍ୟଙ୍ଗ ବା ବିଦ୍ରୁପ ସମାଜକୁ ମାର୍ଗଦର୍ଶନ କରାଇବା ଭଳି ଆସ୍ଥାନରେ ବସିଥିବା  ତଥାଗତ ବାବୁଙ୍କ ଭଳି ଏତେବଡ ଅଭିଜ୍ଞ ଆଉ ହୃଦୟବାନ ମଣିଷଙ୍କ ପକ୍ଷେ କେତେ ଯେ ଉଚିତ ତାହା ସେ ବୁଝି ପାରିବେ, ଚାଟୁକାରମାନେ ବୁଝି ପାରିବେ ନାହିଁ | ସମାଲୋଚନା କରିବାର ଅନେକ ପ୍ରସଙ୍ଗ ରାଜ୍ୟ ସ୍ୱାର୍ଥ ସମ୍ବଳିତ ରହିଛି | ସରକାରଙ୍କୁ , ମୁଖ୍ୟମନ୍ତ୍ରୀଙ୍କୁ ଓ ଶାସନ ବ୍ୟବସ୍ଥାକୁ ସମାଲୋଚନା କରାଯାଇ ମାର୍ଗଦର୍ଶନ କରାଯାଇପାରେ | ରାଜନୀତି ଧର୍ମଯୁଦ୍ଧ ନୁହେ,ରାଜନୀତି ହେଉଛି ସୁବିଧାବାଦର ଅନ୍ୟନାମ | କଥାରେ କହନ୍ତି " everything is fare in war and politics "| ତଥାଗତ ବାବୁ ରାଜନୀତିକୁ ଆସିବା ପଛର ବଡ ଯୋଗ୍ୟତା ହେଉଛି ଓଡିଶା ରାଜନୀତିର ଉତ୍ତୁଙ୍ଗ ଶିଖରକୁ ଛୁଇଁଥିବା ନାରୀନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ  ସୁଯୋଗ୍ୟ  ପୁତ୍ର | ଆଉ ଗୋଟେ ପରିଚୟ ହେଲା ସେ ଏକଦା ବହୁଳ ପ୍ରସାରିତ ଖବର କାଗଜର ମାନନୀୟ ସମ୍ପାଦକ | ସେ ରାଜନୀତିକୁ ଆସିଲେ, ବିଧାୟକ ହେଲେ | ୪ଥର ସାଂସଦ ବି ହେଲେ | ନବୀନ ବାବୁଙ୍କ ବିଶ୍ୱସ୍ତ ହୋଇ କ୍ଷମତା ଉପଭୋଗ କଲେ | ହେଲେ ଯିଏ ହେଉଛି କଣ ହେଇ ଚାଲିଥିବ | ସେମାନେ ହିଁ କେବଳ ଲୋକସଭା, ବିଧାନସଭା ଓ ରାଜ୍ୟ ସଭା ଯାଉଥିବେ |  ଯିଏ ଯେଉଁ ଦଳରୁ ବା ଯେଉଁ ବିଚାରଧାରାରୁ ବି ହୁଅନ୍ତୁନା କାହିଁକି, ବଡବଡିଆ ପ୍ରତିପତ୍ତିଶାଳୀ ପରିବାରର ଲୋକ ସବୁବେଳେ ରାଜନୀତିକୁ ପଟ୍ଟା କରିରଖିନେବେ,  ସାଧାରଣ ପାରିବାରରୁ ଆସି ନିଜ ଦମରେ ରାଜନୈତିକ ପଡିଆରେ ମାଟି ତାଡୁଥିବା ତଥା ସୁଜିତ, ମମତା, ମୁନ୍ନା ଆଉ ସୁବାଷଙ୍କ ନାମ ଯଦି ନାମିତ ହେଲା ଏମାନଙ୍କ ପ୍ରତି ବ୍ୟଙ୍ଗ ବିଦ୍ରୁପ କରାଯିବ !!!!!

0
0
0
s2sdefault