ଏହି ପୁରସ୍କାର ପାଇଁ ଦେଶର 702 ଜିଲ୍ଲା ପଞ୍ଜୀକୃତ, ଆସନ୍ତା 31ରେ ପୁରସ୍କାର ପ୍ରଦାନ କରାଯିବ
ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ଲୋକ ପ୍ରଶାସନ କ୍ଷେତ୍ରରେ ଉତ୍କର୍ଷ ପାଇଁ ଭାରତ ସରକାର 2006ରୁ ପ୍ରଧାନମନ୍ତ୍ରୀ ଉତ୍କର୍ଷ ପୁରସ୍କାର ପ୍ରବର୍ତ୍ତନ କରିଛନ୍ତି । ତଦନୁସାରେ ଅସାଧାରଣ କାର୍ଯ୍ୟ, ନବସୃଜନ ଓ ଅନ୍ୟାନ୍ୟ ଉତ୍କୃଷ୍ଟ କାର୍ଯ୍ୟ କରୁଥିବା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜିଲ୍ଲା/ପ୍ରତିଷ୍ଠାନଗୁଡିକ ଏହି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଥାନ୍ତି । 2014ରେ ଏହି ପୁରସ୍କାର ବ୍ୟବସ୍ଥାର ପୁର୍ନଗଠନ କରାଯାଇଥିଲା । ସେଥିରେ ଅଗ୍ରାଧିକାର କାର୍ଯ୍ୟକ୍ରମ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ଜିଲ୍ଲାପାଳ, ନବସୃଜନ କାର୍ଯ୍ୟ ଏବଂ ଆକାଂକ୍ଷୀ ଜିଲ୍ଲାଗୁଡିକୁ ଏହି ପୁରସ୍କାର ପ୍ରଦାନର ବ୍ୟବସ୍ଥା ହୋଇଥିଲା । 2020ରେ ଏହି ଯୋଜନାକୁ ଆହୁରି ପରିବର୍ତ୍ତନ ଓ ବ୍ୟାପକ କରାଯାଇଛି । ଯେଉଁ ଜିଲ୍ଲାର ଜିଲ୍ଲାପାଳ ନିଜ ଜିଲ୍ଲାର ଆର୍ଥିକ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରୁଥିବେ ସେମାନଙ୍କୁ ଏହି ପୁରସ୍କାର ପ୍ରଦାନ କରିବାକୁ ମଧ୍ୟ ବ୍ୟବସ୍ଥା କରାଯାଇଛି । 2020 ବର୍ଷର ଏହି ପୁରସ୍କାର ଆସନ୍ତା 31 ତାରିଖରେ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର କେୱାଡିଆଠାରେ ଥିବା ଷ୍ଟାଚ୍ୟୁ ଅଫ୍ ୟୁନିଟଠାରେ ପ୍ରଦାନ କରାଯିବ ।
2020 ବର୍ଷ ପାଇଁ ଲୋକ ପ୍ରଶାସନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପ୍ରଧାନମନ୍ତ୍ରୀ ପୁରସ୍କାର ଯେଉଁମାନେ ପାଇବେ ସେମାନେ ପ୍ରାୟତଃ କେନ୍ଦ୍ରୀୟ ସିଭିଲ ସେବାର ଅଧିକାରୀ । ସେମାନଙ୍କୁ ନିମ୍ନ ବର୍ଗରେ ବିବେଚିତ କରାଯିବ ।
- ଅଗ୍ରାଧିକାର କ୍ଷେତ୍ରକୁ ଋଣ ଯୋଗାଣ ବ୍ୟବସ୍ଥା କରି ଯେଉଁମାନେ ସମାବେଶୀ ବିକାଶରେ ସହାୟକ ହୋଇଛନ୍ତି ସେମାନେ ଏହି ପୁରସ୍କାର ପାଇବେ ।
- ଜନଭାଗିଦାରୀ ଭିତ୍ତିରେ ଯେଉଁମାନେ ଜନ ଆନ୍ଦୋଳନକୁ ପ୍ରୋତ୍ସାହିତ କରୁଛନ୍ତି ଏବଂ ଉଭୟ ସହର ଓ ଗ୍ରାମାଞ୍ଚଳର ସ୍ୱଚ୍ଛ ଭାରତ ଅଭିଯାନରେ ନିଜ ଜିଲ୍ଲା ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି ସେମାନେ ମଧ୍ୟ ଏଥିପାଇଁ ବିବେଚିତ ହେବେ ଏବଂ
- ନିଜ ଜିଲ୍ଲାରେ ସେବା ଯୋଗାଣ ବ୍ୟବସ୍ଥାରେ ଉଲ୍ଲେଖନୀୟ ଉନ୍ନତି ଆଣି ଲୋକଙ୍କ ଅଭାବ ଅସୁବିଧା ଦୂର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଜିଲ୍ଲାପାଳ ବା ଜିଲ୍ଲାସ୍ତରୀୟ ଅଧିକାରୀ ମଧ୍ୟ ଏହି ପୁରସ୍କାର ପାଇଁ ମନୋନୀତ ହୋଇପାରିବେ ।
ଏହି ପୁରସ୍କାରର ପରିସରକୁ ବଢାଇ ଦିଆଯାଇ ଏଥିରେ ଜିଲ୍ଲାର ସବୁ ବିକଶମୂଳକ ଓ ଲୋକ କଲ୍ୟାଣକାରୀ କାର୍ଯ୍ୟକ୍ରମକୁ ଅନ୍ତର୍ଭୁକ୍ତ କରାଯାଇଛି । ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଏହାକୁ ସଫଳ କରିବା ପାଇଁ ଉପରଲିଖିତ ସର୍ତ୍ତମତେ କି ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି ତାହାକୁ ବିଚାରକୁ ନିଆଯାଇ ପୁରସ୍କାର ନିମନ୍ତେ ତାଙ୍କ ନାମ ସୁପାରିସ କରାଯିବ ।
ସେହିଭଳି ନମାମି ଗଙ୍ଗେ କାର୍ଯ୍ୟକ୍ରମକୁ ସଫଳ କରିବାରେ ଜିଲ୍ଲାସ୍ତରୀୟ ଅଧିକାରୀମାନେ କି ପ୍ରକାର ପଦକ୍ଷେପ ନେଇଛନ୍ତି ତାହାକୁ ବିଚାରକୁ ନିଆଯାଇ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଉତ୍କର୍ଷ ସମ୍ମାନ ପାଇଁ ମନୋନୀତ କରାଯିବାର ବ୍ୟବସ୍ଥା ରହିଛି ।
ଆକାଂକ୍ଷୀ ଜିଲ୍ଲାଗୁଡିକ ପାଇଁ ଏହି ପୁରସ୍କାର ପ୍ରଦାନ କ୍ଷେତ୍ରରେ ଦୁଇ ବର୍ଷ ତଳେ ସଂପୃକ୍ତ ଜିଲ୍ଲାରେ ଆରମ୍ଭ ହୋଇଥିବା ବିକାଶମୂଳକ କାର୍ଯ୍ୟକ୍ରମର ସାମଗ୍ରିକ ପ୍ରଗତିକୁ ମାପଦଣ୍ଡଭାବେ ବିଚାରକୁ ନିଆଯିବ ।
ନବସୃଜନ ବର୍ଗରେ ଏହି ପୁରସ୍କାର ପାଇଁ ପ୍ରତିବର୍ଷ ପାରମ୍ପରିକଭାବେ ସର୍ବାଧିକ ମନୋନୟନ ଆସିଥାଏ । ପୁରସ୍କାର ପାଇଁ ଅଧିକ ସୁପାରିସ ଆସୁଥିବାରୁ ଏହାକୁ ଏଥର 3ଟି ବର୍ଗରେ ବିଭକ୍ତ କରାଯାଇଛି । ସେଗୁଡିକ ହେଲା- ଜାତୀୟ, ରାଜ୍ୟ ଓ ଜିଲ୍ଲାସ୍ତର ବା ବର୍ଗ । ପ୍ରଧାନମନ୍ତ୍ରୀ ପୁରସ୍କାର ପୋର୍ଟାଲ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜିତେନ୍ଦ୍ର ସିଂହଙ୍କ ଦ୍ୱାରା 17 ଜୁଲାଇ 2020ରେ ଉନ୍ମୋଚିତ ହୋଇଥିଲା । ସେବେଠାରୁ ପ୍ରଶାସନିକ ସଂସ୍କାର ଓ ସାଧାରଣ ଅଭିଯୋଗ ବିଭାଗ ବିଭିନ୍ନ ସ୍ତରରୁ ପୁରସ୍କାର ପାଇଁ ଉପଯୁକ୍ତ ବ୍ୟକ୍ତିଙ୍କ ନାମ ସଂଗ୍ରହ କରୁଛନ୍ତି । ରାଜ୍ୟର ମୁଖ୍ୟ ସଚିବ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଶାସକମାନଙ୍କଠାରୁ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ତଥ୍ୟାବଳୀ, ସଫଳତା ଏବଂ ଅନ୍ୟାନ୍ୟ ସୂଚନା ସଂଗ୍ରହ କରାଯାଉଛି । ଏହି ମନୋନୟନ ପାଇଁ ପଞ୍ଜୀକରଣର ଶେଷ ତାରିଖ କରୋନା ମହାମାରୀ ଦୃଷ୍ଟିରୁ ଘୁଞ୍ଚାଇ ଅଗଷ୍ଟ 23 ରଖାଯାଇଥିଲା । ସାରା ଦେଶର ମୋଟ 702ଟି ଜିଲ୍ଲା ଏହି ପୁରସ୍କାର ନିମନ୍ତେ ନିଜ ନାମ ପଞ୍ଜୀକରଣ କରି ଏଥିରେ ଭାଗ ନେଇଛନ୍ତି । ଦେଶର ମୋଟ ଜିଲ୍ଲାରୁ 95 ଶତାଂଶ ଏଥିରେ ଅଂଶଗ୍ରହଣ କରିଛନ୍ତି । ଏସବୁ ଜିଲ୍ଲାଗୁଡିକ ମଧ୍ୟରୁ 678ଟି ଜିଲ୍ଲା ପ୍ରଦର୍ଶନ ସୂଚକାଙ୍କ କାର୍ଯ୍ୟକ୍ରମ ଡିପିଆଇପି ଅନୁସାରେ ମନୋନୟନ ପତ୍ର ଦେଇଛନ୍ତି । ନବସୃଜନ ବର୍ଗରେ 646ଟି ଆବେଦନପତ୍ର ମିଳିଛି । ସେଥିମଧ୍ୟରୁ 104ଟି କେନ୍ଦ୍ର ସରକାରୀ ପ୍ରତିଷ୍ଠାନର । ରାଜ୍ୟସ୍ତରୀୟ ଇନୋଭେସନ ବର୍ଗରେ 660ଟି ଆବେଦନପତ୍ର ମିଳିଛି । ନମାମିଗଙ୍ଗେ କାର୍ଯ୍ୟକ୍ରମରେ 48ଟି ଜିଲ୍ଲା ଭାଗ ନେଇଥିବାବେଳେ ଦେଶର 112ଟି ଆକାଂକ୍ଷୀ ଜିଲ୍ଲା ମଧ୍ୟରୁ 81ଟି ଏହି ପୁରସ୍କାର ପାଇଁ ଆବେଦନ କରିଛନ୍ତି ।