ହେଡଲାଇନସ୍:

ଦେଶର 173ଟି ସୀମାନ୍ତ ଓ ତଟବର୍ତ୍ତୀ ଜିଲ୍ଲାକୁ ଏନ୍‌ସିସି ସଂପ୍ରସାରିତ ହେବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଦିଲ୍ଲୀ : ଦେଶର ସମସ୍ତ ସୀମାନ୍ତବର୍ତ୍ତୀ ଓ ତଟବର୍ତ୍ତୀ ଜିଲ୍ଲାଗୁଡିକର ଯୁବସମାଜର ଆକାଂକ୍ଷା ପୂରଣ ପାଇଁ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ବା ଏନ୍‌ସିସିର ଏକ ବୃହତ୍‌ ସଂପ୍ରସାରଣ ଯୋଜନାକୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଅନୁମୋଦନ କରିଛନ୍ତି । ଅଗଷ୍ଟ 15 ସ୍ୱାଧୀନତା ଦିବସ ଭାଷଣରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏନ୍‌ସିସିର ଏହି ସଂପ୍ରସାରଣ ସଂପର୍କରେ ସୂଚନା ଦେଇଥିଲେ । ଏହି ସଂପ୍ରସାରିତ ଯୋଜନା ଅନୁସାରେ ଦେଶର 173ଟି ସୀମାନ୍ତ ଓ ତଟବର୍ତ୍ତୀ ଜିଲ୍ଲାରୁ ଏକ ଲକ୍ଷ କ୍ୟାଡଟଙ୍କୁ ଏନ୍‌ସିସିରେ ଭର୍ତ୍ତି କରାଯିବ । ସେମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ମହିଳା କ୍ୟାଡେଟ ରହିବେ । ଏହିସବୁ ଜିଲ୍ଲାଗୁଡିକରେ ଏକ ହଜାରରୁ ଅଧିକ ସ୍କୁଲ ଓ କଲେଜକୁ ଏଥିପାଇଁ ଚିହ୍ନଟ କରାଯାଇଛି । ଏହିସବୁ ଶିକ୍ଷାନୁଷ୍ଠାନରେ ଏନ୍‌ସିସି ଆରମ୍ଭ କରାଯିବ । ଯୋଜନା ଅନୁସାରେ ବର୍ତ୍ତମାନର 83ଟି ଏନସିସି ୟୁନିଟ ଉନ୍ନୀତ ହେବ । ସେଥିମଧ୍ୟରେ ସ୍ଥଳବାହିନୀର 53, ନୌବାହିନୀର 20 ଓ ବିମାନ ବାହିନୀର 10ଟି ଲେଖାଏଁ ୟୁନିଟ ଅନ୍ତର୍ଭୁକ୍ତ । ଏହିସବୁ ୟୁନିଟ ସଂପୃକ୍ତ ସୀମାବର୍ତ୍ତୀ ଓ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ଏନ୍‌ସିସି ତାଲିମ ପ୍ରଦାନ କରିବେ ।

ସ୍ଥଳସେନା ପକ୍ଷରୁ ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡିକରେ ଏନ୍‌ସିସି ୟୁନିଟଗୁଡିକୁ ତାଲିମ ଏବଂ ପ୍ରଶାସନିକ ସହାୟତା ଯୋଗାଇ ଦିଆଯିବ । ସେହିଭଳି ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ନୌବାହିନୀ ପକ୍ଷରୁ ସଂପୃକ୍ତ ଏନସିସି ୟୁନିଟକୁ ସହାୟତା ଯୋଗାଇ ଦିଆଯିବ । ଯେଉଁ ଏନ୍‌ସିସି ୟୁନିଟଗୁଡିକ ବାୟୁସେନା ଘାଟିର ଆଖପାଖରେ ଥିବେ ସେଗୁଡିକୁ ବାୟୁସେନା ପକ୍ଷରୁ ସହାୟତା ପ୍ରଦାନ କରାଯିବ । ଏହା ଫଳରେ ଦେଶର ସୀମାନ୍ତ ଓ ତଟବର୍ତ୍ତୀ ଇଲାକାର ଯୁବକ ଯୁବତୀମାନେ ସାମରିକ ତାଲିମ ପାଇବାର ସୁଯୋଗ ପାଇବେ ଏବଂ ଏକ ଶୃଙ୍ଖଳିତ ଜୀବନଯାପନରେ ଏହା ସେମାନଙ୍କ ପାଇଁ ସହାୟକ ହେବ । ପ୍ରତିରକ୍ଷା ବାହିନୀରେ ଯୋଗଦେବାକୁ ଏହି ତାଲିମ ସେମାନଙ୍କୁ ଅନୁପ୍ରାଣିତ କରିବ । ରାଜ୍ୟଗୁଡିକ ସହ ଅଂଶୀଦାର ଭିତ୍ତିରେ ଏନ୍‌ସିସିର ସଂପ୍ରସାରଣ ଯୋଜନା କାର୍ଯ୍ୟକାରୀ ହେବ ।

0
0
0
s2sdefault