ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଠାରେ ଗତ ୧୩ ଦିନ ଧରି ଧର୍ମୀୟ ଭାବନାର ବିଶ୍ୱାସ ସହିତ ସଙ୍ଗୀତ , ନୃତ୍ୟ, ସାଧନା ଓ ଆରାଧନା ସମ୍ୱନ୍ଧରେ ମାଁ ଶ୍ୟାମାକାଳୀଙ୍କ ଦଣñନାଚ ପର୍ବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି ।
ଏହି ଦଣ୍ଡ ନାଚ ପର୍ବ ସହିତ ଲୋକଙ୍କ ଧର୍ମୀୟ ଭାବାବେଗ ସହିତ ବିଶ୍ୱାସ ନିବିଡ ଭାବେ ଜଡିତ ଥିବା ଯୋଗୁଁ ଦଣ୍ଡନାଚ ପର୍ବ ପାଇଁ ଗତ ୧୩ ଦିନ ଧରି ସମଗ୍ର ପାରଳା ସହରବାସୀଙ୍କ ମଧ୍ୟରେ ବେସ ଉତ୍କଣ୍ଠା ପରିଲକ୍ଷିତ ହେବା ସହ ସମଗ୍ର ସହର ଚଳଚଞ୍ଚଳ ହୋଇ ଉଠିଥିଲା ।
ଲୋକ ତାଙ୍କ ସରଳ ଜୀବନ ଯାପନ ଶୈଳିକୁ Cଶ୍ୱରଙ୍କ ସମ୍ମୁଖରେ ଉପସ୍ଥାପନା କରିବା ହେଉଛି ଦଣ୍ଡନାଚର ବିଶେଷତ୍ୱ । ସେଥିପାଇଁ ପରମ୍ପରା ଓ ସଂସ୍କୃତିକୁ ମାଧ୍ୟମ କରି ଏକ ମାନବୀୟ ଚେଷ୍ଟା କରାଯାଇଥାଏ । ଯାହାକି ଇଶ୍ୱରଙ୍କ ମୋକ୍ଷ ପ୍ରାପ୍ତି ପାଇଁ ବିଭିନ୍ନ ମାର୍ଗ ଓ ଯୋଗ ଆରଧନା ମାଧ୍ୟମରେ ନିଜ ଶରୀରକୁ କଷ୍ଟ ଦେଇଥାନ୍ତି । ଏହି ଆରାଧନାକୁ ହଟଯୋଗ କୁହାଯାଏ ଏବଂ ଏହା ହିଁ ହେଉଛି ଦଣ୍ଡନାଚଯାତ୍ରା ।
ଚୈତ୍ରମାସ ମେରୁ ସଂକ୍ରାନ୍ତିର ଠିକ ୧୩ ଦିନ ପୂର୍ବରୁ ଏହି ଦଣ୍ଡ ନାଚ ଯାତ୍ରା ଆରମ୍ଭ ହୋଇ ମେରୁ ସଂକ୍ରାନ୍ତି ଦିନ ସନ୍ଧ୍ୟାରେ ଶେଷ ହୋଇଥାଏ ।
କିଛି ମାନସିକ ଧାରୀ ମଧ୍ୟ ନିଜେ ଏହି ଦଣ୍ଡ ଯାତ୍ରାରେ ସାମିଲ ହୋଇଥାନ୍ତି । ଏମାନଙ୍କୁ ରୁଷିପୁତ୍ର କୁହାଯାଇଥାଏ । ଦଣ୍ଡ ଯାତ୍ରା ସମ୍ପୁର୍ଣ୍ଣ ହେବା ପର୍ଯ୍ୟନ୍ତ ଦଣ୍ଡିଆ ମାନେ ନିରଳସ ଜୀବନ ଯାପନ କରିଥାନ୍ତି । ଏହି ୧୩ ଦିନ ସମୟ ମଧ୍ୟରେ ଦଣ୍ଡୁଆ ମାନେ ରାଜସିକ ଓ ତାମସିକ ଖାଦ୍ୟ ଠାରୁ ସମ୍ପୁର୍ଣ୍ଣ ଭାବେ ଦୁରେଇ ରହି ସାତ୍ତ୍ୱିକ ଭୋଜନ ଗ୍ରହଣ କରିଥାନ୍ତି ।
ଦଣ୍ଡୁଆ ଦଳର ନେତୃତ୍ୱ ନେଇଥିବା ବ୍ୟକ୍ତିଙ୍କୁ ପାଟଭୋକ୍ତା ବା ପାଟ ଦଣ୍ଡୁଆ କୁହାଯାଇଥାଏ ଏହି ପାଟ ଭୋକ୍ତା ଏହି ୧୩ ଦିନ କେବଳ ଫଳ ଓ ଦୁଗ୍ଧ ଆଧାର କରି ନିଷ୍ଠାର ସହ ଅନ୍ୟ ଦଣ୍ଡୁଆ ମାନଙ୍କୁ ପରିଚାଳନା କରିଥାନ୍ତି ।
ପ୍ରଥମ ଦିନରୁ ହିଁ ଭୋକ୍ତା ରୁଷିପୁତ୍ର ମାନଙ୍କ ପୋଖରୀରେ ସ୍ନାନ କରାଯିବା ପରେ ମନ୍ତ୍ରସୁଦ୍ଧି କରାଯାଇ ପଇତା ପିନ୍ଧା ଯାଇଥାଏ । ତାପରେ ନିତି ପ୍ରକାରେ କାଠକୁ କାଠ ଘଷି ସେଥିରୁ ନିଆଁ ବାହାର କରି ପାଳରେ ନିର୍ମିତ ଚମ୍ପାବରରେ ଅଗ୍ନିରେ ସଂୟୋଗ କରାଯିବା ପରେ ପରେ ଏହି ଠାରୁ ହିଁ ଦଣ୍ଡ ଯାତ୍ରାର ଶୁଭାରମ୍ଭ ହୋଇଥାଏ ।
ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ପାଟ ଦଣ୍ଡୁଆଙ୍କ ନେତତୃତ୍ୱରେ ଦଣ୍ଡୁଆ ରୁଷିପୁତ୍ର ମାନେ ସଙ୍ଗରେ ପରିଡା ରୁପରେ ମାଁ କାଳୀ, ଚମ୍ପାବର ଅଗ୍ନିରୁପରେ ଶିବଙ୍କୁ ଧରିଥିବା ବେଳେ ଏହି ଦଣ୍ଡୁଆ ଅନ୍ୟ ମାନଙ୍କ ଦଣ୍ଡୁଆ ହାତରେ ପତାକା, ପିଂଛବାଡି, ଢୋଲ,ଝାଞ୍ଜ ଓ ତୁରୀ ଥାଏ ଘଣ୍ଟ ବାଦ୍ୟ ତାଳେତାଳେ ଏହି ଦଣ୍ଡୁଆମାନେ ସହରର ଗଳିକନ୍ଦି ବୁଲିବା ପରେ ମାନସିକ ଧାରୀଙ୍କ ଘର ସମ୍ମୁଖରେ ପହଞ୍ଚି ସେଠାରେ ଦେବୀ ସ୍ଥାପନା କରି ସଂକଳ୍ପ ପୂଜାର୍ଚ୍ଚନା କରାଯାଇ ମଧ୍ୟାହ୍ନର ପ୍ରଚଣ୍ଡ ଖରାରେ ଆରମ୍ଭ ହୋଇଥାଏ ଧୁଳିଦଣ୍ଡ ।
ଏହି ଧୁଳିଦଣ୍ଡ କାର୍ଯ୍ୟକ୍ରମରେ ଦଣ୍ଡୁଆ ମାନେ ଘଣ୍ଟ ବାଦ୍ୟର ତାଳେତାଳେ ପ୍ରଚଣ୍ଡ ଖରାରେ ଦେବୀଙ୍କ ମନ୍ଦିର ନିର୍ମାଣ, ଜମିରେ ହଳ ଲଙ୍ଗଳ ବୁଲାଇ ଚାଷ କରିବା, କୁଅ ଖୋଳିବା, ହଳଦୀ ପେଡା, ପ୍ରଭୃତି କାର୍ଯ୍ୟକୁ ଅଭିନୟ ମାଧ୍ୟମରେ ଉପସ୍ଥାପନା କରାଯାଇଥିଲା । ଏଥି ସହିତ ପଟ୍ଟା ଓ କଣ୍ଟା ଦଣ୍ଡ ମଧ୍ୟ କରାଯାଇଥାଏ ଏହି ସମୟ ମଧ୍ୟରେ ଅତୀତରେ ପ୍ରଚଳିତ ଲୋକଗୀତ ଓ ଢୋଗତମାଳିକୁ ପରିବେଷଣ କରିଥାନ୍ତି ।
ଧୁଳି ଦଣ୍ଡ ପରେ ଆରମ୍ଭ ହୋଇଥାଏ ପାଣିଦଣ୍ଡ ପୋଖରୀ ପାଣି ଭିତରେ ଦଣ୍ଡୁଆ ମାନେ ମୁଣ୍ଡ ପର୍ଯ୍ୟନ୍ତ ବୁଡି ରହି ପାଣି ଭିତରୁ ବାଲି ଆଣି ସେଥିରେ ଶିବଲିଙ୍ଗ ନିର୍ମାଣ କରି ତୁଠରେ ପୂଜାର୍ଚ୍ଚନା କରିଥାନ୍ତି । ସେଠାରେ ଚମ୍ପା ବରରୁ ଅଗ୍ନି ସଂଯୋଗ କରି ସେଥିରେ ଝୁଣା ପକାଇ ଦେବୀଙ୍କ ଆରାଧନା କରାଯାଇ ଅଗ୍ନି ପୁଜା ଆଳତୀ ଖେଳ ହୋଇଥାଏ ।
ଶେଷ ଦିନ ଅର୍ଥାତ ମେରୁ ସଂକ୍ରାନ୍ତି ଦିନ ମାଁ ଶ୍ୟାମାକାଳୀଙ୍କ ମନ୍ଦିର ସମ୍ମୁଖରେ ଧୁଳିଦଣ୍ଡ, ପାଣିଦଣ୍ଡ, ଅଗ୍ନିଦଣ୍ଡ ଓ ମେରୁଦଣ୍ଡ କାର୍ଯ୍ୟ ସମ୍ପନ୍ନ ହୋଇଥାଏ ।
ଅଗ୍ନିଦଣ୍ଡରେ ସମସ୍ତେ ଖାଲି ପାଦରେ ଅଗ୍ନିଗାତରେ ଚାଲି ଚାଲିଯାଇଥାନ୍ତି । ମାନସିକଧାରୀ ମାନେ ମଧ୍ୟ ଏହି ଅଗ୍ନି ଦଣ୍ଡରେ ସାମିଲ ହୋଇଥାନ୍ତି ।
ସେହିଭଳି ମେରୁ ଦଣ୍ଡ କାର୍ଯ୍ୟକ୍ରମରେ ପାଟ ଦଣ୍ଡୁଆଙ୍କୁ ମେରୁ ଖୁଣ୍ଟରେ ଉପରକୁ ଗୋଡ ଦୁଇଟି ବାନ୍ଧି ତଳକୁ ମୁଣ୍ଡ ରଖି ଅଗ୍ନି ଉପରେ ଝୁଲାଇ କରାଯାଏ । ସେଠାରେ ଅଚେତ ଅବସ୍ଥାରେ ପରେ ମେରୁ ସମାପ୍ତି ହୋଇଥାଏ ।
ପ୍ରତିବର୍ଷ ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିବା ପାଇଁ ନିକଟସ୍ଥ ଗ୍ରାମାଞ୍ଚଳର ହଜାର ହଜାର ସଂଖ୍ୟାରେ ଅଗଣିତ ଶ୍ରଦ୍ଧାଳୁ ମାନସିକଧାରୀ ଦର୍ଶକ, ସଂସ୍କୃତି ପ୍ରେମୀ କଳାକାର ମାନେ ଏଥିରେ ସାମିଲ ହୋଇଥାନ୍ତି । ଏହି ପର୍ବ ନିଜର ସୁଖ ସୌଖିନ ଜୀବନଯାପନ ଠାରୁ ନିଆରା ଭାବେ ଶରୀରକୁ କଷ୍ଟ ଦେଇ ଏକ ଇଶ୍ୱରୀୟ ଆନନ୍ଦ ପାଇବା ପାଇଁ ପ୍ରେରଣା ଦେଇଥାଏ । ଏମିତିକି ଢୋଳ ବାଦ୍ୟ ଘଣ୍ଟ ମହୁରୀର ତାଳେ ତାଳେ ଶ୍ରଦ୍ଧାଳୁ ମହିଳା ମାନଙ୍କ ହୁଳହୁଳିରେ ସାହିବସ୍ତି କମ୍ପିଉଠିଥିଲା ।