ହେଡଲାଇନସ୍:

୬ଦିନ ଧରି ଚାଲିଥିବା ଦୋଳତ୍ସବ ଉଦ୍‍ଯାପିତ  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଦୋଳବନ୍ଧ ଓ ଦୋଳତ୍ସବ କମିଟିର ମିଳିତ ଆନୁକୁଲ୍ୟରେ ଦୋଳବନ୍ଧ ନିକଟ ଦୋଳମଣ୍ଡପ ଠାରେ ଦୀର୍ଘ ୬ଦିନ ଧରି ଚାଲିଥିବା ଦୋଳତ୍ସବ ଉଦ୍‍ଯାପିତ ହୋଇଯାଇଛି |  ପ୍ରତିଦିନ ସନ୍ଧ୍ୟାରେ ପ୍ରଭୁ ଦୋଳଗୋବିନ୍ଦ ସୁସଜ୍ଜିତ ବିମାନରେ ବସି ନଗର ପରିକ୍ରମା କରି ଦୋଳବନ୍ଧ ନିକଟ ଦୋଳମଣ୍ଡପକୁ ବିଜେ କରୁଥିଲେ । ଚତୁର୍ଥ ଦିନର ମୁଖ୍ୟ ଆକର୍ଷଣ ଥିଲା ରାତ୍ରିରେ ମା ମାଣିକେଶ୍ୱରୀ ଓ ରାମଲିଙ୍ଗେଶ୍ୱର ମନ୍ଦିରରୁ ମହାଦେବଙ୍କୁ ବିରାଟ ପଟୁଆରରେ, ଘଣ୍ଟ,ତାଳ,ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀ, ବାଜା ବଜାଇ ମେଲଣ ପଡିଆ ନିକଟକୁ ଅଣାଯାଇ ହରିହର ଭେଟ କରାଯାଏ । ପରେ ମଘାପୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହା ଦେଖିବାକୁ ଆଖପାଖ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁଙ୍କ ଭିଜ ଜମିଥିଲା । ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ପାଇଁ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଥମ ସନ୍ଧ୍ୟାରେ ମହାରାଜା ରାଧାଶ୍ୟାମ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସ୍ଥାନୀୟ ନବଜୀବନ ବ୍ଲାଇଣ୍ଡ ସ୍କୁଲର ଛାତ୍ରଛାତ୍ରୀମାନେ ନୃତ୍ୟ ପରିବେଷଣ କରିଥିଲେ । ଦ୍ୱିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଡା.  ଅଜୟ କୁମାର ତ୍ରିପାଠୀ ଯୋଗ ଦେଇଥିବା ବେଳେ ବ୍ରହ୍ମପୁରର ଦାସକାଠିଆ ଓ ପାରଳାଖେମୁଣ୍ଡିର ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ କେନ୍ଦ୍ରର ଛାତ୍ରଛାତ୍ରୀମାନେ ନୃତ୍ୟ ପରିବେଷଣ କରିଥିଲେ । ତୃତୀୟ ସନ୍ଧ୍ୟାର ମୁଖ୍ୟ ଅତିଥି ରୁପେ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ଯୋଗ ଦେଇଥିବାବେଳେ ବିନ୍ଦୁପ୍ରିୟା ବେହେରାଙ୍କ ନିର୍ଦ୍ଦେଶନାରେ ପଦାମୃତ ନୃତ୍ୟାୟନର ନୃତ୍ୟଶିଳ୍ପୀ ମାନଙ୍କ ଦ୍ୱାର ରଙ୍ଗାରଙ୍ଗ ନୃତ୍ୟ ପରିବେଷଣ କରିଥିଲେ । ସେହିପରି ଚତୁର୍ଥ ସନ୍ଧ୍ୟାରେ ସ୍ଥାନୀୟ ଉତ୍କଳ ହିତୈଷିଣି ସମାଜ ପକ୍ଷରୁ ଭକ୍ତି ସଙ୍ଗୀତ ସମାରୋହ ହୋଇଥିବା ବେଳେ ଶିଶୁ ନୃତ୍ୟ ଶିଳ୍ପି ପୁନମ ପାତ୍ର, ସନ୍ତୋଷିନୀ ପାତ୍ର, ପୂଜା ପାତ୍ର ଏକକ ନୃତ୍ୟ ପରିବେଷଣ କରିଥିଲେ । ପଞ୍ଚମ ସନ୍ଧ୍ୟାରେ ପାରଳା ଯୁବରାଣୀ କଲ୍ୟାଣି ଦେବୀ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ପରେ ରାଜେନ୍ଦ୍ର ରଥଙ୍କ ସଂଯୋଜନାରେ ସ୍ଥାନୀୟ ଭକ୍ତି ସଙ୍ଗୀତ ସଂସଦର ଶିଳ୍ପୀ ମାନଙ୍କଦ୍ୱାରା ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ । ଉଦ୍‍ଯାପନୀ ସନ୍ଧ୍ୟାର  ମୁଖ୍ୟ ଆକର୍ଷଣ ଥିଲା କୁନି କୁନି ପିଲାଙ୍କର ରାଧାକୃଷ୍ଣ ବେଶ ପ୍ରତିଯୋଗିତା  । ଏଥିରେ ୨୦ ଜଣ ଛୋଟଛୋଟ ପିଲା ଅଂଶ ଗ୍ରହଣ କରିଥିଲେ । ରାଧା ବେଶରେ ସନ୍ତୋଷିନୀ ପାତ୍ର ପ୍ରଥମ ହୋଇଥିବା ବେଳେ ପଲ୍ଲବୀ ମହାପାତ୍ର ପ୍ରଥମ ହୋଇଥିଲେ । ପରେ ଡି. ପ୍ରିୟଙ୍କାଙ୍କ ନିର୍ଦ୍ଦେଶନାରେ ପାରଳାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଓଡିଶୀ କଳା କେନ୍ଦ୍ରର ଛାତ୍ରୀମାନେ ଓଡିଶୀ , ସମ୍ୱଲପୁରୀ ଭଜନ, ନୃତ୍ୟ କରିଥିବା ବେଳେ ହୋଲି ଉପରେ ଦଳଗତ ନୃତ୍ୟ ଦର୍ଶକଙ୍କ ମନ ମୋହିଥିଲା । ବିନୋଦ ଚନ୍ଦ୍ର ଜେନା, ବିଚିତ୍ରାନନ୍ଦ ବେବର୍ତ୍ତା, ହରିମୋହନ ପଟ୍ଟନାୟକ ଓ ଦୋଳବନ୍ଧ ଦୋଳ ଉତ୍ସବ କମିଟିର କର୍ମକର୍ତ୍ତା ସମସ୍ତେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

       

0
0
0
s2sdefault