ବିଭୂତି ପତି
ଆକାଶରୁ ମୌସୁମୀର ମୂର୍ଚ୍ଛନା ମେଲାଣି ନେବ ନେବ ହେଲାଣି | । କିନ୍ତୁ ୨୦୧୮ର ମୌସୁମୀ ଚଳିତ ବର୍ଷ ବେଶ୍ ଚର୍ଚ୍ଚା ସୃଷ୍ଟି କରିଛି । ମୌସୁମୀ ବର୍ଷାରେ ହୋଇଥିବା ବନ୍ୟାଯୋଗୁଁ ୧,୩୧୦ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ୭୫ଲକ୍ଷ ଲୋକଙ୍କୁ ପ୍ରଭାବିତ କରିଛି । ସରକାରୀ ପାଣିପାଗ ତଥ୍ୟରୁ ଜଣାପଡ଼ିଛି ଭାରତରେ ୪୦% ଜିଲ୍ଲା ଏବଂ ଓଡ଼ିଶାରେ ୩% ଅଞ୍ଚଳ ଏବେ ମରୁଡ଼ିର ସମ୍ମୁଖୀନ ହୋଇଛି ।
ସମୃଦ୍ଧିର ଋତୁରୂପେ ପରିଗଣିତ ମୌସୁମୀ ଋତୁ କିନ୍ତୁ ଏଥର ଦେଶକୁ ବିପର୍ଯ୍ୟସ୍ତ କରିଦେଇଛି । ଭାରତରେ ମୌସୁମୀ ବାୟୁ ପ୍ରବାହିତ ହେବା ତିନିମାସରୁ ବେଶି ହୋଇଗଲିଣି । ଏହି ତିନିମାସ ମଧ୍ୟରେ ଭାରତର ନଅଟି ରାଜ୍ୟରେ ୧,୩୧୦ ଜଣ ମୃତ୍ୟୁ ବରଣ କଲେଣି ଏବଂ ଦେଶବ୍ୟାପୀ ୭୫ ଲକ୍ଷ ଲୋକେ ପ୍ରଭାବିତ ହେଲେଣି ବୋଲି ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ତରଫରୁ କୁହାଯାଇଛି । ହିମାଳୟ ଅଞ୍ଚଳରେ ରାଜ୍ୟଗୁଡିକରେ ହଠାତ୍ ବନ୍ୟା ହେବା ଫଳରେ ଆହୁରି ୨୦୦ ଜଣ ଏହି ରିପୋର୍ଟ ଲେଖାହେଲା ବେଳକୁ ପ୍ରାଣ ହରାଇଛନ୍ତି । ମାତ୍ର ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନ୍.ଡି.ଏମ୍.ଏ) ପକ୍ଷରୁ ଏ ସମ୍ପର୍କରେ କୌଣସି ତଥ୍ୟ ଏ ଯାଏ ପ୍ରକାଶିତ ହୋଇନାହିଁ ।
ଗତମାସରେ କେବଳ କେରଳରେ ପଛକୁ ପଛ ୧୦ଦିନର ଅସ୍ୱାଭାବିକ ଭାବେ ପ୍ରବଳ ବର୍ଷା ଏହି ଉପକୂଳ ରାଜ୍ୟକୁ ସମ୍ପୂର୍ଣ୍ଣରୂପେ ଜଳମଗ୍ନ କରିଦେଇଥିଲା ଏବଂ ୪୪୩ ଜଣଙ୍କର ପ୍ରାଣହାନୀ ଘଟିଥିଲା । ଆଗାମୀ ଦିନମାନଙ୍କରେ ଏହି ସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି । ଯଦିଓ ୨୦୧୮ ର ମୌସୁମୀକୁ କେରଳ ବନ୍ୟା ବିପର୍ଯ୍ୟୟର କାରଣ ରୂପେ ଅବାରିତ ପ୍ରବଳ ବର୍ଷା ସକାଶେ ମନେରଖାଯିବ, ତଥାପି ଦେଶର ଅବଶିଷ୍ଟ ଅଞ୍ଚଳରେ ପରିସ୍ଥିତି ଆଦୌ ଭିନ୍ନ ନୁହେଁ । ଏହି ଋତୁରେ ଉତ୍ତରପ୍ରଦେଶ, ପଞ୍ଚିମବଙ୍ଗ, ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ମଧ୍ୟ ବହୁଲୋକ ମୃତ୍ୟୁ ବରଣ କରିଛନ୍ତି ।
ଏନ୍.ଡି.ଏମ୍.ଏ ଆକଳନ କରିଛି ଯେ ପ୍ରତ୍ୟେକ ବର୍ଷ ଆମ ଦେଶରେ ହାରାହାରି ୧୬୦୦ ଜଣ ବ୍ୟକ୍ତି ବନ୍ୟା ଯୋଗୁଁ ପ୍ରାଣ ହରାଇଥାନ୍ତି । ମୌସୁମୀର ଆହୁରି ଏକ ଚତୁର୍ଥାଂଶ ବାକି ଥିବା ଯୋଗୁଁ ଏ କଥା ଆଶଙ୍କା କରାଯାଉଛି ଯେ ଚଳିତ ବର୍ଷ ବନ୍ୟାଯୋଗୁଁ ମୃତ୍ୟୁ ସଂଖ୍ୟା ଏହି ହାରାହାରି ଆକଳନକୁ ଟପିଯିବ ।
ମୌସୁମୀ ବର୍ଷଣମୁଖର ନଥିଲା କି ସକ୍ରିୟ ନଥିଲା
ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ ସାରା ଦେଶରେ ଗତ ତିନିମାସ ମଧ୍ୟରେ ହୋଇଥିବା ବର୍ଷାର ପରିମାଣ ଦୀର୍ଘକାଳୀନ ହାରାହାରି ବର୍ଷ ତୁଳନାରେ ୬% କମ୍ ଥିଲା । ସ୍ୱାଭାବିକ ବୋଲି ବିଚାର କରାଯିବା ଏବଂ ବନ୍ୟାର ବିପର୍ଯ୍ୟୟ; ବର୍ଷଣ ମୁଖର ଓ ସକ୍ରିୟ ମୌସୁମୀ ଋତୁ ସମ୍ପର୍କରେ ଭ୍ରମାତ୍ମକ ଧାରଣା ସୃଷ୍ଟି କରିଥାଏ । ବାସ୍ତବ କଥା ହେଲା ଯେ ବ୍ୟାପକ କ୍ଷୟକ୍ଷତି ଓ ଜୀବନହାନୀ ସତ୍ତେ୍ୱ ନିକଟ ଅତୀତ ତୁଳନାରେ ଚଳିତ ବର୍ଷ କମ୍ ସଂଖ୍ୟକ ରାଜ୍ୟରେ ବନ୍ୟା ହୋଇଛି । ସାରାଦେଶ ଉପରେ ଆଧାରିତ ପରିସଂଖ୍ୟନ ଏକ ଅତ୍ୟନ୍ତ ଅନିୟମିତ ମୌସୁମୀକୁ ଅସ୍ପଷ୍ଟ କରିଦେଇଛି । ଦେଶର ୭୧୮ ଜିଲ୍ଲା ମଧ୍ୟରୁ ମାତ୍ର ୨୦%ରୁ ସାମାନ୍ୟ ଅଧିକ ଜିଲ୍ଲାରେ ବନ୍ୟା ହୋଇଥିବାବେଳେ ପ୍ରାୟ ୪୦% ଜିଲ୍ଲା ମରୁଡ଼ିର ସମ୍ମଖୀନ ହୋଇଛନ୍ତି । ଏହି ଜିଲ୍ଳା ଗୁଡ଼ିକରେ ବର୍ଷା ୨୦%ରୁ ଅଧିକ କମିଯାଇଛି । ଏହାବ୍ୟତୀତ ଆହୁରି ୧୦% ଜିଲ୍ଲାରେ ବର୍ଷାର ପରିମାଣ ୯%ରୁ ଅଧିକ କମିଯାଇଛି । ଓଡ଼ିଶା ମଧ୍ୟ ଏଥିରୁ ବାଦ୍ ଯାଇନି । ଓଡ଼ିଶାର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଜୁନ୍ ଓ ଜୁଲାଇ ମାସର ମଧ୍ୟଭାଗ ସୁଦ୍ଧା୧୮ଟି ଜିଲ୍ଲାରେ କମ୍ ବର୍ଷ ହୋଇଥିବା କାରଣରୁ ମରୁଡ଼ିର ପଦଧ୍ୱନି ସ୍ପଷ୍ଟ ହୋଇଥିଲା । ତେବେ ଓଡ଼ିଶା ପାଣିପାଗ କାର୍ଯ୍ୟାଳୟର ତଥ୍ୟ କହୁଛି ଜୁଲାଇ ମାସର ମଧ୍ୟଭାଗରେ ଓ ଅଗଷ୍ଟ ମାସରେ ଏହି ସ୍ୱଳ୍ପ ବୃଷ୍ଟି ଦୂର ହୋଇଥିଲା । ତେବେ ବର୍ତ୍ତମାନ ସୁଦ୍ଧା ବଲାଙ୍ଗୀରରେ ୧୮% ନବରଙ୍ଗପୁରରେ ୧୪% ଏବଂ ନୟାଗଡ଼ରେ ୧୧% ସ୍ୱାଭାବିକ ବୃଷ୍ଟିପାତଠାରୁ କମ୍ ବର୍ଷା ହୋଇଛି । ଅନ୍ୟପଟରେ ନୟାଗଡ଼ର ନିକଟବର୍ତ୍ତୀ ଦୁଇ ପଡେ଼ାଶୀ ଜିଲ୍ଲା ପୁରୀରେ ସର୍ବାଧିକ ୧୭% ଏବଂ ଗଞ୍ଜାମରେ ୧୪% ଅତିବୃଷ୍ଟି ହୋଇଛି । ସେହିପରି ନବରଙ୍ଗପୁରର ପଡେ଼ାଶୀ ଜିଲ୍ଲା ମାଲକାନାଗିରିରେ ୧୨%ରୁ ଅଧିକ ବୃଷ୍ଟି ହୋଇ ବନ୍ୟା ବିପତ୍ତି ସୃଷ୍ଟି ହୋଇଥିଲା । ଏହା ସୂଚାଇ ଦେଉଛି ଓଡ଼ିଶାରେ ମଧ୍ୟ ମୌସୁମୀ ପ୍ରବାର ଆକଳନ କରିବା କଷ୍ଟକର ଏବଂ ବୃଷ୍ଟିପାତ ଅନିୟମିତ ହୋଇପଡ଼ିଲାଣି ।
ବିଶେଷକରି ସ୍ୱଳ୍ପ ବୃଷ୍ଟି ହୋଇଥିବା ଅନେକଗୁଡ଼ିଏ ଜିଲ୍ଲା ସେହି ରାଜ୍ୟର ଯେଉଁଗୁଡ଼ିକ ବନ୍ୟାଦ୍ୱାରା ପ୍ରଭାବିତ ହୋଇଥିଲା ଉଦାହରଣ ସ୍ୱରୂପ ଉତ୍ତର ପ୍ରଦେଶ କଥା ବିଚାରକୁ ନିଆଯାଉ । ରାଜ୍ୟ ସରକାରଙ୍କ ସୂଚନା ଅନୁଯାୟୀ ମୌସୁମୀ ଯୋଗୁଁ ଦୁଇଥର ପ୍ରବଳ ବର୍ଷାଜନିତ ବନ୍ୟାରେ ୨,୯୨,୦୦୦ ବ୍ୟକ୍ତି ପ୍ରଭାବିତ ହୋଇଥିଲେ । ଏଥିରୁ ଜଣାପଡ଼ୁଛି ଯେ ସୀମିତ ସ୍ଥାନରେ ପ୍ରବଳ ବୃଷ୍ଟିପାତ ଓ ବନ୍ୟାଯୋଗୁଁ ଏପରି ହୋଇଛି । ସେହିପରି ଏହି ରାଜ୍ୟରେ ତିନିଥର ବନ୍ୟାଯୋଗୁଁ ପ୍ରାୟ ୨୦୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି । ମାତ୍ର ଏହି ରାଜ୍ୟର ପ୍ରାୟ ଅର୍ଧେକ ଅଞ୍ଚଳରେ ମରୁଡ଼ି ଘୋଷଣା କରାଯାଇଛି । ଏପରିକି ଚଳିତ ବର୍ଷ ଅନେକ ଗୁଡ଼ିଏ ଜିଲ୍ଲାରେ ମରୁଡ଼ି ହୋଇଥିବାବେଳେ ପଡେ଼ାଶୀ ଜିଲ୍ଲାଗୁଡ଼ିକରେ ବନ୍ୟା ହୋଇଛି । ଆଶ୍ଚର୍ଯ୍ୟର କଥା ଖୋଦ୍ ଆସାମ ସମେତ ବିହାର, ପଶ୍ଚିମବଙ୍ଗ, ଗୁଜୁରାଟ ଓ କର୍ଣ୍ଣାଟକରେ ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଛି । ଏହିସବୁ ରାଜ୍ୟରେ ଏକ ବ୍ୟାପକ ଅଞ୍ଚଳରେ କମ୍ ବୃଷ୍ଟିପାତ ହୋଇଛି । ଏପରି ହେବା ପଛର କାରଣ କ'ଣ ? ଖୁବ୍ କମ୍ ଓ ଖୁବ୍ ଅଧିକ ବୃଷ୍ଟିପାତର ଘଟଣା ଓ ଘଟଣା ସ୍ଥଳକୁ ଅନୁଧ୍ୟାନ କଲେ ଜଳବାୟୁ ପରିବର୍ତ୍ତନର ଛାପ ସ୍ପଷ୍ଟ ରୂପେ ବାରି ହେଇଯାଉଛି ।
ଗତ ତିନିମାସର ଅବଧିରେ ୧୫୦ଟି ଏପରି ଘଟଣା ଘଟିଛି ଯେଉଁ କ୍ଷେତ୍ରରେ ଗୋଟିଏ ଥରରେ ୧୨୫ମିଲିମିଟରରୁ ଅଧିକ ବର୍ଷ ହୋଇଛି । ବିଗତ କେଇବର୍ଷର ଧାରାକୁ ଅନୁଧ୍ୟାନ କଲେ ଏବର୍ଷର ଏତେ ସଂଖ୍ୟକ ଅଧିକ ବୃଷ୍ଟିପାତର ଘଟଣା ଯଥେଷ୍ଟ ବେଶୀ । ସେହିପରି ବୃଷ୍ଟିପାତର ବିତରଣ କ୍ଷେତ୍ରରେ ମଧ୍ୟ ଅନିୟମିତତା ଅନେକ ବଢ଼ିଯାଇଛି । ସାଧାରଣଭାବେ ପଶ୍ଚିମ ଉପକୂଳରେ ଅଧିକ ଘଟିଥାଏ । ତେବେ ଚଳିତବର୍ଷ ପଶ୍ଚିମ ଉପକୂଳରେ ଏପରି ଚରମ ଘଟଣାମାନ ଅଧିକ ସଂଖ୍ୟାରେ ଘଟିଛି । ଏପରି ଘଟିବାର ଗୋଟିଏ କାରଣ ହେଲା ଚଳିତ ବର୍ଷ ମୌସୁମୀ ବର୍ଷାର ବିତରଣ ଅସାଧାରଣ, ଅସନ୍ତୁଳିତ ଭାବରେ ହୋଇଛି । ପଶ୍ଚିମ ଉପକୂଳରେ ପ୍ରଚୁର ବର୍ଷା ହୋଇଥିବା ବେଳେ ଭାରତର ମୁଖ୍ୟ ଭୂଖଣ୍ଡରେ ମୌସୁମୀ ବାୟୁ ବେଶି ଭିତରକୁ ପ୍ରବେଶ କରି ପାରି ନାହିଁ । ପାଣିପାଗ ବିଭାଗର ଜଣେ ବରିଷ୍ଠ ବୈଜ୍ଞାନିକଙ୍କ କହିବା ଅନୁଯାୟୀ ମୌସୁମୀ ବାୟୁ ଚଳିତ ବର୍ଷ ଉତ୍ତରକୁ ବିଶେଷ ଭାବରେ ପ୍ରବାହିତ ହୋଇପାରି ନାହିଁ ।
"" ବିଷୁବ ରେଖା ନିକଟରେ ଘଟୁଥିବା ମାଡେନ ଜୁଲିଆନ ଓସିଲେସନ୍ (ଦୋଳନ)(ଏମ୍.ଜେ.ଓ) ଯୋଗୁଁ ମୌସୁମୀ ବାୟୁର ପ୍ରବାହ ପ୍ରଭାବିତ ହୋଇଥାଏ । ଗୋଟିଏ ଋତୁ ମଧ୍ୟରେ ହିଁ ଏପରି ବାୟୁମଣ୍ଡଳୀୟ ଦୋଳନ ଅନୁଭୂତ ହୋଇଥାଏ । ଚଳିତ ବର୍ଷ ଏହି ଦୋଳନ ମୌସୁମୀ ବାୟୁର ଉତ୍ତର ଆଡକୁ ଗତି କରିବା ସକାଶେ ଏକ ଅନୁକୂଳ ଅବସ୍ଥା ସୃଷ୍ଟି କରିନାହିଁ । ଏହା ସଙ୍ଗେ ସଙ୍ଗେ ସକ୍ରିୟ ଅବପାତ ମଧ୍ୟ ଚଳିତ ବର୍ଷ ଘଟିଲା ନାହିଁ । ଯାହା ଫଳରେ ଏହି ଋତୁରେ ବାୟୁ ଏକ ନିର୍ଦ୍ଧିଷ୍ଟ ଦିଗ ପାଇଥାଏ ବୋଲି କୁହନ୍ତି ଏହି ବିଜ୍ଞାନୀଜଣକ । ଏମ୍.ଜେ.ଓ. ମୌସୁମୀ ବାୟୁ ପ୍ରବାହକୁ ପ୍ରତିକୂଳ ଭାବେ ପ୍ରଭାବିତ କରିବା ସାଧାରଣ ଘଟଣା ହୋଇଥିଲେ ମଧ୍ୟ ବଙ୍ଗୋପସାଗରରେ ଯାହା ଘଟୁଛି ତାହା ଆଦୌ ସାଧାରଣ ଘଟଣା ନୁହେଁ । ମୌସୁମୀ ବାୟୁ ପ୍ରବାହର ଶକ୍ତି ଓ ଅବସ୍ଥିତି ବଙ୍ଗୋପସାଗରରେ ଘଟୁଥିବା ଲଘୁ ଚାପ ବ୍ୟବସ୍ଥା ଉପରେ ମଧ୍ୟ ନିର୍ଭରଶୀଳ । ଲଘୁଚାପ ଅବସ୍ଥା ଅବପାତର ରୂପନେଇ ଭାରତ ଉପମହାଦେଶ ଉପରେ ମୌସୁମୀ ପ୍ରବାହକୁ ବଳିÂ କରିଥାଏ ତଥା ଏହାର ଦିଗ ନିର୍ଣ୍ଣୟ କରିଥାଏ । ପାଣିପାଗ ସଂପର୍କିତ ହାରାହାରି ତଥ୍ୟରୁ ଜଣାପଡିଛି ଯେ ସାଧାରଣ ଭାବେ ମୌସୁମୀର ଚାରିମାସରେ ମୋଟ ଛଅଟି ନିର୍ଦ୍ଧିଷ୍ଟ ଆକାରର ଅବପାତ ସୃଷ୍ଟି ହୋଇଥାଏ । ଜୁନ୍ ଓ ସେପଟେମ୍ବର ମାସରେ ଗୋଟିଏ ଲେଖାଏଁ ଏବଂ ଜୁଲାଇ ଓ ଅଗଷ୍ଟ ମାସରେ ଦୁଇଟି ଲେଖାଏଁ ଅବପାତ ସୃଷ୍ଟି ହୋଇଥାଏ । ତେବେ ଚକିତ ବର୍ଷ ଜୁଲାଇ ମାସର ଶେଷ ଆଡକୁ ଯାଇ ପ୍ରଥମ ଅବପାତ ସୃଷ୍ଟି ହୋଇଥିଲା । ମୌସୁମୀ ଶେଷ ହେବାକୁ ଆଉ ଗୋଟିଏ ମାସରୁ ଅଳ୍ପ କିଛିଦିନ ଅଧିକ ବାକି ଥିବା ବେଳେ, ଏପର୍ଯ୍ୟନ୍ତ ବଙ୍ଗୋପସାଗରରେ ମାତ୍ର ତିନୋଟି ଅବପାତ ସୃଷ୍ଟି ହୋଇ ଭୂଭାଗ ଆଡକୁ ଗତି କରିଛି ।
ଅବପାତର ସଂଖ୍ୟା କମିଯାଇଥିବାରୁ ଏହା ଉପମହାଦେଶରେ ବୃଷ୍ଟିପାତର ବିତରଣକୁ ପ୍ରଭାବିତ କରିଛି ଏବଂ ଚାରୋଟି ଥରରେ ଦୀର୍ଘଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା କରାଇଛି । ମୌସୁମୀ ପ୍ରବାହ ଆରମ୍ଭ ହେବା ଦିନଠାରୁ, ବିଶେଷ କରି ପଶ୍ଚିମ ଉପକୂଳରେ ଏପରି ଘଟିଛି । କାରଣ ଯାହା ବି ହୋଇଥାଉ ନା କାହିଁକି, ମୌସୁମୀ ବର୍ଷା ପୁଣିଥରେ ଅନିୟମିତ ଏବଂ ବିଶୃଙ୍ଖଳିତ ହୋଇଯାଇଛି । ଦେଶରେ ଥିବା ୩୬ଟି ପାଣିପାଗ ଉପଖଣ୍ଡ ମଧ୍ୟରୁ ପ୍ରାୟ ଅଧାଅଧିରେ ମୋଟ ବୃଷ୍ଟିପାତ ସ୍ୱାଭାବିକ ପରିମାଣଠାରୁ ୧୦% କମ୍ ରହିଛି । ମୌସୁମୀ ପ୍ରବାହରର କାର୍ଯ୍ୟକାରୀତା ଦୃଷ୍ଟିରୁ ଅଧିକାଂଶ ଅଞ୍ଚଳରେ ଏବେ ଏକ ନାହିଁ ନାହିଁର ସ୍ଥିତି ସୃଷ୍ଟି ହୋଇଛି, ଯଦିଓ ମୌସୁମୀ ଋତୁ ଶେଷ ହେବାକୁ ଆହୁରି କିଛି ଦିନ ବାକି ଅଛି । ସେପ୍ଟେମ୍ବର ମାସକୁ ମୌସୁମୀ ପ୍ରବାହର ଶେଷଭାଗ ବୋଲି ବିଚାର କରାଯାଏ, କାରଣ ଏହି ମାସ ମୋଟ ବାର୍ଷିକ ବୃଷ୍ଟିପାତର ଏକ ପଞ୍ଚମାଂଶରୁ ମଧ୍ୟ କମ୍ ବର୍ଷା ହୋଇଥାଏ । ସେପଟେମ୍ବର ମାସରେ ଭଲଭାବରେ ବର୍ଷା ହେଲେ, ପରିସଂଖ୍ୟନ ଦୃଷ୍ଟିରୁ ଏହି ଅଭାବର ଭରଣା ହୋଇପାରିବ । ତେବେ ଏପରି ଘଟିବା ସକାଶେ ପ୍ରବଳରୁ ଅତିପ୍ରବଳ ବୃଷ୍ଟିପାତ ଆବଶ୍ୟକ ପଡିବ ଯାହାର ଅର୍ଥ ହେଲା ଆହୁରି ବେଶି କ୍ଷୟକ୍ଷତି ହେବ । ସେପଟେମ୍ବର ମାସରେ ଅଧିକ ବର୍ଷା ହେଲେ ବିଳମ୍ବରେ ତଥା ଅନିୟମିତ ବର୍ଷା ଯୋଗୁଁ ଦେଶର ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷତିର ସମ୍ମୁଖୀନ ହୋଇଥିବା କୃଷକମାନଙ୍କ ପାଇଁ ଏହା ଅଧିକ କ୍ଷତିକାରକ ହେବ । ଅନ୍ୟ ପକ୍ଷରେ ସାଧାରଣ ଧାରା ଅବଲମ୍ବନ କରି ସେପଟେମ୍ବର ମାସରେ ଜୁଲାଇ ଓ ଅଗଷ୍ଟ ତୁଳନାରେ କମ୍ ବର୍ଷା ହେଲେ ତାହା ଏ କଥାକୁ ନିଶ୍ଚିତ କରାଇ ଦେବ ଯେ ଦେଶର ଅଧାଅଧି ଅଞ୍ଚଳରେ ମରୁଡି ପରି ପରିସ୍ଥିତି ଉପୁଜିବ ।
ପାଣିପାଗ ବିଜ୍ଞାନୀମାନେ ଅପେକ୍ଷାକୃତ ଭାବେ ଉଷ୍ମ ଅଞ୍ଚଳରେ ଉତ୍ତାପ ଓ ବୃଷ୍ଟିପାତ ଇତ୍ୟାଦି ସୂଚକ ସକାଶେ ପୂର୍ବାନୁମାନ କରିଥାନ୍ତି । ପୂର୍ବାନୁମାନ କଲାବେଳେ ସେମାନେ ସର୍ବନିମ୍ନସ୍ତର ଓ କେଉଁ ସ୍ତରରୁ ଆଉ ପଛକୁ ଫେରି ଆସିହେବ ନାହିଁ ଏପରି ଦୁଇଟି ସୀମାକୁ ଜାଣିବାକୁ ଉଦ୍ୟମ କରିଥାନ୍ତି କିନ୍ତୁ ଏପରି ପୂର୍ବାନୁମାନ ଜଳବାୟୁ ପରିବର୍ତ୍ତନ ଯୋଗୁଁ ସଂଗଠିତ ହୋଇଥିବା ବହୁ କ୍ରମାଗତ ପ୍ରତିକ୍ରିୟାଗୁଡିକ ବୁଝାଇବାରେ ବ୍ୟର୍ଥ ହେଉଛି । ମୌସୁମୀ ପ୍ରବାହକୁ ନେଇ ଭାରତର ସାମ୍ପ୍ରତିକ ଅଭିଜ୍ଞତା ଏହି ଉଦାହରଣ ସୃଷ୍ଟି କରୁଛି ଯେ ଜଳବାୟୁ ପରିବର୍ତ୍ତନ ପ୍ରକ୍ରିୟାର କେନ୍ଦ୍ରରେ ରହିବାର ଅର୍ଥ କ'ଣ ? ଗତ ଦୁଇଦଶନ୍ଧି ହେଲା ଜଳବାୟୁ ପରିବର୍ତ୍ତନରୁ ମିଳୁଥିବା ସଙ୍କେତ ପାଣିପାଗ ବିଜ୍ଞାନୀମାନଙ୍କର ବୁଦ୍ଧି ବାଟବଣା କରିଦେଇଛି । ଏହି ସବୁ ସଙ୍କେତକୁ ନେଇ ନିର୍ଦ୍ଧିଷ୍ଟ ଭାବେ ମୌସୁମୀ ପ୍ରବାହ ଓ ପାଣିପାଗ ତଥା ବୃଷ୍ଟିପାତର କୌଣସି ଧାରର ସୂଚନା ମିଳୁନାହିଁ । ଏକଥାରେ ପ୍ରାୟ ସମସ୍ତେ ଏକମତ ଯେ ମୌସୁମୀ ବଦଳୁଛି । ମାତ୍ର ବାସ୍ତବରେ ଏହା କିପରି ଭାବରେ ଓ କେତେମାତ୍ରାରେ ବଦଳୁଛି ସେକଥା କହିବାକୁ ବର୍ତ୍ତମାନ ପାଣିପାଗ ବିଶେଷଜ୍ଞମାନେ ଓ ଜଳବାୟୁ ବୈଜ୍ଞାନିକମାନେ ପ୍ରାୟ ସମର୍ଥ ନୁହଁନ୍ତି । ମୌସୁମୀରେ ପରିବର୍ତ୍ତନ ସମ୍ପର୍କୀତ କୌଣସି ଧାରା ନମିଳିବା ଯୋଗୁଁ ଏହା ଏକ ଅସୁବିଧା ଜନକ ପରିସ୍ଥିତି ସୃଷ୍ଟି କରିଛି । କାଲିକୁ ଏହା କିପରି ହେବ ସେକଥା ନ ଜାଣି ଜଣେ ଜଳବାୟୁ ପରିବର୍ତ୍ତନ ସହ ଖାପ ଖୁଆଇ ଚଳିବ କିପରି ? ଏହି ଅଡୁଆ ପ୍ରଶ୍ନ ବର୍ତ୍ତମାନ ତଥା ଆଗାମୀ ବହୁ ବର୍ଷ ପର୍ଯ୍ୟନ୍ତ ଅଧିକ ରୁ ଅଧିକ ଗୁରୁତ୍ୱ ଧାରଣ କରିବ ଏବଂ ମନୋଇ ମୌସୁମୀ ଓ ମନୁଆ ମେଘକୁ ଆକଳନ କରିବା କଷ୍ଟକର ହୋଇପଡ଼ିବ । ।